ଭିଡ଼ ବିପଦ

ଭାରତର ମହାନଗରୀରେ ଟ୍ରାଫିକ୍‌ ଜାମ୍‌ ଓ ଲୋକଙ୍କ ଭିଡ଼ ଅସମ୍ଭାଳ ସ୍ତରରେ ପହଞ୍ଚିଥିବା ବିଷୟରେ ସର୍ବଦା ଆମେ ଦେଖିବାକୁ ପାଉଥିଲୁ। ଏବେ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଜନ ଓ ଯାନ ଭିଡ଼ ଅନେକ ସ୍ଥାନରେ ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି। କୋଭିଡ୍‌-୧୯ ଯୋଗୁ ବିଗତ ଦୁଇବର୍ଷ ଧରି ଲୋକଙ୍କ ଯାତାୟାତ କମିଯାଇଥିଲା। କରୋନାର ପ୍ରାଦୁର୍ଭାବ କମିବା ପରେ ଏବେ ଯାନିଯାତ୍ରା, ମହୋତ୍ସବଗୁଡ଼ିକରେ ଅଧିକ ଉତ୍ସାହ ଦେଖାଦେଇଥିବାରୁ ଭିଡ଼ ବୃଦ୍ଧି ପାଉଛି। ଏପରି କି ଗାଁଗଣ୍ଡାରେ ଥିବା ପୂଜାସ୍ଥଳୀଗୁଡ଼ିକ ଲୋକାରଣ୍ୟ ହୋଇପଡ଼ୁଛି। ପର୍ଯ୍ୟଟନସ୍ଥଳୀ ହେଉ ବା ଧର୍ମପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ରହିଲେ ତାହା ରାଜ୍ୟ ରାଜକୋଷକୁ ସମୃଦ୍ଧ କରିଥାଏ। କିନ୍ତୁ ତାହାକୁ ବ୍ୟବସ୍ଥିତ କରାଯିବା ଦାୟିତ୍ୱ ପୋଲିସ ଓ ପ୍ରଶାସନର ରହିବା ନିତାନ୍ତ ଆବଶ୍ୟକ। ଉତ୍ସବ ବା ମହୋତ୍ସବ ପୂର୍ବରୁ ଲୋକଙ୍କ ଭିଡ଼ କିଭଳି ହେବ ଓ ତାହାକୁ କେଉଁ ପ୍ରକାରରେ ପରିଚାଳନା କରିହେବ, ସେହି ଦିଗରେ ଗୋଇନ୍ଦା ସବିଶେଷ ତଥ୍ୟ ସଂଗ୍ରହ କରିଥାଏ। ସମ୍ଭବତଃ ସେହି ବ୍ୟବସ୍ଥା ବାରମ୍ବାର ବିଫଳ ହେଉଥିବାରୁ ଅନେକ ସ୍ଥାନରେ ଅଘଟଣ କରୁଛି। ୧୪ ଜାନୁୟାରୀ ୨୦୨୩ରେ କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ସିଂହନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଦଳାଚକଟାରେ ମୃତ୍ୟୁ ଓ ଅନେକ ଆହତ ହେବା ଘଟଣା ସଦ୍ୟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛି। ଏହାର ଦିନକ ପରେ ଅର୍ଥାତ୍‌ ୧୫ ଜାନୁୟାରୀରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ କରାଯାଇ ନ ପାରିବାରୁ ୨ ଜଣ ବେହୋସ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟ ପଦାକୁ ଆସିଛି। ସେଠାରେ ବାରିକେଡ୍‌ ବ୍ୟବସ୍ଥା କରାଯାଇ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ତାହା ବ୍ୟବସ୍ଥିତ ହୋଇପାରୁ ନାହିଁ। ଅନେକ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ ବରଂ ଅତ୍ୟଧିକ ପ୍ରଶାସନିକ ହସ୍ତକ୍ଷେପ, ବାରିକେଡ୍‌ ଆଦି ବ୍ୟବସ୍ଥା ଏବଂ ଅଧିକ ପୋଲିସ ନିୟୋଜନ ହୋଇ ପରିସ୍ଥିତି ବିଗିଡ଼ିଲା ଭଳି ମନେହେଉଛି। ପୂର୍ବରୁ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶି ଥିଲେ ମଧ୍ୟ କାହିଁ କେଜାଣି ଦର୍ଶନ ସୁରୁଖୁରୁରେ ହେଉଥିଲା। ଶ୍ରୀମନ୍ଦିରର ସବୁ ଦିଗକୁ ପ୍ରଶାସନ ନିୟନ୍ତ୍ରଣ କରୁଥିବା ବେଳେ ଏହାସବୁ ଶୃଙ୍ଖଳିତ ଭାବେ ହେଉଛି କି ନାହିଁ, ତାହା ସୁନିଶ୍ଚିତ କରାଯିବା ଦରକାର।
ଅନ୍ୟପକ୍ଷେ ସିଂହନାଥ ପୀଠରେ ମକର ମେଳା ସମୟରେ ଅନେକ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କୋଭିଡ୍‌-୧୯ ଯୋଗୁ ଏହି ପୀଠକୁ ଦୁଇ ବର୍ଷ ଧରି ଲୋକଙ୍କ ଗମନାଗମନ ନ ଥିବାରୁ ଚଳିତବର୍ଷ ଅତ୍ୟଧିକ ଶ୍ରଦ୍ଧାଳୁ ଏକ ସମୟରେ ‘ଟି’ ସେତୁରେ ପଶିଯାଇଥିଲେ। ଉଲ୍ଲେଖଯୋଗ୍ୟ, ୨୦ ଡିସେମ୍ବର ୨୦୨୧ରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ଏବଂ ମହାନଦୀ ମଧ୍ୟରେ ଥିବା ସିଂହନାଥ ଦେବ ପୀଠକୁ ସଂଯୋଗ କରୁଥିବା ‘ଟି’ ବ୍ରିଜ୍‌ ଉଦ୍‌ଘାଟିତ ହୋଇଥିଲା। ପୂର୍ବରୁ ଶ୍ରଦ୍ଧାଳୁମାନେ ନଦୀ ମଧ୍ୟ ଦେଇ ଚଲା ବାଟରେ ମନ୍ଦିରକୁ ଯିବାଆସିବା କରୁଥିଲେ। ତେବେ ‘ଟି’ ସେତୁ ନିର୍ମାଣ ପରେ ଗମନାଗମନ କରିବା ସହଜ ହୋଇଥିଲା। ହେଲେ ଏକସମୟରେ ଅତ୍ୟଧିକ ଶ୍ରଦ୍ଧାଳୁ ତାହାକୁ ବ୍ୟବହାର କରିବାରୁ ଦଳାଚକଟା ହେଲା। ମହିଳା ଓ ପିଲାମାନେ ଏହାଦ୍ୱାରା ବେଶି ପ୍ରଭାବିତ ହୋଇଥିବା ଦୃଶ୍ୟ ଗଣମାଧ୍ୟମରୁ ଦେଖିବାକୁ ମିଳିଛି।
ଗତବର୍ଷ ଅକ୍ଟୋବର ୩୦ରେ ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କ ମୃତ୍ୟୁ କଥା ଅନେକଙ୍କ ମନେଥିବ। ସ୍ଥାନୀୟ ପ୍ରଶାସନ ଏତେ ଲୋକଙ୍କୁ ଏକସଙ୍ଗେ ବ୍ରିଜ୍‌ ଉପରେ ଯିବାଲାଗି ଅନୁମତି ଦେବା ଭଳି ଦାୟିତ୍ୱହୀନତା ଯୋଗୁ ବଡ଼ ଅଘଟଣ ଘଟି ଯାଇଥିଲା। ସେହିଭଳି ଭାବେ ‘ଟି’ ବ୍ରିଜ୍‌ ଉପରେ ଭିଡ଼ ନିୟନ୍ତ୍ରଣ କରୁଥିବା ପୋଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ଦେଖିବାକୁ ଗଲେ ଆଜିର ସମୟରେ ‘ଭିଡ଼ ନିୟନ୍ତ୍ରଣ’ ଶବ୍ଦ ପଛୁଆ ଚିନ୍ତାଧାରା ହୋଇଗଲାଣି। ଏବର ଆବଶ୍ୟକତା ହେଉଛି ‘ଭିଡ଼ ପରିଚାଳନା’। ପୋଲିସକୁ ପୂର୍ବଭଳି ଭିଡ଼ ନିୟନ୍ତ୍ରଣ କରିବା ସକାଶେ ପ୍ରଶିକ୍ଷଣ ଦିଆଯାଉଛି। ବାସ୍ତବରେ ସୁରକ୍ଷାବାହିନୀକୁ ଭିଡ଼ ପରିଚାଳନା ଲାଗି ଲୋକଙ୍କ ନିରାପତ୍ତାକୁ କିଭଳି ପ୍ରାଧାନ୍ୟ ଦିଆଯିବା ଉଚିତ, ତାହା ଉପରେ ଗୁରୁତ୍ୱ ଦେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଯଦି ‘ଟି’ ବ୍ରିଜ୍‌କୁ ଦେଖାଯାଏ ପୋଲିସ ଓ ଗୋଇନ୍ଦା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ପ୍ରଥମେ ସେଥିରେ ସମୁଦାୟ କେତେ ଲୋକ ଧରିବାର କ୍ଷମତା ରହିଛି ଓ ମେଳାର ପ୍ରାରମ୍ଭିକ ପର୍ଯ୍ୟାୟରେ କେତେ ଶ୍ରଦ୍ଧାଳୁ ତାହା ଭିତରକୁ ପ୍ରବେଶ କରିଛନ୍ତି, ତାହାର ଆକଳନ କରିବା କଥା। ସେଥିପ୍ରତି ଦୃଷ୍ଟି ଦିଆ ନ ଯାଇ ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା କର୍ମଚାରୀ ‘ଅନ୍ଧାରରେ ବାଡ଼ି ବୁଲାଇବା’ ଭଳି ପଦକ୍ଷେପ ନେବାରୁ ଅତ୍ୟଧିକ ଲୋକ ଯେତେବେଳେ ହୋଇଗଲେ ସେତେବେଳେ ସେମାନଙ୍କ ଅକଲ ଗୁଡୁମ୍‌ ହୋଇଗଲା। ଅନ୍ୟପକ୍ଷେ ଲୋକେ ମଧ୍ୟ ନିଜ ନିରାପତ୍ତାକୁ ନେଇ ସଚେତନ ରହିବା ଦରକାର। ଅତ୍ୟଧିକ ଭିଡ଼ ସ୍ଥାନକୁ ଯାଉଥିବା ବେଳେ ଚାରିଆଡ଼କୁ ନଜର ନ ରଖିଲେ ଅଘଟଣରେ ଫସିଯିବାର ଆଶଙ୍କା ରହିଛି। ଏଭଳି ପ୍ରଚ୍ଛଦପଟରେ ବିପର୍ଯ୍ୟୟ ପରିଚାଳନା ବୈଜ୍ଞାନିକମାନଙ୍କ ସହିତ ପ୍ରଶାସନ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେଇପାରିଲେ ହୁଏତ ଭିଡ଼ଜନିତ ଦୁର୍ଘଟଣାକୁ ଅନେକାଂଶରେ ରୋକାଯାଇପାରନ୍ତା।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri