ପୁରାତନ ଛାତ୍ରସଂଘ ବୈଠକରେ ନିଷ୍ପତ୍ତି:ସରକାରୀ କଲେଜ ଜମିରେ ପାଚେରୀ ନିର୍ମାଣ ସ୍ଥଗିତ ରଖାଯାଉ

ସୁନ୍ଦରଗଡ଼, ୮।୧୨ (ଡି.ଏନ୍‌.ଏ)-ସୁନ୍ଦରଗଡ ସରକାରୀ କଲେଜର ମୂଲ୍ୟବାନ ଜମିକୁ ଜବରଦଖଲକାରୀଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପୁରାତନ ଛାତ୍ର ସଂଘ ପକ୍ଷରୁ କଲେଜରେ ଥିବା ୧୫୪. ୦୨୬ ଏକର ପରିମିତ ଜମିକୁ ଚିହ୍ନଟ କରାଯାଇ ପାଚେରୀ ନିର୍ମାଣ ପାଇଁ ଦାବି ହେବା ପରେ ପ୍ରଶାସନ ପକ୍ଷରୁ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ୪କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଥମ ପର୍ଯ୍ୟାୟ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପାଚେରୀ ନିର୍ମାଣ କାର୍ଯ୍ୟ ଭୁବନେଶ୍ୱରର ଏକ ଠିକାସଂସ୍ଥା କରୁଥିବା ବେଳେ କଲେଜ ପରିସରରେ ବନବିଭାଗ ପକ୍ଷରୁ ଲଗାଯାଇଥିବା ପ୍ଲାଣ୍ଟେସନ୍‌ ମଧ୍ୟରୁ ବେନିୟମ ଭାବେ ଅନୁମତି ନ ଥାଇ ଗଛ କାଟି ନଷ୍ଟ କରିବା ପରେ ଠିକାସଂସ୍ଥାର ଜଣେ କର୍ମଚାରୀଙ୍କୁ ବନବିଭାଗ ଗିରଫ କରି କୋର୍ଟଚାଲାଣ କରିଥିଲା। ଏବେ ପାଚେରୀ ନିର୍ମାଣ ବେଳେ ନିର୍ଦ୍ଧାରିତ କଲେଜ ଜମି ସୀମାକୁ ଛାଡି ପାଚେରୀ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପୁରାତନ ଛାତ୍ର ସଂଘର ସଭ୍ୟ ତଥା ସାମାଜିକ କର୍ମୀ ସୁରୁ ମିଶ୍ର ଏସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କିଶୋର କୁମାର ଦାଶଙ୍କୁ ଲିଖିତ ଭାବେ ଅଭିଯୋଗ କରି ମହାବିଦ୍ୟାଳୟର ନିର୍ଦ୍ଧାରିତ ଜମିକୁ ଚିହ୍ନଟ କରାଯାଇ ପାଚେରୀ ନିର୍ମାଣ କରାଯିବାକୁ ଦାବି କରିଛନ୍ତି। ଏନେଇ ସେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ସଦର ଉପଜିଲାପାଳ ଓ ସଦର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ତାଙ୍କ ଏତଲା ପତ୍ରରେ ଦର୍ଶାଇଛନ୍ତି, ଯେ ମହାବିଦ୍ୟାଳୟର ଛାତ୍ରାବାସ ନିକଟରେ ଅନୁମତି ନ ଥାଇ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କିଭଳି ପ୍ରସ୍ତାବ ରହିଛି ସେହିପରି କଲେଜ ଜମିରେ ନିର୍ମିତ ବାଇପାସ ରାସ୍ତା କୋଇଲା ଟ୍ରକ ଚଳାଚଳ ପାଇଁ ବ୍ୟବହୃତ ହେଉଛି। ପୁଣି ବର୍ତ୍ତମାନ ବାଇପାସ ରାସ୍ତାର ସମ୍ପ୍ରସାରଣ କରାଯାଉଥିବା ଯୋଗୁ କଲେଜ ଜମି ସଙ୍କୁଚିତ ହୋଇପଡୁଛି। ରାସ୍ତା ନିର୍ମାଣ, ସମ୍ପ୍ରସାରଣ ପାଇଁ ଅନୁମତି ଓ ଜମି ଅଧିଗ୍ରହଣ କରାଯାଇଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ କରାଯିବା ସହ ଯଦି ଅଧିଗ୍ରହଣ କରାଯାଇଛି ସେହି ପରିମାଣ ଜମିର ମୂଲ୍ୟ କିମ୍ବା ଜମି ସରକାରୀ କଲେଜକୁ ପ୍ରଦାନ ପାଇଁ ଦାବି କରିଛନ୍ତି। ଜିଲାର ଏହି ପୁରାତନ ଶିକ୍ଷାନୁଷ୍ଠାନ ଉଚ୍ଚଶିକ୍ଷା ପାଇଁ ସୁନାମ ରହିଛି। ଆଗାମୀ ଦିନରେ ଏହାକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଦାବି ହୋଇଆସୁଛି। ଭବିଷ୍ୟତରେ ଏଥିପାଇଁ ଆବଶ୍ୟକୀୟ ଜମିକୁ ସୁରକ୍ଷିତ ରଖିବା ଜରୁରୀ ହୋଇପଡିଛି। ହେଲେ ବର୍ତ୍ତମାନ ପାଚେରୀ ନିର୍ମାଣ ବେଳେ ମହାବିଦ୍ୟାଳୟର ଜମି ଉପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଶୁକ୍ରବାର ପୁରାତନ ଛାତ୍ରସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜ ଜମିର ସୁରକ୍ଷା ଓ ପାଚେରୀ ନିର୍ମାଣ ପାଇଁ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପୁନଃ ଜମି ଚିହ୍ନଟ ସକାଶେ ତହସିଲଦାରଙ୍କୁ ଅନୁରୋଧ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହେବା ସହ ପୁନଃ ଜମିଚିହ୍ନଟ ହେବା ପର୍ଯ୍ୟନ୍ତ ପାଚେରୀ ନିର୍ମାଣ କାର୍ଯ୍ୟ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଅପରପକ୍ଷେ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରେ ରାଜସ୍ବ ବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ଜମି ଉପରେ ପାଚେରୀ ନିର୍ମାଣ କରାଯାଉଛି। ଏଭଳି ଅଭିଯୋଗ ଆସିବା ପରେ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ପୁନଶ୍ଚ ଚିହ୍ନଟ ପରେ ପାଚେରୀ ନିର୍ମାଣ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?