Posted inଫୁରସତ

ଶିଶୁ ପାଇଁ ପ୍ରଥା

ଶିଶୁଟିଏ ଜନ୍ମ ହେବାପରେ ଘର ହସଖୁସିରେ ପୁରି ଉଠେ। ତା’ର ହସକାନ୍ଦ ଭୁଲେଇ ଦିଏ ସବୁ ଦୁଃଖକଷ୍ଟ। ତେବେ ଜାଣନ୍ତିକି ଶିଶୁ ଜନ୍ମ ହେବାକୁ ନେଇ ବିଭିନ୍ନ ସ୍ଥାନରେ ରହିଛି ନାନା ପ୍ରକାରର ଅଜବ ପ୍ରଥା ଓ ପରମ୍ପରା। ଜାଣନ୍ତୁ ସେ ସମ୍ପର୍କରେ…

ଶିଶୁ କପାଳରେ ବୋଳାଯାଏ କେକ୍‌: ଆୟର୍ଲାଣ୍ଡରେ ଶିଶୁ ଜନ୍ମକୁ ନେଇ ଏକ ଅଜବ ପ୍ରଥା ଅଛି। ଏହି ପ୍ରଥା ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ ପାଳନ କରାଯାଇ ନ ଥାଏ। ନବବିବାହିତ ଦମ୍ପତି ନିଜ ଓ୍ବେଡିଂ କେକ୍‌ରୁ କିଛିକୁ ରଖିଥାନ୍ତି। ପ୍ରଥମ ସନ୍ତାନ ହେବାର କିଛି ଦିନ ପରେ ସେହି କେକ୍‌କୁ ଶିଶୁର କପାଳରେ ଲଗାଯାଏ। ବିଶ୍ୱାସ ରହିଛି ଏଭଳି କଲେ ଶିଶୁର ଭାଗ୍ୟ ଚମକି ଥାଏ ଓ ସେ ଦୀର୍ଘାୟୁ ହୁଏ।

ମା’ଛୁଆ ରୁହନ୍ତି ଅଲଗା: ଚାଇନାର ଅନେକ ସ୍ଥାନରେ ଜୁଓ ୟୁଏଜି ନାମକ ପ୍ରଥା ପାଳନ କରାଯାଏ। ଏଥିରେ ନବଜାତ ଶିଶୁ ଓ ମା’କୁ ଏକ ମାସ ପର୍ଯ୍ୟନ୍ତ ବାହାରକୁ ଯିବାକୁ ଦିଆଯାଏ ନାହିଁ। କାରଣ ଏଠାରେ ବିଶ୍ୱାସ ରହିଛି ଯେ, ନବଜାତ ଶିଶୁ ଓ ମା’ଙ୍କ ରୋଗ ପ୍ରତିଶେଧକ ଶକ୍ତି କମ୍‌ ଥାଏ। ତେଣୁ ବାହାରକୁ ଯିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍‌ ନୁହେଁ। ଆଉ ଏହି ସମୟରେ ମା’ଙ୍କୁ ପ୍ରୋଟିନଯୁକ୍ତ ଖାଦ୍ୟ ଦିଆଯିବା ସହ କମ୍‌ ଗାଧୋଇବା ପାଇଁ କୁହାଯାଏ। ପ୍ରୋଟିନଯୁକ୍ତ ଖାଦ୍ୟ ମା’ଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆଣେ। ଆଉ କମ୍‌ ଗାଧୋଇବା ଦ୍ୱାରା ସନ୍ତାନ ପ୍ରସବ ପାଇଁ ହୋଇଥିବା କ୍ଷତ ଶୀଘ୍ର ସୁଖିଥାଏ।

ପ୍ରଥମ ହସରେ ଉତ୍ସବ: ଆମେରିକାର ଦକ୍ଷିଣପଶ୍ଚିମ ଭାଗରେ ଆମେରିକାର ମୂଳ ନିବାସୀ ନବାଜୋ ସମ୍ପ୍ରଦାୟର ଲୋକ ରୁହନ୍ତି। ଏହି ଲୋକଙ୍କ ମଧ୍ୟରେ ଗୋଟିଏ ପ୍ରଥା ବହୁ ପୁରୁଣା। ଏମାନଙ୍କର ବିଶ୍ୱାସ ରହିଛି ଯେ, ନବଜାତ ଶିଶୁ ଅଧା ସାଂସାରିକ ଦୁନିଆରେ ରହିବାବେଳେ ଅଧା ଆତ୍ମା ଦୁନିଆରେ ରୁହନ୍ତି। ତେବେ ପ୍ରଥମକରି ଯେବେ ଶିଶୁ ଖିଲି ଖିଲି ହୋଇ ହସେ, ତାହା ସଙ୍କେତ ଦିଏ କି ଶିଶୁଟି ପୁରାପୁରି ଏ ଦୁନିଆର ହୋଇଗଲା। ତେଣୁ ଶିଶୁର ପ୍ରଥମ ହସ ପାଇଁ ଏମାନେ ଉତ୍ସବ ପାଳନ କରନ୍ତି। ଯିଏ ଶିଶୁକୁ ପ୍ରଥମେ ହସାଏ ତାକୁ ହିଁ ଉତ୍ସବ ଆୟୋଜନ ପାଇଁ ଅର୍ଥ ଦେବାକୁ ପଡେ।

ଶିଶୁ ଉପରେ ପକାନ୍ତି ଛେପ: ମୈରିଟାନିଆରେ ରହୁଥିବା ଓ୍ବୋଲୋଫ ସମ୍ପ୍ରଦାୟର ଲୋକମାନେ ଶିଶୁ ଜନ୍ମ ହେବା ପରେ ତା’ ଉପରେ ଛେପ ପକାନ୍ତି। ଏହାକୁ ଏଠାରେ ଅପମାନ ଭାବେ ନୁହେଁ ବରଂ ଆଶୀର୍ବାଦ ଭାବେ ବିବେଚନା କରାଯାଏ। ଏଠାକାର ବିଶ୍ୱାସ ରହିଛି ଯେ, ମଣିଷ କହୁଥିବା ଶବ୍ଦ ତା’ର ଛେପ ସହିତ ଜଡିତ। କଥା କହିଦେବା ପରେ ଶବ୍ଦଗୁଡିକ ବାହାରକୁ ଆସୁଥିବା ଛେପରେ ରହିଥାଏ। ତେଣୁ ଶିଶୁ ଜନ୍ମ ହେବା ପରେ ଏଠାକାର ଲୋକ ଆଶୀର୍ବାଦ ଦେବା ସହ ଛେପ ପକାନ୍ତି। ଯାହାଦ୍ୱାରା କି ସେହି ଆଶୀର୍ବାଦ ସବୁ ଛେପ ସହ ଶିଶୁ ଦେହରେ ଲାଗି ରହିବ। ବେଳେବେଳେ ତ ମା’ବାପା ସେହି ଛେପକୁ ଶିଶୁର ପୁରା ଶରୀରରେ ଲେପି ଦିଅନ୍ତି।

ଶିଶୁକୁ ଭୂମି ସ୍ପର୍ଶ କରାଯାଏନା : ବାଳୀରେ ଶିଶୁ ଜନ୍ମ ହେବାର ତିନି ମାସ ପର୍ଯ୍ୟନ୍ତ ତାକୁ ଭୂମି ଉପରେ ରଖାଯାଏ ନାହିଁ। ଏଠାରେ ବିଶ୍ୱାସ ରହିଛି ଯେ, ଶିଶୁ ହେଉଛନ୍ତି ସବୁଠାରୁ ଶୁଦ୍ଧ ଓ ପବିତ୍ର। ଆଉ ଭୂମି ଅଶୁଦ୍ଧ। ତେଣୁ ଶିଶୁକୁ ଭୂମି ଉପରେ ରଖିଲେ ଶିଶୁଙ୍କ ଶୁଦ୍ଧତା ଭଙ୍ଗ ହେଇଯିବ। ଶିଶୁ ୩ ମାସର ହେବା ପରେ ଏକ ଉତ୍ସବ ପାଳନ କରାଯାଏ। ଏହି ଉତ୍ସବ ପରେ ଶିଶୁକୁ ପ୍ରଥମ ଥର ଭୂମି ସ୍ପର୍ଶ କରାଯାଏ।

ପ୍ଲାସେଣ୍ଟା ଖାଇବା ପ୍ରଥା: ଗର୍ଭ ଭିତରେ ଥିବାବେଳେ ପ୍ଲାସେଣ୍ଟା ମାଧ୍ୟମରେ ଶିଶୁ ପୋଷଣ ପାଏ ଓ ସୁରକ୍ଷିତ ରହେ। ତେବେ ଜାଣନ୍ତି କି ଜମାଇକା, ଚାଇନା ଭଳି କିଛି ସ୍ଥାନରେ ଶିଶୁ ଜନ୍ମ ହେବାପରେ ପ୍ଲାସେଣ୍ଟା ଖାଇବାର ପ୍ରଥା ରହିଛି। ପୂର୍ବରେ ଥିବା କିଛି ଦେଶରେ ବିଶ୍ୱାସ କରାଯାଏ ଯେ,ପ୍ଲାସେଣ୍ଟା ଖାଇଲେ ଆଧ୍ୟାତ୍ମିକ ଲାଭ ହୁଏ। ଅନ୍ୟପକ୍ଷେ ପଶ୍ଚିମରେ ଥିବା କିଛି ଦେଶରେ ବିଶ୍ୱାସ ରହିଛି, ପ୍ଲାସେଣ୍ଟାକୁ ମା’ ଖାଇଲେ ତାଙ୍କୁ ଲାଭକାରୀ ହରମୋନ ଓ ପୋଷକତତ୍ତ୍ୱ ମିଳେ। କିନ୍ତୁ ନାଇଜେରିଆ ଓ ଘାନାରେ ପ୍ଲାସେଣ୍ଟାକୁ ପବିତ୍ର ମନେ କରନ୍ତି। ସେମାନଙ୍କର ବିଶ୍ୱାସ ଯେ, ପ୍ଲାସେଣ୍ଟା ହେଉଛି ନବଜାତ ଶିଶୁର ଯମଜ ରୂପ। ଯିଏକି ଜନ୍ମ ହେବା ପରେ ପରେ ମରିଯାଏ। ତେଣୁ ତାକୁ ବେଶ୍‌ ଆଦରର ସହ ପୋତି ଦିଆଯାଏ। ଖାସ୍‌କରି ଏହାକୁ ଗଛମୂଳରେ ପୋତାଯାଏ।

ପ୍ରସବ ଯନ୍ତ୍ରଣା ଶୁଭ: ଜାପାନରେ ପ୍ରସବଜନିତ ଯନ୍ତ୍ରଣାକୁ ଶୁଭ ଭାବେ ବିବେଚନା କରାଯାଏ। ଯେଉଁ ମହିଳା ଯେତେ ଅଧିକ ଯନ୍ତ୍ରଣା ସହିପାରନ୍ତି ସେ ସେତେଭଲ ମା’ହେଇପାରିବେ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?