କରୋନାର ଲେଉଟାଣି

ମାୟାଧର ନାୟକ

ପୁଣି କରୋନାର କରାଳ ରୂପ ଚାଇନା, ଆମେରିକା, ଜାପାନ, କୋରିଆ ପ୍ରମୁଖ ଦେଶକୁ ଲେଉଟାଣି ବିଶ୍ୱବାସୀଙ୍କ ଚିନ୍ତାର କାରଣ ପାଲଟିଯାଇଛି। ୨୦୧୯ରୁ ଆଜିପର୍ଯ୍ୟନ୍ତ କରୋନାର କାଳବଳୟରେ ସମଗ୍ର ବିଶ୍ୱ ଜ୍ୱଳନ୍ତ ଜତୁଗୃହ। ଯେଉଁଠି ଚାହିଁଲେ କେବଳ ନୈରାଶ୍ୟ, ଆତଙ୍କର ଅପଛାୟା, ସ୍ବପ୍ନଭଙ୍ଗର କରୁଣ କ୍ରନ୍ଦନ। ହଠାତ୍‌ ଏକ ଅଦୃଶ୍ୟ ଭୂତାଣୁର ଆକ୍ରମଣରେ କୋକୁଆ ଭୟ ଦେଖାଦେଇଛି। ଏହି ଭୂତାଣୁକୁ ରୋକିବା ପାଇଁ କୌଣସି ଦେଶ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି। ସମଗ୍ର ଜୀବଜଗତ ଭବିଷ୍ୟତରେ କିଭଳି କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି ତାହା ଏବେଠୁ କଳନା କରିବା କଷ୍ଟକର।
ଏବେ କେତେକ ବୈଜ୍ଞାନିକ କହୁଛନ୍ତି, କରୋନା ସହିତ ଅନ୍ୟ ଅଦୃଶ୍ୟ ଭୂତାଣୁଗୁଡ଼ିକ ମାଡ଼ିଆସିଲେଣି। ସମଗ୍ର ବିଶ୍ୱରେ ଅଶୀ କୋଟିରୁ ଅଧିକ ମଣିଷ ଲୋପ ପାଇବେ! ଏ ତ ଭବିଷ୍ୟତ ବାଣୀ – ଅଶୀ କୋଟି କି ଆହୁରି ବେଶି ଏବେଠୁ କିଛି କହିହେବନି। ରୋଗ କେବଳ ଜୀବନ ନେବନି, ତା’ଠାରୁ ବେଶି ଭୋକରେ ମରିବେ। ଭୟଙ୍କର ଦୁର୍ଭିକ୍ଷ ମାଡ଼ିଆସିବ। ତା’ହେଲେ ରୋଗ ଓ ଭୋକ କବଳରେ ଆଉଟୁପାଉଟୁ ହେଉଥିବା ମଣିଷ ମୃତ୍ୟୁବରଣ କରିବେ। ଏ ପୃଥିବୀ ବହୁଳାଂଶରେ ଜନମାନବଶୂନ୍ୟ ହୋଇଯିବ?
ଚାଇନାରେ ପୂର୍ବରୁ କରୋନା ମୃତ୍ୟୁସଂଖ୍ୟାକୁ ଲୁଚାଯାଉଥିଲା। ଏବେ ତାହା ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ବେଜିଂ। ସମୂହ କୋଭିଡ୍‌ ଟେଷ୍ଟିଂ ହେଉ ନ ଥିବାରୁ ବାସ୍ତବରେ କେତେ ଲୋକ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି ତାହା ସ୍ପଷ୍ଟ ହେଉନାହିଁ। କଟକଣା ହଟିବା ପରେ ଲୋକେ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଗହଳି ଲଗାଇଲେ। ଫଳରେ ସଂକ୍ରମଣ ବୃଦ୍ଧି ପାଇଲା। ଏବେ ଭୟରେ ଲୋକେ ଘରୁ ବାହାରୁନାହାନ୍ତି। ରାସ୍ତାଘାଟ, ଦୋକାନବଜାର ଶୂନ୍‌ଶାନ୍‌। ଅଧିକାଂଶ ସହର ଏବେ ଭୂତ ସହରରେ ପରିଣତ ହୋଇଛି। କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ନୂଆ ରୋଗୀଙ୍କ ପାଇଁ ସ୍ଥାନ ମିଳୁନି। କେବଳ ସେତିକି ନୁହେଁ, ସହରର ବିଭିନ୍ନ ଶ୍ମଶାନରେ ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଜାଗା ନାହିଁ। ଉଦ୍‌ବେଗର ବିଷୟ, କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତିମାନେ ପୁନର୍ବାର କରୋନା ସଂକ୍ରମିତ ହେଉଛନ୍ତି। ତେଣୁ ଆଶଙ୍କା କରାଯାଉଛି, କରୋନାର କିଛି ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଛି। ଏହା ଶୀଘ୍ର ଅନ୍ୟ ଦେଶକୁ ବ୍ୟାପିବା ଆଶଙ୍କା ରହିଛି।
ବର୍ତ୍ତମାନ ମହାମାରୀ କରୋନା ଭୂତାଣୁକୁ ରୋକିବାକୁ ସାରା ପୃଥିବୀର ବିଭିନ୍ନ ଦେଶରେ ପୁଣି ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌, ସଂଗରୋଧ, ମାସ୍କ ପ୍ରଭୃତି ବ୍ୟବହାର ଓ ଚିକିତ୍ସା ପାଇଁ କିଛି କିଛି ଔଷଧ ବ୍ୟବହାର କରାଯାଇଛି। ସାରା ବିଶ୍ୱକୁ ଏଭଳି ବିପଦ କେବେ ଦେଖାଦେଇ ନ ଥିଲା। ପ୍ରତ୍ୟେକ ବିପଦକୁ ମୁକାବିଲା କରିବା ପାଇଁ କିଛି ନା କିଛି ଉପାୟ ନିଶ୍ଚୟ ଅଛି। କିନ୍ତୁ କରୋନା ମହାମାରୀକୁ ରୋକିବା ପାଇଁ କେବଳ ଲକ୍‌ଡାଉନ୍‌ ସମ୍ଭବ ନୁହେଁ। କରୋନାକୁ ରୋକିବାକୁ ହେଲେ ଚିକିତ୍ସା ବିଜ୍ଞାନର ପରୀକ୍ଷିତ ଅଭିଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ମୁକାବିଲା ପଦ୍ଧତି ନିର୍ଦ୍ଧାରଣ କରିବା ଏକାନ୍ତ ଆବଶ୍ୟକ।
ଭାରତରେ କୋଭିଡ୍‌-୧୯ କରୋନାର ଭୟଙ୍କର ରୂପ ସମସ୍ତେ ଦେଖିଛନ୍ତି ଏବଂ ଭୋଗିଛନ୍ତି। ମୁହଁରେ ମାସ୍କ ପିନ୍ଧିବାଠାରୁ ଟିକା ନେବା, ଔଷଧ ସେବନ, ସରକାରଙ୍କ କଟକଣାକୁ ମାନି ପ୍ରାୟ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ନୟାନ୍ତ ହୋଇପଡ଼ିଥିଲେ। ସାମାଜିକ ମିଳନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳକୁଦ ଇତ୍ୟାଦି ବନ୍ଦ ରଖାଯାଇଥିଲା। ବ୍ୟବସାୟ ବାଣିଜ୍ୟରେ ଭୟଙ୍କର ମାନ୍ଦାବସ୍ଥା ଦେଖାଦେଇଥିଲା। ଅର୍ଥନୈତିକ ଅଧୋଗତି ହୋଇଥିଲା। କର୍ମରତ କର୍ମଚାରୀମାନଙ୍କୁ ଛଟେଇ କିମ୍ବା ଅଧା କାମ ଦିଆଯାଉଥିଲା। ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଏକପ୍ରକାର ବଙ୍କା ହୋଇଯାଇଥିଲା। ଏଇ ୭/୮ ମାସ ହେଲା କରୋନାର ପ୍ରାଦୁର୍ଭାବ କମିଥିବାରୁ ଲୋକେ ଟିକେ ମୁଣ୍ଡ ସଳଖ କରି ଚାଲୁଥିବା ଆରମ୍ଭ କରୁଥିବାବେଳେ ଚାଇନା-ଆମେରିକା ପ୍ରମୁଖ ଦେଶରେ ପୁଣି କରୋନାର ବିସ୍ଫୋରକ ଲେଉଟାଣି। ଭାରତରେ ମଧ୍ୟ ନୂଆ ଭାରିଆଣ୍ଟ ସଂକ୍ରମଣ ଦେଖାଗଲାଣି। ଏହା ଯେ ବିଶ୍ୱର ଅନ୍ୟ ଦେଶକୁ ପବନ ଭଳି ମାଡ଼ିଯିବନି କିଏ କହିବ?
ଗଲା ଡିସେମ୍ବର ୧୮ ରେ ଫିଫା ବିଶ୍ୱ କପ୍‌ ସରିଯାଇଛି। ଆମ ଓଡ଼ିଶାରେ ମଧ୍ୟ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସଜେଇ ହେଉଛି। ଓଡ଼ିଶାରେ କରୋନା କଟକଣା ଉଠିଯିବାପରେ ସମସ୍ତେ ନିଶ୍ଚିତ ହୋଇ ବୁଲୁଛନ୍ତି। ଏବେ ଓଡ଼ିଶାରେ ମଧ୍ୟ ବି.ଏଫ୍‌-୭ ଚିହ୍ନଟ ହେଲାଣି। କରୋନାର ବିସ୍ଫୋରଣ ଚାଇନାରେ ଚାଲିଥିବାବେଳେ ସରକାର ଭୟଭୀତ ନ ହେବାକୁ କହିଥିଲେ ଏବଂ ବର୍ତ୍ତମାନ ଓଡ଼ିଶାର ସରକାରୀ କର୍ତ୍ତୃପକ୍ଷ କହୁଛନ୍ତି ଭୟଭୀତ ହୁଅନ୍ତୁ ନାହିଁ। ଦେଖିବାକୁ ଗଲେ ପୁରୁଷ ହକି ବିଶ୍ୱକପରେ ବିଭିନ୍ନ ଦେଶରୁ ଖେଳାଳି, ଦର୍ଶକ ଭୁବନେଶ୍ୱର ଆସିବେ। କିଏ କେଉଁ ରୋଗ ବିଶେଷକରି କରୋନା ନେଇ ଆସୁଥିବ ତାହା କିଏ କହିବ ? କାହା କଥା କିଏ ଶୁଣୁଛି ! ଏଣୁ ସବୁ ବିଦେଶୀ ଖେଳାଳି, ଦର୍ଶକ ଏପରି କି ଆମ ଦେଶର ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ଦର୍ଶକମାନଙ୍କୁ କଡ଼ାକଡ଼ି ଭାବେ ପରୀକ୍ଷା କରି କରୋନାମୁକ୍ତ ସାର୍ଟିଫିକେଟ୍‌ ଆଣି ଷ୍ଟାଡିୟମ ଭିତରକୁ ପ୍ରବେଶ କରାଯିବା ଦରକାରା ଲୋକଙ୍କ ଜୀବନ ରକ୍ଷା ପାଇଁ କ’ଣ ଏତିକି କହିପାରିବିନି? ଏ କଥାକୁ ରାଜ୍ୟ ସରକାର ବିଚାରକୁ ନେବା ଜରୁରୀ।
କରୋନାର କରାଳ କାଳବଳୟ ପରର ପୃଥିବୀରେ ଯେଉଁ ଇତିହାସ ଲେଖାଯିବ ତାହା ବିଶ୍ୱ ଇତିହାସର ମାଳ ମାଳ ପୃଷ୍ଠାରେ ଭର୍ତ୍ତି ହୋଇଯାଇଥିବ। ନଅଙ୍କ ଦୁର୍ଭିକ୍ଷ ବେଳର ଇତିହାସ ଲେଖିବା ପାଇଁ ଏତେ ଲେଖକ ନ ଥିଲେ। ଏବେ ଗଣ୍ଡା ଗଣ୍ଡା ଲେଖକ, ପଣ୍ଡିତ ଅଛନ୍ତି। ଭିନ୍ନ ଭିନ୍ନ କଲମରୁ ନାନା ପ୍ରକାର ଲେଖାରେ ଇତିହାସ ବଖାଣିବ ଭୟଙ୍କର ମହାମାରୀ କାହାଣୀ। ଆଜି ଯେଉଁମାନେ ବାହାଦୁରି ଦେଖାଉଛନ୍ତି, ହୁଏତ କାଲି ସେମାନେ ଇତିହାସର ଅଳିଆଗଦାରେ ପଡ଼ିଥିବେ। ଇତିହାସ ବଡ଼ ନିଷ୍ଠୁର। ସେ କାହାକୁ କ୍ଷମା ଦିଏନି। ରକ୍ତର ସମୁଦ୍ର ମଧ୍ୟରେ ସତ୍ୟକୁ ହତ୍ୟା କରାଯାଇପାରେନା।
ଯାଜପୁର ରୋଡ୍‌, ଯାଜପୁର, ମୋ:୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri