ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା ବାରହା ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ବାରହାଟି ହଠାତ୍ ଆକ୍ରମଣ କରିବାରୁ ଗୋପାଳ ରକ୍ତାକ୍ତ ହୋଇ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବିକାଶ ଦିଗାଲ, ବୁଦ୍ଧିଆ ଗଣ୍ଡା ଓ କୈଳାସ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ଖଜୁରୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ, ବାରହା ଭଳି ହିଂସ୍ର ଜଙ୍ଗଲୀ ଜନ୍ତୁକୁ ଗ୍ରାମବାସୀ କିପରି ବେଆଇନ ଭାବେ ଘରେ ପୋଷି ରଖୁଛନ୍ତି, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ ଜଙ୍ଗଲୀ ଜନ୍ତୁଙ୍କୁ ଘରେ ରଖିବା ନିଷେଧ ଥିବା ବେଳେ ବନ ବିଭାଗର ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ସମ୍ପର୍କରେ ଫୁଲବାଣୀ ରେଞ୍ଜର ଆଶାଲତା ଦିଗାଲ କହିଛନ୍ତି ଯେ, ସମ୍ପୃକ୍ତ ଫରେଷ୍ଟରଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ତଦନ୍ତ ରିପୋର୍ଟ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷରେ, ଆହତ ଗୋପାଳଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ସହ ବେଆଇନ ଭାବେ ରଖାଯାଇଥିବା ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

