Advertisement

ସଇତାନର ଶାନ୍ତିପାଠ

ଉପେନ୍ଦ୍ର ବିଶ୍ୱାଳ

 

‘ଘୁଷୁରି ମୁହଁରେ ପାଚିଲା କଦଳୀ’ ପରି ଶାନ୍ତି ଯାହା ପାଇଁ ବିଷ ସଦୃଶ, ସେପରି ସଇତାନ ମୁହଁରେ ଆଜି ଶାନ୍ତିପାଠ। ଅବିଶ୍ୱସନୀୟ ହେଲେ ବି ନିରାଟ ସତ। ଆମେ କହୁଛୁ ଏଠି ଆତଙ୍କବାଦୀଙ୍କ ଆଖଡ଼ାଶାଳ, ଆତଙ୍କବାଦୀ ଉତ୍ପାଦନକାରୀ ଦେଶର କଥା। ମାର୍ଚ୍ଚ ୧୮ ତାରିଖ। ଚାଲିଥାଏ ‘ଇସ୍‌ଲାମାବାଦ ସିକ୍ୟୁରିଟି ଡାଇଲଗ’ ସମାବେଶ। ‘ଭାରତ ସହିତ ମିତ୍ରତା ସ୍ଥାପନ ଅତି ଜରୁରୀ’ ବୋଲି ଘୋଷଣାକଲେ ସେନାଧ୍ୟକ୍ଷ ଜେନେରାଲ ଜାଭେଦ ବାଜୱା ସେଦିନ। ଅବଶ୍ୟ ତା’ ଆଗଦିନ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଦୁହେଁ ଗାଇଥିଲେ ସେଇ ଶାନ୍ତିର ସ୍ତବକୁ। ସେଦିନ ଦୁନିଆ ଏତେଟା ବିଶ୍ୱାସକୁ ନେଇ ନ ଥିଲା ପ୍ରଧାନମନ୍ତ୍ରୀଙ୍କ କଥାକୁ। କାରଣ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କର ଅସଲ ମୁରବି, ଭାଗ୍ୟଧର ହେଉଛନ୍ତି ସେନାଧ୍ୟକ୍ଷ ଜେନେରାଲ ବାଜୱା। ତା’ପରଦିନ ବାଜୱାଙ୍କର ଘୋଷଣାରେ ଆଚମ୍ବିତ ହେବା ସହିତ ଆଶ୍ୱସ୍ତ ହୋଇଥିଲା ବିଶ୍ୱ। ଭାରତ ସହିତ ପୁନଃ ସମ୍ବନ୍ଧ ସ୍ଥାପନ ପାଇଁ ପାକିସ୍ତାନ ଯେ କେତେ ବ୍ୟାକୁଳ ଥିଲା ତାହା ତ ଜଣାପଡ଼େ ତଡ଼ିତବେଗୀ ଆଚରଣରୁ। ଏଇ ସ୍ବଳ୍ପସମୟ ଭିତରେ ଅନୁଷ୍ଠିତ ହୋଇଯାଇଛି ସେନାସ୍ତରୀୟ ଏକାଧିକ ଶାନ୍ତିବୈଠକ। ନିୟନ୍ତ୍ରଣରେଖାକୁ ନେଇ ୨୦୦୩ ମସିହାରେ ଉଭୟଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ରାଜିନାମାକୁ ୧୮ବର୍ଷ ପରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶାନ୍ତି ବୈଠକରେ ସମ୍ମତି ପ୍ରକାଶ ପାଇଛି। ଗତ ୨୩ ତାରିଖରେ ସିନ୍ଧୁ ଓ ଚେନା ନଦୀର ଜଳ ବଣ୍ଟନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଦୁଇଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ଆଗେଇନେବା ପାଇଁ ଚଳିତମାସ ୫ ତାରିଖରେ ପ୍ରସିଦ୍ଧ ବୈଶାଖୀ ପର୍ବ ଅବସରରେ ଶିଖ୍‌ମାନଙ୍କୁ ଭିଜା ଦେବା ଆରମ୍ଭ କରିଛି ପାକିସ୍ତାନ। କିନ୍ତୁ ବାଣିଜ୍ୟ କାରବାରକୁ ନେଇ ସେଠାକାର ସରକାର ଖୁବ୍‌ ଦ୍ୱନ୍ଦ୍ୱରେ। ଗୋଟେ ପଟେ ସମୟର ଜରୁରୀ ଆବଶ୍ୟକତା ତ ଅନ୍ୟପଟେ ବିରୋଧୀଙ୍କ ବିରୋଧ। ଭାରତ ନିକଟରେ ଅତି ଅପମାନଜନକ ଭାବେ ପାକିସ୍ତାନ ଆତ୍ମସମର୍ପଣ କରୁଥିବାର ଗଣମାଧ୍ୟମଗୁଡ଼ିକ ସେଠାରେ ପ୍ରଚାର କରୁଥିବାରୁ ସରକାର ଅପଦସ୍ଥ ହେଲାଭଳି ମନେ କରୁଛନ୍ତି। ଚିନି, କପା ଆଦି କେତେକ ସାମଗ୍ରୀକୁ ଜରୁରିକାଳୀନ ଭିତ୍ତିରେ ଆମଦାନୀ କରିବାକୁ ଥିଲାବେଳେ ସାମୟିକ ଭାବେ ଏହା ଏବେ ସ୍ଥଗିତ ରହିଛି। ଏହି ଦୁଇଟି ସାମଗ୍ରୀର ଘୋର ଅଭାବ ସେଠାରେ। ଚିନି ଆଜି କିଲୋଗ୍ରାମ୍‌ ପ୍ରତି ୧୨୦ଟଙ୍କାରୁ ଊର୍ଦ୍ଧ୍ୱ। ପୁଣି ମେ’ ୧୪ରେ ରମଜାନ ସମୟରେ ତାହା ଆହୁରି ଆକାଶଛୁଆଁ ହେବ। ଏଣୁ ସେ ଦେଶର ସରକାର ଭାରତଠାରୁ ଦେଶର ସ୍ବାର୍ଥ ପାଇଁ ନିହାତି କିଣିବାକୁ ଚାହୁଁଛନ୍ତି। ହୁଏତ ଆଉ କିଛିଦିନ ପରେ ତାହା ସାକାର ରୂପ ଧାରଣ କରିପାରେ।
ଏବେ ଆସିବା ସଭିଙ୍କ ମନରେ ଉଠୁଥିବା ସେହି ପ୍ରଶ୍ନଟି ପାଖକୁ। ସଇତାନର ଅକସ୍ମାତ୍‌ ଏ ଶାନ୍ତିପାଠ କାହିଁକି? ଏହାର ବିଶେଷ କାରଣ ହେଉଛି ଭାରତର ସଫଳ ରଣନୀତି। ବିନା କୌଣସି ଯୁଦ୍ଧରେ ଅବା ବୋମାପାତରେ ପାକିସ୍ତାନକୁ ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଠେଲିଦେଇଛି ଆଜିର ଭାରତ। ଭାରତର ଦୃଢ଼ କାର୍ଯ୍ୟାନୁଷ୍ଠାନ, କଠୋର କଟକଣା, ସଫଳ ଗୋଟି ଚାଳନାରେ ପାକିସ୍ତାନ ଆଜି ଖୁବ୍‌ କ୍ଷତାକ୍ତ। ଆର୍ଥିକ ସ୍ଥିତି ଭୟଙ୍କର ଭାବେ ବିପର୍ଯ୍ୟସ୍ତ। ଋଣ ଆଣିଲେ ହିଁ ଦେଶ ଚାଲୁଛି। କିନ୍ତୁ ପରିଶୋଧ କରି ପାରୁ ନ ଥିବାରୁ ଆଉ ଅଧିକ ଋଣ ଦେବାକୁ କେହି ରାଜି ହେଉନାହାନ୍ତି। ପ୍ରତିଟି ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି। ଆଜାଦ୍‌ କଶ୍ମୀର, ଗିଲ୍‌ଗିଟ, ବେଲୁଚିସ୍ତାନ ପରି କେତେକ ରାଜ୍ୟ ଭାରତ ସହିତ ମିଶିବାକୁ ଅତୀବ ବ୍ୟଗ୍ର। ଭାରତର ବନ୍ଧୁରାଷ୍ଟ୍ରଙ୍କ ସଂଖ୍ୟା ଦୁନିଆରେ ସର୍ବାଧିକ ଆଜି। ଏପରିକି ବହୁ ମୁସ୍‌ଲିମ ଦେଶ ପାକିସ୍ତାନ ଅପେକ୍ଷା ଭାରତ ପ୍ରତି ଅଧିକ ଆକର୍ଷିତ। ଅନ୍ୟପକ୍ଷେ ପାକିସ୍ତାନର ବନ୍ଧୁ ବୋଇଲେ ତୁର୍କୀ ଓ ମାଲେସିଆ। ପାକିସ୍ତାନକୁ ଭାରତର ବିରୋଧ ଅର୍ଥ ଅନ୍ୟାନ୍ୟ ଦେଶଗୁଡ଼ିକରୁ ଅନୁକମ୍ପା ହାସଲ କରିବା ପାକିସ୍ତାନ ପାଇଁ ଖୁବ କଷ୍ଟସାଧ୍ୟ। ପୁନଶ୍ଚ ପାକିସ୍ତାନକୁ ଋଣ ଦେଲେ ଫେରସ୍ତ ପାଇବାର ସମ୍ଭାବନା ବି କ୍ଷୀଣ। ତାକୁ ବେଳେବେଳେ ଅତି ଅପମାନଜନକ ଅବସ୍ଥା ଭୋଗିବାକୁ ପଡୁଛି । ଏଇତ ଗଲା ଜାନୁୟାରୀ ମାସର ଘଟଣା। ମାଲେସିଆ କର୍ତ୍ତୃପକ୍ଷ ‘ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ବୋଇଂ-୭୭୭’ ବିମାନକୁ ଜବତ କରିବା ସହିତ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ମଧ୍ୟ ବନ୍ଧକ ରଖିଥିଲେ ଦୀର୍ଘ ସମୟ ଧରି। କାରଣ ୧୫ ମିଲିୟନ ଡଲାର (ଦେଢ଼ କୋଟି ଡଲାର ଅର୍ଥାତ୍‌ ପ୍ରାୟ ୧୧୦ କୋଟି ଟଙ୍କା)ରୁ ଅଧିକ ଅର୍ଥ ପାକିସ୍ତାନ ପୈଠ କରିନି ବାରମ୍ବାର ଅନୁରୋଧ ସତ୍ତ୍ୱେ। ଗତ ଫେବୃୟାରୀରେ ସଂସଦରେ ପାକିସ୍ତାନ ଅର୍ଥମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟାନୁଯାୟୀ, ପାକିସ୍ତାନର ମୋଟ ଋଣର ପରିମାଣ ଆଜି ୩୭ ଟ୍ରିଲିଅନ ଡଲାର ଅର୍ଥାତ୍‌ ୩୭ ଲକ୍ଷ କୋଟି ଡଲାର ପାଖାପାଖି। ୨୦୧୭-୧୮ ମସିହାରେ ଜିଡିପିର ୭୨ ଭାଗ ଋଣ ପରିଶୋଧରେ ଯାଉଥିଲାବେଳେ ୨୦୧୯-୨୦ରେ ଜିଡିପିର ୮୭ ଭାଗ ଯାଉଥିଲା କେବଳ ଋଣ ଶୁଝିବାରେ। ଆଉ ଆଜିର ଦିନରେ ତାହା ଆସି ପହଞ୍ଚତ୍ଲାଣି ପ୍ରାୟ ୯୮ ଭାଗରେ। ଅର୍ଥାତ୍‌ ଦେଶକୁ ବିକିଲେ ଯାଇ ତା’ର ସମୁଦାୟ ଋଣ ପରିଶୋଧ ସମ୍ଭବ ହେବ। ଏଭଳି ସ୍ଥିତିରେ ଚାଇନା ମଧ୍ୟ ତା’ଠାରୁ ଦୂରେଇଗଲାଣି। କାରଣ ଧାର୍ଯ୍ୟ ପରିମାଣର ଅର୍ଥ ସାହାଯ୍ୟ ସତ୍ତ୍ୱେ ନାନାଦି ଦୁର୍ନୀତି, ପ୍ରଶାସନିକ ଅପାରଗତା ଯୋଗୁ ଚାଇନା ସହାୟତାରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି। ସେଥିପାଇଁ ପାକିସ୍ତାନ ଚାହୁଁଛି ବିନା ସୁଧରେ/ଉଧାର ସୂତ୍ରରେ ବା ଅତିବେଶିରେ ନାମମାତ୍ର ୧ଭାଗ ସୁଧରେ ସାହାଯ୍ୟ। କିନ୍ତୁ ଚାଇନା ଅତିକମ୍‌ରେ ୩ ଭାଗ ସୁଧରେ ଋଣ ଦେବାକୁ ଚାହୁଁଛି, ତା’ପୁଣି ବିଭିନ୍ନ ସର୍ତ୍ତରେ; ଯାହାକି ପାକିସ୍ତାନକୁ ଅଡୁଆରେ ପକାଇଛି। କାରଣ ନିଜର ସାର୍ବଭୌମତ୍ୱକୁ ବିପନ୍ନ କରି ଚାଇନାଠାରୁ ଏପରି ସାହାଯ୍ୟ ନେବା ଏକପ୍ରକାର ଆତ୍ମଘାତୀ ସଦୃଶ। ୨୦୧୮ରେ ସାଉଦି ଆରବରୁ ୩ ବିଲିଅନ ଡଲାର (ସାଢ଼େ ୪ ହଜାର କୋଟି ଡଲାର) ଋଣ ସହିତ ୩.୨ ବିଲିଅନ ଡଲାର ମୂଲ୍ୟର ତୈଳ ସମ୍ପଦ ଆଣି ପରିଶୋଧ କରି ପାରୁ ନ ଥିବାରୁ ସେଦେଶରୁ ବି ତୈଳ ଆମଦାନୀ କରିବାରୁ ବଞ୍ଚତ୍ତ। ବୈଶ୍ବିକ ସଙ୍ଗଠନଗୁଡ଼ିକର ସର୍ତ୍ତାବଳୀକୁ ପୂରଣ କରିବାରେ ଅସମର୍ଥ ଥିବାରୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ୱବ୍ୟାଙ୍କ ଆଦିରୁ ଆଉ ଅଧିକ ଋଣ ପାଇବା ତା’ପକ୍ଷେ ସମ୍ଭବ ହେଉନି।
ଏହିପରି ଦାରୁଣ ଦୁର୍ଯୋଗରୁ ବର୍ତ୍ତିବାକୁ ନିଃସର୍ତ୍ତ ଭାବେ ଭାରତ ନିକଟରେ ସେ ଆଜି ଶରଣାପନ୍ନ। ଏଥିପାଇଁ ଆମେରିକା ସମେତ ସଂଯୁକ୍ତ ଆରବ ଏମିରେଟ୍‌ସ, ସାଉଦି ଆରବ ଦେଶଗୁଡ଼ିକୁ ନେହୁରା ହୋଇ ସେମାନଙ୍କ ମଧ୍ୟସ୍ଥିରେ ହିନ୍ଦୁସ୍ତାନ ସହିତ ସମ୍ବନ୍ଧ ସ୍ଥାପନ ପାଇଁ ଆଜି ଖୁବ୍‌ ବ୍ୟାକୁଳ। କଶ୍ମୀର ପ୍ରସଙ୍ଗ ହେଉ ଅବା ୩୭୦ ଧାରାକୁ ନେଇ ହେଉ, ଯିଏ ଦିନେ କଥା କଥାକେ ଭାରତ ବିରୋଧରେ ଜାତିସଂଘରେ ଅଭିଯୋଗ ବାଢୁଥିଲା ଏବଂ କଶ୍ମୀର ପାଇଁ ଜିହାଦୀ ଡାକରା ଦେଉଥିଲା, ସେହି ପାକିସ୍ତାନ ଆଜି ସେ ସବୁକୁ ଏଡ଼ାଇ ଦେଇ ଭାରତ ନିକଟରେ ନିବେଦନ କରୁଛି ‘ତ୍ରାହି ମାଂ ତ୍ରାହି ମାଂ“ କହି। ଏସବୁ ସତ୍ତ୍ୱେ ନିଜ ସ୍ବାର୍ଥପାଇଁ ଏଣ୍ଡୁଅ ସମ ବାରମ୍ବାର ରଙ୍ଗ ବଦଳାଉଥିବା ପାକିସ୍ତାନର ଅସଲ ଚେହେରା ଓ ଚରିତ୍ର ସମ୍ବନ୍ଧେ ଟିକେ ଆଖି ପକେଇବା ସମୀଚୀନ ମନେହୁଏ।
ଭାରତ ପଡ଼ୋଶୀମାନଙ୍କ ସହିତ ସୁସମ୍ପର୍କ ବାନ୍ଧିବାକୁ ସଦା ପ୍ରୟାସରତ। ଏହି ଉପଲକ୍ଷେ ଭାରତ-ପାକିସ୍ତାନର ସମ୍ପର୍କକୁ ଅଧିକ ନିବିଡ଼ କରିବାକୁ ଫେବୃୟାରୀ ୧୯୯୯ରେ ଦିଲ୍ଲୀ-ଲାହୋର ବସ ସେବା ଥିଲା ବାଜପେୟୀଙ୍କ ଏକ ଫଳପ୍ରଦ ପ୍ରୟାସ। କିନ୍ତୁ ୨୦୦୧ରେ ଆମ ସଂସଦ ଉପରେ ପାକିସ୍ତାନ ପ୍ରରୋଚିତ ଆତଙ୍କବାଦୀ ଆକ୍ରମଣ ଥିଲା ବାଜପେୟୀଙ୍କ ପ୍ରତି ବନ୍ଧୁତାର ପ୍ରତିଦାନ। ଏଲ୍‌.ଓ.ସି.ରେ ଅସ୍ତ୍ର ବିରତି ପାଉଁ ଉଭୟ ଦେଶ ମଧ୍ୟରେ ୨୦୦୩ରେ ରାଜିନାମା ସ୍ବାକ୍ଷର ହୋଇଥିଲେ ବି ବନ୍ଧୁତ୍ୱକୁ ବେଖାତିର କରି ୨୦୨୦ ଶେଷ ସୁଦ୍ଧା ପାକିସ୍ତାନ ୫ ହଜାରରୁ ଅଧିକ ଥର ବଡ଼ ଧରଣର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସାରା ଦୁନିଆ ମନେରଖିଛି ୨୦୧୮ ମସିହା ଡିସେମ୍ବର ୨୫ ତାରିଖକୁ। ଯେଉଁଦିନ ସାରାଜଗତକୁ ଚକିତ କରି ସମସ୍ତ ପ୍ରୋଟୋକଲକୁ ଏଡ଼ାଇ ଦେଇ ବିନା ପ୍ରାକ ସୂଚନାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍‌ ଯାଇ ପହଞ୍ଚିଥିଲେ ପାକିସ୍ତାନରେ; ନୱାଜ ସରିଫଙ୍କ ନାତୁଣୀର ବାହାଘରରେ। ଏଥିରେ ଉଭୟ ଦେଶର କୋଟି କୋଟି ସାଧାରଣ ଜନତା ଅତ୍ୟନ୍ତ ଭାବବିହ୍ବଳ ହୋଇ ପଡ଼ିଥିଲେ ଏପରି ନିଷ୍କପଟ ବନ୍ଧୁତାରେ। ଆମର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ତ ଟୁଇଟ୍‌ କରି ଦୁନିଆକୁ ଆହ୍ବାନ ଦେଲେ- ପଡ଼ୋଶୀଙ୍କ ସହିତ କିପରି ବନ୍ଧୁତାର ସମ୍ବନ୍ଧ ରଖିବାକୁ ହୁଏ, ଭାରତଠାରୁ ଶିଖିବା ଉଚିତ। କିନ୍ତୁ ହାଏ, କେଇ ସପ୍ତାହ ପରେ ପଠାନ୍‌କୋଟସ୍ଥ ବାୟୁସେନା ଘାଟି ଉପରେ ଜାନୁୟାରୀ ୨୦୧୬ରେ ଆତଙ୍କୀ ଆକ୍ରମଣ ଜରିଆରେ ପାକିସ୍ତାନ ଆମକୁ ଦେଲା ବନ୍ଧୁତାର ପ୍ରତିଜବାବ। ତା’ପରେ ପରେ ଅଗଷ୍ଟ ୨୦୧୬ରେ ‘ଉରୀ’ ଆକ୍ରମଣ, ଫେବୃୟାରୀ ୨୦୧୯ରେ ପୁଲ୍‌ୱାମା ଆକ୍ରମଣ। ଏହିପରି ତା’ର ବିଶ୍ୱାସଘାତ ତାଲିକା ଖୁବ୍‌ ଲମ୍ବା। ହିନ୍ଦୁସ୍ଥାନ ପାଇଁ ବଙ୍କର ଖୋଳୁଥିବା ସନ୍ତ୍ରାସବାଦୀର ମାଟି ପାକିସ୍ତାନ ନିଜେ ଆଜି ସେଇ ବଙ୍କର (କବର) ଭିତରେ। ପରିସ୍ଥିତିର ବାଧ୍ୟବାଧକତାରେ ନିଜର ଅସ୍ତିତ୍ୱ ଟିକକ ପାଇଁ ଇସ୍‌ଲାମାବାଦର ଏପରି ଶାନ୍ତିପାଠ ଆଜି। ଏଭଳି ଏକ ଭୟଙ୍କର ପଡ଼ୋଶୀର ଦୁର୍ଦ୍ଦଶାରେ ଦ୍ରବୀଭୂତ ନ ହୋଇ, ଭେଳିକିରେ ଭଳି ନ ଯାଇ ଭାରତ ଖୁବ୍‌ ସତର୍କତାର ସହିତ ସୁଚିନ୍ତିତ ଉପାୟରେ ପଦକ୍ଷେପ ନେବା ଉଚିତ। ମୃତପ୍ରାୟ ପାକିସ୍ତାନକୁ ବିଶ୍ୱାସକୁ ନେବା ଯେମିତି ଶେଷରେ ବୋକାମିରେ ପରିଣତ ନ ହୁଏ।
ଗୋଡ଼ିଶୂଳ, ସଜନାଗଡ଼, ବାଲେଶ୍ବର
ମୋ-୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଚାଲ ସାଇକେଲ ଚଢ଼ିବା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ପରିବେଶ ଓ ସ୍ବାସ୍ଥ୍ୟ ଉପରେ ସାଇକେଲ ଚଢ଼ାର ଅନୁକୂଳ ପ୍ରଭାବ ବିଚାରକୁ ନେଇ କିଛି ମାସ ତଳେ ଜନସାଧାରଣଙ୍କୁ ସେଥି...

ବିବେକାନନ୍ଦଙ୍କ ଦୃଷ୍ଟିରେ ପ୍ରତୀକ ଉପାସନା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସ୍ୱାମୀ ବିବେକାନନ୍ଦଙ୍କ ରାଜପୁତାନା ପରିଭ୍ରମଣ ସମୟର କଥା। ଅଲଓ୍ବାରର ରାଜା ମଙ୍ଗଲ ସିଂହଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ମହାରାଜା ସ୍ବାମିଜୀଙ୍କୁ...

ସୁରକ୍ଷାକବଚ

ଡ. ଅଜୟ କୁମାର ପାତ୍ର ଓଜୋନ (O3) ଗୋଟିଏ ଅଣୁରେ ତିନୋଟି ପରମାଣୁ ଥିବା ତୀବ୍ର କିନ୍ତୁ ଉଦ୍ଦୀପକ ଗନ୍ଧ ଥିବା ଘନୀଭୂତ ଅସ୍ଥାୟୀ ଅମ୍ଳଜାନ।...

ବିଚାର ଆପଣଙ୍କର

ଶ୍ରୀଧର ପଟ୍ଟନାୟକ ଭଗବାନ ପୃଥିବୀରେ ଅଛନ୍ତି ନା ପୃଥିବୀ ବାହାରେ? ଏହାର ଉତ୍ତର ବୟଃପ୍ରାପ୍ତ କୌଣସି ବ୍ୟକ୍ତିଙ୍କୁ ଦିଆଯାଇପାରେ, ହେଲେ ପାଞ୍ଚବର୍ଷର ପୁଅକୁ ଦେବା ମୋ...

ଏଇ ଭାରତରେ

ସ୍କୁଲ ଯିବାକୁ କେତେକ ପିଲା ଅମଙ୍ଗ ହୋଇଥାନ୍ତି। ତେବେ ମଧ୍ୟପ୍ରଦେଶ ଭୋପାଳର ଜଣେ ଛାତ୍ରୀ ୧୨ ବର୍ଷ ମଧ୍ୟରେ କୌଣସି ଗୋଟିଏ ବି ଦିନ ସ୍କୁଲ...

ନୂଆ ଶୀତଳଯୁଦ୍ଧ

ଦକ୍ଷିଣ ଚାଇନା ସାଗର ବା ସାଉଥ୍‌ ଚାଇନା ସି’ ହେଉଛି ପ୍ରଶାନ୍ତ ମହାସାଗରର ଏକ ଅଂଶ। ବିଶ୍ୱର ଏକ ତୃତୀୟାଂଶ ଜାହାଜ ଏହି ବାଟ ଦେଇ...

ବର୍ମାରେ ଗଣତନ୍ତ୍ରର ମୃତ୍ୟୁ

ମ୍ୟାନ୍‌ମାର(ବର୍ମା)ର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସେଠାକାର ମିଲିଟାରୀ ଶାସକ ଦୁଇଟି ଘଟଣାରେ ୬ ଡିସେମ୍ବରରେ ୪ ବର୍ଷ ଜେଲ ଦଣ୍ଡାଦେଶ...

ଏଇ ଭାରତରେ

ପ୍ରେମ ବାଧାବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପଳାଇଯାଇ ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି ଅନ୍ୟତ୍ର ବିବାହ...

Advertisement
Archives

Model This Week