ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଫଳରେ ଦାରିଙ୍ଗବାଡ଼ିରୁ ଗଜପତି ଜିଲା ଦେଇ ବ୍ରହ୍ମପୁରକୁ ଯାତାୟାତ ପାଇଁ ରହିଥିବା ବିକଳ୍ପ ରାସ୍ତା ମଧ୍ୟ ଅବରୋଧ ହୋଇଛି। ଗଛ ପଡ଼ି ରାସ୍ତା ଅବରୋଧ ହେବା ଯୋଗୁ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ କରୁଥିବା ଯାତ୍ରୀବାହୀ ବସ, ସରକାରୀ ବସ ସମେତ ଅନେକ ଗାଡ଼ିମୋଟର ରାସ୍ତାରେ ଅଟକି ରହିଛି। ଏଥିଯୋଗୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ଗାଜଲବାଡ଼ି ଘାଟିରେ ଭୂସ୍ଖଳନ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏହି ରାସ୍ତାକୁ ସିଲ କରାଯାଇଛି। ରାସ୍ତା ସିଲ କରାଯିବା ପରେ ମଧ୍ୟ ଗାଜଲବାଡ଼ି ଘାଟିରେ ଭୂସ୍ଖଳନ ଘଟିଥିବା ଜଣାପଡ଼ିଛି।
ଫଳରେ ଦାରିଙ୍ଗବାଡ଼ି, ବାଲିଗୁଡ଼ା ଓ କ. ନୂଆଗାଁ ଅଞ୍ଚଳରୁ ବ୍ରହ୍ମପୁର, ଭୁବନେଶ୍ୱର ଆଦି ସ୍ଥାନକୁ ଯାତାୟାତ ପାଇଁ ଲୋକେ ବିକଳ୍ପ ରାସ୍ତା ଉପରେ ନିର୍ଭର କରୁଥିଲେ। ହେଲେ ଏବେ ଛଡାକିଆ ନିକଟରେ ବିରାଟକାୟ ଗଛ ପଡ଼ିବାରୁ ସେହି ବିକଳ୍ପ ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି। ରାସ୍ତା ଅବରୋଧ ଖବର ପାଇବା ପରେ ଅଗ୍ନିଶମ ବିଭାଗର ଅଗ୍ନିବୀରମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରାସ୍ତା ଉପରୁ ବିରାଟକାୟ ଗଛକୁ ହଟାଇ ଯାତାୟାତ ସ୍ବାଭାବିକ କରିବା ପାଇଁ ସେମାନେ କାର୍ଯ୍ୟ ଜାରି ରଖିଛନ୍ତି।
ଖବର ଲେଖାଯିବା ସୁଦ୍ଧା ରାସ୍ତାରୁ ଗଛ ହଟାଇବା କାର୍ଯ୍ୟ ଚାଲିଥିବା ବେଳେ ଯାତାୟାତ କେବେ ସୱାଭାବିକ ହେବ, ତାହା ଜଣାପଡ଼ିନାହିଁ। ଲଗାଣ ବର୍ଷା ମଧ୍ୟରେ ରାସ୍ତାଘାଟ ଅବରୋଧ ହୋଇଥିବାରୁ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
Dharitri – Odisha’s No.1 Odia Daily

