ଭୋପାଳ,୫ା୧୦: ମଧ୍ୟପ୍ରଦେଶର ଛତରପୁର ଜିଲା ଗଢ଼ାସ୍ଥିତ ପ୍ରସିଦ୍ଧ ବାଗେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି । ଶନିବାର ରାତିରେ ଦିବ୍ୟ ଦରବାର ସମୟରେ ସେ ବିଶେଷ କରି ମାଆ-ଭଉଣୀମାନଙ୍କୁ ଏକୁଟିଆ ଧାମକୁ ନଆସିବାକୁ ପରାମର୍ଶ ଦେଇଥିଲେ।
ସେ କହିଥିଲେ, ଯଦି କୌଣସି କାରଣରୁ ଏକୁଟିଆ ଆସିବାକୁ ପଡ଼େ, ତେବେ କୌଣସି ଅଜଣା ବ୍ୟକ୍ତି କିମ୍ବା ସେବାଦାରଙ୍କ ଉପରେ ଆଖିବୁଜି ଭରସା କରନ୍ତୁ ନାହିଁ । ଶ୍ରଦ୍ଧାଳୁମାନେ ନିଜେ ସତର୍କ, ସଜାଗ ଓ ସାବଧାନ ରହିବା ସହ ଅଜଣା ବ୍ୟକ୍ତିଙ୍କ ସହ କୌଣସି ସ୍ଥାନକୁ ନଯିବାକୁ ସେ ଅପିଲ୍ କରିଛନ୍ତି । ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କହିବା ଅନୁସାରେ, ବାଗେଶ୍ୱର ଧାମ ପ୍ରାୟ ୫ କିଲୋମିଟର ଅଞ୍ଚଳରେ ବ୍ୟାପିଛି । ମନ୍ଦିର ପରିସର ଓ ନିର୍ଦ୍ଧାରିତ ହଲ୍ର ବ୍ୟବସ୍ଥା ଏବଂ ସୁରକ୍ଷା ଧାମ ପରିଚାଳନାର ଦାୟିତ୍ୱ ହୋଇଥିଲେ ମଧ୍ୟ ସମଗ୍ର ଅଞ୍ଚଳର ସୁରକ୍ଷା ନିଶ୍ଚିତ କରିବା ସମ୍ଭବ ନୁହେଁ। ତେଣୁ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ନିଜ ସୁରକ୍ଷା ପ୍ରତି ସଚେତନ ରହିବାକୁ ସେ କହିଛନ୍ତି।
ସେ ବିଶେଷ କରି ମାଆ-ଭଉଣୀମାନଙ୍କୁ କହିଛନ୍ତି ଯେ, ଏକୁଟିଆ ଧାମକୁ ଆସିଲେ ଅଜଣା ବ୍ୟକ୍ତି କିମ୍ବା ସେବାଦାରଙ୍କ କଥାରେ ଭରସା କରି କୌଣସି ଅଜଣା ସ୍ଥାନକୁ ଯାଆନ୍ତୁ ନାହିଁ । ମନ୍ଦିର ପରିସର ଓ ନିର୍ଦ୍ଧାରିତ ହଲ୍ ବ୍ୟତୀତ ଅନ୍ୟ ସ୍ଥାନରେ ଅନାବଶ୍ୟକ ଭାବେ ଯିବାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ବୃନ୍ଦାବନ ସମେତ ଅନ୍ୟାନ୍ୟ ଧାର୍ମିକ ସ୍ଥଳରେ ସାମ୍ନାକୁ ଆସିଥିବା କିଛି ଘଟଣାର ଉଦାହରଣ ଦେଇ ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, କୌଣସି ଅପ୍ରୀତିକର ଘଟଣା ଯୋଗୁ ବାଗେଶ୍ୱର ଧାମ କିମ୍ବା ଶ୍ରୀ ବାଲାଜୀ ମହାରାଜଙ୍କ ବଦନାମ ହେଉ, ସେ ଏହା ଚାହୁଁନାହାନ୍ତି। ତେଣୁ ଅଜଣା ବ୍ୟକ୍ତିଙ୍କ କଥାରେ ନପଡ଼ି ନିଜ ସୁରକ୍ଷା ପ୍ରତି ସଚେତନ ରହିବାକୁ ସେ ଶ୍ରଦ୍ଧାଳୁଙ୍କୁ ଅପିଲ୍ କରିଛନ୍ତି।
ଏହି ଅବସରରେ ଧୀରେନ୍ଦ୍ର ଶାସ୍ତ୍ରୀ ସନାତନ ଧର୍ମକୁ ନେଇ ମଧ୍ୟ ମତ ରଖିଥିଲେ। ବର୍ତ୍ତମାନ ସମୟରେ ସନାତନ ଧର୍ମକୁ ନେଇ ବିଭିନ୍ନ ବିବାଦ ଓ ଘଟଣା ସାମ୍ନାକୁ ଆସୁଥିବା ସେ କହିଥିଲେ। କିଛି ଲୋକ ଲଗାତାର ସନାତନ ଧର୍ମ ଏବଂ ତାଙ୍କ ବିରୋଧରେ ରହି ବିଭିନ୍ନ ପ୍ରକାରର ଉପଦ୍ରବ କରୁଥିବା ଦାବି କରି, ଶ୍ରଦ୍ଧାଳୁମାନେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତିରେ ନପଡ଼ନ୍ତି, ସେଥିପାଇଁ ସତର୍କ ରହିବାକୁ ସେ ଅପିଲ୍ କରିଛନ୍ତି।

