‘ଦି ଆଟ୍‌ଲାଣ୍ଟିକ୍‌’ର ସାମ୍ବାଦିକା

ବବି ମ୍ୟାକ୍‌ଲାଭାଇନ୍‌ ଦେଖିବାକୁ ଥିଲେ ସୁନ୍ଦର ଓ ଉଚ୍ଚାକାଂକ୍ଷୀ ଯୁବକ। ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ରେ ଏକ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ। ଆତଙ୍କବାଦୀ ଆକ୍ରମଣରେ ଅନେକ ହଜାର ବ୍ୟକ୍ତିଙ୍କ ଭଳି ବବିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗତବର୍ଷ ୯/୧୧ ଆକ୍ରମଣକୁ ଦୁଇ ଦଶନ୍ଧି ପୂରଣ ହୋଇଥିଲା। ଆମେରିକାର ଅନ୍ୟତମ ପ୍ରସିଦ୍ଧ ପତ୍ରିକା ‘ଦି ଆଟ୍‌ଲାଣ୍ଟିକ୍‌’ର ଫିଚର ରାଇଟର ଜେନିଫର ସିନିୟର ସେହି ଉଦୀୟମାନ ଯୁବକ ବବିଙ୍କ ବିଷୟରେ ବହୁତ କଥା ଜାଣିବାକୁ ପାଇଥିଲେ। ବବିଙ୍କୁ କେନ୍ଦ୍ରରେ ରଖି ପରିବାର ସଂକ୍ରାନ୍ତରେ ଲେଖା ପ୍ରସ୍ତୁତ କରିବାରେ ଲାଗିପଡ଼ିଥିଲେ। ପରିବାରବର୍ଗରେ ବବିଙ୍କୁ ନେଇ ଥିଲା ଅନେକ ସ୍ବପ୍ନ। ତାଙ୍କର ଏକ ପ୍ରେମ କାହାଣୀ ଥିଲା। ସବୁ ଜାଣିବା ପରେ ଜେନିଫର ତାଙ୍କ ମାତାପିତା, ବନ୍ଧୁ, ସେତବେଳର ପ୍ରେମିକାଙ୍କୁ ଭେଟିଥିଲେ। ଘଟଣାକ୍ରମକୁ ଏକତ୍ର କରି ୨୦ ବର୍ଷ ତଳୁ ପରିବାର ସହିଥିବା କ୍ଷତିକୁ ସେ ଫିଚର ଆକାରରେ ଚିତ୍ରଣ କରିଥିଲେ ଏବଂ ତାହା ସେପ୍ଟେମ୍ବର ୨୦୨୧ରେ ‘ଦି ଆଟ୍‌ଲାଣ୍ଟିକ୍‌’ର କଭର ଷ୍ଟୋରି ହୋଇଥିଲା। ଘଟଣାକୁ ନେଇ ତଥ୍ୟ ଓ ଚିତ୍ର ସଂଗ୍ରହ କରିବା ପରେ ତାଙ୍କ ବର୍ଣ୍ଣନା ଶୈଳୀ ଉକ୍ତ ଫିଚରକୁ ଏଭଳି ଜୀବନ୍ତ କରିଦେଇଥିଲା ଯେ, ତାହା ତାଙ୍କୁ ୨୦୨୨ ଲାଗି ଫିଚର ବର୍ଗରେ ପୁଲିଜର ପୁରସ୍କାର ଆଣିଦେଇଛି। ଉଲ୍ଲେଖଯୋଗ୍ୟ, ଖବରକାଗଜ ପ୍ରକାଶକ ଯୋଶେଫ୍‌ ପୁଲିଜରଙ୍କ ଉଇଲ୍‌ ଅନୁଯାୟୀ ୧୯୧୭ରେ ‘ପୁଲିଜର ପୁରସ୍କାର’ ପ୍ରତିଷ୍ଠା କରାଯାଇଥିଲା। ପ୍ରତିବର୍ଷ ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ସାମ୍ବାଦିକତାରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ସମେତ ସାହିତି୍ୟକ ଓ ସଙ୍ଗୀତକାରମାନଙ୍କୁ ଏହା ପ୍ରଦାନ କରାଯାଇଆସୁଛି। ଭାରତ ପରିପ୍ରେକ୍ଷୀରେ ଦେଖିଲେ ଚଳିତବର୍ଷ ପରଲୋକଗତ ଫଟୋ ଜର୍ନାଲିଷ୍ଟ ଡାନିସ୍‌ ସିଦ୍ଦିକ୍‌ଙ୍କ ସହ ୪ ଭାରତୀୟଙ୍କୁ ଫିଚର ଫଟୋଗ୍ରାଫି ବର୍ଗରେ ସମ୍ମାନିତ କରାଯାଇଛି। ତାଙ୍କ ଅନ୍ୟ ସହକର୍ମୀମାନେ ହେଲେ ଆଦନାନ ଆବିଦି, ସନ୍ନା ଇର୍ଶାଦ ମାଟ୍ଟୁ ଓ ଅମିତ୍‌ ଡାଭେ। ଏମାନେ ରଏଟର୍ସ ନ୍ୟୁଜ୍‌ ଏଜେନ୍ସି ଲାଗି କାର୍ଯ୍ୟ କରି ଏଭଳି ସମ୍ମାନଜନକ ପୁରସ୍କାର ପାଇବାକୁ ହକ୍‌ଦାର ହୋଇଛନ୍ତି। ତେବେ ଫିଚର ବର୍ଗରେ ଜେନିଫର ୨୦ ବର୍ଷ ତଳର ଏକ ଘଟଣାକୁ ଯେଭଳି ଢଙ୍ଗରେ ଚିତ୍ରଣ କରିଛନ୍ତି, ଏବେ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ନୂଆ ପିଢ଼ିର ସାମ୍ବାଦିକମାନେ ଜାଣିବା ଦରକାର।
ଜେନିଫର ଆମେରିକାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୫୨ ବର୍ଷ। ସେ ଏବେ ନ୍ୟୁୟର୍କର ବ୍ରୁକ୍‌ଲିନ୍‌ରେ ସ୍ବାମୀ ଓ ପୁଅ ସହ ରହୁଛନ୍ତି। ହାଇସ୍କୁଲରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜେନିଫର ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଛନ୍ତି। ଲେଖାରେ ରୁଚି ଥିବାରୁ ସେ ପ୍ରଥମେ ‘ନ୍ୟୁୟର୍କ ମାଗାଜିନ୍‌’ରେ ଷ୍ଟାଫ୍‌ ରାଇଟର ଭାବେ ଯୋଗଦେଇଥିଲେ। ସେଥିରେ ସେ ୧୮ ବର୍ଷ କାର୍ଯ୍ୟ କରିଥିଲେ। ସେହି ସମୟରେ ରାଜନୀତି, ସମାଜ ବିଜ୍ଞାନ ଓ ମାନସିକ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସେ ଅନେକ ଲେଖିଛନ୍ତି। ତାଙ୍କ ଲେଖା ଉଚ୍ଚକୋଟୀର ହେବାରୁ ‘ନ୍ୟୁୟର୍କ ଟାଇମ୍ସ’ରେ ସେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ପ୍ରଥମେ ତାଙ୍କୁ ପୁସ୍ତକ ସମୀକ୍ଷକ ଦାୟିତ୍ୱ ମିଳିଥିଲା। ପରେ ଓପିନିୟନ୍‌ ପୃଷ୍ଠାରେ ସ୍ତମ୍ଭକାର ଭୂମିକା ନିର୍ବାହ କରିଥିଲେ। ସେଠାରେ ପାଞ୍ଚ ବର୍ଷିଆ ଚୁକ୍ତି ଶେଷ ହେବା ପରେ ସେ ‘ଦି ଆଟ୍‌ଲାଣ୍ଟିକ୍‌’କୁ ଚାଲିଯାଇଥିଲେ। ସେବେଠାରୁ ସେଥିରେ ଷ୍ଟାଫ୍‌ ରାଇଟର ଭାବେ ରହିଆସିଛନ୍ତି। ଏନ୍‌ପିଆର୍‌ କାର୍ଯ୍ୟକ୍ରମରେ ଅତିଥି ହେବା ସହିତ ମର୍ନିଂ ଜୋ, ଓ୍ବାଶିଂଟନ ଜର୍ନାଲ ଉଇଥ୍‌ ବ୍ରିଏନ୍‌ ଲାମ୍ବ, ଆଣ୍ଡରସନ୍‌ କୁପର ୩୬୦, ଗୁଡ୍‌ମର୍ନିଂ ଆମେରିକା, ଟୁଡେ ଏବଂ ଦି କ୍ରିସ୍‌ ମାଥ୍ୟୁଜ୍‌ ଆଦି ଟେଲିଭିଜନ କାର୍ଯ୍ୟକ୍ରମରେ ସେ ନିୟମିତ ଆସିଥାଆନ୍ତି।
ସାମ୍ବାଦିକତାରେ ଜେନିଫର କ୍ୟାରିୟର କରିଥିଲେ ମଧ୍ୟ ଜଣେ ଜଣାଶୁଣା ଲେଖିକା ଭାବେ ସୁପରିଚିତ। ୨୦୧୪ ମସିହାରେ ତାଙ୍କ ରଚିତ ପୁସ୍ତକ ‘ଅଲ୍‌ ଜଏ ଆଣ୍ଡ୍‌ ନୋ ଫନ୍‌: ଦି ପାରାଡକ୍ସ ଅଫ୍‌ ମଡର୍ନ ପ୍ୟାରେଣ୍ଟ୍‌ହୁଡ୍‌’ ନ୍ୟୁୟର୍କ ଟାଇମ୍ସ ବେଷ୍ଟ ସେଲର ତାଲିକାରେ ଆଠ ସପ୍ତାହ ଶ୍ରେଷ୍ଠ ବହି ଭାବେ ସ୍ଥାନ ପାଇ ପାଠକୀୟ ଆଦୃତି ପାଇଥିଲା। ଏପରି କି ଏହା ୧୨ଟି ଭାଷାରେ ଅନୂଦିତ ହୋଇଛି। ଏଥିସହିତ ସେ ସିଡ୍‌ନୀ ଅପେରା ହାଉସ୍‌ ଏବଂ ଆମେରିକାର ମିଡିଆ ସଙ୍ଗଠନ ଟିଇଡି(ଟେକ୍ନୋଲଜି, ଏଣ୍ଟରଟେନ୍‌ମେଣ୍ଟ, ଡିଜାଇନ୍‌)ରେ ବକ୍ତା ହେବାର ଗୌରବ ଅର୍ଜନ କରିଛନ୍ତି। ଛାପା ଓ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ସହ ମଞ୍ଚରେ ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରିଥିବା ଜେନିଫର ସିନିୟରଙ୍କ ପ୍ରତିଟି କାର୍ଯ୍ୟ ଜୁନିୟର(କନିଷ୍ଠ) ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ସ୍ବାଭାବିକ।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri