ଅର୍ଥ କବଳିତ ଗଣତନ୍ତ୍ର

ରବିନାରାୟଣ ସାମଲ

ଭାରତର ନିର୍ବାଚନୀ ଇତିହାସରେ ରେକର୍ଡ! ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ତେଲଙ୍ଗାନାର ମୁନୁଗୁଡ଼ୁ ବିଧାନସଭା ଆସନର ଉପନିର୍ବାଚନ। ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୪୭। ବିଭିନ୍ନ ରାଜନୈତିକ ଦଳ ମିଶି ଖର୍ଚ୍ଚ କରିଥିଲେ ପ୍ରାୟ ୬୨୭ କୋଟି ଟଙ୍କା। ସଭାରେ ଯୋଗ ଦେବାକୁ ଯାଇଥିବା ଲୋକମାନେ ପାଉଥିଲେ ଜଣକା ୩୦୦ ଟଙ୍କା ସହିତ ବିରିୟାନୀ ଆଉ ମଦ। ବଣ୍ଟା ଯାଇଥିବା ମଦର ଦାମ ହେବ ୩୦୦ କୋଟି ଟଙ୍କା। ‘ଟଙ୍କା ନାହିଁ ତ ଭୋଟ ନାହିଁ’ ଲେଖାଥିବା ପ୍ଲାକାର୍ଡ ଧରି ଲୋକମାନେ ବସି ରହୁଥିଲେ ଗଁା ରାସ୍ତାରେ। ଶତକଡ଼ା ୭୫ ଭାଗ ଭୋଟର ଜଣକା ୯ ହଜାର ଲେଖାଏଁ ଟଙ୍କା ନେଇ ଭୋଟ ଦାନ କରିଥିଲେ। ଫୋରମ୍‌ ଅଫ୍‌ ଗୁଡ୍‌ ଗଭର୍ନାନ୍ସ ନାମକ ଏକ ସଂସ୍ଥା ନିର୍ବାଚନ କମିଶନଙ୍କ ନିକଟରେ ଉକ୍ତ ତଥ୍ୟ ସମ୍ବଳିତ ଅଭିଯୋଗପତ୍ର ଦାଖଲ କରିଛି।
ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ଆର୍ଥିକ ସୀମା ଧାର୍ଯ୍ୟ କରିଛନ୍ତି। ମୁନୁଗୁଡ଼ୁର ନିର୍ବାଚନରେ ଲଢ଼ିଥିବା ୪୭ଜଣ ପ୍ରାର୍ଥୀ ଜଣକା ଯଦି୨୮ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ମୋଟ ଖର୍ଚ୍ଚ ହେବ ଅତି ବେଶିରେ୧୩ କୋଟି ଟଙ୍କା। ମାତ୍ର ଖର୍ଚ୍ଚ ହୋଇଛି ୬୨୭ କୋଟି ଟଙ୍କା। ପ୍ରାୟ ୫୦ ଗୁଣ ଅଧିକ। ଆମ ନିର୍ବାଚନ କମିଶନଙ୍କ ଆଖିରେ ତ ଅନ୍ଧପୁଟୁଳି ବନ୍ଧାଯାଇଛି। ଖର୍ଚ୍ଚ ୫୦ ଗୁଣ ଛାଡ଼ି ୧୦୦ ଗୁଣ ହେଲେ ବି ସେ କିଛି କରିପାରିବେ ନାହିଁ।
ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ର ଆକଳନ ଅନୁଯାୟୀ ୨୦୧୯ ଲୋକ ସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଦ୍ୱାରା ଖର୍ଚ୍ଚ ହୋଇଥିଲା ୬୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ପ୍ରାର୍ଥୀମାନେ ଏହାର ଶତକଡ଼ା ୪୦ ଭାଗ ଖର୍ଚ୍ଚ କରିଥିଲା ବେଳେ ରାଜନୈତିକ ଦଳମାନେ ଖର୍ଚ୍ଚ କରିଥିଲେ ଶତକଡ଼ା ୩୫ ଭାଗ। ବିପୁଳ ପରିମାଣର ଅର୍ଥ! ୧୯୫୨ ପ୍ରଥମ ସାଧାରଣ ନିର୍ବାଚନରେ ଭାଗ ନେଇଥିବା ରାଜନୈତିକ ଦଳଗୁଡ଼ିକ ଆଦୌ ଅର୍ଥ ଖର୍ଚ୍ଚ କରି ନ ଥିବା ସ୍ଥଳେ ୨୦୧୯ ସାଧାରଣ ନିର୍ବାଚନରେ ଖର୍ଚ୍ଚ କରିଛନ୍ତି ୬୦ ହଜାର କୋଟି ଟଙ୍କା! ବିଶ୍ୱର ନିର୍ବାଚନୀ ଇତିହାସରେ ସର୍ବାଧିକ! ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶାସକ ଦଳ ପର୍ଯ୍ୟାପ୍ତ ପରିମାଣରେ ଫ୍ରିବିଜ୍‌ ପ୍ରଦାନ କରିଥାଏ। ମତଦାନର ପୂର୍ବ ଦିନ ଭୋଟରଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିଯାଏ। ଏହି ଟଙ୍କା କିଏ ଦେଲା, କାହିଁକି ଦେଲା ତାହା ଭୋଟରମାନେ ଜାଣିବାର ସୁଯୋଗ ମଧ୍ୟ ନଥାଏ। ଭୋଟ ହାତେଇବାକୁ ଭୋଟରମାନଙ୍କୁ ଏପରି ଉତ୍କୋଚ ଦେବା ପ୍ରଥା ପୂର୍ବରୁ ନଥିଲା। ଏବେ ତାହା ଉତ୍କଟ ରୂପ ଧାରଣ କରିଛି।
ଏହିସବୁ ଘଟଣାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ‘ଅବାଧ ଓ ନିରପେକ୍ଷ’ ନିର୍ବାଚନ ବର୍ତ୍ତମାନ ପୋଥି ବାଇଗଣ ହୋଇ ରହିଯାଇଛି। ଅଧିକାଂଶ ଭୋଟର ସେମାନଙ୍କ ବୁଦ୍ଧି ବିଚାରକୁ ହରାଇ ଲାଞ୍ଚୁଆ ହୋଇଯାଇଛନ୍ତି। ଆଉ ଏମାନଙ୍କୁ ଲାଞ୍ଚ ଦେବାକୁ କୋଟିପତି ପ୍ରାର୍ଥୀଙ୍କ ଆବିର୍ଭାବ ଘଟିଛି। ସେମାନଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଶତକଡ଼ା ୮୭ ଭାଗ ପ୍ରତିନିଧି କୋଟିପତି ଥିବା କଥା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। କୋଟିପତି ନ ହେଲେ ଏ ଖର୍ଚ୍ଚବହୁଳ ନିର୍ବାଚନରେ କେହି ଜିତିବା କଷ୍ଟକର। ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦିଙ୍କ ସରକାର ନିର୍ବାଚନୀ ବଣ୍ଡ୍‌ ପ୍ରଚଳନ କରିଛନ୍ତି। ଏହି ବଣ୍ଡ୍‌ ବିକ୍ରି ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକ କର୍ପୋରେଟ୍‌ ସେକ୍ଟର୍‌ରୁ ମନଇଚ୍ଛା ଅର୍ଥ ଲାଭ କରିପାରିବେ। ଏହି ଅର୍ଥ କେଉଁଠୁ ଆସୁଛି, କିଏ ଦେଉଛି ତାହା ପ୍ରକାଶ କରା ନଯାଇ ଗୋପନ ରଖାଯିବ। ଦେଶରେ ଗଚ୍ଛିତ କଳାଧନ ରଙ୍ଗ ବଦଳାଇ ଏହି ବାଟରେ ଆସି ଭୋଟ କିଣାରେ ବିନିଯୋଗ ହୋଇ ପାରିବ। ଏପଟେ ଅର୍ଥଲାଭର ପନ୍ଥା ଅସ୍ବଚ୍ଛ ହୋଇଥିବା ସ୍ଥଳେ ସେପଟେ ନିର୍ବାଚନଟା ସ୍ବଚ୍ଛ ହେଉଛି ବୋଲି ନିର୍ବାଚନ କମିଶନ ଡିଣ୍ଡିମ ପିଟୁଛନ୍ତି।
କେବଳ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀମାନେ ଯେ ବିପୁଳ ପରିମାଣରେ ଅର୍ଥ ବ୍ୟୟ କରୁଛନ୍ତି ତାହା ନୁହେଁ, ଦଳୀୟ ଟିକେଟ ହାସଲ କରିବାକୁ ଆଶାୟୀମାନେ ମଧ୍ୟ ଦଳର କର୍ମକର୍ତ୍ତା ଓ ହାଇକମାଣ୍ଡ୍‌ଙ୍କ ପାଖରେ କୋଟି କୋଟି ଟଙ୍କା ଦାଖଲ କରୁଛନ୍ତି। ଏହି ବ୍ୟାଧି ଏବେ ଉପର ସ୍ତରରୁ ଗଡ଼ି ଗଡ଼ି ଆସି ପଞ୍ଚାୟତ ସ୍ତରରେ ପହଞ୍ଚତ୍ସାରିଛି। ଗତ ପଞ୍ଚାୟତ ନିର୍ବାଚନରେ ଏହି ଧାରା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଛି।
ବିଶ୍ୱର ଶାସନତନ୍ତ୍ରରେ ଗଣତାନ୍ତ୍ରିକ ବ୍ୟବସ୍ଥାଟି ସର୍ବୋତ୍ତମ ବୋଲି କୁହାଯାଏ। ମାତ୍ର ଗଣତନ୍ତ୍ର ଭିତରେ ଏହି ଧନତନ୍ତ୍ରର ଅନୁପ୍ରବେଶ ସମଗ୍ର ବ୍ୟବସ୍ଥାଟିକୁ କଳୁଷିତ କରି ପକାଇଛି। ପରିଣାମସ୍ବରୂପ ପଇସା ଯାହାର ଭୋଟ ତାହାର ବ୍ୟବସ୍ଥାଟି ପ୍ରାଧାନ୍ୟ ଲାଭ କରିଛି। ଏହାସହିତ କଳ-ବଳ-କୌଶଳ ଶାସକ ଦଳକୁ ନିର୍ବାଚନ ଜିଣିବାରେ ସାହାଯ୍ୟ କରୁଛି। ଏହାଦ୍ୱାରା ସାଧୁ ଓ ସଚ୍ଚୋଟ ବ୍ୟକ୍ତିମାନେ ନିର୍ବାଚନ ମଇଦାନରେ ହାର ମାନି ଯାଉଛନ୍ତି।
ଏଥିପାଇଁ ଆମେ ମୁଖ୍ୟତଃ ଦୁଇଟି କାରକକୁ ଦାୟୀ କରିପାରିବା। ଗୋଟିଏ ହେଉଛି ସାଧାରଣ ଭୋଟରଙ୍କ ରାଜନୈତିକ ସଚେତନତା, ଅନ୍ୟଟି ଦେଶର ଲୋକପ୍ରତିନିଧି ଆଇନ। ଯେ ପର୍ଯ୍ୟନ୍ତ ସାଧାରଣ ଜନତା ରାଜନୈତିକ ଭାବେ ସଚେତନ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଦେଶର ଗଣତନ୍ତ୍ର ଅର୍ଥ କବଳିତ ହୋଇ ରହିଥିବ। ଅନ୍ୟପକ୍ଷରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାର ପ୍ରବର୍ତ୍ତନ ହିଁ ବିପନ୍ନ ଗଣତନ୍ତ୍ରର ପୁନରୁଦ୍ଧାର କରିବାରେ ସକ୍ଷମ ହୋଇପାରିବ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri