ତଥ୍ୟ ବିଜ୍ଞାନ ଓ ଓଡ଼ିଶାର କୃଷି

ସୁକାନ୍ତ କୁମାର ପାଣିଗ୍ରାହୀ

ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ବର୍ତ୍ତମାନର କୃଷି ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ଓଡ଼ିଶାର କୃଷି ଓ କୃଷକ ପଛରେ ପଡ଼ି ନାହାନ୍ତି। ମୃତ୍ତିକାର ସ୍ବାସ୍ଥ୍ୟ, ପାଣିପାଗ, ଫସଲ ଉତ୍ପାଦନ, ବଜାର ଚାହିଦା ଓ ଦର ଇତ୍ୟାଦି ପତ୍ରିକା ବା ଖବର କାଗଜରେ ବାହାରିବା ଆଗରୁ ସ୍ମାର୍ଟ ଫୋନ୍‌ର ପରଦାରେ ଝଲସି ଉଠୁଛି। ତଥାପି ସବୁ ଝଲସୁଥିବା ଜିନିଷ ସୁନା ନୁହେଁ, ଏହା ଆମକୁ ମନେରଖିବାକୁ ହେବ।
ଆଧୁନିକ କୃଷି ବୋଲି ଯାହା ଷାଠିଏ ଦଶକରୁ ଆରମ୍ଭ ହୋଇଥିଲା ତାହା ଥିଲା ସେ ସମୟ ପାଇଁ ଠିକ୍‌ ।
କାରଣ ବିଶାଳ ଜନସମୁଦାୟକୁ ଖାଦ୍ୟ ଯୋଗାଇବା ପ୍ରଥମ ଆବଶ୍ୟକତା ଥିଲା। ବର୍ତ୍ତମାନ ସ୍ବାସ୍ଥ୍ୟ ସଚେତନ ମଣିଷ ଅଧିକ ଖାଦ୍ୟ ବଦଳରେ ଅଳ୍ପ କିନ୍ତୁ ଅଧିକ ପୁଷ୍ଟିକର ଖାଦ୍ୟ ଚାହୁଁଛି। ଖାଉଟି ସାରଦିଆ ଖାଦ୍ୟ ବଦଳରେ ଖତଦିଆ ଖାଦ୍ୟ ଚାହୁଁଛି। ଏଣୁ ରାସାୟନିକ ସାର ଏବଂ ଅଧିକ ଅମଳ କିସମ ବିହନ ଆଡକୁ ମନ ନ ବଳାଇ ଚାଷୀ ଏବେ ଜୈବିକ କୃଷି ଓ ଦେଶୀ ବିହନ ଆଡକୁ ମନ ବଳେଇଲାଣି। ବିଗତ ଷାଠିଏ ବର୍ଷର ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଆଧାରିତ ଆଧୁନିକ କୃଷିର ହଠାତ୍‌ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଗତ ଦଶବର୍ଷ ହେଲା ବାଦାନୁବାଦ ମଧ୍ୟରେ ଜୈବିକ କୃଷିର ପରୀକ୍ଷାନିରୀକ୍ଷା ଚାଲିଛି। କିନ୍ତୁ ଆଗକୁ ବଢ଼ିବାର ସମ୍ଭାବନା ଅଧିକ, ମନ୍ଥର ଗତି ପରିବର୍ତ୍ତେ କ୍ରମବର୍ଦ୍ଧିଷ୍ଣୁ ଗତିରେ।
କୃଷି କେବଳ ଧାନ ବା ଅନ୍ୟ ଶସ୍ୟ ଫସଲକୁ ବୁଝାଏ ନାହିଁ, ଏହା ଏକ ସାମଗ୍ରିକ ପରିକଳ୍ପନା। ମତ୍ସ୍ୟ ଉତ୍ପାଦନ, ପ୍ରାଣୀମାନଙ୍କ ଚିକିତ୍ସା ଓ ପାଳନ, ଫୁଲଫଳ, ପନିପରିବା, ଖାଦ୍ୟଶସ୍ୟ, ତନ୍ତୁ, ଔଷଧ, ଜାଳେଣି କାଠ, ମହୁଚାଷ, ଛତୁ ଉତ୍ପାଦନ, ବୃକ୍ଷରୋପଣ ଇତ୍ୟାଦି।
ତଥ୍ୟ ବିଜ୍ଞାନ ଆଜି କମ୍ପ୍ୟୁଟର ଆଧାରିତ ପାଠ୍ୟକ୍ରମ, ଯାହା ଅତୀତ ଓ ବର୍ତ୍ତମାନର କୌଣସି ବିଷୟରେ ଧାରଣା ଦେବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣରେ ସହାୟକ ହୋଇଥାଏ। ଏଣୁ ଏହି ବିଦ୍ୟାର ଠିକ୍‌ ବିନିଯୋଗ କରି ବର୍ତ୍ତମାନର ଯୁବପିଢ଼ି କୃଷିକ୍ଷେତ୍ରକୁ ଏକ ନୂତନ କର୍ମସ୍ଥଳୀରେ ପରିଣତ କରିପାରିବେ। ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଥ୍ୟ ବିଜ୍ଞାନ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଏବଂ କୃଷି ଓ ଆନୁଷଙ୍ଗିକ ବିଭାଗ ମାଧ୍ୟମରେ ପ୍ରତିଟି କୃଷକ ପାଖରେ ପହଞ୍ଚିବାର ବାଟ ଧରିଛନ୍ତି। କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ସହାୟତା ନେଇ ତଥ୍ୟସଂଗ୍ରହ, କୃଷକ ନାମ ପଞ୍ଜୀକରଣ, ସବ୍‌ସିଡିକୁ ଆଧାର ସଂଯୋଜିତ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ,ପ୍ରଧାନମନ୍ତ୍ରୀ କିଷାନନିଧି ଓ କାଳିଆ ସହାୟତା ରାଶି ପ୍ରଦାନ କ୍ଷେତ୍ରରେ ଏହାର ଆନୁଷ୍ଠାନିକ ପ୍ରୟୋଗ ଆରମ୍ଭ ହୋଇସାରିଛି।
ଏ କ୍ଷେତ୍ରରେ ଆମର ଅନୁଭବ ଓ ଅନୁଧ୍ୟାନକୁ ଓଡ଼ିଶାର କୃଷକମାନଙ୍କ ନିକଟରେ ପ୍ରକାଶ କରୁଛୁ। ଆମକୁ ଆମର ଦକ୍ଷତା ହାସଲ କରିବା ସହିତ ହୋଇଥିବା ତ୍ରୁଟିକୁ ସୁଧାରିବା ପାଇଁ ଏହାର ତର୍ଜମା କରିବାକୁ ପଡ଼ିବ। ପ୍ରଥମ କଥା ହେଲା କୃଷି ଓ ଆନୁଷଙ୍ଗିକ ବିଭାଗର ସମସ୍ତ କର୍ମଚାରୀ କମ୍ପ୍ୟୁଟର ବିଦ୍ୟାରେ ପାରଙ୍ଗମ ନୁହନ୍ତି, ତେଣୁ ଏହି ପ୍ରକ୍ରିୟାରେ ଆରମ୍ଭରୁ ଅନେକ ଭୁଲ୍‌ ରହିଛି। ଆସନ୍ତା ଦଶବର୍ଷ ମିଶ୍ରିତ କର୍ମଚାରୀଙ୍କ ଦ୍ୱାରା ଏହି ବିଭାଗଗୁଡ଼ିକ ଚାଲିବ। ଏହି ବିଭାଗଗୁଡ଼ିକରେ ଠିକାରେ ନିଯୁକ୍ତି ପାଇଥିବା କମ୍ପ୍ୟୁଟର ସହାୟକମାନେ ମଧ୍ୟ ସେଭଳି ତଥ୍ୟ ପରିଚାଳନାରେ ଦକ୍ଷ ନୁହନ୍ତି। ସେମାନଙ୍କ ଦକ୍ଷତା ବୃଦ୍ଧି ଆବଶ୍ୟକ। ଦଶ ବର୍ଷ ପରେ ଏହିସବୁ ବିଭାଗର ଅଧିକାରୀମାନେ ପ୍ରବେଶ ସମୟରୁ କମ୍ପ୍ୟୁଟର ଶିକ୍ଷିତ ହେବା ଫଳରେ ଅନେକ ତ୍ରୁଟି କମିଯିବ।
ଦ୍ୱିତୀୟରେ ଆମର ଅର୍ଦ୍ଧାଧିକ ଚାଷୀ ସମ୍ବଳ ଅଭାବରୁ ପାଠପଢ଼ା ଓ ସ୍ମାର୍ଟଫୋନ୍‌ ବ୍ୟବହାରରୁ ବଞ୍ଚିତ। ତେଣୁ କୃଷି ବିଭାଗ ସେମାନଙ୍କର ବ୍ୟବହାର ଓ ସୁଯୋଗ ପାଇଁ ଯେଉଁସବୁ ପୋର୍ଟାଲ ବା ମୋବାଇଲ୍‌ ଆପର ସମ୍ଭାର ଖୋଲିଛନ୍ତି ତାହା ତାଙ୍କର କାମରେ ଆସୁନାହିଁ। ଏମିତି କି ଅନେକ ଚାଷୀ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନନିଧି ନିମନ୍ତେ ନାମ ପଞ୍ଜୀକରଣ କରି ନାହାନ୍ତି। ଅଧିକନ୍ତୁ ପଞ୍ଜୀକରଣ କରିଥିବା ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀଙ୍କର ଆଧାର ପରିଚୟପତ୍ରରେ ଥିବା ନାମ ସହ ବ୍ୟାଙ୍କ ଆକାଉଣ୍ଟର ନାମର ଅକ୍ଷର ସଂଖ୍ୟା ଓ ଲିପିଭେଦ ଯୋଗୁ ସେମାନେ ଅଯୋଗ୍ୟ ବିବେଚିତ ହେଉଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ସେମାନଙ୍କର ବ୍ୟାଙ୍କ ଖାତା ବା ଆଧାର କାର୍ଡର ନାମ ସଂଶୋଧନ କରିବା ଆବଶ୍ୟକ। ଅନେକ କ୍ଷେତ୍ରରେ ଜମିବାଡ଼ି ସମ୍ପର୍କରେ ଦିଆଯାଉଥିବା ତଥ୍ୟ ରାଜ୍ୟର ଜମି ସମ୍ବନ୍ଧରେ ସଂଗ୍ରହ କରାଯାଇଥିବା ଭୂଲେଖ ପୋର୍ଟାଲ ତଥ୍ୟ ଅମେଳ କାରଣରୁ ଚାଷୀ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି। ନିଜ ନାମରେ ଜମି ନ ଥିଲେ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ ନାହିଁ। ଏଣୁ ଦୀର୍ଘ ଦିନ ଧରି ବାପା ଜେଜେବାପାଙ୍କ ନାମରେ ଥିବା ଜମିପଟ୍ଟାକୁ ମଧ୍ୟ ନିଜ ନାମରେ କରିବା ଆବଶ୍ୟକ।
ବର୍ତ୍ତମାନ ଆଉ ଗୋଟିଏ ସମସ୍ୟା ହେଉଛି ଶତକଡ଼ା ସତୁରି ଭାଗ ଚାଷୀ ନିଜ ତହସିଲର ନୂଆ ରୟତ ଖସଡ଼ା ସଂଗ୍ରହ କରିନାହାନ୍ତି। ଏଣୁ ଜନସେବା କେନ୍ଦ୍ର ମାଧ୍ୟମରେ ପୁରୁଣା ତହସିଲ ଖସଡ଼ା ଆଧାରରେ ଦିଆଯାଉଥିବା ତଥ୍ୟ ଏବଂ ସରକାରୀ ତଥ୍ୟ ମଧ୍ୟରେ ମେଳ ନ ହେବା କାରଣରୁ ଅନେକ ଚାଷୀ ପ୍ରାପ୍ୟ ପାଇପାରୁ ନାହାନ୍ତି।
କୌଣସି ଗବେଷଣା ପ୍ରସୂତ ତଥ୍ୟ ଆଧାରରେ ଯୋଜନା ପ୍ରଣୟନ କରି ବିଭିନ୍ନ ସ୍ଥାନରେ ଦୃଷ୍ଟାନ୍ତମୂଳକ ପରୀକ୍ଷା ପରେ କୃଷି ବିଭାଗ ଆନୁଷ୍ଠାନିକ ଭାବେ ସମଗ୍ର ରାଜ୍ୟରେ ବା ବିଭିନ୍ନ ରାଜ୍ୟର ଉପଯୁକ୍ତ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ହାତକୁ ନେଇଥାଏ। ମାତ୍ର ଆମ ରାଜ୍ୟର କାଳିଆ ଯୋଜନା ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ। ଏହା ସିଧାସଳଖ ଚାଷୀକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଆରମ୍ଭ ହେଲା। ଯଦିଓ ଏହାର ଉଦ୍ଦେଶ୍ୟ ମହତ୍‌, ତଥାପି ବିଭିନ୍ନ ସ୍ତରରେ ତ୍ରୁଟି କାରଣରୁ ଏହାର ତର୍ଜମା ଓ ସଂଶୋଧନ ଚାଲୁ ରହିଛି। ଏକ ଯୁଦ୍ଧକାଳୀନ ଭିତ୍ତିରେ କାଳିଆ ଯୋଜନା ପାଇଁ ପଞ୍ଚାୟତ ସ୍ତରରେ ଦରଖାସ୍ତ ସଂଗ୍ରହ କରିବା ତଥା କମ୍‌ କର୍ମଚାରୀଙ୍କୁ ନେଇ କମ୍‌ ସମୟରେ ଏହିସବୁ ଦରଖାସ୍ତର ଯାଞ୍ଚ ଓ ତଥ୍ୟ ଉତ୍‌କ୍ଷେପଣ କରିବା କାରଣରୁ ତ୍ରୁଟିର ମାତ୍ରା ଅଧିକ ହେଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଶନ୍‌ କାର୍ଡକୁ ସାମିଲ କରାଯାଇ ନ ଥିଲା, କେବଳ ଆଧାର କାର୍ଡକୁ ପ୍ରାଥମିକତା ଦିଆଯାଇଥିଲା। ଏହି ସୁବିଧାରୁ ପ୍ରଥମ ପର୍ଯ୍ୟାୟରେ ବାଦ୍‌ ପଡ଼ିଯାଇଥିବା ଲୋକମାନେ ପୁଣି ଆବେଦନ କରିଥିଲେ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆବେଦନ କଲେ। ତୃତୀୟ ପଯର୍ର୍‌ୟାୟରେ ପରିବାରର ସମସ୍ତ ସଦସ୍ୟ ଦରଖାସ୍ତ କଲେ। ଏଣୁ ତଥ୍ୟର ବୋଝ ପୋର୍ଟାଲ ସମ୍ଭାଳି ପାରିଲା ନାହିଁ। ଆକଳନଠାରୁ ଦୁଇଗୁଣରୁ ଅଧିକ ଚାଷୀ ଆବେଦନ ପ୍ରକ୍ରିୟାରେ ସାମିଲ ହେବାରୁ ତାଙ୍କର ତଥ୍ୟ ଯାଞ୍ଚ ସହଜସାଧ୍ୟ ନ ଥିଲା। ଏହା ସହ ବିଭିନ୍ନ ବିଭାଗର ତଥ୍ୟ ଅସାମଞ୍ଜସ୍ୟ ଏହାକୁ ଅଧିକ ଜଟିଳ କରିଛି। ତଥ୍ୟ ଠିକ୍‌ ଥାଇ ମଧ୍ୟ ଚାଷୀ ସହାୟତା ପାଇପାରୁ ନ ଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଆମ ବିଭାଗୀୟ ଅଧିକାରୀମାନେ କିପରି ସତ୍ୟନିଷ୍ଠା ସହ ଆଗକୁ ସହାୟତା ଯୋଗାଇ ଦେଇପାରିବେ ତାହା ବିଚାରଯୋଗ୍ୟ।

ସ୍ନାତକୋତ୍ତର କୃଷି, ଓୟୁଏଟି
ମୋ: ୯୪୩୭୮୭୩୭୧୭


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri