ସରକାର ନୁହେଁ, ଅଦାଲତ ଭରସା

ନୂଆଦିଲ୍ଲୀ,୧ା୫: ନୋଭେଲ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭାରତକୁ ଆଣିଛି ମହାବିପତ୍ତି। ୧୦ରୁ ଊର୍ଦ୍ଧ୍ୱ ରାଜ୍ୟରେ ଅଣାୟତ୍ତ ସ୍ଥିତି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ହସ୍ପିଟାଲରେ ଶଯ୍ୟାଠୁ ନେଇ ଅକ୍ସିଜେନ, ରେମ୍‌ଡେସିଭିର ଭଳି ଜରୁରୀ ଇଞ୍ଜେକ୍ସନ ଓ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ କଳାବଜାରକୁ ପ୍ରୋତ୍ସାହନ ଦେଇଛି। ସଂକ୍ରମିତ ପରିଜନଙ୍କୁ ବଞ୍ଚାଇବା ପାଇଁ ସମ୍ପର୍କୀୟମାନେ ବହୁଗୁଣା ଅଧିକ ମୂଲ୍ୟ ଦେଇ ଜରୁରୀ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି। ତଥାପି ଦେଶରେ ଦୈନିକ ୩ ହଜାରରୁ ଅଧିକ ରୋଗୀଙ୍କ ଜୀବନ ଯାଉଛି। ଏପରି କି ଶ୍ମଶାନରେ ବି ସେମାନଙ୍କୁ ଜାଗା ମିଳୁନାହିଁ। କେନ୍ଦ୍ର ସମେତ ରାଜ୍ୟ ସରକାରମାନେ ହାତ ଟେକିଦେଇ ବସିଯାଇଛନ୍ତି। କେନ୍ଦ୍ରୀୟ ଅପାରଗତା ଓ ପ୍ରଶାସନିକ ବିଫଳତା ଯୋଗୁ ନାହିଁ ନାହିଁରେ ଭୁଶୁଡ଼ିପଡ଼ିଛି ତମାମ ବ୍ୟବସ୍ଥା। ଏଭଳି ସମୟରେ ନାଗରିକଙ୍କୁ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ସୁନିଶ୍ଚିତ କରିବା ପାଇଁ ଆଗେଇ ଆସିଛି ନ୍ୟାୟପାଳିକା। ବିଶେଷକରି ବିଭିନ୍ନ ରାଜ୍ୟର ହାଇକୋର୍ଟ ତତ୍ପର ହୋଇ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥିତି ସୁଧାରିବା ପାଇଁ ସରକାରମାନଙ୍କୁ ତାଗିଦ ସହ ଭର୍ତ୍ସନା କରିଛନ୍ତି। ତଥାପି ସ୍ଥିତିରେ ଆଦୌ ସୁଧାର ଆସୁ ନ ଥିବା ଦେଖି ଅଦାଲତଗୁଡ଼ିକ ନିଜ ଆଡ଼ୁ ମାମଲା ରୁଜୁ କରି ବୃହତ୍‌ ଜନସ୍ବାର୍ଥରେ ଶାସନ ବ୍ୟବସ୍ଥାକୁ ହାତକୁ ନେବାରେ ଲାଗିଛନ୍ତି।
ଇସି ହତ୍ୟାକାରୀ:
ମାଡ୍ରାସ୍‌ ହାଇକୋର୍ଟ
ନିର୍ବାଚନ ଆୟୋଗ କୋଭିଡ୍‌-୧୯ ସଂକ୍ରମଣ ବିସ୍ତାର କରିଛନ୍ତି। ତେଣୁ କମିଶନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ଉଚିତ ବୋଲି ଏପ୍ରିଲ ୨୬ରେ ମାଡ୍ରାସ୍‌ ହାଇକୋର୍ଟ ଭର୍ତ୍ସନା କରିଥିଲେ। ଏହାସହ ଦାୟିତ୍ୱହୀନତା ପାଇଁ ନିର୍ବାଚନ କମିଶନଙ୍କୁ ହତ୍ୟାକାରୀ ଅଭିହିତ କରିଥିଲେ। ଆୟୋଗ ଏକ ବ୍ଲ୍ୟୁପ୍ରିଣ୍ଟ ନେଇ ନ ଆସିଲେ ଭୋଟ ଗଣତିକୁ ବନ୍ଦ କରିଦିଆଯିବ ବୋଲି ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ୍‌ ସେନ୍ଥିଲକୁମାର ରାମାମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଚେତାବନୀ ଦେବା ପରେ ଇସି ବିଜୟୀ ପ୍ରାର୍ଥୀଙ୍କ ଶୋଭାଯାତ୍ରା ଉପରେ କଟକଣା ଜାରି କରିଛନ୍ତି। ଏହାସହ ଗଣତି କେନ୍ଦ୍ରକୁ ଯିବା ପାଇଁ ପ୍ରାର୍ଥୀ ଓ ତାଙ୍କ ଏଜେଣ୍ଟଙ୍କୁ ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ନେଇ ଯିବାକୁ ପଡ଼ିବ ବୋଲି ଇସି ନିର୍ଦ୍ଦେଶ ଦେଇଛନ୍ତି।

ଲୋକଙ୍କ ଜୀବନ ରକ୍ଷାରେ ରାଷ୍ଟ୍ର ବିଫଳ: ଦିଲ୍ଲୀ ହାଇକୋର୍ଟ
ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ ନାଗରିକମାନଙ୍କ ଜୀବନ ରକ୍ଷା ରାଷ୍ଟ୍ରର କର୍ତ୍ତବ୍ୟ। କିନ୍ତୁ ଏଥିରେ ରାଷ୍ଟ୍ର ବିଫଳ ହୋଇଛି। ଲୋକଙ୍କ ଜୀବନ ରକ୍ଷା କରିପାରୁ ନାହିଁ ବୋଲି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ କୋଭିଡ୍‌ ରୋଗୀ ୩ ଦିନ ହେଲା ଆଇସିୟୁ ବେଡ୍‌ ପାଇଁ ନୟାନ୍ତ ହେବା ପରେ ତାଙ୍କ ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ଜଷ୍ଟିସ୍‌ ବିପିନ ସାଙ୍ଘି ଓ ରେଖା ପାଲ୍ଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶର ଅସହାୟ ଅବସ୍ଥାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ରାଜ୍ୟକୁ ଚାହିଦା ତୁଳନାରେ ଅଧିକ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଥିବାବେଳେ ଜାତୀୟ ରାଜଧାନୀ ଦିଲ୍ଲୀକୁ ଆବଶ୍ୟକ ପରିମାଣଠାରୁ କମ୍‌ ଦିଆଯାଇଥିବାରୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି।

ସରକାର ଗୋଲାପୀ ଚିତ୍ର ଦେଖାଉଛନ୍ତି: ଗୁଜରାଟ ହାଇକୋର୍ଟ
ରାଜ୍ୟରେ ଭୂତାଣୁ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ହାଇକୋର୍ଟ ନିଜ ଆଡ଼ୁ ଏକ ପିଆଇଏଲ୍‌ ରୁଜୁ କରିଛନ୍ତି। କହିଛନ୍ତି, ରାଜ୍ୟ ସରକାର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣୁନାହାନ୍ତି। ସରକାରଙ୍କ ସତ୍ୟପାଠ ଗୋଲାପୀ ଚିତ୍ର ଦେଖାଉଛି। ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ମିଳୁନି। ଲୋକେ ଅମ୍ଳଜାନ ନ ପାଇ ମରୁଥିବାବେଳେ ତାଙ୍କ ସମ୍ପର୍କୀୟ ସିଲିଣ୍ଡର ପିଛା ୧୦ ଗୁଣା ଅଧିକ ଟଙ୍କା ଗଣୁଛନ୍ତି। ସରକାର କ’ଣ କରୁଛନ୍ତି ବୋଲି ମୁଖ୍ୟ ବିଚାରପତି ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ମୁକ ହୋଇ ରହିହେବ ନାହିଁ:
ବମ୍ବେ ହାଇକୋର୍ଟ
କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ଲାଗି ବ୍ୟବହାର ହେଉଥିବା ରେମ୍‌ଡେସିଭିର ଇଞ୍ଜେକ୍ସନର କଳାବଜାରକୁ ନେଇ ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଗୁରୁବାର ନିଜ ଆଡ଼ୁ ଏକ ଆପରାଧିକ ମାମଲା ଦାଏର କରିଛନ୍ତି। ଜଣେ ଡାକ୍ତରଙ୍କ ସମେତ ୩୨ ଜଣଙ୍କ ବିରୋଧରେ କଳାବଜାର ପାଇଁ ମାମଲା ରୁଜୁ କରାଯାଇଥିବା ସମ୍ପର୍କରେ ଏକ ସ୍ଥାନୀୟ ଖବରକାଗଜରେ ଏପ୍ରିଲ ୨୮ରେ ପ୍ରକାଶିତ ରିପୋର୍ଟ ପ୍ରକାଶ ପାଇଥିଲା। ଏଭଳି ସ୍ଥିତିରେ କୋର୍ଟ ନୀରବଦ୍ରଷ୍ଟା ସାଜି ବସିରହିବେ ନାହିଁ ବୋଲି ଜଷ୍ଟିସ୍‌ ଜେଡ୍‌.ଏ. ହକ୍‌ ଏବଂ ଅମିତ୍‌ ବି. ବେରକାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ମେ’ ୪ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।

୨ ଭାକ୍ସିନ ଦାମ୍‌ ଅଲଗା କାହିଁକି: ରାଜସ୍ଥାନ ହାଇକୋର୍ଟ
ଦୁଇ ଫାର୍ମା କମ୍ପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର କୋଭିଶିଲ୍ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକା ମୂଲ୍ୟ କାହିଁକି ଭିନ୍ନ ବୋଲି ରାଜସ୍ଥାନ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଖବରଦାତା ମୁକେଶ ଶର୍ମାଙ୍କ ପକ୍ଷରୁ ଦାଏର ଏକ ପିଆଇଏଲ୍‌ର ଶୁଣାଣି କରି ଜଷ୍ଟିସ୍‌ ସବିନାଙ୍କ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

୮ ପର୍ଯ୍ୟାୟ ନିର୍ବାଚନ କାହିଁକି: କଲିକତା ହାଇକୋର୍ଟ
ଦେଶରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଥିବାବେଳେ ସରକାର ଓ ନିର୍ବାଚନ କମିଶନ(ଇସି)ଙ୍କୁ ଦାୟୀ କରି ସର୍ବାଧିକ ଚର୍ଚ୍ଚାରେ ରହିଛନ୍ତି ମାଡ୍ରାସ, କଲିକତା ଓ ଦିଲ୍ଲୀ ହାଇକୋର୍ଟ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ହଜାର ହଜାର ଜୀବନ ଯାଉଛି। ଏଭଳି ସମୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ୮ ପର୍ଯ୍ୟାୟରେ କରାଯିବାକୁ ନେଇ କଲିକତା ହାଇକୋର୍ଟ ଏପ୍ରିଲ ୨୨ରେ ଇସିଙ୍କୁ ଭର୍ତ୍ସନା କରିଥିଲେ। ମୁଖ୍ୟ ବିଚାରପତି ଟିବିଏନ୍‌ ରାଧାକ୍ରିଷ୍ଣନ୍‌ ଓ ଜଷ୍ଟିସ୍‌ ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମେ’ ୨ରେ ହେବାକୁ ଥିବା ଭୋଟ ଗଣତି ବେଳେ ଗହଳି ଏଡ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟୀ ପ୍ରାର୍ଥୀ ଇସିଙ୍କ ନିକଟକୁ ବିଜୟ ପ୍ରମାଣପତ୍ର ଆଣିବାକୁ ଯିବାବେଳେ ତାଙ୍କ ସହ ସର୍ବାଧିକ ୨ ଜଣ ସମର୍ଥକ ଯାଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ବେଳେ କରୋନା ଭାଇରସ୍‌ ଗାଇଡ୍‌ଲାଇନ୍‌କୁ କାର୍ଯ୍ୟକାରୀ କରାଇବାରେ ଇସି ବିଫଳ ହୋଇଥିବା ଦର୍ଶାଇ ଦାଏର ଏକାଧିକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ଏପ୍ରିଲ ୨୭ରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଫଳାଫଳ ଆସିବା ପରେ କୌଣସି ବିଜୟୀ ପ୍ରାର୍ଥୀ ଶୋଭାଯାତ୍ରା କରିପାରିବେ ନାହିଁ ବୋଲି ହାଇକୋର୍ଟ କଡ଼ା କଟକଣା ଜାରି କରିଛନ୍ତି। ମେ’ ୩ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।

‘କେନ୍ଦ୍ରର ଅଘୋଷିତ ସହଯୋଗୀ ଇସି’
ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ୮୨୪ ନିର୍ବାଚନମଣ୍ଡଳୀରେ ହାଇଭୋଲ୍ଟେଜ ପ୍ରଚାର ଦେଶରେ କରୋନା ସ୍ଥିତିକୁ ସଙ୍ଗିନ କରିଛି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଅଧିକ କ୍ଷମତା ଲୋଭରେ ଦେଶ ପ୍ରତି ଥିବା ଉତ୍ତରଦାୟିତ୍ୱକୁ ଭୁଲିଗଲେ। ଦୈନିକ ୩ ହଜାର ଲୋକ କୋଭିଡ୍‌-୧୯ ଭୂତାଣୁରେ ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିବାବେଳେ ମଧ୍ୟ ଏହି ଦୁଇ ଭାଜପା ନେତା ତୋଫାନୀ ପ୍ରଚାର ଚଳାଇଥିଲେ। ନିର୍ବାଚନ କମିଶନ ମଧ୍ୟ ଭାଜପାର ଅଘୋଷିତ ସହଯୋଗୀ ରୂପେ କାର୍ଯ୍ୟ କରି ନିଜ ସାମ୍ବିଧାନିକ ଉତ୍ତରଦାୟିତ୍ୱକୁ ନିଭାଇଲେ ନାହିଁ ବୋଲି ତୃଣମୂଳ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଛନ୍ତି। କଲିକତା ଓ ମାଡ୍ରାସ୍‌ ହାଇକୋର୍ଟଙ୍କ କଡ଼ା ଭର୍ତ୍ସନା ପରେ ନିର୍ବାଚନ ଆୟୋଗ କିଛି ମାତ୍ରାରେ ଚେତିଲେ। କିନ୍ତୁ ବହୁ ବିଳମ୍ବ ହୋଇଗଲା। ଦେଶରେ ଗୁରୁବାର ୩,୪୯୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଉତ୍ତରପ୍ରଦେଶରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ଲାଗି ଧାଡ଼ିରେ ଛିଡ଼ାହୋଇଥିଲେ ୨ କୋଟି ୨୫ ଲକ୍ଷ ମତଦାତା। କେବଳ ଏହି ଦିନ ରାଜ୍ୟରେ ୩୩୨ ଜଣଙ୍କ ମୃତ୍ୟୁ ଘଟିଥିବା ଯୋଗୀ ଆଦିତ୍ୟନାଥ ସରକାର ମାନିଥିବାବେଳେ ପ୍ରକୃତ ସଂଖ୍ୟା ଢେର ଅଧିକ। ସୁପ୍ରିମକୋର୍ଟ ଶୁକ୍ରବାର ଏନେଇ ୟୁପି ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନୋଟିସ କରିଛନ୍ତି। ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶନିବାର ଏହାର ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri