ଭୁବନେଶ୍ୱର,୧୧ା୧(ଅନୀଲ ଦାସ): ପୁଣି ଖବର ଶିରୋନାମାକୁ ଆସିଛି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ। ଝିଅ ଦୀପାଳି ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ। ତେବେ ରାଜ୍ୟ ସରକାର ପ୍ରକୃତ ଦୋଷୀକୁ ସର୍ବସମ୍ମୁଖକୁ ଆଣିବେ ଏବଂ ଦୋଷୀ ଦଣ୍ଡ ପାଇବ । ଆମେ ଏଥିରେ ସହଯୋଗୀ ହେବୁ ବୋଲି ଏକାମ୍ର ବିଧାୟକ ବାବୁ ସିଂ ଶନିବାର ଖବରଦାତା ସମ୍ମିଳନୀରେ କହିଛନ୍ତି।
ବାବୁ ସିଂ କହିଛନ୍ତି, ଦୀପାଳି ତାଙ୍କ ବାପାକୁ ପୋଲିସ ବ୍ୟବହାର କରି ହତ୍ୟା କରାଯାଇଥିବା ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହାର ଅର୍ଥ ସେ ପ୍ରତ୍ୟକ୍ଷ ଭାବରେ ସ୍ବୀକାର କରିଛନ୍ତି ତାଙ୍କ ବାପାଙ୍କ ହତ୍ୟା ପଛରେ ପୂର୍ବ ସରକାରଙ୍କ ହାତ ଅଛି । ଯେଉଁ ଦୀପାଳି ବାପାଙ୍କ ଦେହାନ୍ତ ଘଟଣାର ତଦନ୍ତ ପାଇଁ ଥରେ ବି ବିଧାନସଭାରେ ଦାବି କରି ନ ଥିଲେ କିମ୍ବା ପ୍ରସଙ୍ଗ ଉଠାଇ ନ ଥିଲେ, ଘଟଣାରେ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟରେ ଲଢ଼େଇ କରି ନ ଥିଲେ, ସେ ପରିବାର ପାଖରେ ରାଜନୀତି ହିଁ ସର୍ବସ୍ବ। ଏହା ସହଜରେ ଅନୁମେୟ । ଯଦି ଦୀପାଳି ଦାସ ଏବେ ଚାହୁଁଛନ୍ତି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସୁ ତେବେ ସେ ଏବଂ ତାଙ୍କ ପରିବାର ଲିଖିତ ଆକାରରେ ସରକାରଙ୍କ ନିକଟରେ ନବ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରନ୍ତୁ । ଯଦି ଦୀପାଳି ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖିଦିଅନ୍ତି, ତେବେ ରାଜ୍ୟ ସରକାର ପ୍ରକୃତ ଦୋଷୀକୁ ସର୍ବସମ୍ମୁଖରେ ଆଣିବେ ଏବଂ ଦୋଷୀ ଦଣ୍ଡ ପାଇବ । ଆମେ ଏଥିରେ ସହଯୋଗୀ ହେବୁ ବୋଲି ବାବୁ ସିଂ କହିଛନ୍ତି।