ଭଲ ମଣିଷର ପରିଭାଷା

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ରୁଷିପ୍ରତିମ ଆଚାର୍ଯ୍ୟ ହରିହରଙ୍କୁ ଯଦି କିଏ ନମସ୍କାର କରୁଥିଲେ, ସେ ତତ୍‌କ୍ଷଣାତ୍‌ ସେହି ବ୍ୟକ୍ତିଙ୍କୁ ପ୍ରତିନମସ୍କାର ଜଣାଇ କହୁଥିଲେ, ‘ଭଲ ମଣିଷ ହୁଅ’। ଇତିହାସ ସୂଚାଇଦିଏ ଯେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସିନୋପ୍‌ (ଖ୍ରୀ.ପୂ. ୪୧୦-୩୨୩) ସେ ସମୟରେ ମଧ୍ୟ ଦିନ ବେଳା ଏକ ଲଣ୍ଠନ ଲଗାଇ ଭଲ ଲୋକ ସନ୍ଧାନରେ ଥିଲେ। ମନେରଖିବାକୁ ହେବ ଯେ, ଧନ ଓ ତଥାକଥିତ କ୍ଷମତା କ୍ଷଣସ୍ଥାୟୀ। ଏ ସଂସାରରେ କେବଳ ଆଦର୍ଶ ଓ ମୂଲ୍ୟବୋଧ ହିଁ ମୃତ୍ୟୁ ପରେ ମଧ୍ୟ ବଞ୍ଚତ୍ରହେ। ସେଦିନ ଦିଗ୍‌ବିଜୟୀ ସମ୍ରାଟ ଆଲେକ୍‌ଜାଣ୍ଡାର ନିଜର ଆସନ୍ନମୃତ୍ୟୁକୁ ଜାଣିପାରି ଅନୁଚରମାନଙ୍କୁ କହିଥିଲେ, ସେ ମରିଗଲା ପରେ ତାଙ୍କ ଦୁଇ ହାତକୁ ଅନୁଚରମାନେ ମେଲାଇ ଦେବେ। ଗଲା ବେଳକୁ କ’ଣ ନେଇଗଲେ! ଏହା ହୁଏତ କିମ୍ବଦନ୍ତୀ ବା ଉପକଥା ହୋଇପାରେ; କିନ୍ତୁ ଏହାର ଅନ୍ତରାଳରେ ଥିବା ଜୀବନର ଚିରନ୍ତନ ସତ୍ୟକୁ କିଏ ଅସ୍ବୀକାର କରିପାରିବ?
ଏକଥା ସ୍ବୀକାର୍ଯ୍ୟ ଯେ ନୈତିକ ମୂଲ୍ୟବୋଧର ଅବକ୍ଷୟ ଚିନ୍ତାନାୟକଙ୍କୁ ବ୍ୟସ୍ତ ବିବ୍ରତ କରୁଛି। କିନ୍ତୁ ଅଧଃପତନ ସତ୍ତ୍ୱେ ଆମ ପାଖରେ ଏପରି କିଛି ଭଲ ଲୋକ ଅଛନ୍ତି; ସେମାନଙ୍କ କଥା ଚିନ୍ତା କଲାବେଳକୁ ମୁଣ୍ଡ ଆମର ଆପେ ଆପେ ନଇଁଯାଏ।
ବେଶି ଦିନର କଥା ନୁହେଁ। ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ କଲାମ୍‌ଙ୍କ କଥା ମନେପଡ଼ୁଛି। ତାଙ୍କୁ ଜୋତା ପିନ୍ଧାଇବା ପାଇଁ ଜଣେ କର୍ମଚାରୀ ରାଷ୍ଟ୍ରପତି ଭବନରେ ଥାଆନ୍ତି। ରାଷ୍ଟ୍ରପତିଙ୍କ ଏହି ସେବାରେ ନିୟୋଜିତ କର୍ମଚାରୀ ଯେତେବେଳେ କଲାମ୍‌ଙ୍କୁ ଜୋତା ପିନ୍ଧାଇବାକୁ ଉଦ୍ୟତ ହେଲେ; ସେ ଏ କାର୍ଯ୍ୟରୁ ତାଙ୍କୁ ବିରତ ହେବାକୁ କହିଲେ। ଏଥିରେ ଲୋକଟି ପ୍ରଥମେ କିଛି ବୁଝିପାରିଲା ନାହିଁ। ସେ ଭାବିଲା ବୋଧହୁଏ ରାଷ୍ଟ୍ରପତି ତା’ ଉପରେ ଅସନ୍ତୁଷ୍ଟ ହୋଇ ତାକୁ ଚାକିରିରୁ ବିଦା କରିବାକୁ ଚାହୁଁଛନ୍ତି। ତା’ର ମନୋଭାବକୁ ହୃଦୟଙ୍ଗମ କରି କଲାମ୍‌ କହିଲେ, ତୁମେ ଆଜିଠାରୁ ଏପରି ହୀନ କାର୍ଯ୍ୟ କରିବ ନାହିଁ କିନ୍ତୁ ନିର୍ଭୟ ରୁହ ଯେ, ତୁମ ଚାକିରି ଯିବ ନାହିଁ। ପରେ କହିଲେ, ମୁଁ ଯେମିତି ମଣିଷ; ତୁମେ ମଧ୍ୟ ସେପରି ଜଣେ ମଣିଷ। ଜଣେ ମଣିଷ ଆଉ ଜଣେ ମଣିଷକୁ ଜୋତା ପିନ୍ଧାଇବ; ଏ ପ୍ରକାର ସାମନ୍ତବାଦୀ ଚିନ୍ତାଧାରାକୁ ମୁଁ ପସନ୍ଦ କରେ ନାହିଁ। ଏ କଥା ଭାବିଲା ବେଳକୁ ଆମ ସମୟର ଜଣେ ଅଫିସର (ବର୍ତ୍ତମାନ ଅବସରପ୍ରାପ୍ତ)ଙ୍କ କଥା ମନେପଡ଼ୁଛି। ତାଙ୍କ ସରକାରୀ ବାସଭବନଠାରୁ ମାତ୍ର ୧୦୦ ମିଟର ଦୂରରେ ଏକ ମନ୍ଦିର ଥିଲା। ସେ ପ୍ରତ୍ୟହ ମଠା ପିନ୍ଧି ସରକାରୀ ଗାଡ଼ିରେ ଏହି ମନ୍ଦିରକୁ ଯାଆନ୍ତି। ଗାଡ଼ିରୁ ଓହ୍ଲାଇବା ମାତ୍ରେ ଡ୍ରାଇଭର ତାଙ୍କ ଗୋଡ଼ରୁ ଜୋତା ବାହାର କରିଥାଏ ଏବଂ ପୂଜା ସାରି ମନ୍ଦିରକୁ ଫେରିଲା ବେଳକୁ ତାଙ୍କୁ ଜୋତା ମଧ୍ୟ ପିନ୍ଧେଇଦିଏ।
ବର୍ତ୍ତମାନ ଏ ଯୁଗର ଜଣେ ଦଧିଚିଙ୍କ କଥା କହୁଛି। ସେ ହେଉଛନ୍ତି ବିଶିଷ୍ଟ ସମାଜସେବୀ ତଥା ଡା. ସୁପ୍ରଭା ଦାସ। ଅଳ୍ପଦିନ ତଳେ ତାଙ୍କର ତିରୋଧାନ ହୋଇଛି। ତାଙ୍କର ଇଚ୍ଛାନୁସାରେ ତାଙ୍କ ମରଶରୀରକୁ ଫକୀର ମୋହନ ଭେଷଜ ମହାବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ସହାୟତା ନିମନ୍ତେ ହସ୍ତାନ୍ତର କରାଯାଇଛି। ଲୋକସେବକ ମଣ୍ଡଳକୁ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଦାନ କରିଦେଇଛନ୍ତି। ଅସୁସ୍ଥ ହେବା ପୂର୍ବରୁ ସେ ପ୍ରିୟଦର୍ଶିନୀ ମହିଳା ସମିତି ନାମରେ ଏକ ଅନୁଷ୍ଠାନ ଗଢ଼ି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଥିଲେ।
ସେଦିନ କଥା ପ୍ରସଙ୍ଗରେ ମୋର ସହକର୍ମୀ ମଧୁସୂଦନ ବାବୁ କହିଲେ, ସମୁଦ୍ର ଅତଳ ଗର୍ଭରୁ ରତ୍ନ ମିଳିବା ହୁଏତ ସମ୍ଭବ ହୋଇପାରେ; କିନ୍ତୁ ଭଲ ରାଜନେତାଟିଏ ଏ ଯୁଗରେ ମିଳିବା କଷ୍ଟ। ମୁଁ ତତ୍‌କ୍ଷଣାତ୍‌ ତାଙ୍କ କଥାର ପ୍ରତିବାଦ କରି କହିଲି, ସେମାନଙ୍କ ସଂଖ୍ୟା ହୁଏତ ସ୍ବଳ୍ପ ହୋଇପାରେ; ବର୍ତ୍ତମାନ ସମୟରେ ମଧ୍ୟ ଆମମାନଙ୍କ ଚାରିପାଖରେ ଏପରି ବହୁ ନେତା ଅଛନ୍ତି ବା ଥିଲେ ଯେଉଁମାନଙ୍କ ବ୍ୟକ୍ତିତ୍ୱ ଆମକୁ ବିମୋହିତ କରିଥାଏ। ଏମାନେ ଆତ୍ମପ୍ରଚାର ଠାରୁ ଦୂରରେ ରହି ନୀରବରେ ସାଧନାରତ। ଏ କଥା କହି ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ସଦାଶିବ ତ୍ରିପାଠୀଙ୍କ ଉଦାହରଣ ଦେବି।
ନବବାବୁ ଦୀର୍ଘ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ସେଦିନ କୌଣସି କାରଣରୁ ସେ ବିଧାନସଭାରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେଲେ। ସେତେବେଳେ ବିଧାନସଭାର ସଦସ୍ୟଙ୍କ ସଂଖ୍ୟା ଥିଲା ୧୪୦। ଆସ୍ଥା ଭୋଟ୍‌ରେ ନବବାବୁ ବିଜୟୀ ହେଲେ, କିନ୍ତୁ ମାତ୍ର ଜଣେ ବା ଦୁଇଜଣ ଲୋକ ଆସ୍ଥାଭୋଟ୍‌ ବିରୋଧରେ ଭୋଟ୍‌ ଦେଲେ। ନବବାବୁଙ୍କର ସିଦ୍ଧାନ୍ତ ଥିଲା ଯଦି ମୁଖ୍ୟମନ୍ତ୍ରୀ ହୋଇ ସେ ଜଣେ ବା ଦୁଇଜଣ ସଦସ୍ୟଙ୍କର ଆସ୍ଥାଭାଜନ ହୋଇପାରୁ ନାହନ୍ତି; ସେ କ୍ଷେତ୍ରରେ ସେ ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବା ଉଚିତ ନୁହେଁ। ନିଜ ସିଦ୍ଧାନ୍ତରେ ଅଟଳ ରହି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେଇଦିନ ନିଜର ବେଡ଼ିଂ ଧରି, ସରକାରୀ ବାସଗୃହ ଛାଡ଼ି ତାଙ୍କ ସାଧନାପୀଠ ଅନୁଗୋଳ ସ୍ଥିତ ବାଜିରାଉତ ଛାତ୍ରାବାସକୁ ଚାଲିଗଲେ। ଏହାପରେ ସେ କେବେ ଆଉ କ୍ଷମତାକୁ ଫେରିନାହାନ୍ତି କିମ୍ବା ନିର୍ବାଚନରେ ଲଢ଼ି ନାହାନ୍ତି। ଆଜିକାଲି ତ ବାଧ୍ୟବାଧକତାରେ ନ ପଡ଼ିଲେ କୌଣସି ମନ୍ତ୍ରୀ ଇସ୍ତଫା ଦେବାର ଜାଣିନାହୁଁ। ନବବାବୁଙ୍କ ବିଷୟରେ ଆଉ ଗୋଟେ କଥା ମନେପଡ଼ୁଛି। ମୁଁ ତାଙ୍କୁ କେବେ ଦେଖି ନ ଥିଲି। ୮୦ ଦଶକର କଥା। ନବବାବୁ ଏକ ହାୱାନୀ ଓ ଧୋତି ପିନ୍ଧି ବେଡିଂ କାନ୍ଧେଇ ରାସ୍ତାରେ ଯାଉଥାନ୍ତି। ପାଦରେ ହଳେ ହାୱାଇ ଚପଲ ଥାଏ। ଚପଲ ଦୁଇଟି ଘୋରି ହୋଇ ମୁଣ୍ଡା ପାଲଟିଯାଇଥାଏ। ଧୂଳିଧୂସରିତ ଦେହ! ମତେ ଜଣେ ପଛରୁ ଚିହ୍ନାଇ ଦେଲା, ସେ ହେଉଛନ୍ତି ନବକୃଷ୍ଣ ଚୌଧୁରୀ। ମୋର ମୁଣ୍ଡଟି ଆପେ ଆପେ ନଇଁଗଲା। ନବକୃଷ୍ଣ ଚୌଧୁରୀଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଯଥା ଭାଇ ଗୋପବନ୍ଧୁ ଚୌଧୁରୀ, ଭାଉଜ ରମାଦେବୀ, ସ୍ତ୍ରୀ ମାଳତୀ ଦେବୀ ଏବଂ ଝିଆରୀ ଅନ୍ନପୂର୍ଣ୍ଣା ମହାରଣାଙ୍କର ସ୍ବାଧୀନତା ସଂଗ୍ରାମ ପାଇଁ ତ୍ୟାଗ ଓ ତିତୀକ୍ଷାର ଅନ୍ତ ନାହିଁ! ଓଡ଼ିଶାରେ ବୋଧହୁଏ ଗୋଟିଏ ପରିବାରର ଏତେଗୁଡ଼ିଏ ଲୋକ ସ୍ବାଧୀନତା ସଂଗ୍ରାମରେ ନିଃସ୍ବାର୍ଥପର ଭାବେ ଯୋଗଦାନ କରିଥିଲେ! ରମାଦେବୀ ଗାନ୍ଧିଜୀଙ୍କ ଆହ୍ବାନରେ କାଠଯୋଡ଼ି ନଦୀକୂଳରେ ହେଉଥିବା ସଭାରେ ମହାତ୍ମା ଗାନ୍ଧୀଙ୍କ ଉପସ୍ଥିତିରେ ନିିଜର ସମସ୍ତ ସୁନାଗହଣା ଦାନ କରିଥିଲେ।
ସଦାଶିବ ତ୍ରିପାଠୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଅଞ୍ଚଳର କିଛି ଲୋକ ନିର୍ବାଚନ ମଣ୍ଡଳୀର ଅସୁବିଧା ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କଲେ। ସେ ଏହାର ଉତ୍ତରରେ କହିଥିଲେ, ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ନବରଙ୍ଗପୁରର ମୁଖ୍ୟମନ୍ତ୍ରୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବରଙ୍ଗପୁର ସମେତ ସମଗ୍ର ଓଡ଼ିଶାର ବିକାଶ ପ୍ରତି ଧ୍ୟାନ ଦେବା ହେଉଛି ତାଙ୍କର କର୍ତ୍ତବ୍ୟ ବୋଲି କହିଥିଲେ। ଏହି ପଦେ କଥାରେ ତାଙ୍କ ଭୋଟ୍‌ ଚାଲିଗଲା। ସେ ଏହା ପରେ ଆଉ କେବେ ବିଧାନସଭାକୁ ନିର୍ବାଚିତ ହୋଇ ଆସିନାହାନ୍ତି। ଆଜିକାଲି ନେତାଙ୍କର ପ୍ରଥମ ଲକ୍ଷ୍ୟ ହେଉଛି ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଏବଂ ପରେ ରାଜ୍ୟ ବା ଦେଶ କଥା।
କହିବାର କଥା ହେଲା, କିଏ ଛାତିରେ ହାତବାଡ଼େଇ କହିଲେ ସେ ସାଧୁ ବା ନୀତିନିଷ୍ଠ ହୋଇଯିବ ନାହିଁ। ଅସଲକଥା ହେଉଛି ତା’ର କାର୍ଯ୍ୟ ଏବଂ ବିଚାରଧାରା ଦ୍ୱାରା ଲୋକେ ପ୍ରଭାବିତ ହେବା ଦରକାର। ବର୍ତ୍ତମାନ ଏପରି ଲୋକଙ୍କୁ ଖୋଜି ବାହାର କରି ଏକ ସୁନ୍ଦର ସମାଜ ଗଠନରେ ଆସନ୍ତୁ ବ୍ରତୀ ହେବା!
ସେବାନିବୃତ୍ତ ଅତିରିକ୍ତ ଶାସନ ସଚିବ
ଓଡ଼ିଶା ସରକାର
ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri