ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା ବର୍ଷା ଦିନେ ଦୟନୀୟ ହୋଇଥିବା ଦେଖିବାକୁ ମିଳିଛି। ରାସ୍ତାରେ କାଦୁଅ ଜମିବା ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଗାତରେ ବର୍ଷା ପାଣି ଜମି ରହିବା ଯୋଗୁ ଯାତାୟାତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଦୁଇଚକିଆ ଯାନ ଓ ପାଦଚାରୀଙ୍କ ପାଇଁ ରାସ୍ତାଟି ବିପଦପୂର୍ଣ୍ଣ ହୋଇପଡ଼ିଛି। ରାସ୍ତାର ଅବସ୍ଥା ଯୋଗୁ ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ସହ ଚାଷୀମାନଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି।ସ୍ଥାନୀୟ ଲୋକେ ରାସ୍ତାର ତୁରନ୍ତ ମରାମତି କରିବା ସହ ଆବଶ୍ୟକ ସ୍ଥାନରେ ମାଟି, ମୋରମ ଓ ମେଟଲ ପକାଇ ଯାତାୟାତ ଉପଯୋଗୀ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ପଡ଼ାରେ ୫୦ ପରିବାର ବସବାସ କରୁଥିଲେ ହେଁ ନିୟମିତ ଯିବା ଆସିବା କରିବା ପାଇଁ ସ୍ଥାୟୀ ରାସ୍ତାଟିଏ ନାହିଁ। ଏପରିକି ୧୯୭୪ ମସିହାରେ ପ୍ରତିଷ୍ଠିତ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ିବା ପାଇଁ ଉପଯୁକ୍ତ ଶ୍ରେଣୀ ଗୃହ ମଧ୍ୟ ନାହିଁ। ପଡ଼ାରେ ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ ୨ କିମି ଦୂରରେ ଥିବା କୁଶୁର୍ଲା ଅଙ୍ଗନୱାଡି କେନ୍ଦ୍ରକୁ ନିର୍ଭର କରନ୍ତି ପଡାବାସୀ।

 

Dharitri – Odisha’s No.1 Odia Daily

 

Share