ନୂଆଦିଲ୍ଲୀ,୧୦।୧୧: ସୋମବାର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ଏକ କାର୍ ବିସ୍ଫୋରଣ ଯୋଗୁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ଖବର ମିଳିଛି ଯେ ବିସ୍ଫୋରଣରେ ନିକଟରେ ଥିବା ତିନୋଟି ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍ ନମ୍ବର ୧ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ଦିଲ୍ଲୀ ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି। ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛ। ହେଲେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ।
ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରି ଶବ୍ଦ ହୋଇଥିବା ଖବର ଅଗ୍ନିଶମ ବିଭାଗ ପାଇଥିଲା। ଦଶଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍ ନମ୍ବର ୧ ନିକଟରେ ଏକ କାର ବିସ୍ଫୋରଣ ହୋଇଛି, ଯାହା ଫଳରେ ନିକଟରେ ଥିବା ତିନୋଟି ଗାଡ଼ିରେ ନିଆଁ ଲାଗିଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଟିମ୍ ପଠାଯାଇଛି।
#WATCH | A call was received regarding an explosion in a car near Gate No. 1 of the Red Fort Metro Station, after which three to four vehicles also caught fire and sustained damage. A total of 7 fire tenders have reached the spot. A team from the Delhi Police Special Cell has… pic.twitter.com/F7jbepnb4F
— ANI (@ANI) November 10, 2025
ଦିଲ୍ଲୀ ପୋଲିସ ଏବେ ଯାନ ଭିତରେ କୌଣସି ବିସ୍ଫୋରକ ସାମଗ୍ରୀ ଥିଲା କି ବିସ୍ଫୋରଣ ପଛରେ ଅନ୍ୟ କୌଣସି କାରଣ ଥିଲା ତାହା ତଦନ୍ତ କରୁଛି। ଘଟଣା ପରେ ଦିଲ୍ଲୀ ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଅଞ୍ଚଳର ଡିସିପି ମଧ୍ୟ ଘଟଣାସ୍ଥଳରେ ଅଛନ୍ତି। ଲାଲକିଲ୍ଲା ନିକଟବର୍ତ୍ତୀ ଅଞ୍ଚଳ ଯେଉଁଠାରେ ବିସ୍ଫୋରଣ ଘଟିଥିଲା ତାହା ଏକ ବହୁତ ଜନଗହଳିପୂର୍ଣ୍ଣ ଅଞ୍ଚଳ। ବିସ୍ଫୋରଣ ସ୍ଥାନରେ ବର୍ତ୍ତମାନ ଟ୍ରାଫିକ ଚଳାଚଳ ବନ୍ଦ ରହିଛି। ଏହା ଏକ ଆତଙ୍କବାଦୀ ଘଟଣା କି ଅନ୍ୟ କିଛି ତାହା ଏ ପର୍ଯ୍ୟନ୍ତ ତଦନ୍ତାଧୀନ। ତଥାପି, ମାତ୍ର ଏହା ପୂର୍ବରୁ, ଜମ୍ମୁ-କଶ୍ମୀର ପୋଲିସ ଜୈଶ-ଏ-ମହମ୍ମଦ (JeM) ଏବଂ ଅନସାର ଘଜୱାତ-ଉଲ-ହିନ୍ଦ (AGuH) ସହିତ ଜଡିତ ଏକ ମଡ୍ୟୁଲର ପର୍ଦ୍ଦାଫାଶ କରିଥିଲା। ଶ୍ରୀନଗର, ଅନନ୍ତନାଗ, ଗାନ୍ଦରବଲ, ଶୋପିଆନ, ଫରିଦାବାଦ ଏବଂ ସାହାରନପୁରରେ ଚଢାଉ କରି ସାତ ଜଣଙ୍କୁ ଅଟକ ରଖିଥିଲା ପୋଲିସ। ଏହା ପରେ, ବିଳମ୍ବିତ ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ସୂତ୍ର ଅନୁସାରେ ଏହା ଏହି ଆତଙ୍କବାଦୀମାନଙ୍କ ସହ ଜଡିତ ଥାଇପାରେ ବୋଲି କୁହାଯାଇଛି। ଆତଙ୍କବାଦୀଙ୍କଠାରୁ ପୋଲିସ ଅନେକ ଗୁଡିଏ ସାମଗ୍ରୀ ଜବତ କରିଥିଲା। ସେଥିରେ ଏକ ଚାଇନିଜ ଷ୍ଟାର ପିସ୍ତଲ ଏବଂ ଗୁଳି, ଏକ ବେରେଟା ପିସ୍ତଲ ଏବଂ ଗୁଳି, ଏକ AK-56 ରାଇଫଲ ଏବଂ ଗୁଳି, ଏକ AK କ୍ରିଙ୍କୋଭ ରାଇଫଲ ଏବଂ ଗୁଳି, ପ୍ରାୟ ୨,୯୦୦ କିଲୋଗ୍ରାମ IED-ତିଆରି ସାମଗ୍ରୀ, ରାସାୟନିକ ପଦାର୍ଥ, ରିଏଜେଣ୍ଟ, ଜ୍ୱଳନଶୀଳ ସାମଗ୍ରୀ, ଇଲେକ୍ଟ୍ରୋନିକ ସର୍କିଟ, ବ୍ୟାଟେରୀ, ତାର, ରିମୋଟ କଣ୍ଟ୍ରୋଲ, ଟାଇମର୍ ଅନ୍ତର୍ଭୁକ୍ତ।

