ଗୁମାପଦରରେ ଅଚଳ ନଳକୂପ: ହଟହଟା ୧୫୦ ପରିବାର

ଦାରିଙ୍ଗବାଡ଼ି, ୧୯।୧୦ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନ ଝିଞ୍ଜିରୀଗୁଡ଼ା ପଞ୍ଚାୟତର କିରାମାହା ଗାଁର ଗୁମାପଦର ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସାହିର ଏକମାତ୍ର ନଳକୂପ ଅଚଳ ହୋଇପଡ଼ିଥିବାରୁ ପ୍ରାୟ ୧୫୦ ପରିବାରର ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଅନ୍ୟପଟେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ଅଚଳ ଥିବାରୁ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।

ସୂଚନା ଅନୁଯାୟୀ, ଗୁମାପଦର ସାହିର ପ୍ରାୟ ୧୫୦ ପରିବାର ଦୀର୍ଘ ଦିନ ଧରି ଉକ୍ତ ନଳକୂପ ଉପରେ ର୍ନିଭର କରି ଆସୁଛନ୍ତି। ଗତ କିଛି ଦିନ ହେଲା ନଳକୂପରୁ ଅଳ୍ପ ପାଣି ବାହାରୁଥିଲା। ତେବେ ସୋମବାର ହ୍ୟାଣ୍ଡେଲକୁ ବହୁ ସମୟ ଧରି ଚଳାଇବା ପରେ ମଧ୍ୟ ଅଳ୍ପ ପାଣି ବାହାରିବା ପରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଫଳରେ ଗାଁର ମହିଳାମାନେ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ନିରାଶ ହୋଇ ନିକଟସ୍ଥ ଅନ୍ୟ ଗାଁକୁ ଯାଇ ପିଇବା ପାଣି ସଂଗ୍ରହ କରିବାକୁ ବାଧ୍ୟ ହୋଇଥିଲେ। ଗ୍ରାମର ଗୋଲାପି ନାୟକ, ଉଷାରାଣୀ ନାୟକ, ଫ୍ରାନ୍ସିସ୍କା ନାୟକ ଓ ମନସୱିନୀ ନାୟକ ପ୍ରମୁଖ ଏଭଳି ସମସ୍ୟା ଯୋଗୁ ଲୋକେ ଅସୁବିଧା ଭୋଗୁଥିବା କହିଛନ୍ତି।

ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବା ବେଳେ ଏବେ ଏକମାତ୍ର ନଳକୂପ ମଧ୍ୟ ଅଚଳ ହୋଇଯାଇଛି। ଏହା ଫଳରେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ବନବାସୀଙ୍କୁ ପାନୀୟ ଜଳ ପାଇଁ ଅନ୍ୟ ଗାଁ ଉପରେ ନିର୍ଭର କରିବାକୁ ପଡ଼ୁଛି। ଦୈନନ୍ଦିନ ଆବଶ୍ୟକତା ପାଇଁ ମଧ୍ୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ପୂଜା ଛୁଟି ଚାଲିଥିବାରୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ଥିବା କାରଣରୁ ନଳକୂପ ମରାମତିରେ ବିଳମ୍ବ ହୋଇଥିବା ଜଣାପଡ଼ିଛି। ଫଳରେ ଗ୍ରାମବାସୀ ଅତ୍ୟାବଶ୍ୟକ ପାନୀୟ ଜଳ ସେବାରୁ ବଞ୍ଚିତ ରହିଛନ୍ତି। ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳ ଏକ ମୌଳିକ ଆବଶ୍ୟକତା ହୋଇଥିବାରୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ସହ ନଳକୂପ ମରାମତି ଏବଂ ପାଇପ ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ବାଭାବିକ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

 

Dharitri – Odisha’s No.1 Odia Daily

 

Share