ଅହମ୍ମଦାବାଦ,୨।୫ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୭ ରନ୍ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା ପଞ୍ଜାବ କିଙ୍ଗ୍ସ। ହେଲେ ପୃଥ୍ବୀ ଶ’ ଓ ଶିଖର ଧାଓ୍ବନ ଓପନିଂ ଯୋଡ଼ି ଏହାକୁ ଅତି ସାଧାରଣ ସ୍କୋରରେ ପରିଣତ କରି ଦେଇଥିଲା। ଦୁହେଁ ପାଓ୍ବରପ୍ଲେରେ ଯୋଡ଼ିଥିଲେ ୬୩ ରନ୍। ପୃଥ୍ବୀ (୩୯) ଆଉଟ୍ ହେବା ପରେ ଟପ୍ ଫର୍ମରେ ଥିବା ଧାଓ୍ବନ (୬୯* ରନ୍, ୬ ଚୌକା ଓ ୨ ଛକା) ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ସହ ମିଶି ଦଳକୁ ଦେଇଥିଲେ ବିଜୟ ଭେଟି। ଦିଲ୍ଲୀ ୧୭.୪ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
ବିଜୟ ସହ ଦଳ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଦଳ ପାଖରେ ଅଛି ସର୍ବାଧିକ ୧୨ ପଏଣ୍ଟ। ଗତ କାଲି ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜୟ ବରଣ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦ୍ୱିତୀୟ ସ୍ଥାନକୁ ଖସିଯାଇଛି।
କାମଚଳା ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ୫୮ ବଲରେ ଖେଳିଥିଲେ ୯୯ ରନ୍ର ଅପରାଜିତ ଇନିଂସ। ତାଙ୍କ ପାଳିରେ ଥିଲା ୮ ଚୌକା ଓ ୪ ଛକା। ତାଙ୍କୁ କେହି ଉଚିତ ସହଯୋଗ ଦେଇପାରି ନ ଥିଲେ। ଏହାସତ୍ତ୍ୱେ ପଞ୍ଜାବ ୨୦ ଓଭରରେ ୬ ଉଇକେଟ ହରାଇ ୧୬୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ହାତେଇଥିଲେ ୩ ଉଇକେଟ।


