Odisha Elections 2024

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

 

ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି ଏକଚ୍ଛତ୍ରବାଦର ଅଭ୍ୟୁଦୟ ଘଟିଥାଏ। ଭ୍ଲାଡିମିର ପୁଟିନ୍‌ ଏବଂ ଶି ଜିନ୍‌ପିଙ୍ଗଙ୍କ ଭଳି ଏକଚ୍ଛତ୍ରବାଦୀ ଶାସକମାନେ ପ୍ରଥମେ ଗଣତାନ୍ତ୍ରିକ ପଦ୍ଧତି ଅବଲମ୍ବନ କରି ଶାସନ କ୍ଷମତା ହାସଲ କରିଛନ୍ତି, ପରେ ଗଣତନ୍ତ୍ରର ହତ୍ୟାକରି ଏକଚ୍ଛଦ୍ରବାଦୀ ହୋଇଛନ୍ତି। ଏହାକୁ ଦଳୀୟ ଏକଚ୍ଛତ୍ରବାଦ ମଧ୍ୟ କୁହାଯାଏ। ସଂଖ୍ୟାଗରିଷ୍ଠ ଶାସକ ଦଳର ନେତା ନାନା କୌଶଳ ଅବଲମ୍ବନ କରି ବିରୋଧୀ ଜନମତକୁ ନୀରବ ଅଥବା ନିଶ୍ଚିହ୍ନ କରିଦିଅନ୍ତି -ଯାହା ଚାଇନା ଅଥବା ରୁଷିଆରେ ଘଟିଛି। କୁହାଯାଏ ଭାରତୀୟ ପାର୍ଲାମେଣ୍ଟରେ ଦୁଇ ତୃତୀୟାଂଶ ଅଥବା ତତୋଽଧିକ ସଭ୍ୟଙ୍କ ସମର୍ଥନ ହାସଲ କରିଥିବା ପ୍ରଧାନମନ୍ତ୍ରୀ ପୃଥିବୀର ଯେକୌଣସି ଦେଶର ଶାସକଙ୍କ ଅପେକ୍ଷା ବହୁଗୁଣ ଅଧିକ ଶକ୍ତିଶାଳୀ, ସେ ସଂଖ୍ୟାଗରିଷ୍ଠତା ବଳରେ ଦେଶର ସମ୍ବିଧାନକୁ ମଧ୍ୟ ବଦଳେଇ ଦେଇପାରନ୍ତି।
ଆମ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସଂଖ୍ୟାଗରିଷ୍ଠ ସରକାରଙ୍କ ମନମୁଖି କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ନିମନ୍ତେ ସୁପ୍ରିମକୋର୍ଟ ଏକ ରକ୍ଷାକବଚ ଭଳି କାର୍ଯ୍ୟ କରିଥାନ୍ତି। ସୁପ୍ରିମକୋର୍ଟର ବିଚାରପତିମାନେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୋଟିଏ କଲେଜିୟମ୍‌ ଦ୍ୱାରା ନିଯୁକ୍ତ ହୋଇଥାନ୍ତିି। ନିକଟ ଅତୀତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଚାରପତିମାନଙ୍କ ନିଯୁକ୍ତି କ୍ଷେତ୍ରରେ ହସ୍ତକ୍ଷେପ କରିବା ପ୍ରୟାସକୁ ପ୍ରଧାନ ବିଚାରପତିଙ୍କ ଦୃଢ଼ ବିରୋଧ ହେତୁ ରୋକି ଦିଆଯାଇପାରିଛି। ଆମ ସଂଘୀୟ ବ୍ୟବସ୍ଥାରେ ସିବିଆଇ, ଇଡି, (ଏନ୍‌ଫୋର୍ସ ଡିପାର୍ଟମେଣ୍ଟ), ଇସି(ଇଲେକଶନ୍‌ କମିଶନ) ଭଳି ସଂସ୍ଥାଗୁଡ଼ିକୁ ନିରପେକ୍ଷ ଏବଂ ସରକାରୀ ନିୟନ୍ତ୍ରଣ ଊର୍ଦ୍ଧ୍ୱରେ ରହି କାର୍ଯ୍ୟକରିବା ବିଧେୟ। କିନ୍ତୁ ସିବିଆଇ ଏବଂ ଇଡି ସମ୍ପୂର୍ଣ୍ଣ ରୂପେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବାରୁ ସଂଖ୍ୟାଗରିଷ୍ଠ ସରକାର ସେଗୁଡ଼ିକର ଦୁରୁପଯୋଗ କରି ବିରୋଧୀ ଦଳର ନେତାମାନଙ୍କୁ ହଇରାଣହରକତ କରିବାର ଅଭିଯୋଗ ଲୋକଲୋଚନକୁ ଆସୁଛି।
ସଂଘୀୟ ବ୍ୟବସ୍ଥାରେ ରାଜ୍ୟପାଳଙ୍କର ନିରପେକ୍ଷ ଭୂମିକା ଏବଂ ସାମ୍ବିଧାନିକ ମର୍ଯ୍ୟାଦା ରହିଛି, ମାତ୍ର ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏବଂ ନିୟନ୍ତ୍ରିତ ହେଉଥିବାରୁ ସଂଖ୍ୟାଗରିଷ୍ଠ ସରକାର ଏହାର ଦୁରୁପଯୋଗ କରି ବିରୋଧୀ ଦଳର ରାଜ୍ୟ ସରକାରମାନଙ୍କର ପତନ ଘଟାଇବା, ନୂତନ ସରକାର ଗଠନରେ କେନ୍ଦ୍ର ସରକାରଙ୍କ ସପକ୍ଷରେ କାର୍ଯ୍ୟ କରିବାର ଅଭିଯୋଗ ଦେଶର ପତ୍ରପତ୍ରିକାରେ ଆଲୋଚିତ ହୋଇ ଆସୁଛି। ସେହିପରି ଦେଶର ଇଲେକ୍‌ଶନ କମିଶନ୍‌ ଏକ ମର୍ଯ୍ୟାଦାଜନକ ସଂସ୍ଥା, ଯାହାର ନିରପେକ୍ଷତା ଉପରେ ଗଣତନ୍ତ୍ରର ସୁରକ୍ଷା ନିର୍ଭର କରୁଛି। ଏହାକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ବ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇଜଣ କମିଶନରଙ୍କୁ ଗୋଟିଏ ସର୍ବୋଚ୍ଚ ଚୟନ ସଂସ୍ଥା ଯଥା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟ ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ କମିଟି ସହମତିରେ ଅଥବା ସଂଖ୍ୟାଗରିଷ୍ଠ ମତରେ ନିଯୁକ୍ତ କରିବା ପରମ୍ପରା ରହି ଆସିଛି। ସମ୍ପ୍ରତି କେନ୍ଦ୍ର ସରକାର ଲୋକ ସଭାରେ ଗୋଟିଏ ବିଲ୍‌ ପାସ୍‌ କରିଛନ୍ତି, ଯାହାଦ୍ୱାରା ଉକ୍ତ କମିଟିରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ସ୍ଥାନିତ କରାଯିବାର ବ୍ୟବସ୍ଥା ହୋଇଛି। ସଂଖ୍ୟାଗରିଷ୍ଠତା ବଳରେ ଏହି ବିଲ୍‌ ପାରିତ ହୋଇଯିବାରୁ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ କୁଠାରାଘାତ କଲାଭଳି ହେଲା, କାରଣ ଇଲେକ୍‌ଶନ କମିଶନର କୌଣସି ସଭ୍ୟଙ୍କ ନିଯୁକ୍ତି କ୍ଷେତ୍ରରେ ମତାନ୍ତର ଘଟିଲେ ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ୍‌ ମନ୍ତ୍ରୀ ଏକତ୍ର ହୋଇ ବିରୋଧୀ ଦଳ ସଭ୍ୟଙ୍କ ମତାମତକୁ ଉଦ୍ଦେଶ୍ୟମୂଳକ ଭାବରେ ଅଗ୍ରାହ୍ୟ କରିଦେଇପାରିବେ, ଫଳରେ କମିଶନ ତାହାର ନିରପେକ୍ଷ ଭୂମିକା ହରାଇବାକୁ ବାଧ୍ୟ ହେବ। ସମ୍ପ୍ରତି ଏହି କ୍ରମରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟଜଣେ କମିଶନରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏସବୁ ଦେଖି ମନେହେଉଛି ଆମ ଦେଶର ଗଣତନ୍ତ୍ର ରୁଷିଆ ଏବଂ ଚାଇନା ଭଳି ଦଳୀୟ ଏକଚ୍ଛତ୍ରବାଦ ଆଡକୁ ଅଗ୍ରସର ହେଉଛି। ଏହାର ଏକ ସମ୍ଭାବ୍ୟ ପ୍ରତିକାର ହେଲା ଦେଶର ରାଷ୍ଟ୍ରପତିଙ୍କ ଭୂମିକାକୁ ଅପେକ୍ଷାକୃତ ଶକ୍ତିଶାଳୀ ଏବଂ ନିରପେକ୍ଷ କରିବାର ବ୍ୟବସ୍ଥା କରିବା। କାରଣ ସମସ୍ତ ଶାସନ ରାଷ୍ଟ୍ରପତିଙ୍କ ନାମରେ ଚାଲୁଥିଲେ ମଧ୍ୟ ପ୍ରକୃତରେ କେନ୍ଦ୍ରରେ ସମାସୀନ ସଂଖ୍ୟାଗରିଷ୍ଠ ସରକାର ହିଁ ସମସ୍ତ କ୍ଷମତା ଉପଭୋଗ କରନ୍ତି। ରାଷ୍ଟ୍ରପତି କେବଳ ଗୋଟିଏ ରବର ଷ୍ଟାମ୍ପ ପରି କାର୍ଯ୍ୟ କରନ୍ତି। କିନ୍ତୁ ସ୍ମରଣ ରଖିବାକୁ ହେବ- ରାଷ୍ଟ୍ରପତି କେବଳ ଯେ ଭାରତୀୟ ଗଣତନ୍ତ୍ର ଶାସନର ମୁଖ୍ୟ ତାହା ନୁହେଁ, ସେ ମଧ୍ୟ ଭାରତୀୟ ସଂଘୀୟ ବ୍ୟବସ୍ଥାର ମୁଖ୍ୟ। ବ୍ରିଟିଶ ଗଣତନ୍ତ୍ରରେ ରାଜା ବା ରାଣୀଙ୍କର ସୀମିତ କ୍ଷମତାକୁ ଅନୁସରଣ କରି ଆମ ଦେଶରେ ରାଷ୍ଟ୍ରପତିଙ୍କ ଭୂମିକା ସ୍ଥିରୀକୃତ ହୋଇଛି। ମାତ୍ର ଆମର ରାଷ୍ଟ୍ରପତି ଜଣେ ନିର୍ବାଚିତ ବ୍ୟକ୍ତି ହୋଇଥିବା ବେଳେ ବ୍ରିଟିଶ ଗଣତନ୍ତ୍ରରେ ରାଜା କିମ୍ବା ରାଣୀଙ୍କର ଦେଶ ଉପରେ ଐତିହାସିକ ତଥା ପୁରୁଷାନୁକ୍ରମିକ ଅଧିକାର ରହିଛି। ଲୋକ ସଭାର ସମସ୍ତ ନିର୍ବାଚିତ ସଦସ୍ୟ ଏବଂ ସମସ୍ତ ବିଧାନସଭାର ନିର୍ବାଚିତ ସଭ୍ୟଙ୍କ ସଂଖ୍ୟାଗରିଷ୍ଠ ଆପେକ୍ଷିକ ଗୁରୁତ୍ୱପୂର୍ଣ୍ଣ ବହୁମତରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି।
ଏହି ନିର୍ବାଚନରେ ଲୋକ ସଭାର ସଂଖ୍ୟାଗରିଷ୍ଠ ଦଳର ଭୋଟର ମୂଲ୍ୟ ସର୍ବାଧିକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ହିଁ ରାଷ୍ଟ୍ରପତିଙ୍କ ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତିି। ତେଣୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅନୁରକ୍ତ ରହି କାର୍ଯ୍ୟ କରିବା ସ୍ବାଭାବିକ। ରାଷ୍ଟ୍ରପତି ସଂଘୀୟ ବ୍ୟବସ୍ଥାର ମୁଖ୍ୟ ହୋଇଥିବାରୁ କେବଳ ବିଧାନସଭାଗୁଡ଼ିକର ନିର୍ବାଚିତ ସଭ୍ୟମାନଙ୍କର ସଂଖ୍ୟାଗରିଷ୍ଠ ମତରେ ସେ ନିର୍ବାଚିତ ହେବା ସମୀଚୀନ ମନେହୁଏ। ରାଷ୍ଟ୍ରପତିଙ୍କ ନିର୍ବାଚନରେ ଲୋକ ସଭା ସଭ୍ୟଙ୍କ ମତଦାନ ଏକ ଅନାବଶ୍ୟକ ଦ୍ୱୈତପନ୍ଥା ଛଡ଼ା ଆଉ କିଛି ନୁହେଁ, କାରଣ ବିଧାନସଭାଗୁଡ଼ିକର ନିର୍ବାଚିତ ସଭ୍ୟମାନେ ଯେଉଁ ଜନମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତି ଲୋକ ସଭାର ନିର୍ବାଚିତ ସଭ୍ୟମାନେ ମଧ୍ୟ ସେହି ଜନମଣ୍ଡଳୀର ପ୍ରତିନିଧିତ୍ୱ କରିଥାନ୍ତି।
ମୋଟ କଥା, ରାଷ୍ଟ୍ରପତିଙ୍କ ଭୂମିକା ଅପେକ୍ଷାକୃତ ଶକ୍ତିଶାଳୀ ଏବଂ ନିରପେକ୍ଷ ହେଲେ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ତାଙ୍କର ସ୍ବାଧୀନ ଅଧିକାର ସାବ୍ୟସ୍ତ ହୋଇପାରିବ ବୋଲି ଆଶା। ଦେଶର ସମ୍ବିଧାନ ବିଶେଷଜ୍ଞମାନେ ବିଷୟଟିିକୁ ଗୁରୁତ୍ୱ ସହକାରେ ବିଚାର କରିବା ଉଚିତ ବୋଲି ମନେହୁଏ। କହିବା ବାହୁଲ୍ୟ ଉପଯୁକ୍ତ ଚେକ୍‌ ଆଣ୍ଡ୍‌ ବାଲାନ୍ସ (ନିୟନ୍ତ୍ରଣ ଓ ସାମଞ୍ଜସ୍ୟ) ନ ରହିଲେ କୌଣସି ଗଣତନ୍ତ୍ର ସୁରକ୍ଷିତ ରହିପାରେ ନାହିଁ।
ମୋ: ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର...

ଦଶମ ପରୀକ୍ଷାଫଳ

ଡ. ମନୋରଞ୍ଜନ ପ୍ରଧାନ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ମୋଟାମୋଟି ଭାବରେ...

ବିରାଡ଼ି ହାତରେ ମାଛଭାର

ଡ. ପ୍ରଫୁଲ୍ଲ କୁମାର ସାହୁ ଗଣତନ୍ତ୍ର କହିଲେ ସାଧାରଣତଃ ସମାନତା, ସ୍ବାଧୀନତା ଓ ଆଇନର ଶାସନକୁ ବୁଝାଏ, ଯାହା ଏକ ପ୍ରତିନିଧିମୂଳକ କାର୍ଯ୍ୟବିଧି। ଏହା ଲୋକଙ୍କ...

ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଉତ୍ତରାଖଣ୍ଡର ଚାରିଧାମ ଯଥା ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଯାତ୍ରା ଏକ ଧାର୍ମିକ ଯାତ୍ରା। ଏହି ଚାରିଧାମ ଯାତ୍ରା ମୁଖ୍ୟତଃ ପାଣିିପାଗ ସ୍ଥିତିକୁ ଲକ୍ଷ୍ୟ...

ଏଇ ଭାରତରେ

ଧୁମ୍‌ଧାମ୍‌ରେ ପୁଅ ବାହାଘର କରିବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏମିତି ଇଚ୍ଛା ବେଳେବେଳେ ସମାଜରେ ବଞ୍ଚତ୍ରହିବା ଦୁର୍ବିଷହ କରିଦିଏ। ଏଭଳି ଏକ ଘଟଣା...

କୃଷିଭୂମି ରୂପାନ୍ତରଣର ବିପଦ

ଈପ୍ସିତା ମହାନ୍ତି   ପ୍ରାଚୀନ ଭାରତୀୟ ସଂସ୍କୃତ ପୁସ୍ତକରେ କୃଷିଜମି ୧୨ ଶ୍ରେଣୀରେ ବିଭକ୍ତ ଥିଲା। ‘ଭୂମିବର୍ଗା’ ନାମକ ଏହି ପୁସ୍ତକ ୨ ହଜାର ବର୍ଷ...

ରାଜନେତାଙ୍କ ଅନୁଭବ ବାହାରେ

ହରେକୃଷ୍ଣ ପଣ୍ଡା   ଅନ୍ୟାନ୍ୟ ଦେଶ ଭଳି ଭାରତ ଏକ ଭୂଖଣ୍ଡ ନୁହେଁ। ଏ ଦେଶର ମାଟି, ଗୋଡି, ପାହାଡ, ପର୍ବତ ଜୀବନ୍ତ ବୋଲି ମହାନ୍‌...

ଦାୟିତ୍ୱହୀନତାରୁ ବିପର୍ଯ୍ୟୟ

ଏବେ ଦୁଇଟି ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିବା ଭଳି ବିଷୟ ଭାବେ ଉଭା ହୋଇଛି। ୨୫ ମେ’ ୨୦୨୪ରେ ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri