ବିବେକର ମୃତ୍ୟୁ

ଫାଦର ଷ୍ଟାନ୍‌ ସ୍ୱାମୀଙ୍କର ୫ ଜୁଲାଇରେ ମୁମ୍ବାଇର ହୋଲି ଫାମିଲି ହସ୍ପିଟାଲରେ ପରଲୋକ ଘଟିଯାଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଜଣେ ବ୍ୟକ୍ତିଙ୍କ ସ୍ବାଭାବିକ ମୃତ୍ୟୁ ଘଟିଲା ଭଳି ଖବର ଲେଖା ନ ଯାଇ ଦେଶବ୍ୟାପୀ ଗଣମାଧ୍ୟମରେ ଯେଭଳି ବର୍ଣ୍ଣନା କରାଯାଇଛି, ସେଥିରୁ ଯେକେହି ଅନୁମାନ କରିବେ ଯେ ତାଙ୍କୁ ନ୍ୟାୟିକ ବ୍ୟବସ୍ଥା ମାରିଦେଲା। ଷ୍ଟାନ୍‌ କହିଆସିଥିଲେ ଯେ, ଜାମିନ ନ ମିଳିଲେ ତାଙ୍କର ମୃତ୍ୟୁ ଘଟିପାରେ। ବାସ୍ତବରେ ତାହା ହିଁ ହେଲା। ଜୁଲାଇ ୫ରେ ଶୁଣାଣି ବେଳକୁ ବିଚାରପତିମାନଙ୍କୁ ଖବର ଦିଆଯାଇଥିଲା ଯେ, ଷ୍ଟାନ୍‌ଙ୍କର କିଛି ଘଣ୍ଟା ପୂର୍ବରୁ ଦେହାନ୍ତ ଘଟିଯାଇଛି। ଏ ବିଷୟରେ ଜାଣି ସମ୍ପୃକ୍ତ ଖଣ୍ଡପୀଠ ଦୁଃଖପ୍ରକାଶ କରିଥିବା ଖବର ଶୁଣିବାକୁ ମିଳୁଛି।
ଷ୍ଟାନ୍‌ ଥିଲେ ଆଦିବାସୀ ଅଧିକାର କର୍ମୀ। ସେ ତାମିଲନାଡୁର ତ୍ରିଚିରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଝାଡ଼ଖଣ୍ଡରେ ଆଦିବାସୀ ଓ ଅବହେଳିତଙ୍କ ଅଧିକାର ନେଇ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରୁଥିଲେ। କିନ୍ତୁ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଏହି ବୃଦ୍ଧଙ୍କୁ ଭୀମା କୋରେଗାଁଓ-ଏଲ୍‌ଗାର ପରିଷଦ ମାମଲାରେ ଛନ୍ଦି ଦିଆଯାଇ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ରେ ୮ ଅକ୍ଟୋବର ୨୦୨୦ରେ ଗିରଫ କରାଯାଇଥିଲା। ଉଲ୍ଲେଖ କରାଯାଇପାରେ ଯେ, ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ଭୀମା କୋରେଗାଁଓରେ ଏଲଗାର ପରିଷଦ ଦ୍ୱାରା ୧ ଜାନୁୟାରୀ ୨୦୧୮ରେ ଦଳିତମାନଙ୍କର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ସେଠାରେ ହିଂସାକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିବା ସହ କେତେ ଜଣ ଆହତ ହୋଇଥିଲେ ଏବଂ ଯୋଗଦାନକାରୀଙ୍କ ଗାଡ଼ି ପୋଡ଼ି ଦିଆଯାଇଥିଲା। ତେବେ ଏଲଗାର ପରିଷଦ କାର୍ଯ୍ୟକ୍ରମରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ଷ୍ଟାନ୍‌ଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗିରଫ କରିଥିଲା। ଅଶ୍ଚର୍ଯ୍ୟର ବିଷୟ ଯେ, ଷ୍ଟାନ୍‌ ତାଙ୍କ ଜୀବନକାଳରେ କେବେ ବି ଭୀମା କୋରେଗାଁଓ ଯାଇ ନ ଥିଲେ। ତାଙ୍କୁ ଆତଙ୍କବାଦୀ ଦର୍ଶାଇବା ପାଇଁ ଏନ୍‌ଆଇଏ ବିଭିନ୍ନ ଦସ୍ତାବିଜ୍‌ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲା। କେହି ଜାଲିଆତି କରି ତାଙ୍କ କମ୍ପ୍ୟୁଟରରେ ଏଭଳି ଦଲିଲ ରଖିଥିବା ଷ୍ଟାନ୍‌ ଯେତେ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏପରି କି ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହ୍ୟାକିଂ ମାଧ୍ୟମରେ ବ୍ୟକ୍ତିଗତ କମ୍ପ୍ୟୁଟରରେ ଅନେକ କିଛି ଅସ୍ବାଭାବିକ ତଥ୍ୟ ରଖି ଦିଆଯାଇ ଯେକୌଣସି ନାଗରିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଭାରତୀୟ ପୋଲିସ ଏଭଳି କରିବାରେ ଅନେକ ଉଦାହରଣ ରହିଛି। ଆଜିର ଗଣତାନ୍ତ୍ରିକ ଭାରତରେ ଆଇନ ବ୍ୟବସ୍ଥାର ଏପରି କାର୍ଯ୍ୟାନୁଷ୍ଠାନ କାହାରିକୁ ଆଶ୍ଚର୍ଯ୍ୟ କରିବା କଥା ନୁହେଁ। ପୂର୍ବରୁ ଭାରତୀୟ ବିଚାରପତିମାନେ ସାଧାରଣତଃ ଧନୀ ଓ ଶକ୍ତିଶାଳୀ ଉଚ୍ଚବର୍ଗଙ୍କ ସପକ୍ଷରେ ରାୟ ଦେଉଥିବାର ଦୃଷ୍ଟାନ୍ତ ରହିଆସିଛି। ୨୦୧୪ ମସିହାରେ କେନ୍ଦ୍ରରେ ଭାଜପା ସରକାର ଆସିବା ପରଠାରୁ ଏହି ବ୍ୟବସ୍ଥା ଆହୁରି ଜଟିଳ ଓ ଏକତରଫା ହୋଇଉଠିଛି। ବିଶେଷକରି ରଞ୍ଜନ ଗୋଗୋଇ, ଏସ୍‌.ଏ. ବୋବ୍‌ଡେଙ୍କ ଭଳି ସର୍ବୋଚ୍ଚ ନ୍ୟାୟାଳୟର କେତେକ ବିଚାରପତିଙ୍କ କର୍ମ ଓ ଆଚରଣ ଯୋଗୁ ନିମ୍ନ ନ୍ୟାୟପାଳିକା ଅଧିକ ଉତ୍‌ଫୁଲ୍ଲିତ ହୋଇଛି। ଏହା ଫଳରେ ମୌଳିକ ନ୍ୟାୟ ପାଇବାରୁ ଦେଶବାସୀଙ୍କୁ ବଞ୍ଚିତ ହେବାକୁ ପଡ଼ିଛି। ଭୀମା କୋରେଗଁାଓ ଘଟଣାର ଇତିହାସ ଦେଖିଲେ ଷ୍ଟାନ୍‌ ସ୍ବାମୀଙ୍କ କଷ୍ଟ ଜାଣିହେବ। ୨୦୦ ବର୍ଷ ପୂର୍ବେ ଗୋରା ସୈନ୍ୟଙ୍କ ସହିତ ଦଳିତ ସେନା ସାମିଲ ହୋଇ ପେଶ୍‌ଓ୍ବା ଅର୍ଥାତ୍‌ ଉଚ୍ଚବର୍ଗର ସେନାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ। ସେହି ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ୧ ଜାନୁୟାରୀ ୨୦୧୮ ମସିହାରେ ପାଳିତ ହୋଇଥିଲା। ତାହାକୁ ବିରୋଧ କରି ଉଚ୍ଚବର୍ଗର କେତେକ ବ୍ୟକ୍ତି ସେଠାରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ପୁନର୍ବାର ଦୋହରାଯାଇପାରେ ଯେ, ୨୦୧୮ ମସିହାର ସେହି ଘଟଣାରେ ଷ୍ଟାନ୍‌ଙ୍କର କୌଣସି ସମ୍ପୃକ୍ତି ବା ଉପସ୍ଥିତି ନ ଥିଲା।
ଭାରତୀୟ ପୋଲିସ ଓ ନ୍ୟାୟିକ ବ୍ୟବସ୍ଥାରେ ଷ୍ଟାନ୍‌ଙ୍କ ଭଳି ଜଣେ ଅଶୀତିପର ବୃଦ୍ଧଙ୍କୁ ଯେଭଳି ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଆବଶ୍ୟକ ଚିକିତ୍ସା ଯୋଗାଇବାରେ ଅସହଯୋଗ କରାଯାଇଥିବା ଖବର ଶୁଣିବାକୁ ମିଳୁଛି, ତାହା ନିଶ୍ଚିତ ଭାବେ ନିନ୍ଦନୀୟ। ପାର୍କିନସନ ସହ ଷ୍ଟାନ୍‌ଙ୍କର ବିବିଧ ରୋଗ ଥିବାରୁ ସେ ଜାମିନ ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେହି ସୁଯୋଗ ମିଳି ନ ଥିଲା। କୁହାଯାଉଛି ତାଙ୍କ ଓଠର ମାଂସପେଶୀ ଦୁର୍ବଳ ଥିବାରୁ ସେ ପାଣି ପିଇପାରୁ ନ ଥିଲେ। ସେଥିପାଇଁ ନ୍ୟାୟାଳୟକୁ ନିବେଦନ କରିଥିଲେ ଯେ ତାଙ୍କୁ ‘ଷ୍ଟ୍ର’ ବା ସିପର୍‌ ଯୋଗାଇ ଦିଆଯାଉ। ଏହି କ୍ଷୁଦ୍ର ଅନୁରୋଧକୁ ମଧ୍ୟ ନ୍ୟାୟାଳୟ ଅସ୍ବୀକାର କରିଥିଲା। ଷ୍ଟାନ୍‌ଙ୍କ ପ୍ରତି କରାଯାଇଥିବା ଅବିଚାର ଓ ଅବହେଳା ଯୋଗୁ ଘଟିଥିବା ତାଙ୍କ ମୃତ୍ୟୁ ଦେଶର ବିବେକକୁ ଦୋହଲାଇ ଦେବା କଥା। କିନ୍ତୁ ଭାରତବାସୀ ଆଜି ମୋଟା ଚମଡ଼ାର ହୋଇଗଲେଣି। ‘ନିଜେ ବଞ୍ଚିଲେ ବାପର ନାଁ’ ନୀତିକୁ ଆପଣାଇ ଅନ୍ୟ କାହାରି ଅସୁବିଧା କିମ୍ବା ଦୁଃଖକୁ ସ୍ବୀକାର କରିବାକୁ କେହି ପ୍ରସ୍ତୁତ ନୁହେଁ। ହଠାତ୍‌ କିଛି ଲୋକ ଦେଶପ୍ରେମରେ ବିହ୍ବଳିତ ହୋଇ ସେମାନଙ୍କ ଚିନ୍ତାଧାରା ସହିତ ଏକମତ ହେଉ ନ ଥିବା ଅନ୍ୟ ସମସ୍ତଙ୍କୁ ଦେଶଦ୍ରୋହ ଆଖ୍ୟା ଦେବା ପାଇଁ ଆଗଭର ହୋଇ ବାହାରି ପଡ଼ିଛନ୍ତି। ମନେହେଉଛି ଯେପରି ଅନେକ ହଜାର ବର୍ଷ ପୁରୁଣା ହିନ୍ଦୁ ଧର୍ମର ରକ୍ଷକ ଏବେ ମାତ୍ର ପୃଥିବୀ ଉପରେ ଚାଲିବାକୁ ଆରମ୍ଭ କରିଛନ୍ତି। ପିଲାଦିନରୁ ଶୁଣିଥିଲୁ ଯେ ସତ୍ୟ ଓ ନ୍ୟାୟ ବାଟରେ ବଞ୍ଚିଲେ ଧର୍ମ ଆମକୁ ରକ୍ଷା କରିବ। ଏବେ କେତେଜଣ କହୁଛନ୍ତି ଯେ ହିନ୍ଦୁଧର୍ମ ଏବଂ ଦେବୀଦେବଙ୍କୁ ସେମାନେ ରକ୍ଷା କରୁଛନ୍ତି। ଏଭଳି ଚିନ୍ତାଧାରା ହେତୁ ମୌଳିକ ମଣିଷତ୍ୱ ଲୋପ ପାଇଯାଉଛି। ଆଜି ଷ୍ଟାନ୍‌ ସ୍ବାମୀଙ୍କ ପ୍ରତି ଘୋର ଅନ୍ୟାୟ ଘଟାଗଲା। ଆସନ୍ତାକାଲି, ପରିସ୍ଥିତି ବଦଳିଲେ, ଆମ କାହାରି ଉପରେ ବି ଏହିଭଳି ଅମାନୁଷିକ ଅତ୍ୟାଚାର ଘଟାଯାଇପାରେ। ସେଥିପାଇଁ ବ୍ୟବସ୍ଥାକୁ ବାଚାଳ ହେବାକୁ ଦିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?