ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

 

ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି ଏକଚ୍ଛତ୍ରବାଦର ଅଭ୍ୟୁଦୟ ଘଟିଥାଏ। ଭ୍ଲାଡିମିର ପୁଟିନ୍‌ ଏବଂ ଶି ଜିନ୍‌ପିଙ୍ଗଙ୍କ ଭଳି ଏକଚ୍ଛତ୍ରବାଦୀ ଶାସକମାନେ ପ୍ରଥମେ ଗଣତାନ୍ତ୍ରିକ ପଦ୍ଧତି ଅବଲମ୍ବନ କରି ଶାସନ କ୍ଷମତା ହାସଲ କରିଛନ୍ତି, ପରେ ଗଣତନ୍ତ୍ରର ହତ୍ୟାକରି ଏକଚ୍ଛଦ୍ରବାଦୀ ହୋଇଛନ୍ତି। ଏହାକୁ ଦଳୀୟ ଏକଚ୍ଛତ୍ରବାଦ ମଧ୍ୟ କୁହାଯାଏ। ସଂଖ୍ୟାଗରିଷ୍ଠ ଶାସକ ଦଳର ନେତା ନାନା କୌଶଳ ଅବଲମ୍ବନ କରି ବିରୋଧୀ ଜନମତକୁ ନୀରବ ଅଥବା ନିଶ୍ଚିହ୍ନ କରିଦିଅନ୍ତି -ଯାହା ଚାଇନା ଅଥବା ରୁଷିଆରେ ଘଟିଛି। କୁହାଯାଏ ଭାରତୀୟ ପାର୍ଲାମେଣ୍ଟରେ ଦୁଇ ତୃତୀୟାଂଶ ଅଥବା ତତୋଽଧିକ ସଭ୍ୟଙ୍କ ସମର୍ଥନ ହାସଲ କରିଥିବା ପ୍ରଧାନମନ୍ତ୍ରୀ ପୃଥିବୀର ଯେକୌଣସି ଦେଶର ଶାସକଙ୍କ ଅପେକ୍ଷା ବହୁଗୁଣ ଅଧିକ ଶକ୍ତିଶାଳୀ, ସେ ସଂଖ୍ୟାଗରିଷ୍ଠତା ବଳରେ ଦେଶର ସମ୍ବିଧାନକୁ ମଧ୍ୟ ବଦଳେଇ ଦେଇପାରନ୍ତି।
ଆମ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସଂଖ୍ୟାଗରିଷ୍ଠ ସରକାରଙ୍କ ମନମୁଖି କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ନିମନ୍ତେ ସୁପ୍ରିମକୋର୍ଟ ଏକ ରକ୍ଷାକବଚ ଭଳି କାର୍ଯ୍ୟ କରିଥାନ୍ତି। ସୁପ୍ରିମକୋର୍ଟର ବିଚାରପତିମାନେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୋଟିଏ କଲେଜିୟମ୍‌ ଦ୍ୱାରା ନିଯୁକ୍ତ ହୋଇଥାନ୍ତିି। ନିକଟ ଅତୀତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଚାରପତିମାନଙ୍କ ନିଯୁକ୍ତି କ୍ଷେତ୍ରରେ ହସ୍ତକ୍ଷେପ କରିବା ପ୍ରୟାସକୁ ପ୍ରଧାନ ବିଚାରପତିଙ୍କ ଦୃଢ଼ ବିରୋଧ ହେତୁ ରୋକି ଦିଆଯାଇପାରିଛି। ଆମ ସଂଘୀୟ ବ୍ୟବସ୍ଥାରେ ସିବିଆଇ, ଇଡି, (ଏନ୍‌ଫୋର୍ସ ଡିପାର୍ଟମେଣ୍ଟ), ଇସି(ଇଲେକଶନ୍‌ କମିଶନ) ଭଳି ସଂସ୍ଥାଗୁଡ଼ିକୁ ନିରପେକ୍ଷ ଏବଂ ସରକାରୀ ନିୟନ୍ତ୍ରଣ ଊର୍ଦ୍ଧ୍ୱରେ ରହି କାର୍ଯ୍ୟକରିବା ବିଧେୟ। କିନ୍ତୁ ସିବିଆଇ ଏବଂ ଇଡି ସମ୍ପୂର୍ଣ୍ଣ ରୂପେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବାରୁ ସଂଖ୍ୟାଗରିଷ୍ଠ ସରକାର ସେଗୁଡ଼ିକର ଦୁରୁପଯୋଗ କରି ବିରୋଧୀ ଦଳର ନେତାମାନଙ୍କୁ ହଇରାଣହରକତ କରିବାର ଅଭିଯୋଗ ଲୋକଲୋଚନକୁ ଆସୁଛି।
ସଂଘୀୟ ବ୍ୟବସ୍ଥାରେ ରାଜ୍ୟପାଳଙ୍କର ନିରପେକ୍ଷ ଭୂମିକା ଏବଂ ସାମ୍ବିଧାନିକ ମର୍ଯ୍ୟାଦା ରହିଛି, ମାତ୍ର ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏବଂ ନିୟନ୍ତ୍ରିତ ହେଉଥିବାରୁ ସଂଖ୍ୟାଗରିଷ୍ଠ ସରକାର ଏହାର ଦୁରୁପଯୋଗ କରି ବିରୋଧୀ ଦଳର ରାଜ୍ୟ ସରକାରମାନଙ୍କର ପତନ ଘଟାଇବା, ନୂତନ ସରକାର ଗଠନରେ କେନ୍ଦ୍ର ସରକାରଙ୍କ ସପକ୍ଷରେ କାର୍ଯ୍ୟ କରିବାର ଅଭିଯୋଗ ଦେଶର ପତ୍ରପତ୍ରିକାରେ ଆଲୋଚିତ ହୋଇ ଆସୁଛି। ସେହିପରି ଦେଶର ଇଲେକ୍‌ଶନ କମିଶନ୍‌ ଏକ ମର୍ଯ୍ୟାଦାଜନକ ସଂସ୍ଥା, ଯାହାର ନିରପେକ୍ଷତା ଉପରେ ଗଣତନ୍ତ୍ରର ସୁରକ୍ଷା ନିର୍ଭର କରୁଛି। ଏହାକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇଜଣ କମିଶନରଙ୍କୁ ଗୋଟିଏ ସର୍ବୋଚ୍ଚ ଚୟନ ସଂସ୍ଥା ଯଥା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟ ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ କମିଟି ସହମତିରେ ଅଥବା ସଂଖ୍ୟାଗରିଷ୍ଠ ମତରେ ନିଯୁକ୍ତ କରିବା ପରମ୍ପରା ରହି ଆସିଛି। ସମ୍ପ୍ରତି କେନ୍ଦ୍ର ସରକାର ଲୋକ ସଭାରେ ଗୋଟିଏ ବିଲ୍‌ ପାସ୍‌ କରିଛନ୍ତି, ଯାହାଦ୍ୱାରା ଉକ୍ତ କମିଟିରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ସ୍ଥାନିତ କରାଯିବାର ବ୍ୟବସ୍ଥା ହୋଇଛି। ସଂଖ୍ୟାଗରିଷ୍ଠତା ବଳରେ ଏହି ବିଲ୍‌ ପାରିତ ହୋଇଯିବାରୁ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ କୁଠାରାଘାତ କଲାଭଳି ହେଲା, କାରଣ ଇଲେକ୍‌ଶନ କମିଶନର କୌଣସି ସଭ୍ୟଙ୍କ ନିଯୁକ୍ତି କ୍ଷେତ୍ରରେ ମତାନ୍ତର ଘଟିଲେ ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ୍‌ ମନ୍ତ୍ରୀ ଏକତ୍ର ହୋଇ ବିରୋଧୀ ଦଳ ସଭ୍ୟଙ୍କ ମତାମତକୁ ଉଦ୍ଦେଶ୍ୟମୂଳକ ଭାବରେ ଅଗ୍ରାହ୍ୟ କରିଦେଇପାରିବେ, ଫଳରେ କମିଶନ ତାହାର ନିରପେକ୍ଷ ଭୂମିକା ହରାଇବାକୁ ବାଧ୍ୟ ହେବ। ସମ୍ପ୍ରତି ଏହି କ୍ରମରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟଜଣେ କମିଶନରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏସବୁ ଦେଖି ମନେହେଉଛି ଆମ ଦେଶର ଗଣତନ୍ତ୍ର ରୁଷିଆ ଏବଂ ଚାଇନା ଭଳି ଦଳୀୟ ଏକଚ୍ଛତ୍ରବାଦ ଆଡକୁ ଅଗ୍ରସର ହେଉଛି। ଏହାର ଏକ ସମ୍ଭାବ୍ୟ ପ୍ରତିକାର ହେଲା ଦେଶର ରାଷ୍ଟ୍ରପତିଙ୍କ ଭୂମିକାକୁ ଅପେକ୍ଷାକୃତ ଶକ୍ତିଶାଳୀ ଏବଂ ନିରପେକ୍ଷ କରିବାର ବ୍ୟବସ୍ଥା କରିବା। କାରଣ ସମସ୍ତ ଶାସନ ରାଷ୍ଟ୍ରପତିଙ୍କ ନାମରେ ଚାଲୁଥିଲେ ମଧ୍ୟ ପ୍ରକୃତରେ କେନ୍ଦ୍ରରେ ସମାସୀନ ସଂଖ୍ୟାଗରିଷ୍ଠ ସରକାର ହିଁ ସମସ୍ତ କ୍ଷମତା ଉପଭୋଗ କରନ୍ତି। ରାଷ୍ଟ୍ରପତି କେବଳ ଗୋଟିଏ ରବର ଷ୍ଟାମ୍ପ ପରି କାର୍ଯ୍ୟ କରନ୍ତି। କିନ୍ତୁ ସ୍ମରଣ ରଖିବାକୁ ହେବ- ରାଷ୍ଟ୍ରପତି କେବଳ ଯେ ଭାରତୀୟ ଗଣତନ୍ତ୍ର ଶାସନର ମୁଖ୍ୟ ତାହା ନୁହେଁ, ସେ ମଧ୍ୟ ଭାରତୀୟ ସଂଘୀୟ ବ୍ୟବସ୍ଥାର ମୁଖ୍ୟ। ବ୍ରିଟିଶ ଗଣତନ୍ତ୍ରରେ ରାଜା ବା ରାଣୀଙ୍କର ସୀମିତ କ୍ଷମତାକୁ ଅନୁସରଣ କରି ଆମ ଦେଶରେ ରାଷ୍ଟ୍ରପତିଙ୍କ ଭୂମିକା ସ୍ଥିରୀକୃତ ହୋଇଛି। ମାତ୍ର ଆମର ରାଷ୍ଟ୍ରପତି ଜଣେ ନିର୍ବାଚିତ ବ୍ୟକ୍ତି ହୋଇଥିବା ବେଳେ ବ୍ରିଟିଶ ଗଣତନ୍ତ୍ରରେ ରାଜା କିମ୍ବା ରାଣୀଙ୍କର ଦେଶ ଉପରେ ଐତିହାସିକ ତଥା ପୁରୁଷାନୁକ୍ରମିକ ଅଧିକାର ରହିଛି। ଲୋକ ସଭାର ସମସ୍ତ ନିର୍ବାଚିତ ସଦସ୍ୟ ଏବଂ ସମସ୍ତ ବିଧାନସଭାର ନିର୍ବାଚିତ ସଭ୍ୟଙ୍କ ସଂଖ୍ୟାଗରିଷ୍ଠ ଆପେକ୍ଷିକ ଗୁରୁତ୍ୱପୂର୍ଣ୍ଣ ବହୁମତରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି।
ଏହି ନିର୍ବାଚନରେ ଲୋକ ସଭାର ସଂଖ୍ୟାଗରିଷ୍ଠ ଦଳର ଭୋଟର ମୂଲ୍ୟ ସର୍ବାଧିକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ହିଁ ରାଷ୍ଟ୍ରପତିଙ୍କ ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତିି। ତେଣୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅନୁରକ୍ତ ରହି କାର୍ଯ୍ୟ କରିବା ସ୍ବାଭାବିକ। ରାଷ୍ଟ୍ରପତି ସଂଘୀୟ ବ୍ୟବସ୍ଥାର ମୁଖ୍ୟ ହୋଇଥିବାରୁ କେବଳ ବିଧାନସଭାଗୁଡ଼ିକର ନିର୍ବାଚିତ ସଭ୍ୟମାନଙ୍କର ସଂଖ୍ୟାଗରିଷ୍ଠ ମତରେ ସେ ନିର୍ବାଚିତ ହେବା ସମୀଚୀନ ମନେହୁଏ। ରାଷ୍ଟ୍ରପତିଙ୍କ ନିର୍ବାଚନରେ ଲୋକ ସଭା ସଭ୍ୟଙ୍କ ମତଦାନ ଏକ ଅନାବଶ୍ୟକ ଦ୍ୱୈତପନ୍ଥା ଛଡ଼ା ଆଉ କିଛି ନୁହେଁ, କାରଣ ବିଧାନସଭାଗୁଡ଼ିକର ନିର୍ବାଚିତ ସଭ୍ୟମାନେ ଯେଉଁ ଜନମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତି ଲୋକ ସଭାର ନିର୍ବାଚିତ ସଭ୍ୟମାନେ ମଧ୍ୟ ସେହି ଜନମଣ୍ଡଳୀର ପ୍ରତିନିଧିତ୍ୱ କରିଥାନ୍ତି।
ମୋଟ କଥା, ରାଷ୍ଟ୍ରପତିଙ୍କ ଭୂମିକା ଅପେକ୍ଷାକୃତ ଶକ୍ତିଶାଳୀ ଏବଂ ନିରପେକ୍ଷ ହେଲେ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ତାଙ୍କର ସ୍ବାଧୀନ ଅଧିକାର ସାବ୍ୟସ୍ତ ହୋଇପାରିବ ବୋଲି ଆଶା। ଦେଶର ସମ୍ବିଧାନ ବିଶେଷଜ୍ଞମାନେ ବିଷୟଟିିକୁ ଗୁରୁତ୍ୱ ସହକାରେ ବିଚାର କରିବା ଉଚିତ ବୋଲି ମନେହୁଏ। କହିବା ବାହୁଲ୍ୟ ଉପଯୁକ୍ତ ଚେକ୍‌ ଆଣ୍ଡ୍‌ ବାଲାନ୍ସ (ନିୟନ୍ତ୍ରଣ ଓ ସାମଞ୍ଜସ୍ୟ) ନ ରହିଲେ କୌଣସି ଗଣତନ୍ତ୍ର ସୁରକ୍ଷିତ ରହିପାରେ ନାହିଁ।
ମୋ: ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?