Posted inUncategorized

ଯା’ ମନ ଯେପରି

ଏ ସଚରାଚର ବିଶ୍ୱରେ ଯାହା କିଛି ଘଟୁଛି, ତା’ ପଛରେ ରହିଛି ବିଶ୍ୱନିୟନ୍ତାଙ୍କ ମହତ୍‌ ଉଦ୍ଦେଶ୍ୟ। ସେ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଭଗବାନ ବେଳେ ବେଳେ ଲୋଡ଼ନ୍ତି ଜଣେ ଜଣେ ମହାନ୍‌ ଭକ୍ତଙ୍କ ସହଯୋଗ। ଭଗବାନଙ୍କ ଦୃଷ୍ଟିରେ ସେଭଳି ଜଣେ ଭକ୍ତ ଥିଲେ ଦାକ୍ଷିଣାତ୍ୟର ବେଦଜ୍ଞ ବ୍ରାହ୍ମଣ ଆଲବନ୍ଦରାଚାର୍ଯ୍ୟ। ଗୁରୁକୁଳ ଆଶ୍ରମ ପରମ୍ପରାର ଜଣେ ମହାନ୍‌ ଆଚାର୍ଯ୍ୟ। ପୁରୁଷୋତ୍ତମ କ୍ଷେତ୍ରବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଥିଲେ ତାଙ୍କର ଆରାଧ୍ୟ ଦେବତା। ପରିଣତ ବୟସରେ ପରମ ରହସ୍ୟମୟ ଅନନ୍ତ ସତ୍ତାକୁ ଉପଲବ୍ଧି କରିବା ନିମନ୍ତେ ପ୍ରାଣ ଯେତିକି ବ୍ୟାକୁଳ ହେଲା, ହୃଦୟକୁ ସେତିକି ଆତୁର କଲା ଦର୍ଶନ ପିପାସା। କାଳବିଳମ୍ବ ନ କରି ସେ ତ୍ରିଭେନ୍ଦ୍ରମ୍‌ରୁ ବାହାରିଲେ ପୁରୀ। ପଦବ୍ରଜରେ ବିତିଗଲା ଦିନ ପରେ ଦିନ। ଧୀରେ ଧୀରେ ପାଖେଇ ଆସିଲା ପୁରୀ। ଶ୍ରୀକ୍ଷେତ୍ରରେ ପହଞ୍ଚତ୍ବା କ୍ଷଣି ପ୍ରାଣରେ ଖେଳିଗଲା ଏକ ଅନିର୍ବଚନୀୟ ଆନନ୍ଦ। ବଡ଼ଦାଣ୍ଡ ଧୂଳିକୁ ମଥାରେ ବୋଳି ଆରମ୍ଭ କରିଦେଲେ ପ୍ରମତ୍ତ ନୃତ୍ୟ। ଦୁଇ ବାହୁ ଊର୍ଦ୍ଧ୍ୱକୁ ଟେକି ଚାଲିଲେ ସିଂହଦ୍ୱାର ଆଡ଼େ। ଆଗେ ଦର୍ଶନ, ତା’ ପରେ ଜଳ ଗ୍ରହଣ, ମନେମନେ ଏହି ସଂକଳ୍ପ ନେଇ ପ୍ରବେଶ କଲେ ଶ୍ରୀମନ୍ଦିର ବେଢ଼ାରେ। ମାତ୍ର ମନ୍ଦିର ବେଢ଼ାରେ ପହଞ୍ଚତ୍ ଜାଣିଲେ ଏବେ ଅନବସର କାଳ। ଠାକୁରେ ଗୁପ୍ତ ପୂଜାରେ ଥିବାରୁ ମିଳିବନି ଦର୍ଶନ। ଅଧୀର ହୋଇଉଠିଲା ଦର୍ଶନପିପାସୁ ଭକ୍ତର ପ୍ରାଣ। ଆନନ୍ଦାଶ୍ରୁ ବଦଳରେ ଆଖିରୁ ଝରିଗଲା ଧାରଧାର ବେଦନାର ଲୁହ। ଲୁହ ଆଉ କୋହରେ ଅସ୍ଥିର ହେଲା ପରେ ବି ତାଙ୍କ ହୃଦୟରେ ଜାଗ୍ରତ ଥିଲା ସେହି ଗୋଟିଏ ଭାବ- ଭଗବାନ କେବଳ ଭକ୍ତର। ଭକ୍ତର ଆକୁଳ ଡାକ ଶୁଣି ଆଜି ସେ ଅଣସର ପିଣ୍ଡିରୁ ଉଠି ନ ଆସିବେ କାହିଁକି? ମହାପ୍ରଭୁଙ୍କର ଏ ଅଧମ ପ୍ରତି ଯଦି ଏତିକି କରୁଣା ନ ହୁଏ ତେବେ ଏ ଜୀବନ ରଖି କି ଲାଭ? ପ୍ରାଣ ବିସର୍ଜନ ଦେବା ଅଧିକ ଶ୍ରେୟସ୍କର। ମନ ଭିତରେ ଏଭଳି ଏକ ସଂକଳ୍ପ ନେଇ ସେ ବସିରହିଲେ ମନ୍ଦିର ବେଢ଼ାରେ।
ଦିନ ଯାଇ ରାତି ହେଲା, କିନ୍ତୁ ମିଳିଲାନି ଦର୍ଶନ। ପ୍ରତିଜ୍ଞା ପାଳନ ପାଇଁ ଚେଇଁ ଉଠିଲା ସ୍ବାଭିମାନ। ଶେଷଥର ପାଇଁ ମନ୍ଦିର ଆଡ଼କୁ ଚାହିଁଦେଇ ସେ ବାହାରି ଆସିଲେ ବେଢ଼ା ବାହାରକୁ। ଗୁପ୍ତ ପୂଜାରେ ଥାଇ ଚିହିଁକି ଉଠିଲେ ମହାପ୍ରଭୁ। ଥରିଉଠିଲା ଅଣସର ପୀଠ। ସହସା ସନ୍ଦେଶ ପହଞ୍ଚତ୍ଲା ସ୍ବର୍ଗଦ୍ୱାର ରକ୍ଷକ ମଶାଣିଆ ହନୁମାନଙ୍କ ପାଖରେ। ଏପଟେ ସ୍ବାଭିମାନର ଦମ୍ଭିଲାପଣ ଯୋଗୁ ଅନ୍ଧାରକୁ ଖାତିର ନ କରି ସ୍ବର୍ଗଦ୍ୱାର ରାସ୍ତାରେ ଚାଲିଛନ୍ତି ଆଚାର୍ଯ୍ୟେ। ଅକସ୍ମାତ୍‌ ଭେଟ ହେଲା ଅନ୍ୟ ଜଣେ ବାଟୋଇଙ୍କ ସହ। ଆଳାପ ଛଳରେ ମହାପ୍ରଭୁଙ୍କ ଅଣସର ବିଧି ସମ୍ପର୍କରେ ଅନର୍ଗଳ ବଖାଣିଲେ ବାଟୋଇ ଜଣକ। ଶୁକ୍ଳପକ୍ଷ ଦ୍ୱିତୀୟା ଯାଏ ଅପେକ୍ଷା କରିବାକୁ ପରାମର୍ଶ ଦେଲେ ହିତାକାଂକ୍ଷୀ ମଣିଷଟେ ପରି। ମାତ୍ର ଆଚାର୍ଯ୍ୟଙ୍କର ସେହି ଏକା ଜିଦ୍‌ ନୀଳାଦ୍ରିନାଥଙ୍କ ଦର୍ଶନ, ନ ହେଲେ ପ୍ରାଣ ବିସର୍ଜନ। ଶେଷରେ ବାଟୋଇ ନିଜ ରୂପରେ ପ୍ରକଟିତ ହୋଇ ପ୍ରକାଶ କଲେ ମହାପ୍ରଭୁଙ୍କ ସନ୍ଦେଶ। ସମ୍ମୁଖରେ ଭକ୍ତ ହନୁମାନଙ୍କୁ ଦେଖି ପ୍ରଣିପାତ କଲେ ଆଚାର୍ଯ୍ୟ। ମାତ୍ର ଉପସ୍ଥିତ ଘଟଣାକୁ ନେଇ ଆହୁରି ଦୃଢ଼ ହେଲା ସ୍ବାଭିମାନୀ ଭକ୍ତର ସଂକଳ୍ପ। ଭାବିଲେ ଭକ୍ତ ଓ ଭଗବାନ ମଝିରେ ଭାବବିନିମୟ ପାଇଁ ତୃତୀୟ ପକ୍ଷର କି ଆବଶ୍ୟକ। ମାତ୍ର ତାଙ୍କ କ୍ଷେତ୍ରରେ ଏଭଳି ଘଟିଥିବାରୁ ଅଧିକ ଆଘାତପ୍ରାପ୍ତ ହେଲା ଭକ୍ତର ସ୍ବାଭିମାନ। କ୍ଷମା ପ୍ରାର୍ଥନାପୂର୍ବକ ଭକ୍ତ ହନୁମାନଙ୍କଠାରୁ ବିଦାୟ ନେଇ ଚାଲିଲେ ଆପଣା ଲକ୍ଷ୍ୟପଥରେ। ଗୋଟିଏ ପାର୍ଶ୍ୱରେ ସ୍ଥିର ସଂକଳ୍ପ, ଅନ୍ୟ ପାର୍ଶ୍ୱରେ ମହାପ୍ରଭୁଙ୍କ ଆଦେଶକୁ ଅବମାନନା କରିବାର ଅନୁଶୋଚନା- ଭାବନାରେ ଏହି ଚକ୍ରବୂ୍ୟହ ଭିତରେ ପଡ଼ି ସେ ଭୁଲିଗଲେ ବାଟ। ମହୋଦଧି ଅଭିମୁଖେ ଯିବା ପରିବର୍ତ୍ତେ ଚାଲିଲେ ତା’ର ବିପରୀତ ଦିଗରେ। ଉଦ୍ଦେଶ୍ୟ ଚରିତାର୍ଥ ହେବା ଜାଣି ଖୁସିରେ ଅନ୍ତର୍ଦ୍ଧାନ ହେଲେ ମଶାଣିଆ ମହାବୀର।
ରାତି ଯେତେ ଗଭୀର ହେଲା, ସେତେ ଦ୍ରୁତ ହେଲା ପାଦର ଗତି। ଅଥଚ ସରିଲାନି ରାସ୍ତା। ସତେଯେମିତି ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି ସମୁଦ୍ର। ଏମିତି ବାଟ ଚାଲୁ ଚାଲୁ ପାହିି ଆସିଲା ରାତି। ପୁରୀର ପଶ୍ଚିମକୁ ୧୪ ମାଇଲ ଦୂରରେ ଅବସ୍ଥିତ ବ୍ରହ୍ମଗିରିରେ ଥିବା ଏକ ପୋଖରୀ କୂଳରେ ଅଟକିଗଲେ ଆଚାର୍ଯ୍ୟେ। ଭାବିଲେ ସେହି ପୁଷ୍କରିଣୀ ଜଳରେ ବୁଡ଼ି ବିସର୍ଜନ କରିବେ ପ୍ରାଣ। ଏମିତି ଭାବିବା ମାତ୍ରେ ହଠାତ୍‌ ତାଙ୍କ ଆଖି ଆଗରେ ଉଦ୍ଭାସିତ ହେଲା ଏକ ଦିବ୍ୟ ଆଲୋକମଣ୍ଡଳ। ଆଖିମଳି ଚାହିଁଲେ ଆଗକୁ। ଶରୀରରେ ଖେଳିଗଲା ଶିହରଣ। ଆଖି ସାମ୍ନାରେ ସ୍ବୟଂ ଜଗତର ନାଥ ଜଗନ୍ନାଥ। ବିଶ୍ୱାସ କରିପାରିଲେନି ନିଜ ଆଖିକୁ। ଶୁଣିଥିଲେ ଶ୍ରୀଜଗନ୍ନାଥ ବିଶ୍ୱର ବିଚିତ୍ର। କେବଳ ଭକ୍ତ ତାଙ୍କ ପାଖକୁ ଯାଏନି, ସେ ନିଜେ ବି ଛୁଟିଆସନ୍ତି ଭକ୍ତ ପାଖକୁ। ଯାହା ଶୁଣିଥିଲେ, ତା’ର ଚାକ୍ଷୁସ ପ୍ରମାଣ ସେ ନିଜେ ଆଜି ଦେଖୁଛନ୍ତି ଆଖି ସାମ୍ନାରେ। ହେଲେ ପ୍ରଭୁଙ୍କର ଏ କି ବିପର୍ଯ୍ୟସ୍ତ ବେଶ! ଶ୍ରୀଅଙ୍ଗରୁ ଝରି ପଡ଼ୁଛି ବିନ୍ଦୁ ବିନ୍ଦୁ ସ୍ବେଦ। ଲିଭିଯାଇଛି ଊର୍ଦ୍ଧ୍ୱପୁଣ୍ଡ୍ର। କେଡ଼େ ବିମର୍ଶ ଦିଶୁଛି ସତେ ତାଙ୍କ ବାଧିକା ଚେହେରା! ନା ଏ ରୂପରେ ନୁହେଁ, ସେ ଦେଖିବାକୁ ଚାହିଁଥିଲେ ପ୍ରଭୁଙ୍କ ନବୀନ ନୀରଦ କାନ୍ତି। ତତ୍‌କ୍ଷଣାତ୍‌ ଭାବଗ୍ରାହୀ ଗ୍ରହଣ କଲେ ଭକ୍ତର ଭାବ। ଧାରଣ କଲେ ନବୀନ ନୀରଦ କାନ୍ତି। ଶ୍ରୀହସ୍ତରେ ଶୋଭା ପାଉଥିଲା ଶଙ୍ଖ, ଚକ୍ର, ଗଦା, ପଦ୍ମ। ଜୀବନର ସବୁଯାକ ଆନନ୍ଦ ଯେମିତି ଅଜାଡ଼ି ହୋଇପଡ଼ିଲା ଆଚାର୍ଯ୍ୟଙ୍କ ଉପରେ। ଆନନ୍ଦରେ କମ୍ପିଉଠିଲା ଦେହ। ଲୋଟିପଡ଼ିଲେ ପ୍ରଭୁଙ୍କ ଚରଣ କମଳ ତଳେ। ଭକ୍ତ ପ୍ରକୃତିସ୍ଥ ହେଲାବେଳକୁ ଅନ୍ତର୍ଦ୍ଧାନ ହୋଇ ସାରିଥିଲେ ଭଗବାନ। ହେଲେ ଭକ୍ତର ଇଚ୍ଛା ପୂର୍ଣ୍ଣ ହେବ ବୋଲି ଶୁଣେଇ ସାରିଥିଲେ ଶୂନ୍ୟବାଣୀ।
ଆଚାର୍ଯ୍ୟଙ୍କଠାରୁ ସବୁକଥା ଶୁଣିବା ପରେ ତାଙ୍କ ଆଦେଶରେ ସେଠାରେ ନିର୍ମାଣ ହେଲା ୫୦ଫୁଟ୍‌ ଉଚ୍ଚତାର ଏକ ଭବ୍ୟ ମନ୍ଦିର। ଭକ୍ତ ଯେଉଁ ରୂପରେ ମହାପ୍ରଭୁଙ୍କୁ ଦେଖିଲେ ଠିକ୍‌ ସେହି ରୂପରେ ପୂଜା ପାଇଲେ କଳା ମୁଗୁନି ପଥରରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମୂଳ ବିଗ୍ରହ। ଭକ୍ତ ଆଲବନ୍ଦାଚାର୍ଯ୍ୟଙ୍କ ନାମାନୁସାରେ ମହାପ୍ରଭୁ ଏଠାରେ ବହନ କଲେ ‘ଅଲାରନାଥ’ନାମ। ବ୍ରହ୍ମଗିରିରେ ବଢ଼ିଚାଲିଲା ଅଲାରନାଥଙ୍କ ମହିମା। ଶ୍ରୀଜଗନ୍ନାଥଙ୍କ ଅନବସର ସମୟରେ ଅଲାରନାଥଙ୍କ ଦର୍ଶନ ନିମନ୍ତେ ଛୁଟିଲା ଭକ୍ତଙ୍କ ସୁଅ।
ଅତୀତର ଭିତ୍ତିଭୂମି ଉପରେ ଠିଆହୋଇଛି ବର୍ତ୍ତମାନ। ଏହା ହୋଇପାରେ ଅତୀତଠାରୁ ଯଥେଷ୍ଟ ଉନ୍ନତ ଓ ପୁଷ୍କଳ। ମାତ୍ର ବିକାଶ ପଥରେ ଯେତେ ଆଗକୁ ଗଲେ ବି ଅତୀତକୁ ବିସ୍ମରିଯିବା ଅନୁଚିତ। ଜଗତକୁ ଏହି ସନ୍ଦେଶ ଦେବା ପାଇଁ ପୁରୀରୁ ବ୍ରହ୍ମଗିରି ଯାଏ ଭକ୍ତ ପଛେ ପଛେ ଧାଇଁଥିଲେ ଶ୍ରୀଜଗନ୍ନାଥ। ଶାସ୍ତ୍ର କହେ ଏହି ବ୍ରହ୍ମଗିରିରେ ସେ ପ୍ରଥମେ ପୂଜା ପାଉଥିଲେ ଶିଳାପଦ୍ମ ରୂପରେ। ଅତୀତର ସେହି ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଅଲାରନାଥ ରୂପରେ ପ୍ରତିଷ୍ଠା ପାଇବା ଥିଲା ତାଙ୍କର ଉଦ୍ଦେଶ୍ୟ। ତାହା ଚରିତାର୍ଥ ପାଇଁ ସେ ଲୋଡ଼ିଛନ୍ତି ଆଲବନ୍ଦରାଚାର୍ଯ୍ୟଙ୍କ ଭଳି ଜଣେ ମହାନ୍‌ ଭକ୍ତଙ୍କ ସହଯୋଗ। ବାସ୍ତବରେ ଏଭଳି ନିଷ୍କାମ ଭକ୍ତି କେବଳ ଜ୍ୱର ପୀଡ଼ିତ ଜଗନ୍ନାଥଙ୍କୁ ଘୋଷାରି ନେଇପାରେ ପୁରୀରୁ ବ୍ରହ୍ମଗିରି ପର୍ଯ୍ୟନ୍ତ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି- ଯା’ ମନ ଯେପରି, ତା’ ପାଇଁ ସେପରି ଫଳ ରଖିଥାଏ ବିଶ୍ୱ, ଉଚ୍ଚମନା ନିଜେ ଅମୃତ ଲଭଇ ନୀଚମନା ପାଏ ବିଷ।

ଡ. ପ୍ରଫୁଲ୍ଲ କୁମାର ସାହୁ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri