ମହାକାଳପଡ଼ା,୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ର ନଦୀନାଳ ଘେରା ବତୀଘର ଦ୍ୱୀପାଞ୍ଚଳକୁ ସେତୁ ନିର୍ମାଣ ଦାବି ନେଇ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି ଅଞ୍ଚଳବାସୀ। ସରକାର ବଦଳିଛି, କିନ୍ତୁ ବଦଳିନି ବତୀଘର ଦ୍ୱୀପବାସୀଙ୍କ ଦୁଃଖ। ପ୍ରତିଦିନ ଡଙ୍ଗାରେ ନଦୀ ପାର ହୋଇ ଯାତାୟାତ କରିବା ଏଠାକାର ପ୍ରାୟ ୧୨ ହଜାର ଲୋକଙ୍କ ପାଇଁ ନିତିଦିନିଆ ସମସ୍ୟା ହୋଇରହିଛି। ତେବେ ଏବେ ଏହି ଦୀର୍ଘଦିନର ଦାବିକୁ ନେଇ ରାଷ୍ଟ୍ରପତି ସଚିବାଳୟରୁ ଇ-ମେଲ ଆସିବା ପରେ ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।
ବତୀଘର ଦ୍ୱୀପାଞ୍ଚଳର ଲୋକଙ୍କ ପାଇଁ ଯାତାୟାତର ମୁଖ୍ୟ ଭରସା ହେଉଛି ଡଙ୍ଗା। ଝଡ଼, ବର୍ଷା ଓ ପବନକୁ ଖାତିର ନକରି ଲୋକମାନେ ଟୁବିଘାଟ ଦେଇ ନଦୀ ପାର ହୋଇ ଜିଲା ଓ ବ୍ଲକ କାର୍ଯ୍ୟାଳୟ, ମେଡିକାଲ, ତହସିଲ, କଲେଜ ଏବଂ ରାଜଧାନୀକୁ ଯାତାୟାତ କରୁଛନ୍ତି। ବିଶେଷକରି ଜରୁରୀ ଚିକିତ୍ସା, ଶିକ୍ଷା ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ନଦୀ ପାର ହେବାକୁ ପଡ଼ୁଥିବାରୁ ଅଞ୍ଚଳବାସୀଙ୍କୁ ଅନେକ ସମୟରେ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ସୱାଧୀନତା ପରଠାରୁ ବିଭିନ୍ନ ସରକାର ଆସିଥିଲେ ମଧ୍ୟ ଏହି ଅଞ୍ଚଳରେ ସେତୁ ନିର୍ମାଣ ଦାବି ପୂରଣ ହୋଇପାରିନାହିଁ।
ସେତୁ ନିର୍ମାଣ ନେଇ ଅଞ୍ଚଳବାସୀ ବିଭିନ୍ନ ସମୟରେ ରାଜନୈତିକ ନେତୃମଣ୍ଡଳୀ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ। କିନ୍ତୁ ଅଭିଯୋଗ ଓ ଅନୁରୋଧପତ୍ର ଫାଇଲ ତଳେ ରହିଯାଉଥିବାରୁ ଅଞ୍ଚଳର କେତେକ ବୁଦ୍ଧିଜୀବୀ ନିରାଶ ହୋଇପଡ଼ିଥିଲେ। ଶେଷରେ ବତୀଘର ଅଞ୍ଚଳର ଗୌରହରି ବେରା ଓ ଗୁରୁପଦ ବାରିକଙ୍କ ସମେତ କେତେକ ବୁଦ୍ଧିଜୀବୀ ଗତ ଅକ୍ଟୋବର ୨୭ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଇ-ମେଲ ଯୋଗେ ଅଭିଯୋଗ ପଠାଇଥିଲେ। ବତୀଘର ଅଞ୍ଚଳର ଦୁର୍ଗମ ଯୋଗାଯୋଗ ବ୍ୟବସ୍ଥା ଓ ସେତୁ ର୍ନିମାଣର ଆବଶ୍ୟକତା ସମ୍ପର୍କରେ ସେମାନେ ଏଥିରେ ଅବଗତ କରାଇଥିଲେ।
ଆବେଦନକାରୀଙ୍କ କହିବା ଅନୁଯାୟୀ, ରାଷ୍ଟ୍ରପତି ସଚିବାଳୟ ଏହି ଅଭିଯୋଗକୁ ଗୁରୁତ୍ୱ ଦେଇଛି। ସଚିବାଳୟ ପକ୍ଷରୁ ଇ-ମେଲ ଯୋଗେ ରାଜ୍ୟ ସରକାରଙ୍କୁ ଏହି ମାମଲା ପଠାଯାଇ ତୁରନ୍ତ ସର୍ଭେ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିବା ସେମାନେ ସୂଚନା ଦେଇଛନ୍ତି। ସୋମବାର ରାଷ୍ଟ୍ରପତି ସଚିବାଳୟରୁ ଆସିଥିବା ଇ-ମେଲ ବିଷୟରେ ଜାଣିବା ପରେ ବତୀଘର ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ଓ ଆଶାର ବାତାବରଣ ସୃଷ୍ଟି ହୋଇଛି।
ବତୀଘର ଦ୍ୱୀପାଞ୍ଚଳକୁ ସେତୁ ର୍ନିମାଣ ହେଲେ ସିଧାସଳଖ ଗାଡ଼ି ଚଳାଚଳ ସମ୍ଭବ ହେବ। ଏହାଦ୍ୱାରା ଶିକ୍ଷା, ସୱାସ୍ଥ୍ୟସେବା, ବ୍ୟବସାୟ ଓ ଯାତାୟାତ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ। ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ସହ ଅଞ୍ଚଳର ବିକାଶ ପାଇଁ ଏହି ସେତୁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।
ଏବେ ରାଷ୍ଟ୍ରପତି ସଚିବାଳୟରୁ ଆସିଥିବା ଇ-ମେଲ ପରେ ରାଜ୍ୟ ସରକାର କେବେ ସର୍ଭେ କରିବେ ଏବଂ ସେତୁ ନିର୍ମାଣ ଦିଗରେ କେବେ ଠୋସ ପଦକ୍ଷେପ ନେବେ, ତାହାକୁ ଅପେକ୍ଷା କରିଛନ୍ତି ବତୀଘରବାସୀ।
Dharitri – Odisha’s No.1 Odia Daily

