ପୋଡ଼ାମାରି ବନ ବିଭାଗ ପକ୍ଷରୁ ବିଶ୍ଵ ହସ୍ତୀ ଦିବସ ପାଳିତ: ହାତୀ ସୁରକ୍ଷା ପାଇଁ ସଚେତନତା ସଭା

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଚନ୍ଦ୍ରଗିରି ରେଞ୍ଜ ପୋଡ଼ାମାରି ବନ ବିଭାଗ ପକ୍ଷରୁ ବିଶ୍ଵ ହସ୍ତୀ ଦିବସ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ଗାଁ ମଣ୍ଡପରେ ଆୟୋଜିତ ଏହି ସଚେତନତା ସଭାରେ ପୋଡ଼ାମାରି ଫରେଷ୍ଟର ସୁଧାକର କଣ୍ଡାଲୁ ଅଧ୍ୟକ୍ଷତା କରିଥିଲେ ଏବଂ ମୁଖ୍ୟଅତିଥି ଭାବେ ପଦ୍ମପୁର ପଞ୍ଚାୟତ ସରପଞ୍ଚ ସିମାଞ୍ଚଳ ପ୍ରଧାନ ଯୋଗଦେଇଥିଲେ।

ସଭାରେ ଫରେଷ୍ଟର ଉଦ୍ବୋଧନ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ସହଯୋଗ ବିନା ହାତୀର ସୁରକ୍ଷା, ଜଙ୍ଗଲ ସୃଷ୍ଟି ଏବଂ ପରିବେଶ ସୁରକ୍ଷା ଅସମ୍ଭବ। ସମାଜ ଓ ପରିବେଶ ପାଇଁ ହାତୀର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରି ସେ “ହାତୀ ବନକୁ ବଞ୍ଚାଏ, ବନ ଜଳକୁ ବଞ୍ଚାଏ, ଜଳ ମାଟିକୁ ବଞ୍ଚାଏ, ଏବଂ ଏହି ସବୁ ମିଶି ମଣିଷକୁ ବଞ୍ଚାଏ” ବୋଲି ବର୍ଣ୍ଣନା କରିଥିଲେ। ଜୀବଜନ୍ତୁ, କୀଟପତଙ୍ଗ ଓ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସଭାରେ ମତପ୍ରକାଶ ପାଇଥିଲା।

ମୁଖ୍ୟଅତିଥି ପ୍ରକାଶ କରିଥିଲେ ଯେ ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନଦେଲେ ସମାଜରେ ମଣିଷ ବଞ୍ଚିବା କଷ୍ଟସାଧ୍ୟ ହେବ। ବିଗତ ଦିନରେ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଯୋଗୁଁ ଢେପାଗୁଡ଼ା ଓ ଭୀମନଗର ଗ୍ରାମ ନିକଟ ଜଙ୍ଗଲରେ ୨ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ବନବିଭାଗ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେଣୁ ଅବାଧ ବନ୍ୟପ୍ରାଣୀ ଶିକାର ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଦର୍ଶାଇ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ଠାରୁ ସତର୍କ ରହିବାକୁ ବନବିଭାଗ ଅଧିକାରୀମାନେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ।

ଏହି ସଭାରେ ଗ୍ରାମର ବହୁସଂଖ୍ୟକ ମହିଳା, ଫରେଷ୍ଟ ଗାର୍ଡ ଗଙ୍ଗାଧର ଭୁଁୟା, ବନ୍ଧିଆ ଗମାଙ୍ଗ ଏବଂ ବିଷ୍ଣୁପ୍ରିୟା ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ନେଇ ହାତୀ ସୁରକ୍ଷା ସଚେତନତା ନେଇ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା।

Dharitri – Odisha’s No.1 Odia Daily

Share
Tags: odisha