ଭିଡ଼ ବିପଦ

ଭାରତର ମହାନଗରୀରେ ଟ୍ରାଫିକ୍‌ ଜାମ୍‌ ଓ ଲୋକଙ୍କ ଭିଡ଼ ଅସମ୍ଭାଳ ସ୍ତରରେ ପହଞ୍ଚିଥିବା ବିଷୟରେ ସର୍ବଦା ଆମେ ଦେଖିବାକୁ ପାଉଥିଲୁ। ଏବେ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଜନ ଓ ଯାନ ଭିଡ଼ ଅନେକ ସ୍ଥାନରେ ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି। କୋଭିଡ୍‌-୧୯ ଯୋଗୁ ବିଗତ ଦୁଇବର୍ଷ ଧରି ଲୋକଙ୍କ ଯାତାୟାତ କମିଯାଇଥିଲା। କରୋନାର ପ୍ରାଦୁର୍ଭାବ କମିବା ପରେ ଏବେ ଯାନିଯାତ୍ରା, ମହୋତ୍ସବଗୁଡ଼ିକରେ ଅଧିକ ଉତ୍ସାହ ଦେଖାଦେଇଥିବାରୁ ଭିଡ଼ ବୃଦ୍ଧି ପାଉଛି। ଏପରି କି ଗାଁଗଣ୍ଡାରେ ଥିବା ପୂଜାସ୍ଥଳୀଗୁଡ଼ିକ ଲୋକାରଣ୍ୟ ହୋଇପଡ଼ୁଛି। ପର୍ଯ୍ୟଟନସ୍ଥଳୀ ହେଉ ବା ଧର୍ମପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ରହିଲେ ତାହା ରାଜ୍ୟ ରାଜକୋଷକୁ ସମୃଦ୍ଧ କରିଥାଏ। କିନ୍ତୁ ତାହାକୁ ବ୍ୟବସ୍ଥିତ କରାଯିବା ଦାୟିତ୍ୱ ପୋଲିସ ଓ ପ୍ରଶାସନର ରହିବା ନିତାନ୍ତ ଆବଶ୍ୟକ। ଉତ୍ସବ ବା ମହୋତ୍ସବ ପୂର୍ବରୁ ଲୋକଙ୍କ ଭିଡ଼ କିଭଳି ହେବ ଓ ତାହାକୁ କେଉଁ ପ୍ରକାରରେ ପରିଚାଳନା କରିହେବ, ସେହି ଦିଗରେ ଗୋଇନ୍ଦା ସବିଶେଷ ତଥ୍ୟ ସଂଗ୍ରହ କରିଥାଏ। ସମ୍ଭବତଃ ସେହି ବ୍ୟବସ୍ଥା ବାରମ୍ବାର ବିଫଳ ହେଉଥିବାରୁ ଅନେକ ସ୍ଥାନରେ ଅଘଟଣ କରୁଛି। ୧୪ ଜାନୁୟାରୀ ୨୦୨୩ରେ କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ସିଂହନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଦଳାଚକଟାରେ ମୃତ୍ୟୁ ଓ ଅନେକ ଆହତ ହେବା ଘଟଣା ସଦ୍ୟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛି। ଏହାର ଦିନକ ପରେ ଅର୍ଥାତ୍‌ ୧୫ ଜାନୁୟାରୀରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ କରାଯାଇ ନ ପାରିବାରୁ ୨ ଜଣ ବେହୋସ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟ ପଦାକୁ ଆସିଛି। ସେଠାରେ ବାରିକେଡ୍‌ ବ୍ୟବସ୍ଥା କରାଯାଇ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ତାହା ବ୍ୟବସ୍ଥିତ ହୋଇପାରୁ ନାହିଁ। ଅନେକ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ ବରଂ ଅତ୍ୟଧିକ ପ୍ରଶାସନିକ ହସ୍ତକ୍ଷେପ, ବାରିକେଡ୍‌ ଆଦି ବ୍ୟବସ୍ଥା ଏବଂ ଅଧିକ ପୋଲିସ ନିୟୋଜନ ହୋଇ ପରିସ୍ଥିତି ବିଗିଡ଼ିଲା ଭଳି ମନେହେଉଛି। ପୂର୍ବରୁ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶି ଥିଲେ ମଧ୍ୟ କାହିଁ କେଜାଣି ଦର୍ଶନ ସୁରୁଖୁରୁରେ ହେଉଥିଲା। ଶ୍ରୀମନ୍ଦିରର ସବୁ ଦିଗକୁ ପ୍ରଶାସନ ନିୟନ୍ତ୍ରଣ କରୁଥିବା ବେଳେ ଏହାସବୁ ଶୃଙ୍ଖଳିତ ଭାବେ ହେଉଛି କି ନାହିଁ, ତାହା ସୁନିଶ୍ଚିତ କରାଯିବା ଦରକାର।
ଅନ୍ୟପକ୍ଷେ ସିଂହନାଥ ପୀଠରେ ମକର ମେଳା ସମୟରେ ଅନେକ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କୋଭିଡ୍‌-୧୯ ଯୋଗୁ ଏହି ପୀଠକୁ ଦୁଇ ବର୍ଷ ଧରି ଲୋକଙ୍କ ଗମନାଗମନ ନ ଥିବାରୁ ଚଳିତବର୍ଷ ଅତ୍ୟଧିକ ଶ୍ରଦ୍ଧାଳୁ ଏକ ସମୟରେ ‘ଟି’ ସେତୁରେ ପଶିଯାଇଥିଲେ। ଉଲ୍ଲେଖଯୋଗ୍ୟ, ୨୦ ଡିସେମ୍ବର ୨୦୨୧ରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ଏବଂ ମହାନଦୀ ମଧ୍ୟରେ ଥିବା ସିଂହନାଥ ଦେବ ପୀଠକୁ ସଂଯୋଗ କରୁଥିବା ‘ଟି’ ବ୍ରିଜ୍‌ ଉଦ୍‌ଘାଟିତ ହୋଇଥିଲା। ପୂର୍ବରୁ ଶ୍ରଦ୍ଧାଳୁମାନେ ନଦୀ ମଧ୍ୟ ଦେଇ ଚଲା ବାଟରେ ମନ୍ଦିରକୁ ଯିବାଆସିବା କରୁଥିଲେ। ତେବେ ‘ଟି’ ସେତୁ ନିର୍ମାଣ ପରେ ଗମନାଗମନ କରିବା ସହଜ ହୋଇଥିଲା। ହେଲେ ଏକସମୟରେ ଅତ୍ୟଧିକ ଶ୍ରଦ୍ଧାଳୁ ତାହାକୁ ବ୍ୟବହାର କରିବାରୁ ଦଳାଚକଟା ହେଲା। ମହିଳା ଓ ପିଲାମାନେ ଏହାଦ୍ୱାରା ବେଶି ପ୍ରଭାବିତ ହୋଇଥିବା ଦୃଶ୍ୟ ଗଣମାଧ୍ୟମରୁ ଦେଖିବାକୁ ମିଳିଛି।
ଗତବର୍ଷ ଅକ୍ଟୋବର ୩୦ରେ ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କ ମୃତ୍ୟୁ କଥା ଅନେକଙ୍କ ମନେଥିବ। ସ୍ଥାନୀୟ ପ୍ରଶାସନ ଏତେ ଲୋକଙ୍କୁ ଏକସଙ୍ଗେ ବ୍ରିଜ୍‌ ଉପରେ ଯିବାଲାଗି ଅନୁମତି ଦେବା ଭଳି ଦାୟିତ୍ୱହୀନତା ଯୋଗୁ ବଡ଼ ଅଘଟଣ ଘଟି ଯାଇଥିଲା। ସେହିଭଳି ଭାବେ ‘ଟି’ ବ୍ରିଜ୍‌ ଉପରେ ଭିଡ଼ ନିୟନ୍ତ୍ରଣ କରୁଥିବା ପୋଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ଦେଖିବାକୁ ଗଲେ ଆଜିର ସମୟରେ ‘ଭିଡ଼ ନିୟନ୍ତ୍ରଣ’ ଶବ୍ଦ ପଛୁଆ ଚିନ୍ତାଧାରା ହୋଇଗଲାଣି। ଏବର ଆବଶ୍ୟକତା ହେଉଛି ‘ଭିଡ଼ ପରିଚାଳନା’। ପୋଲିସକୁ ପୂର୍ବଭଳି ଭିଡ଼ ନିୟନ୍ତ୍ରଣ କରିବା ସକାଶେ ପ୍ରଶିକ୍ଷଣ ଦିଆଯାଉଛି। ବାସ୍ତବରେ ସୁରକ୍ଷାବାହିନୀକୁ ଭିଡ଼ ପରିଚାଳନା ଲାଗି ଲୋକଙ୍କ ନିରାପତ୍ତାକୁ କିଭଳି ପ୍ରାଧାନ୍ୟ ଦିଆଯିବା ଉଚିତ, ତାହା ଉପରେ ଗୁରୁତ୍ୱ ଦେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଯଦି ‘ଟି’ ବ୍ରିଜ୍‌କୁ ଦେଖାଯାଏ ପୋଲିସ ଓ ଗୋଇନ୍ଦା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ପ୍ରଥମେ ସେଥିରେ ସମୁଦାୟ କେତେ ଲୋକ ଧରିବାର କ୍ଷମତା ରହିଛି ଓ ମେଳାର ପ୍ରାରମ୍ଭିକ ପର୍ଯ୍ୟାୟରେ କେତେ ଶ୍ରଦ୍ଧାଳୁ ତାହା ଭିତରକୁ ପ୍ରବେଶ କରିଛନ୍ତି, ତାହାର ଆକଳନ କରିବା କଥା। ସେଥିପ୍ରତି ଦୃଷ୍ଟି ଦିଆ ନ ଯାଇ ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା କର୍ମଚାରୀ ‘ଅନ୍ଧାରରେ ବାଡ଼ି ବୁଲାଇବା’ ଭଳି ପଦକ୍ଷେପ ନେବାରୁ ଅତ୍ୟଧିକ ଲୋକ ଯେତେବେଳେ ହୋଇଗଲେ ସେତେବେଳେ ସେମାନଙ୍କ ଅକଲ ଗୁଡୁମ୍‌ ହୋଇଗଲା। ଅନ୍ୟପକ୍ଷେ ଲୋକେ ମଧ୍ୟ ନିଜ ନିରାପତ୍ତାକୁ ନେଇ ସଚେତନ ରହିବା ଦରକାର। ଅତ୍ୟଧିକ ଭିଡ଼ ସ୍ଥାନକୁ ଯାଉଥିବା ବେଳେ ଚାରିଆଡ଼କୁ ନଜର ନ ରଖିଲେ ଅଘଟଣରେ ଫସିଯିବାର ଆଶଙ୍କା ରହିଛି। ଏଭଳି ପ୍ରଚ୍ଛଦପଟରେ ବିପର୍ଯ୍ୟୟ ପରିଚାଳନା ବୈଜ୍ଞାନିକମାନଙ୍କ ସହିତ ପ୍ରଶାସନ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେଇପାରିଲେ ହୁଏତ ଭିଡ଼ଜନିତ ଦୁର୍ଘଟଣାକୁ ଅନେକାଂଶରେ ରୋକାଯାଇପାରନ୍ତା।

 


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri