ଅନ୍ଧାରି ଶାସନ ଓ ଗଣ ଦେଶାନ୍ତର

ଡ. ପ୍ରଫୁଲ୍ଲ କୁମାର ସାହୁ

ପୈତୃକ ଭୂମି ପ୍ରତି ପ୍ରତ୍ୟେକ ମଣିଷର ମମତା ଅମାପ। ତେଣୁ ପ୍ରବାସରେ ଥିଲେ ଜନ୍ମ ମାଟିକୁ ଫେରିବା ପାଇଁ ପ୍ରାଣ ବ୍ୟାକୁଳ ହୁଏ ପ୍ରତି ମୁହୂର୍ତ୍ତରେ। ମାତ୍ର ଯୁଦ୍ଧ, ଗୃହଯୁଦ୍ଧ, ସନ୍ତ୍ରାସ, ଗଣହତ୍ୟା, ସାଂପ୍ରଦାୟିକ ଦଙ୍ଗା ଇତ୍ୟାଦି କାରଣରୁ କିଛି ଲୋକଙ୍କୁ ଜନ୍ମ ମାଟିର ମୋହ ତୁଟାଇ ସବୁଦିନ ପାଇଁ ଆଶ୍ରୟ ନେବାକୁ ପଡ଼େ ବିଦେଶ ମାଟିରେ। ନିଜ ଦେଶ ଛାଡ଼ି ବିଦେଶରେ ଆଶ୍ରୟ ନେଇଥିବା ଏହି ଉଦ୍‌ବାସ୍ତୁମାନଙ୍କୁ କୁହାଯାଏ ଶରଣାର୍ଥୀ।
ବ୍ୟକ୍ତିର ନାଗରିକତା ହେଉଛି ତା’ର ଜାତୀୟତାର ପରିଚୟ। ମାତ୍ର ପୃଥିବୀର ବିଭିନ୍ନ ଦେଶରେ ଏମିତି ପ୍ରାୟ ପନ୍ଦର ନିୟୁତ ଲୋକ ଅଛନ୍ତି; ଯାହାଙ୍କ ପାଖରେ ନା ଅଛି ନାଗରିକତା ନା ରାଷ୍ଟ୍ରୀୟତା। ଏହି ଠିକଣା ନ ଥିବା ଲୋକମାନେ ସର୍ବନିମ୍ନ ମାନବିକ ଅଧିକାର ତଥା ସବୁ ପ୍ରକାର ସୁବିଧାରୁ ବଞ୍ଚିତ ଏକ ବାସ୍ତୁହରା ବର୍ଗ। ଏମାନେ ନିଜ ଦେଶରେ ଶରଣାର୍ଥୀ ପରି ବଞ୍ଚନ୍ତି ଏବଂ ବିଦେଶକୁ ଚାଲିଗଲେ ସେଠାରେ ସେମାନଙ୍କୁ କୁହାଯାଏ ଅନୁପ୍ରବେଶକାରୀ। ଦେଶ ହେଉ କି ବିଦେଶ ହେଉ, ସବୁଠି ଏମାନେ ଅବାଞ୍ଛିତ। ବାବନା ଭୂତ ଭଳି ବଞ୍ଚୁଥିବା ଏହି ଅନାଗରିକଙ୍କ ସମସ୍ୟା ସମାଧାନ ଏବେ ବିଶ୍ବ ସମୁଦାୟ ପାଇଁ ଏକ ଆହ୍ବାନ।
ପୃଥିବୀର ପ୍ରତ୍ୟେକ ମଣିଷ ସ୍ବାଧୀନ ଭାବରେ ଜନ୍ମ ଗ୍ରହଣ କରିଛି ଏବଂ ମର୍ଯ୍ୟାଦାର ସହ ବଞ୍ଚିବା ତା’ର ଜନ୍ମଗତ ଅଧିକାର। ଏଭଳି ବିଚାରଧାରା ଉପରେ ବିଶ୍ବ ଗୁରୁତ୍ୱ ଦେଲା ମାନବବାଦୀ ଜୀବନବୋଧର ଅଭ୍ୟୁଦୟ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ପରେ। ମଣିଷର ପ୍ରାକୃତିକ ତଥା ଗଣତାନ୍ତ୍ରିକ ଅଧିକାରକୁ ନେଇ ପ୍ରକାଶ ପାଇଲା ଜାତିସଂଘର ଘୋଷଣାନାମା। କୁହାଗଲା ଜୀବନ ଧାରଣ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଆଦି ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ଯେମିତି ମଣିଷର ପ୍ରାକୃତିକ ଅଧିକାର, ସେମିତି ଦେଶରେ ରାଜନୈତିକ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିବା, ସାମାଜିକ ନ୍ୟାୟରୁ ବଞ୍ଚିତ ନ ହେବା, ଅର୍ଥନୈତିକ ସ୍ତରରେ ଶୋଷିତ ନ ହେବା ଓ ନିଜର ଧାର୍ମିକ ଏବଂ ସାଂସ୍କୃତିକ ଜୀବନ ବଞ୍ଚିବାର ସୁଯୋଗ ପାଇବା ଇତ୍ୟାଦି ତା’ର ନାଗରିକ ଅଧିକାର। ମଣିଷକୁ ତା’ର ଏହି ଅଧିକାରରୁ ବଞ୍ଚିତ କରିବା ଅତ୍ୟନ୍ତ ଅନ୍ୟାୟ ଓ ଅମାନବିକ। ତୁର୍କୀର ବୋଦରସ ନିକଟସ୍ଥ ସାମୁଦ୍ରିକ ବେଳାଭୂମିରେ ଭାସିଆସି ଲାଗିଥିବା ଏକ ତିନି ବର୍ଷର କଅଁଳ ଶିଶୁର ଶବ ଦେଖି ଯେତେବେଳେ ବିଶ୍ବ ବିବେକ ଦୋହଲି ଗଲା, ସେତେବେଳେ ମଣିଷର ନାଗରିକ ଅଧିକାରକୁ ନେଇ ଅଧିକ କ୍ରିୟାଶୀଳ ହୋଇ ଉଠିଲା ଜାତିସଂଘ। ବିସ୍ଥାପନ ସମସ୍ୟା ସମାଧାନ ପାଇଁ ଆରମ୍ଭ ହେଲା ଜୋରଦାର ପ୍ରୟାସ। ୨୦୨୪ ସୁଦ୍ଧା ରାଷ୍ଟ୍ରୀୟତା ବିହୀନ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଧାର୍ଯ୍ୟ ହେଲା ଲକ୍ଷ୍ୟ। ମାତ୍ର ଜାତିସଂଘର ତତ୍ପରତା ସତ୍ତ୍ବେ ଏଯାବତ୍‌ ବାହାରି ପାରୁନି ଶରଣାର୍ଥୀ ସମସ୍ୟାର ସ୍ଥାୟୀ ସମାଧାନର ସୂତ୍ର। କ୍ରମାଗତ ଭାବେ ବଢୁଛି ଆଫଗାନିସ୍ତାନ, ସିରିଆ, ସୁଦାନ ଓ ମ୍ୟାନ୍‌ମାର ଆଦି ରାଷ୍ଟ୍ରର ପ୍ରତାରିତ ଓ ବିତାଡ଼ିତଙ୍କ ସଂଖ୍ୟା। ଏମାନେ ନିଜ ଦେଶରୁ ବିସ୍ଥାପିତ ହୋଇ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବେଶ କରୁଛନ୍ତି ଅନ୍ୟ ଦେଶରେ। ଏଭଳି ସ୍ଥିତିରେ ଶରଣାର୍ଥୀ ସମସ୍ୟାକୁ ଆହୁରି ଗମ୍ଭୀର କରିଦେଇଛି ଆଫଗାନିସ୍ତାନ ଆତଙ୍କ। ବିଡ଼ମ୍ବନାର ବିଷୟ ସେଠାରୁ ଆମେରିକାର ସୁପରିକଳ୍ପିତ ସୈନ୍ୟ ଅପସାରଣ ପରେ ଇସ୍‌ଲାମୀୟ ମୌଳବାଦୀ ସଂଗଠନ ତାଲିବାନ ହାତକୁ ଚାଲିଯାଇଛି ଆଫଗାନିସ୍ତାନର ଭାଗ୍ୟ ଓ ଭବିଷ୍ୟତ। ତାଲିବାନୀ ଶାସନକୁ ଡରି ଦେଶ ଛାଡ଼ି ଚାଲିଯିବା ପାଇଁ ଲୋକଙ୍କ ଭିତରେ ଚାଲିଛି ପ୍ରାଣମୂର୍ଚ୍ଛା ପ୍ରୟାସ। ପ୍ରାଣ ବିକଳରେ ଦେଶ ଛାଡ଼ି ବିଦେଶକୁ ପଳାଉଥିବା ଏହି ଉଦ୍‌ବାସ୍ତୁମାନଙ୍କୁ ଆଶ୍ରୟ ଦେବାପାଇଁ ବିଶ୍ବ ସମୁଦାୟକୁ ଅନୁରୋଧ କରିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ।
କୌଣସି ଦେଶ ପକ୍ଷରେ ଅଳ୍ପ କିଛି ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ସହଜ ହୋଇପାରେ, ମାତ୍ର ଗଣ ଦେଶାନ୍ତର କାରଣରୁ ଇଂଲଣ୍ଡ, କାନାଡା, ଆମେରିକା, ଉଗାଣ୍ଡା, ବାଂଲାଦେଶ ଓ ଭାରତ ଭଳି ଅନେକ ଦେଶ ଏବେ ଶରଣାର୍ଥୀ ସମସ୍ୟାରେ ପୀଡ଼ିତ। ବିଶେଷ କରି ରୋହିଙ୍ଗ୍ୟା ଶରଣାର୍ଥୀ ସମସ୍ୟାକୁ କେନ୍ଦ୍ରକରି ଭାରତରେ ଏବେ ଦାନା ବାନ୍ଧୁଛି ରାଜନୈତିକ ବିବାଦ।
କେତେକ ଦେଶ ଗୋଷ୍ଠୀଗତ ବା ସାଂପ୍ରଦାୟିକ ଆଧାରରେ ନିର୍ଦ୍ଧାରଣ କରନ୍ତି ରାଷ୍ଟ୍ରୀୟତା। ଭେଦାଭେଦ ବିରୋଧୀ ଆନ୍ତର୍ଜାତିକ ଆଇନର ସମ୍ପୂର୍ଣ୍ଣ ପରିପନ୍ଥୀ। ଜାତିସଂଘର ଘୋଷଣାନାମା କହେ ବଂଶ, ଗୋଷ୍ଠୀ, ବର୍ଣ୍ଣ, ପୁରୁଷାନୁକ୍ରମିକତା ଓ ଜାତିଗତ ବା ଗୋଷ୍ଠୀଗତ ମୂଳ ଆଧାରରେ କାହାକୁ ନାଗରିକତାରୁ ବଞ୍ଚିତ କରିବା ଅନୁଚିତ। ଏହି ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ ଫଳରେ ମ୍ୟାନ୍‌ମାରରେ ଖୁବ୍‌ ଦୟନୀୟ ହୋଇପଡ଼ିଛି ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନଙ୍କ ସ୍ଥିତି। ମ୍ୟାନ୍‌ମାରର ନୂତନ ନାଗରିକତା ଆଇନ(୧୯୮୨)ସଂଖ୍ୟାଲଘୁ ରୋହିଙ୍ଗ୍ୟାମାନଙ୍କ ନାଗରିକତାକୁ ବାରଣ କରିବା ଫଳରେ ସେମାନଙ୍କ ଅସନ୍ତୋଷକୁ ନେଇ ଦାନା ବାନ୍ଧିଲା ଆନ୍ଦୋଳନ। ତାକୁ ଦମନ କରିବା ପାଇଁ ସରକାର ଗ୍ରହଣ କଲେ ନିଷ୍ଠୁର ପଦକ୍ଷେପ। ରୋହିଙ୍ଗ୍ୟାଙ୍କ ଉପରେ ଚାଲିଲା ବଳାତ୍କାର, ହତ୍ୟା ଆଦି ନାନା ପ୍ରକାର ଅତ୍ୟାଚାର। ଶେଷରେ ତାହା ଗୋଷ୍ଠୀ ସଂଘର୍ଷର ରୂପ ନେଲା ଏବଂ ଏଥିରେ ପ୍ରାଣ ହରାଇଲେ ହଜାର ହଜାର ରୋହିଙ୍ଗ୍ୟା। ଅଗ୍ନି ସଂଯୋଗ କରି ଜାଳି ଦିଆଗଲା ସେମାନଙ୍କ ଘର। ନାଗରିକତା ହରାଇଥିବା ରୋହିଙ୍ଗ୍ୟାମାନେ ଶେଷରେ ବାସହରା ହୋଇ ପ୍ରାଣ ବିକଳରେ ଦେଶ ଛାଡ଼ି ପଳାଇଲେ ଏବଂ ଶରଣାର୍ଥୀ ଭାବେ ଆଶ୍ରୟ ନେଲେ ଭାରତ, ବାଂଲାଦେଶ ଓ ମାଲେସିଆ ଆଦି ଦେଶରେ। ଭାରତକୁ ପ୍ରବେଶ କରିଥିବା ପ୍ରାୟ ୪୦ ହଜାର ରୋହିଙ୍ଗ୍ୟା ଏବେ ରହିଛନ୍ତି ଜମ୍ମୁ, ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଅନ୍ୟ କେତେକ ରାଜ୍ୟରେ।
ସେମାନଙ୍କ ଭିତରୁ କିଏ କୃଷି କ୍ଷେତ୍ରରେ ନିୟୋଜିତ ଅଛି ତ କିଏ କାମ କରୁଛି ନିର୍ମାଣ ଶ୍ରମିକ ଭାବରେ। ମାତ୍ର ମ୍ୟାନ୍‌ମାରରୁ ପଳାଇ ଆସିଥିବା ଏହି ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଆଶ୍ରୟ ପ୍ରଶ୍ନକୁ ନେଇ ବିବାଦ ଉଠିଛି ଦେଶରେ। ମାନବିକତା ଦୃଷ୍ଟିରୁ ସେମାନଙ୍କୁ ଆଶ୍ରୟ ଦେବା ସପକ୍ଷରେ ଗୋଟିଏ ଗୋଷ୍ଠୀ ଯୁକ୍ତି କରୁଥିବା ବେଳେ, ଦେଶର ସୁରକ୍ଷାକୁ ଅଗ୍ରାଧିକାର ଦେଇ ସେମାନଙ୍କୁ ବିତାଡ଼ିତ କରିବାକୁ ଦାବି କରୁଛନ୍ତି ଆଉ ଗୋଟିଏ ଗୋଷ୍ଠୀ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି ୧୯୭୨ରେ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ଯେଉଁ ଦେଶ ବିନା ଦ୍ବିଧାରେ ଆଶ୍ରୟ ଦେଇଥିଲା,ଏବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ବେଳକୁ ଏତେ କଠୋର କାହିଁକି?
ଭାରତୀୟ ସଭ୍ୟତା ଓ ସଂସ୍କୃତି ଖୁବ୍‌ ପ୍ରାଚୀନ ହେଲେ ବି ଏଥିରେ ରହିଛି ଏକ ପ୍ରଗତିଶୀଳ ଦର୍ଶନ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ। ମଣିଷର ମର୍ଯ୍ୟାଦାଜନକ ବଞ୍ଚିବାର ଆବଶ୍ୟକତା ଉପରେ ଜାତିସଂଘ ଗୁରୁତ୍ୱ ଦେବାର ବହୁ ପୂର୍ବରୁ ସମଗ୍ର ବିଶ୍ବକୁ ଭାରତ ଶୁଣେଇଥିଲା ‘ସର୍ବେ ଭବନ୍ତୁ ସୁଖୀନଃ, ସର୍ବେ ସନ୍ତୁ ନିରାମୟ’ ମନ୍ତ୍ର। ପରବର୍ତ୍ତୀ ସମୟରେ ଏହି ମାନବୀୟ ମୂଲ୍ୟବୋଧକୁ ଆଧାର କରି ପ୍ରସ୍ତୁତ ହେଲା ଆମ ସମ୍ବିଧାନ। ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଏଠି ସବୁ ଧର୍ମ ଓ ଜାତିର ଲୋକଙ୍କୁ ମିଳିଲା ସମାନ ସୁବିଧା ଓ ସୁଯୋଗ। ଏହି କାରଣରୁ ବାଂଲାଦେଶ ଓ ପାକିସ୍ତାନ ଭଳି ମୁସଲିମ ରାଷ୍ଟ୍ରଠାରୁ ଭାରତରେ ରହୁଥିବା ମୁସଲମାନମାନେ ବେଶି ସୁରକ୍ଷିତ। ମୋଟ ଉପରେ ମାନବତା ହିଁ ଭାରତୀୟ ସଂସ୍କୃତିର ମୂଳକଥା ଏବଂ ତାକୁ ହିଁ ଅଗ୍ରାଧିକାର ଦେଇ ବାଂଲାଦେଶରୁ ପଳାଇ ଆସିଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଥିଲା ଭାରତ। ମାତ୍ର ତା’ର ପ୍ରତିବଦଳରେ ଦେଶ ପାଇଲା କ’ଣ? ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ଫଳରେ ଏଠାରେ ଖୋଲିଲା ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର। ଆକ୍ରମଣର ଶିକାର ହେଲା ଆମ ସଂସଦ ଭବନ। ସନ୍ତ୍ରାସବାଦୀ ବର୍ବରତାରୁ ବାଦ୍‌ ପଡ଼ିଲେନି ଶିଶୁ ଓ ମହିଳା। ତେଣୁ ଦେଶର ସୁରକ୍ଷା ଦୃଷ୍ଟିରୁ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରୁଛି ଦେଶ। କେବଳ ଭାରତ ନୁହେଁ, ଆତଙ୍କବାଦ ଭୟରେ ଏମାନଙ୍କୁ ଆଶ୍ରୟ ଦେବାକୁ ଚାହୁଁ ନାହାନ୍ତି ବିଶ୍ବର କୌଣସି ଶାନ୍ତିପ୍ରିୟ ରାଷ୍ଟ୍ର।
ଆତଙ୍କବାଦୀ ସଂଗଠନଗୁଡ଼ିକର ମୂଳ ଚିନ୍ତାଧାରା ହେଉଛି ଧର୍ମଭିତ୍ତିକ ଇସ୍‌ଲାମିକ ରାଷ୍ଟ୍ର ଗଠନ। ଏହି ଲକ୍ଷ୍ୟ ହାସଲ ନିମନ୍ତେ ସେମାନଙ୍କ ଦୃଷ୍ଟିରେ ଯୁଦ୍ଧ ହେଉଛି ଜେହାଦ। ଯେଉଁମାନେ ଏ ପନ୍ଥାକୁ ଗ୍ରହଣ କରିବା ପାଇଁ ଅନିଚ୍ଛୁକ, ମୃତ୍ୟୁଦଣ୍ଡ ହିଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ। ଏମାନେ ପ୍ରଗତିଶୀଳ ମୁସଲିମମାନଙ୍କୁ ମୁସଲମାନ ବୋଲି ମାନନ୍ତି ନାହିଁ କି ବିଶ୍ବାସ ରଖନ୍ତି ନାହିଁ ବିଜ୍ଞାନ ଓ ଦର୍ଶନର ନିଷ୍କର୍ଷ ଉପରେ। ସମଗ୍ର ଦୁନିଆ ଆଗକୁ ବଢୁଥିବା ବେଳେ ଏମାନେ ଏବେ ସୁଦ୍ଧା ବନ୍ଧା ପଡ଼ିଛନ୍ତି ମଧ୍ୟଯୁଗୀୟ ବର୍ବରତା ପାଖରେ। ଏମାନଙ୍କ ତାଲିବାନୀ ଚିନ୍ତାଧାରା ଯୋଗୁ ମଳିନ ପଡ଼ିଯାଇଛି ସମଗ୍ର ମୁସଲମାନ ଜାତିର ଛବି। ସୁତରାଂ ବିଶ୍ବବ୍ୟାପୀ ପୀଡ଼ିତ ମୁସଲିମମାନଙ୍କ ପାଇଁ ଉପୁଜିଥିବା ଆଶ୍ରୟ ସଙ୍କଟ ହେଉଛି ସନ୍ତ୍ରାସବାଦୀ ସଂଗଠନର ବିଶେଷ ଅବଦାନ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ, ମୋ:୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri