Posted inଫୁରସତ

ସାଧାରଣତନ୍ତ୍ର କ’ଣ ସର୍ବୋତ୍ତମ ଶାସନ

ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଭାଷାରେ ଗରିବ ଓ ଭୋକିଲା ଲୋକ ଯିଏ କାମ ବା ମଜୁରି ପାଏ ନାହିଁ ଏବଂ ଯାହାର ଜୀବନ ଦୁଃଖ ଓ ଦାରିଦ୍ର୍ୟର ଅବିରତ ସଂଗ୍ରାମ, ସେ କେବେ ବି ସମ୍ବିଧାନ ବା ଆଇନ ପାଇଁ ଗର୍ବିତ ହୋଇପାରିବ ନାହିଁ। ଏହି ଦୃଷ୍ଟିରୁ ଦେଖିଲେ ଭାରତର ସାଧାରଣତନ୍ତ୍ର କେତେ ସଫଳ ତାହା ବିଚାରଯୋଗ୍ୟ। ରାଷ୍ଟ୍ର ଗଠନର ମୂଳ ଉଦ୍ଦେଶ୍ୟ ବ୍ୟକ୍ତିର ଜୀବନକୁ ସରସ ସୁନ୍ଦର କରିବା, ବ୍ୟକ୍ତିକୁ ନିର୍ବିଘ୍ନରେ ସ୍ବାଧୀନତା ଉପଭୋଗ କରିବାକୁ ଦେବା ଓ ଏକ ନିରାପତ୍ତାର ବାତାବରଣ ସୃଷ୍ଟି କରିବା। କିନ୍ତୁ ଏବେ ଘଟୁଛି କ’ଣ ? ବେଳେବେଳେ ଗଣତନ୍ତ୍ର ନାମରେ ଅଗଣତାନ୍ତ୍ରିକ ବିଚାରଧାରାର ସୃଷ୍ଟି କରାଯାଉଛି ଓ ରାଜରାସ୍ତାରେ ରାଜନୈତିକ ହିଂସା ଓ ବିଦ୍ୱେଷର ପରିବେଶ ଦେଖୁବାକୁ ମିଳୁଛି। କ୍ଷମତାପାଇଁ ବିଭିନ୍ନ ଗୋଷ୍ଠୀ ଭିତରେ ସଂଘର୍ଷ ଘଟୁଛି, ଅର୍ଥ ଓ ବାହୁବଳ ଗଣତନ୍ତ୍ରକୁ କବଳିତ କରିବାକୁ ଚେଷ୍ଟା କରୁଛି। କିନ୍ତୁ ସମସ୍ତେ ଚୁପ, ନିର୍ବିକାର। ସାଧାରଣଜନତା କଥା ପଚାରେ କିଏ ? ସାଧାରଣତନ୍ତ୍ର ରାଷ୍ଟ୍ରରେ ବ୍ୟକ୍ତିର ସାର୍ବଭୌମ କ୍ଷମତାର ମୂଲ୍ୟ ଅର୍ଥହୀନ ହୋଇପଡୁଛି। ଭୋଟ ଦେଇଦେଲାପରେ ବ୍ୟକ୍ତିର ସାର୍ବଭୌମ କ୍ଷମତାକୁ ନିବୁଜ ପଞ୍ଜୁରିରେ ରଖିଦିଆଯାଉଛି। ଧାରଣା, ବିକ୍ଷୋଭ, ଅନଶନ ଓ ବିଭିନ୍ନ ଉପାୟ ଖୋଜୁଛି ସାଧାରଣଜନତା ତା’ର ସାର୍ବଭୌମତ୍ୱ ଜାହିର ପାଇଁ। ସେଇଥିପାଇଁ ରାଜନୀତିର ଦାର୍ଶନିକ ପ୍ଲାଟୋ ତାଙ୍କ ‘ରିପବ୍ଲିକ’ ପୁସ୍ତକରେ ଏକ ଆଦର୍ଶରାଷ୍ଟ୍ର ଅନ୍ବେଷଣ କରିଥିଲେ।

ଗଣତନ୍ତ୍ର, ଲୋକତନ୍ତ୍ର ଏସବୁ ସମର୍ଥବୋଧକ ଶବ୍ଦ, ଯେଉଁଠି ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଏ; ଯେଉଁଠି ସାଧାରଣଜନତା ତା’ର କ୍ଷମତା ଜାହିର କରି ଶାସକକୁ କ୍ଷମତାଚ୍ୟୁତ କରିଦେଇପାରେ। ସାଧାରଣତନ୍ତ୍ର ଶାସନ ରାଜତନ୍ତ୍ର, ସାମନ୍ତବାଦୀ ବା କମ୍ୟୁନିଜମ ଶାସନ ନୁହେଁ ? କିନ୍ତୁ କୌତୂହଳର ବିଷୟ ଏହି କି ଯେ ଯେଉଁଠି କ୍ଷମତାଥାଏ ସେଠି ସଂଭ୍ରାନ୍ତୀୟ ବା ରାଜତନ୍ତ୍ରର ଆଦବ କାଇଦା ବା ଚଳଣିର ଛାପ ଦେଖିବାକୁ ମିଳେ। ପୃଥିବୀର ବିଭିନ୍ନ ସାଧାରଣତନ୍ତ୍ର ରାଷ୍ଟ୍ରରେ କ୍ଷମତାଶୀଳ ବ୍ୟକ୍ତିଙ୍କର ଭୁଲ୍‌ ଯୋଗୁ ସେମାନଙ୍କୁ କ୍ଷମତା ହରାଇବାକୁ ପଡ଼େ। ବେଳେବେଳେ ଶାସକ କଠୋର ହେଲେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର କ୍ରୂରତାର ଶିକାର ହୁଏ। ଯେଉଁଠି କ୍ଷମତା ସେଇଠି ଅନର୍ଥ। କ୍ଷମତା ଉପଭୋଗ କରୁଥିବା ଲୋକଟି ଯଦି କ୍ଷମତାର ସନ୍ତୁଳନ ରକ୍ଷା ନ କରିପାରେ ତେବେ ସବୁ ଅସୁବିଧା ସୃଷ୍ଟି ହୁଏ। ସାଧାରଣତନ୍ତ୍ର ବା ଗଣତନ୍ତ୍ର ସେହିଠାରେ ଜୀବନ୍ତ, ଯେଉଁଠି ପ୍ରତି ମଣିଷ ସ୍ବାଧୀନଚେତା, ମଣିଷ ଭୟଶୂନ୍ୟ ଓ ସମ୍ମାନର ସହ ଜୀବନ ବିତାଏ; ଜାତି, ଶ୍ରେଣୀ, ବର୍ଣ୍ଣ, ଧର୍ମ, ବିଶ୍ୱାସ ଓ ଆଞ୍ଚଳିକତା ଭିତ୍ତିରେ ଭେଦଭାବ ସୃଷ୍ଟି କରାଯାଏ ନାହିଁ, ମଣିଷ ଏକ ସକାରାତ୍ମକ ପରିବେଷ୍ଟନୀରେ ବଞ୍ଚେ, ମଣିଷର ଅନ୍ତରାତ୍ମା ସତ୍ୟ ପରିପ୍ରକାଶ କରିବାରେ କୁଣ୍ଠାବୋଧ କରେନା, ସତ୍ୟକୁ ଦବାଯାଏ ନାହିଁ ବା ସତ୍ୟକୁ ପଦଦଳିତ କରାଯାଏ ନାହିଁ । ଭୟର ବାତାବରଣ ଏକ ଅଗଣତାନ୍ତ୍ରିକ ଧାରାର ସଂକେତ। ଯେଉଁଠି ଜନସାଧାରଣ ସ୍ବାଧୀନଭାବରେ ମତବ୍ୟକ୍ତ କରିବାର ଅଧିକାର ଉପଭୋଗ କଲାପରେ ବି ପାରିପାର୍ଶ୍ୱିକ ପରିବେଶ ବା ପରିବେଷ୍ଟନୀ ତାକୁ ବାଧ୍ୟକରେ ଏକ ନିର୍ଦ୍ଦିଷ୍ଟ ଦିଗରେ ତା’ର ମତବ୍ୟକ୍ତ କରିବାପାଇଁ, ସେତେବେଳେ ଅଧିକାର ଥାଇ ବି ମଣିଷ ତା’ର ସଦୁପଯୋଗ କରିପାରେନା ।

ସଚେତନତା ହିଁ ସାଧାରଣତନ୍ତ୍ରର କବଚ। ଯେଉଁ ଦେଶର ଜନସାଧାରଣ ଯେତେ ସଚେତନ ସେହି ଦେଶର ସାଧାରଣତନ୍ତ୍ର ବା ଗଣତନ୍ତ୍ର ସେତେ ସୁରକ୍ଷିତ ବା ମଜଭୁତ। ଶାସକକୁ ସମାଲୋଚନା କରିବା, ଅନ୍ୟାୟ ଓ ଅନୀତିକୁ ବିରୁଦ୍ଧାଚରଣ କରିବା ସାଧାରଣତନ୍ତ୍ର ରାଷ୍ଟ୍ରର ବିଶେଷତ୍ୱ। ଏକ ଦୃଢ଼ ବିରୋଧୀ ଦଳ ଏକ ସୁସ୍ଥ ସାଧାରଣତନ୍ତ୍ର ରାଷ୍ଟ୍ରର ପରିଚାୟକ ।
ଯେଉଁଠି ବିରୋଧ ନାହିଁ, ଯେଉଁଠି ନ୍ୟାଯ୍ୟ ଅଧିକାର ପାଇଁ ସ୍ବର ଉଠାଇଲେ ତାକୁ ଦମନ କରିଦିଆଯାଉଛି, ସେଠାରେ ସାଧାରଣତନ୍ତ୍ର ବା ଗଣତନ୍ତ୍ର ନାହିଁ। ସାଧାରଣତନ୍ତ୍ର ବା ଗଣତାନ୍ତ୍ରିକ ବ୍ୟବସ୍ଥା ଆଧୁନିକ ଯୁଗରେ ସବୁଠାରୁ ଭଲ ବ୍ୟବସ୍ଥା ଭାବେ ପରିଗଣିତ। କିନ୍ତୁ ଯେତେବେଳେ ସାଧାରଣ ମଣିଷ ବ୍ୟବସ୍ଥା ଭିତରେ ପେଷି ହୋଇଯାଉଛି, ବ୍ୟବସ୍ଥାର ଦ୍ୱାହିଦେଇ ଶାସକ ମାନବିକତାକୁ ପଦଦଳିତ କରୁଛି, ସାଧାରଣ ସ୍ବାର୍ଥ ବିରୁଦ୍ଧରେ ଯାଉଛି ସେତେବେଳେ ସାଧାରଣ ମଣିଷ କିଂକର୍ତ୍ତବ୍ୟମୂଢ଼ ହୋଇପଡୁଛି । ରୁଷୋଙ୍କ ମତରେ ଯେତେବେଳେ ରାଷ୍ଟ୍ର ସାମୂହିକ ଇଚ୍ଛା ବା ସ୍ବାର୍ଥ ବିରୁଦ୍ଧରେ ଯାଏ, ସେତେବେଳେ ରାଷ୍ଟ୍ର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଯଥାର୍ଥ।

ସାଧାରଣତନ୍ତ୍ର ରାଷ୍ଟ୍ରରେ ଏକ ସମ୍ବିଧାନ ଥାଏ, ଯାହା ଦେଶର ମୌଳିକ ଆଇନକୁ ଲିପିବଦ୍ଧ କରିଥାଏ I କିନ୍ତୁ ସାମ୍ବିଧାନିକ ଆଇନ ଅନମନୀୟ ନୁହେଁ। ଲୋକଙ୍କ ପରିବର୍ତ୍ତିତ ରୁଚି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବିଧାନ ପରିବର୍ତ୍ତିତ ହୁଏ। କିନ୍ତୁ ଯଦି ଦଳୀୟ ରାଜନୀତିରେ ନ୍ୟସ୍ତସ୍ବାର୍ଥ ହାସଲ ପାଇଁ ସମ୍ବିଧାନକୁ ପରିବର୍ତ୍ତନ କରାଯାଏ, ସମ୍ବିଧାନର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରିବାର ପ୍ରୟାସ କରାଯାଏ (୪୨ତମ ସମ୍ବିଧାନ ସଂଶୋଧନ ଭଳି ) ତାହା ଏକ ସାଧାରଣତନ୍ତ୍ର ରାଷ୍ଟ୍ର ପାଇଁ କ୍ଷତିକାରକ ହୋଇପାରେ। ଗଣତନ୍ତ୍ର ବା ସାଧାରଣତନ୍ତ୍ରକୁ ସର୍ବୋତ୍ତମ ଶାସନ ବ୍ୟବସ୍ଥା କୁହାଯାଉଛି ।

କିନ୍ତୁ ସାଧାରଣତନ୍ତ୍ର ଓ ଗଣତନ୍ତ୍ର ଆଜି ଦୋଛକିରେ ବା ଦିଗହରା ଭଳି ମନେହୁଏ। ସାଧାରଣତନ୍ତ୍ରର ସଫଳତା ପାଇଁ ଗୋଟିଏ ପରିବେଶ ଆବଶ୍ୟକ; ଯେଉଁଠି ଆଇନର ଶାସନ ଥିବ, ଯେଉଁଠି ସାଧାରଣ ମଣିଷର ସ୍ବାଧୀନତା ଓ ସମାନତା ଥିବ ଏବଂ ଜୀବନଧାରଣ କରିବାର ଅଧିକାର ଥିବ।
-ଡ. ମନୋରଞ୍ଜନ ମହାନ୍ତି
ମୋ- ୯୪୩୭୧୯୯୧୦୬


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?