ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଉପରବାହାଲ ଗାଁର ସ୍କୁଟି ଆରୋହୀ ଛବିନ୍ ସାହୁ (୩୯ )ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବୃନ୍ଦାବତୀ ସାହୁ ଓ ୭ବର୍ଷର ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଅନ୍ୟପଟେ ବାଇକ୍ ଚାଳକ ବିରକେଲ୍ ଗାଁର ସପ୍ନେଶ୍ୱର୍ ପଟେଲ ମଧ୍ୟ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

ଛବିନ୍ ସାହୁ ନିଜ ପରିବାର ସହ ବଲାଙ୍ଗୀର ମେଡ଼ିକାଲକୁ ଡାଏଲେସିସ ହେବା ପାଇଁ ଆସୁଥିବା ବେଳେ ବଲାଙ୍ଗୀର ପଟରୁ ସାର ବସ୍ତା ଧରି ଆସୁଥିବା ଏକ ବାଇକ୍ ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ସମସ୍ତେ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଆମ୍ବୁଲାନ୍ସରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଛବିନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ହୋଇଥିବା ଖବର ପ୍ରସାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଛବିନ ସାହୁ ଉପର ବାହାଲ ଗ୍ରାମର ପୂର୍ବତନ ସରପଞ୍ଚଙ୍କ ଜ୍ବାଇଁ ବୋଲି ଜଣାପଡ଼ିଛି । ସେ ସପ୍ତାହକ ଦୁଇଥର ମେଡ଼ିକାଲକୁ ଆସି ଡାଏଲେସିସ ହେଉଥିଲେ ।

 

Dharitri – Odisha’s No.1 Odia Daily