ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାରିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଅକ୍ଟୋବର ୨୫, ଅକ୍ଟୋବର ୩୧, ନଭେମ୍ବର ୬ ଓ ନଭେମ୍ବର ୧୬ ତାରିଖରେ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଅକ୍ଟୋବର ୮ରୁ ଆରମ୍ଭ ହେବ। ଏହି ନିର୍ବାଚନରେ ଚାରି କୋଟିରୁ ଅଧିକ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ତାରିଖ ଘୋଷଣା ସହିତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି।
ଆଚରଣ ବିଧି ଲାଗୁ ହେବା ସହିତ ମନ୍ତ୍ରୀମାନଙ୍କ ଦ୍ୱାରା ସରକାରୀ ଗାଡ଼ିର ବ୍ୟବହାର ଏବଂ ରାଲି ଆୟୋଜନ ଉପରେ କଟକଣା ଲଗାଯାଇଛି। ଏଥିସହିତ, ପଞ୍ଚାୟତ ନିର୍ବାଚନ ପାଇଁ ନିମ୍ନଲିଖିତ ତାରିଖଗୁଡ଼ିକରେ ଚାରିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ:
ପ୍ରଥମ ପର୍ଯ୍ୟାୟ: ଅକ୍ଟୋବର ୨୩
ଦ୍ୱିତୀୟ ପର୍ଯ୍ୟାୟ: ଅକ୍ଟୋବର ୨୯
ତୃତୀୟ ପର୍ଯ୍ୟାୟ: ନଭେମ୍ବର ୪
ଚତୁର୍ଥ ପର୍ଯ୍ୟାୟ: ନଭେମ୍ବର ୧୪
ସମସ୍ତ ପର୍ଯ୍ୟାୟରେ ସକାଳ ୭ଟାରୁ ସା୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।
ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ଏବଂ ଜିଲା ପରିଷଦ ସଦସ୍ୟ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଅକ୍ଟୋବର ୮ରୁ ଆରମ୍ଭ ହେବ ଏବଂ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୩ ରହିଛି। ଏହା ପରେ, ଅକ୍ଟୋବର ୧୫ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ସମଗ୍ର ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୨୮ ସୁଦ୍ଧା ଶେଷ ହେବ।
ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ମହିଳାମାନଙ୍କ ନିମନ୍ତେ ୫୦ ପ୍ରତିଶତ ଆସନ ସଂରକ୍ଷଣର ନିୟମ ଲାଗୁ ରହିଛି। ଫଳରେ, ମୋଟ ୧୪,୪୦୩ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୭,୨୦୧ଟିରେ ମହିଳାମାନେ ସରପଞ୍ଚ ହେବାକୁ ଯାଉଛନ୍ତି। ଏହି ଗ୍ରାମ ପଞ୍ଚାୟତଗୁଡ଼ିକ ଅନ୍ତର୍ଗତ ମୋଟ ୧,୩୦,୫୮୪ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ଦିୟା କୁମାରୀ କହିଛନ୍ତି, ‘ଆମେ ଭଲ ଫଳାଫଳ ହାସଲ କରିବୁ। ରାଜ୍ୟବ୍ୟାପୀ ସହରାଞ୍ଚଳ ସ୍ଥାନୀୟ ନିର୍ବାଚନରେ ଭାଜପା ଯେପରି ବଡ଼ ବ୍ୟବଧାନରେ ବିଜୟ ଲାଭ କରିଥିଲା, ସେହିଭଳି ଆମେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସବୁଠାରେ ବଡ଼ ବ୍ୟବଧାନରେ ବିଜୟୀ ହେବୁ।’

