ଯୁବପିଢ଼ି ବିବେକାନୁମୋଦିତ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ

ଜଗତସିଂହପୁର, ୮ା୮(ପ୍ରମୋଦ କୁମାର ନାୟକ): ଗଣମାଧ୍ୟମଠାରୁ ସାମ୍ବାଦିକତାର ମହତ୍ତ୍ୱ ଶିଖିବାର ଅଛି, ଯାହା ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ ନିର୍ଭୀକତା ଓ ସ୍ପଷ୍ଟବାଦିତାରୁ ସ୍ପଷ୍ଟ ଅନୁମେୟ। ତାଙ୍କ ସମ୍ପାଦକୀୟ ଅନେକ ସମୟରେ ଓଡ଼ିଶାରେ ହଟଚମଟ ସୃଷ୍ଟି କରିଥାଏ। ସ୍ପଷ୍ଟ କଥା ଉଲ୍ଲେଖ କରିବାରେ ସେ ଆଦୌ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ। ତେଣୁ ତାଙ୍କୁ ଅନୁକରଣ କରିବା ଉଚିତ। ଯୁବଗୋଷ୍ଠୀ ହେଉଛନ୍ତି ଗଣତନ୍ତ୍ରର ପ୍ରମୁଖ ଅଂଶ। ଗଣତନ୍ତ୍ରକୁ କେବଳ ବଞ୍ଚାଇବା ନୁହେଁ, ସୁଦୃଢ଼ କରିବାକୁ ହେଲେ ଯୁବଗୋଷ୍ଠୀ ଇନ୍ଦ୍ରିୟ ଅନୁମୋଦିତ ନ ହୋଇ ବିବେକାନୁମୋଦିତ ହେବା ଜରୁରୀ। ଅର୍ଥାତ୍‌ ବିବେକ ଅନୁସାରେ କାର୍ଯ୍ୟ କଲେ ସମାଜରେ ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତିଷ୍ଠା ହୋଇପାରିବ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କୁର୍ତ୍ତାଙ୍ଗସ୍ଥିତ ସ୍ବାମୀ ଅରୂପାନନ୍ଦ ହାୟର ସେକେଣ୍ଡାରୀ ସ୍କୁଲ ଅଫ୍‌ ଏଜୁକେଶନ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତି ସୋମବାର ଏହା କହିଛନ୍ତି। ଏହି ଶିକ୍ଷାନୁଷ୍ଠାନ ପରିସରରେ ଧରିତ୍ରୀର ୫୦ ବର୍ଷ ଉପଲକ୍ଷେ ଆୟୋଜିତ ‘ଗଣମାଧ୍ୟମ,ଗଣତନ୍ତ୍ର ଓ ଯୁବପିଢ଼ି ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷ ମହାନ୍ତି କହିଛନ୍ତି, ଆମେ ପ୍ରତ୍ୟେକ ଯାହା ଉଚିତ ତାହା କଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ। କୌଣସି ଚାପ ଯଥା ଏକଚ୍ଛତ୍ର ଶାସକ, ତ୍ରୁଟିପୂର୍ଣ୍ଣ ଶାସନ ବ୍ୟବସ୍ଥା କିମ୍ବା ପ୍ରଭାବଶାଳୀ କଳଙ୍କିତ ବ୍ୟକ୍ତିଙ୍କ ପାଖରେ ମୁଣ୍ଡ ନୁଆଁଇଦେଲେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ। ଏହାକୁ ସଶକ୍ତ କରିବାକୁ ହେଲେ ପ୍ରତ୍ୟେକ ବିଶେଷକରି ଯୁବପିଢ଼ି ଓ ଗଣମାଧ୍ୟମ ସକ୍ରିୟ ହେବାକୁ ପଡ଼ିବ। ଦୀର୍ଘ ବର୍ଷର ପରାଧୀନତା ପରେ ଯେଉଁ କଷ୍ଟଲବ୍ଧ ସ୍ବାଧୀନତା ପାଇଛେ ତାକୁ କୌଣସି ପରିସ୍ଥିତିରେ ଦୁର୍ବଳ କରିବାକୁ ଦେବାନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ବିଚାରକ ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ସର୍ବେଶ୍ୱର ବିଶ୍ୱାଳ ସମ୍ପ୍ରତି ଦେଖା ଦେଇଥିବା ଲାଞ୍ଚରୂପକ ବ୍ୟାଧିକୁ ନେଇ ଚିନ୍ତା ପ୍ରକଟ କରି କହିଛନ୍ତି, ଅନେକେ କିଛି ଟଙ୍କା ପାଇଁ ନିଜ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ଦେଉଛନ୍ତି। ଏଭଳି ମାନସିକତା ଗଣତନ୍ତ୍ର ପାଇଁ ଅଶୁଭ। ଯୁବଗୋଷ୍ଠୀ ଦେଶର ଭବିଷ୍ୟତ। ସେମାନେ ସେମାନଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିବାର ବେଳ ଆସିଛି। ଦୁର୍ନୀତିରୂପୀ ରାକ୍ଷସକୁ ଦମନ କରି ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ବ୍ରତୀ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଅନ୍ୟତମ ବିଚାରକ ତଥା ବର୍ତ୍ତୀସ୍ଥିତ ହରେକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ମନୀଷା ମିଶ୍ର ଗଣମାଧ୍ୟମ, ଯୁବପିଢ଼ି ଓ ଗଣତନ୍ତ୍ରକୁ ଏକ ତ୍ରିଭୁଜ ସହ ତୁଳନା କରିଛନ୍ତି। କିନ୍ତୁ ଗଣମାଧ୍ୟମର ସ୍ବତନ୍ତ୍ରତା ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପ୍ରସଙ୍ଗର ଗମ୍ଭୀରତା ବୁଝିବାକୁ ପରାମର୍ଶ ଦେବାକୁ ଯାଇ ସେ କହିଛନ୍ତି, ଏହାର ବିଭିନ୍ନ ଦିଗକୁ ସ୍ପର୍ଶ କରିବାକୁ ହେବ। ବିଶେଷକରି ବୈଜ୍ଞାନିକ, ସାମାଜିକ, ଦାର୍ଶନିକ ଓ ଧାର୍ମିକ ଦୃଷ୍ଟିକୋଣକୁ ବୁଝି ବକ୍ତବ୍ୟ ରଖିଲେ ତାହା ସାରଗର୍ଭକ ଏବଂ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।
ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରୀଛାତ୍ରମାନେ ଅନେକ ଉପାଦେୟ କଥା କହିଛନ୍ତି। ବାସ୍ତବିକ ଆମ ଦେଶରେ ଗଣତନ୍ତ୍ରକୁ ବ୍ୟକ୍ତିତନ୍ତ୍ରରେ ପରିଣତ ପାଇଁ ଅହରହ ପ୍ରଚେଷ୍ଟା ଚାଲିଛି। ନାଗରିକମାନେ ପ୍ରତି ମୁହୂର୍ତ୍ତରେ ନିଷ୍ପେଷିତ, ଅବହେଳିତ ଓ ଦୁର୍ନୀତିର ଶିକାର ହେଉଛନ୍ତି, ଯାହା ଆଗାମୀ ପିଢ଼ି ପାଇଁ ଶୁଭଙ୍କର ନୁହେଁ। ଗଣତନ୍ତ୍ରକୁ ଠିକ ବାଟରେ ନେବା ପାଇଁ ଗଣମାଧ୍ୟମର ଭୂମିକା କିଛି କମ୍‌ ନୁହେଁ। ଗଣତନ୍ତ୍ର ଯେତେବେଳେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବିପଦଗାମୀ ହୁଏ ସେତେବେଳେ ଗଣମାଧ୍ୟମ ମାର୍ଗଦର୍ଶନ ଦିଏ। କିନ୍ତୁ ବେଳେବେଳେ ଗଣମାଧ୍ୟମ ପଥଚ୍ୟୁତ ହୋଇଯାଉଛି, ଯାହା କେବଳ ଯୁବ ସମାଜ ନୁହେଁ ସମାଜ ଉପରେ ପଡୁଛି। ଗଣମାଧ୍ୟମ ଏ ଦିଗରେ ଦାୟିତ୍ୱବାନ୍‌ ହେବା ଉଚିତ। ଅନ୍ୟପଟେ ଯୁବ ସମାଜ ଭଲ ମଣିଷ ହେବା ଜରୁରୀ। ସମାଜରେ ଦେଖା ଦେଉଥିବା ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ଉଚିତ। ଯେଉଁମାନେ ଗଣତନ୍ତ୍ର କିମ୍ବା ଗଣମାଧ୍ୟମକୁ ପରିଚାଳନା କରୁଛନ୍ତି ସେମାନେ ସତ୍ୟବାଦୀ, ସତ୍‌ ଚରିତ୍ର ନ ହେଲେ ଦିନକୁ ଦିନ ପରିସ୍ଥିତି ବିଗିଡ଼ି ଚାଲିବ। କିନ୍ତୁ ଧରିତ୍ରୀ ତା’ର ନିରପେକ୍ଷତା ବଜାୟ ରଖିପାରିଥିବା ପ୍ରତିଯୋଗୀମାନେ ବକ୍ତବ୍ୟ ଦେଇଛନ୍ତି। ପ୍ରତିଯୋଗିତାରେ ମୋଟ ୨୧ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଯୁକ୍ତ୨ ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଦିବ୍ୟଶିଖା ବେହେରା ପ୍ରଥମ, ଯୁକ୍ତ୨ ଦ୍ୱିତୀୟ ବର୍ଷ କଳା ଛାତ୍ରୀ ବିଶ୍ୱମିତ୍ରା ଭରଦ୍ୱାଜ ଦ୍ୱିତୀୟ ଏବଂ ଯୁକ୍ତ୨ ଦ୍ୱିତୀୟ ବର୍ଷ କଳା ଛାତ୍ରୀ ଦୀପ୍ତି ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ଉଦ୍‌ବୋଧନ ଓ ମଞ୍ଚ ପରିଚାଳନା କରିଥିଲେ ଧରିତ୍ରୀ ଉପବାର୍ତ୍ତା ସମ୍ପାଦକ ମିହିର କାନ୍ତ ଦାସ। ଧନ୍ୟବାଦ ଦେଇଥିଲେ ରଘୁନାଥପୁର ପ୍ରତିନିଧି ରାଜେନ୍ଦ୍ର ନାରାୟଣ ସିଂ। ଅନ୍ୟମାନଙ୍କ ମଧ୍ୟରେ ଧରିତ୍ରୀର ବରିଷ୍ଠ ସହ ସମ୍ପାଦକ ଅରୁଣ ପ୍ରସାଦ କାନୁନ୍‌ଗୋ, ସହ ସମ୍ପାଦକ ଅରବିନ୍ଦ ମହାନ୍ତି, ପ୍ରସାରଣ ବିଭାଗର ବିଜୟ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା କୁମୁଦିନୀ ଦ୍ୱିବେଦୀ, ଅଧ୍ୟାପକ କମଳଲୋଚନ ଆଚାର୍ଯ୍ୟ, ରମେଶ ଚନ୍ଦ୍ର ସାହୁ ଓ ଅଜିତ କୁମାର ଭୂୟାଁଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri