କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି। ବ୍ରିଜ୍ର ଉଭୟ ପାର୍ଶ୍ୱରେ ପିଚୁ କାମ ହୋଇ ନ ଥିବାରୁ ବର୍ଷା ଯୋଗୁ ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟାତ କରୁଥିବା ଛାତ୍ରୀଛାତ୍ର ଓ ସାଧାରଣ ଲୋକେ ବିପଦର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ରିଜ୍ର ଉଭୟ ପଟେ ପ୍ରାୟ ୨୦ ମିଟର ଲେଖାଏ ରାସ୍ତାରେ ପିଚୁ କାମ ହୋଇ ନ ଥିବାରୁ ବର୍ଷା ହେଲେ ରାସ୍ତା ଅଧିକ ଖରାପ ହୋଇଯାଉଛି। ଦିନକୁ ଦିନ ଖାଲଖମା ବଢ଼ୁଥିବାରୁ ଏଠାରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି। ଏହା ସତ୍ତ୍ୱେ ସମ୍ପୃକ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି କିମ୍ବା ପିଚୁ କାମ ପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ଜରିଆରେ ଜଣେ ଠିକାଦାରଙ୍କୁ ବ୍ରିଜ ସହ ରାସ୍ତା ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା। ଏହି କାମ ପାଇଁ ୨ କୋଟି ୭୧ ଲକ୍ଷ ୨୮ ହଜାର ୮୦୦ ଟଙ୍କା ଅଟକଳ ରଖାଯାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଠିକାଦାର ବ୍ରିଜ ନିର୍ମାଣ କାମ ସମାପ୍ତ କରିଥିଲେ ମଧ୍ୟ ବ୍ରିଜ୍ର ଉଭୟ ପାର୍ଶ୍ୱରେ ରାସ୍ତା ନିର୍ମାଣ ଓ ପିଚୁ କାମ ଅସମ୍ପୂର୍ଣ୍ଣ ରହିଥିବା ଅଭିଯୋଗ ହୋଇଛି।
ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ରାସ୍ତା ନିର୍ମାଣ କାମ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସମେତ ଏହି ରାସ୍ତା ଉପରେ ର୍ନିଭରଶୀଳ ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ରାସ୍ତାର ଖାଲଖମା ପୂରଣ କରି ପିଚୁ କାମ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି। ରାସ୍ତାର ଅବସ୍ଥା ଶୀଘ୍ର ସୁଧାର କରା ନ ଗଲେ ଆଗାମୀ ଦିନରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ଥିବା ଅଞ୍ଚଳବାସୀ କହିଛନ୍ତି।
Dharitri – Odisha’s No.1 Odia Daily

