ବ୍ରହ୍ମାଣ୍ଡର ମୃତ୍ୟୁ

ଧ୍ୱଂସ ହେଉଛି ସୃଷ୍ଟିର ସହଯାତ୍ରୀ। ଯାହାର ସୃଷ୍ଟି ଅଛି, ତା’ର ଧ୍ୱଂସ ମଧ୍ୟ ରହିଛି। ଏହି ସୃଷ୍ଟିରେ କୌଣସି କିଛି ଅମର ନୁହେଁ। କେବଳ ମଣିଷ ବା ଅନ୍ୟାନ୍ୟ ପ୍ରାଣୀ ନୁହନ୍ତି, ଗ୍ରହ, ନକ୍ଷତ୍ର, ନୀହାରିକା ସମେତ ସମସ୍ତ ମହାଜାଗତିକ ବସ୍ତୁ ମଧ୍ୟ ଦିନେ ନା ଦିନେ ଧ୍ୱଂସ ପାଇଯିବେ। ପଡ଼ି ରହିଥିବ କେବଳ ମାତ୍ର ଆମ୍ଭମାନଙ୍କ ମହାବିଶ୍ୱ। କିନ୍ତୁ ଏହା କ’ଣ ସତ୍ୟ? ସମସ୍ତ ସୃଷ୍ଟିର ବି ଧ୍ୱଂସ ଥାଇପାରେ। ତାହା ହେଲେ ଆମ୍ଭମାନଙ୍କ ମହାବିଶ୍ୱ ବା ୟୁନିଭର୍ସ ଯାହା ସମସ୍ତ ସୃଷ୍ଟିର ଉତ୍ସ, ସେ ନିଜେ ବି କ’ଣ ଧ୍ୱଂସ ହୋଇପାରେନା? ବ୍ରହ୍ମାଣ୍ଡର ସୃଷ୍ଟି ଓ ଧ୍ୱଂସ ସମ୍ବନ୍ଧରେ ଯେଉଁମାନେ ଗବେଷଣା କରନ୍ତି, ସେମାନଙ୍କୁ କୁହାଯାଏ ବ୍ରହ୍ମାଣ୍ଡବିଜ୍ଞାନୀ ବା ବିଶ୍ୱତତ୍ତ୍ୱବିଦ୍‌, ଇଂଲିଶରେ ‘କସ୍‌ମୋଲୋଜିଷ୍ଟ’। ସେମାନଙ୍କ ମତରେ ସର୍ବସୃଷ୍ଟିର ପ୍ରଧାନ ସୃଷ୍ଟି ଆମର ଏହି ମହାବିଶ୍ୱ କିନ୍ତୁ ଅମର ନୁହେଁ। ବରଂ ବାକି ସମସ୍ତ ମହାଜାଗତିକ ବସ୍ତୁ ଭଳି ତାହାର ମଧ୍ୟ ଧ୍ୱଂସ ଅଛି। ମାତ୍ର ପ୍ରଶ୍ନ ଉଠେ, କେଉଁ ପ୍ରକାରରେ ଅବା ଧ୍ୱଂସ ହେବ ଆମର ଏହି ବିଶ୍ୱବ୍ରହ୍ମାଣ୍ଡ? ପୁଣି ଏହି ଧ୍ୱଂସ ଘଟିବା ପାଇଁ କେତେ ସମୟ ଅବା ବାକି ଅଛି?
ଉପରୋକ୍ତ ବିଷୟକୁ ନେଇ ବିଭିନ୍ନ ବିଜ୍ଞାନୀଙ୍କର ବିଭିନ୍ନ ଧରଣର ଧାରଣା ବା ‘ହାଇଫୋଥେସିସ୍‌’ ଅଛି। ତେବେ ସେମାନେ ପ୍ରତ୍ୟେକେ ମତ ଦିଅନ୍ତି ଯେ, ବ୍ରହ୍ମାଣ୍ଡର ମୃତ୍ୟୁ ନିର୍ଭର କରୁଛି ବ୍ରହ୍ମାଣ୍ଡରେ ଉପସ୍ଥିତ ‘ଡାର୍କ ମ୍ୟାଟର’ ବା ଅଦୃଶ୍ୟ ବସ୍ତୁ ଓ ‘ଡାର୍କ ଏନର୍ଜି’ ବା ଅଦୃଶ୍ୟ ଶକ୍ତି ଉପରେ। ହେଲେ ଏହି ‘ଡାର୍କ ମ୍ୟାଟର’ ଓ ‘ଡାର୍କ ଏନର୍ଜି’ ବୋଇଲେ କଅଣ? ମାଧ୍ୟାକର୍ଷଣ ବଳ ଓ ସେହି ବଳର ପ୍ରଭାବରେ ବସ୍ତୁ ମଧ୍ୟରେ କେଉଁ କେଉଁ ଗତି ସୃଷ୍ଟି ହୋଇପାରେ ଏହି ବିଷୟରେ ବୈଜ୍ଞାନିକମାନଙ୍କର ଯଥେଷ୍ଟ ସୁସ୍ପଷ୍ଟ ଧାରଣା ଅଛି। ସୂର୍ଯ୍ୟ ଚତୁର୍ଦ୍ଦିଗରେ ଗ୍ରହଗୁଡ଼ିକ କେଉଁ ପ୍ରକାରରେ ପ୍ରଦକ୍ଷିଣ କରିଥାନ୍ତି, କେଉଁ ଗ୍ରହର କେତେ ଓଜନ, କେଉଁ ଗ୍ରହର କକ୍ଷପଥ କେମିତି- ଏହି ସବୁକିଛି ନାନା ମହାକର୍ଷଣୀୟ ସୂତ୍ର ଦ୍ୱାରା ଖୁବ୍‌ ଠିକ୍‌ ଭାବରେ ନିର୍ଣ୍ଣୟ କରିବା ସମ୍ଭବ। ଏପରିକି ଏହି ପଦ୍ଧତିରେ ଏହା ବି ଭବିଷ୍ୟବାଣୀ କରିବା ସମ୍ଭବ ଯେ, ଭବିଷ୍ୟତରେ କେଉଁ ଗ୍ରହ କେଉଁଠି ଅବସ୍ଥାନ କରିଥିବ। ଏହି ମହାକର୍ଷଣ ଶକ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଏକାଭଳିଆ କାର୍ଯ୍ୟ କରିଥାଏ। କିନ୍ତୁ ବିଜ୍ଞାନୀମାନେ ଯେତେବେଳେ ଗାଲାକ୍ସି ବା ନୀହାରିକାର ଘୂର୍ଣ୍ଣନ ବେଗକୁ ହିସାବ କଲେ, ସେତେବେଳେ ସମସ୍ତ ବିଷୟଟି ବଦଳିଗଲା। ବୈଜ୍ଞାନିକମାନେ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ନୀହାରିକା ମଧ୍ୟରେ ଯେଉଁ ପରିମାଣର ପଦାର୍ଥ ରହିଛି ତାହା ଦେଖି ଜାଣିପାରିଲେ ଯେ ସେହି ପରିମାଣର ପଦାର୍ଥ ନେଇ ନୀହାରିକା ଏତେ ଦ୍ରୁତ ଘୂର୍ଣ୍ଣନ କରିବା ସମ୍ଭବ ନୁହେଁ। ଏତେ ଦ୍ରୁତ ବେଗରେ କୌଣସି ନୀହାରିକା ନିଜ ଚତୁଃପାର୍ଶ୍ୱରେ ଘୂରିଲେ ସେହି ନୀହାରିକାର ପରିଧି ଆଡ଼କୁ ଥିବା ନକ୍ଷତ୍ରଗୁଡ଼ିକ ନୀହାରିକାଠାରୁ ଛିଟିକି ବାହାରିଯିବା କଥା। ମାତ୍ର ସେପରି କିଛି ଘଟି ନ ଥାଏ, ବରଂ ନୀହାରିକାର କେନ୍ଦ୍ର ଆଡ଼କୁ ରହିଥିବା ନକ୍ଷତ୍ରଗୁଡ଼ିକର ବେଗ ଓ କେନ୍ଦ୍ରଠାରୁ ବହୁ ଆଲୋକବର୍ଷ ଦୂରରେ ଅବସ୍ଥିତ ନକ୍ଷତ୍ରଗୁଡ଼ିକର ବେଗ ପ୍ରାୟତଃ ସମାନ। କିନ୍ତୁ ସାଧାରଣ ମହାକର୍ଷୀୟ ତତ୍ତ୍ୱ ଅନୁସାରେ ଏପରି କେବେ ବି ଘଟି ପାରେନା। ସୁତରାଂ, ଆମ୍ଭେମାନେ ଏତେ ଦିନରୁ ଜାଣି ଆସୁଥିବା ମହାକର୍ଷୀୟ ତତ୍ତ୍ୱ ହୁଏତ ସମ୍ପୂର୍ଣ୍ଣ ଭୁଲ୍‌, ଅଥବା ନୀହାରିକା ମଧ୍ୟସ୍ଥ ସାଧାରଣ ଦୃଶ୍ୟମାନ ନକ୍ଷତ୍ରଗୁଡ଼ିକର ବାହାରେ ବି ଏପରି କିଛି ବସ୍ତୁ ରହିଛି ଯାହାକୁ ଆମେ ଦେଖିପାରୁନା। ଏହି ଅଦୃଶ୍ୟ ଓଜନର ମାନ ମଧ୍ୟ କିଛି କମ୍‌ ନୁହେଁ, ଦୃଶ୍ୟମାନ ଓଜନଠାରୁ ପ୍ରାୟ ଛଅଗୁଣ ବେଶି। ଫଳରେ ଏହାକୁ ଆମ୍ଭମାନଙ୍କ ଯନ୍ତ୍ରାଂଶର ତ୍ରୁଟି ବୋଲି ଏଡ଼େଇ ଗଲେ ବି ଚଳିବନି। ବିଜ୍ଞାନୀମାନେ ଏହି ଅଦୃଶ୍ୟ ବସ୍ତୁର ନାମକରଣ କରିଛନ୍ତି ‘ଡାର୍କ ମ୍ୟାଟର’। ଏହି ‘ଡାର୍କ ମ୍ୟାଟର’ ହିଁ ସମସ୍ତ ନୀହାରକାକୁ ଧରି ରଖିଛି ଏବଂ ମହାବିଶ୍ୱର ମୋଟ ମାଧ୍ୟାକର୍ଷଣର ୮୫ ପ୍ରତିଶତ ହେଉଛି ଏହି ‘ଡାର୍କ ମ୍ୟାଟର’। ପୁନଶ୍ଚ ଡାର୍କ ଏନର୍ଜି ହେଲା ଡାର୍କ ମ୍ୟାଟରର ସମ୍ପୂର୍ଣ୍ଣ ବିପରୀତ। ଯେଉଁଠି ‘ଡାର୍କ ମ୍ୟାଟର’ ମାଧ୍ୟକର୍ଷଣ ବଳ ଦ୍ୱାରା ନୀହାରିକାକୁ ଧରି ରଖିଛି, ସେଠି ଡାର୍କ ଏନର୍ଜି ଆଣ୍ଟିଗ୍ରାଭିଟି ଶକ୍ତି ବା ପ୍ରତି ମଧ୍ୟାକର୍ଷଣ ପରି ଗାଲାକ୍ସି ବା ନୀହାରିକାଗୁଡ଼ିକୁ ଗୋଟିଏଠାରୁ ଅନ୍ୟଟିଠାରୁ ଦୂରେଇ ଦେଉଛି। ୧୯୨୯ ମସିହାରେ ଏଡ୍‌ଉଇନ୍‌ ହୁବ୍‌ଲ ହିଁ ପ୍ରଥମେ ଲକ୍ଷ୍ୟ କରିଥିଲେ ଯେ ଦୂରବର୍ତ୍ତୀ ନୀହାରିକାଗୁଡ଼ିକ ପ୍ରତ୍ୟେକେ ଅପରଠାରୁ ଦୂରେଇ ଯାଉଛି ଏବଂ ଏହି ଦୂରେଇ ଯିବାର ଗତି ଦୂରତ୍ୱ ବୃଦ୍ଧିର ସାଥେ ସାଥେ ବୃଦ୍ଧି ପାଉଛି। ଅର୍ଥାତ୍‌ ଆମ୍ଭମାନଙ୍କ ମହାବିଶ୍ୱରେ ଯେପରି ମାଧ୍ୟାକର୍ଷଣ ବଳ ଅଛି, ସେହିପରି ଅଛି ଏକ ପ୍ରତି ମାଧ୍ୟାକର୍ଷଣ ବଳ ମଧ୍ୟ ଏବଂ ଏହି ଦୁଇ ବଳର ପରିମାଣ ଅର୍ଥାତ୍‌ ଏହି ଦୁଇଟି ମଧ୍ୟରେ ସଂଘଟିତ ସଂଘର୍ଷରେ କିଏ ବିଜୟ ଲାଭ କରିବ, ତାହା ଉପରେ ହିଁ ନିର୍ଭର କରିବ କିପରି ଭାବରେ ଧ୍ୱଂସ ହୋଇପାରେ ଆମର ଏହି ବିଶ୍ୱ ବ୍ରହ୍ମାଣ୍ଡ।
ଯଦି ମାଧ୍ୟାକର୍ଷଣ ଓ ପ୍ରତି-ମାଧ୍ୟାକର୍ଷଣ ବଳ ମଧ୍ୟରେ ଲଢ଼େଇରେ ପ୍ରତି ମାଧ୍ୟାକର୍ଷଣ ବଳ ଜିତିଯାଏ, ତାହାହେଲେ ଆମ ବିଶ୍ୱବ୍ରହ୍ମାଣ୍ଡ ଅନନ୍ତ କାଳ ଧରି ପ୍ରସାରିତ ହୋଇଚାଲିବ। ସର୍ବପ୍ରଥମେ ନୀହାରିକାଗୁଡ଼ିକ ପରସ୍ପରଠାରୁ ଦୂରକୁ ଚାଲିଯିବେ। ଏହାପରେ ନୀହାରିକାରେ ଥିବା ନକ୍ଷତ୍ରଗୁଡ଼ିକ ମଧ୍ୟ ପରସ୍ପରଠାରୁ ଦୂରେଇଯିବେ। ଡାର୍କ ମ୍ୟାଟର ସେଗୁଡ଼ିକୁ ଆଉ ଧରିରଖି ପାରିବନି। ପ୍ରତି ମାଧ୍ୟାକର୍ଷଣ ବଳ ଧୀରେ ଧୀରେ ଏତେ ଶକ୍ତିଶାଳୀ ହୋଇଯିବ ଯେ ତାହା ଗ୍ରହଗୁଡ଼ିକୁ ମଧ୍ୟ ସେମାନଙ୍କ ନକ୍ଷତ୍ରର ମାଧ୍ୟାକର୍ଷଣଠାରୁ ବିଚ୍ଛିନ୍ନ କରି ବାହାର କରି ଆଣିବ। କିନ୍ତୁ ସେତିକିରେ ବି ଏହି ପ୍ରତି ମାଧ୍ୟାକର୍ଷଣ ଶାନ୍ତ ପଡ଼ିବନି ଏବଂ ଗୋଟିଏ ସମୟରେ ଏହି ବଳ ଏତେଟା ଶକ୍ତିଶାଳୀ ହୋଇ ଉଠିବ ଯେ ତାହା ଗ୍ରହ, ଉପଗ୍ରହ ଓ ନକ୍ଷତ୍ରଗୁଡ଼ିକର ଆନ୍ତଃପାରମାଣବିକ ବନ୍ଧନଠାରୁ ବି ହୋଇଯିବ ଅଧିକ ଶକ୍ତିଶାଳୀ। ଫଳରେ ମହାବିଶ୍ୱରେ ସମସ୍ତ କିଛି କେବଳ ମାତ୍ର ପରମାଣୁ ରୂପେ ହିଁ ଅବସ୍ଥାନ କରିପାରିବ। ମହାବିଶ୍ୱରେ କୌଣସି ମୌଳିକ ବା ପଦାର୍ଥର ଅସ୍ତିତ୍ୱ ରହିବନି। ଗୋଟିଏ ଗୋଟିଏ ପରମାଣୁର ମଧ୍ୟବର୍ତ୍ତୀ ଦୂରତ୍ୱ ଏତେ ବେଶି ହୋଇଯିବ ଯେ ତାହା ଆଉ କେବେ ବି ପରସ୍ପରର ନିକଟକୁ ଆସି ପାରିବନି। ହୁଏତ ଏକ ସମୟରେ ଏହି ପରମାଣୁଗୁଡ଼ିକ ଆହୁରି କ୍ଷୁଦ୍ରକଣିକା, ଯେପରିକି ଇଲେକ୍‌ଟ୍ରନ୍‌, ପ୍ରୋଟନ୍‌ ଓ ନିଉଟ୍ରନ୍‌ରେ ପରିଣତ ହେବ ଏବଂ କ୍ଷୁଦ୍ର ହୋଇ ହୋଇ ଶକ୍ତିରେ ପରିଣତ ହୋଇଯିବ। ଫଳରେ ବ୍ରହ୍ମାଣ୍ଡରେ ଆଉ କୌଣସି କିଛିର ଅସ୍ତିତ୍ୱ ରହିବନି। ସେତେବେଳେ ‘ବ୍ରହ୍ମାଣ୍ଡର ମୃତ୍ୟୁ’ ହୋଇଛି ବୋଲି କୁହାଯିବ। ମାତ୍ର ଯଦି ତାହା ନ ହୋଇ ମାଧ୍ୟାକର୍ଷଣ ଓ ପ୍ରତି ମାଧ୍ୟାକର୍ଷଣ ବଳ ମଧ୍ୟରେ ମାଧ୍ୟାକର୍ଷଣ ବଳ ବିଜୟ ଲାଭ କରେ, ତେବେ ପରିଣାମ ହେବ ସମ୍ପୂର୍ଣ୍ଣ ବିପରୀତ।
ସମୟର ସାଥେ ସାଥେ ନୀହାରିକାଗୁଡିକ ପରସ୍ପରର ନିକଟକୁ ଚାଲି ଆସିବେ। ନୀହାରିକାଗୁଡିକ ଯେତେ ନିକଟବର୍ତ୍ତୀ ହୋଇ ଚାଲିବେ, ସେମାନଙ୍କ ମଧ୍ୟରେ ମାଧ୍ୟାକର୍ଷଣ ବଳ ସେତେ ବୃ୍‌ଦ୍ଧି ପାଇ ଚାଲିବ। ଫଳରେ ଏପରି ସମୟ ଆସିବ ଯେତେବେଳେ ସମସ୍ତ ନୀହାରିକା ପରସ୍ପର ସହ ସଂଯୁକ୍ତ ହୋଇଯିବେ। ନୀହାରିକାଗୁଡିକ ପରସ୍ପର ସହ ସଂଯୁକ୍ତ ହୋଇ ତିଆରି କରି ପକେଇବ ବୃହତ୍‌ ଆକାରର ନୀହାରିକା। ଏକ ନକ୍ଷତ୍ର ସହ ଅନ୍ୟାନ୍ୟ ନକ୍ଷତ୍ରଗୁଡିକର ସଂଘର୍ଷ ସଂଘଟିତ ହେବ। ବ୍ରହ୍ମାଣ୍ଡର ସବୁକିଛି ଗୋଟିଏ କେନ୍ଦ୍ରରେ ଜମାହୋଇ ରହିବ। ଫଳରେ କ୍ଷୁଦ୍ର ହୋଇଯିବ ବ୍ରହ୍ମାଣ୍ଡର ଆକାର। ପୁନଶ୍ଚ ବ୍ରହ୍ମାଣ୍ଡର ତାପମାତ୍ରା ଅତି ଦ୍ରୁତ ବୃଦ୍ଧି ପାଇଯିବ ଏବଂ ସର୍ବଶେଷରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଗୋଟିଏ କ୍ଷୁଦ୍ର ବିନ୍ଦୁରେ ପରିଣତ ହୋଇଯିବ। ଏହି ଅବସ୍ଥାରେ ବ୍ରହ୍ମାଣ୍ଡର କୌଣସି ଦୈର୍ଘ୍ୟ, ପ୍ରସ୍ତ ବା ଉଚ୍ଚତା ରହିବନି। ବ୍ରହ୍ମାଣ୍ଡର ଅବସ୍ଥା ହେବ ବିଗ୍‌ ଗ୍ୟାଙ୍ଗର ଠିକ୍‌ ପୂର୍ବ ଅବସ୍ଥା ଭଳି। ବୈଜ୍ଞାନିକମାନଙ୍କର ଧାରଣା ଯେ, ଆମର ଏହି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟିର ଅନେକ ପୂର୍ବରୁ ଏହି ପ୍ରକାର ଅନେକ ଥର ସୃଷ୍ଟି ଓ ଧ୍ୱଂସ ହୋଇଥିଲା। ଏହାକୁ ବିଜ୍ଞାନୀମାନେ ନାଁ ଦେଇଛନ୍ତି ‘ବିଗ୍‌ ବାଉନ୍ସ’। ଯଦିଓ ଏହି ବିଗ୍‌ ବାଉନ୍ସ ସମ୍ବନ୍ଧୀୟ ଧାରଣାଟି ସମ୍ପୂର୍ଣ୍ଣ ତାତ୍ତ୍ୱିକ ତେଣୁ ବିଜ୍ଞାନୀମାନଙ୍କୁ ଏହାର କୌଣସି ପ୍ରମାଣ ମିଳିପାରିନି। ତେବେ ସେମାନେ ଏହି ବିଷୟରେ ନିଶ୍ଚିତ ଯେ, ଯଦି ବ୍ରହ୍ମାଣ୍ଡରେ ମାଧ୍ୟାକର୍ଷଣ ଶକ୍ତି ଓ ପ୍ରତି ମାଧ୍ୟାକର୍ଷଣ ଶକ୍ତି ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତି ବେଶି ଶକ୍ତିଶାଳୀ ହୁଏ। ତାହାହେଲେ ବ୍ରହ୍ମାଣ୍ଡ ଏହି ପଦ୍ଧତିରେ ହିଁ ଧ୍ୱଂସ ପାଇଯିବ। (କ୍ରମଶଃ..)

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?