ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଆଶ୍ୱିନ ପାର୍ବଣ ଦଶହରା ଓ କୁମାର ପୂର୍ଣ୍ଣମୀ ପୂର୍ବରୁ ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଖେଳ ଉପରେ କେ. ନୂଆଗାଁ ପୋଲିସର କଡ଼ା ପ୍ରହାର। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ କେ. ନୂଆଗାଁ ପୋଲିସ ଟିମ୍ ସାନ୍ଧ୍ୟକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଚୌଧୁରୀ ଟିକରପଡ଼ା ଗ୍ରାମରେ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ନେଇ ଖବର ପାଇଥିଲେ। ଆଇଆଇସି ବିଶ୍ୱଜିତ ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଅନେକ ଜୁଆଡ଼ି ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରୁ ୯ ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲା।
ଗିରଫ ଜୁଆଡ଼ିଙ୍କ ନିକଟରୁ ନଗଦ ୧ ଲକ୍ଷ ୫୫ ହଜାର ୬୦ ଟଙ୍କା, ୬ଟି ମୋବାଇଲ ଫୋନ୍, ୬ ମୁଠା ତାସ, ଦରିପାଲ ଓ ଟର୍ଚ୍ଚ ଜବତ କରାଯାଇଛି। ଏହି ଘଟଣାରେ ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ଏତଲା ଦେବା ପରେ ଆଇଆଇସି ବିଶ୍ୱଜିତ ନାୟକ ଥାନା ମାମଲା ନଂ-୨୪୦/୨୬ ଅନୁଯାୟୀ ମୋକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ତଥା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଅତିଥି ଚରଣ ନାୟକ ସମସ୍ତ ଗିରଫ ଜୁଆଡ଼ିଙ୍କୁ ଗିରଫ କରି ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତମୂଳକ ଜାମିନରେ ଛାଡିଥିବା ଜଣାପଡିଛି।