ଗୁଣପୁର,୨୯ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ଉପଖଣ୍ଡସ୍ତରୀୟ ଠିକାଦାରମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଶେଫାଳି ପାହାଡ଼ ନିକଟ ଗଣେଶ-ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଅଞ୍ଚଳରୁ ଖ,ଗ,ଘ ବର୍ଗର ଲାଇସେନ୍ସପ୍ରାପ୍ତ ଠିକାଦାରମାନେ ଯୋଗ ଦେଇ ଏକ ସ୍ବତନ୍ତ୍ର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ବିଭିନ୍ନ ସରକାରୀ ସଂସ୍ଥା ଓ ଇଂଜିନିୟରିଂ ବିଭାଗରେ ଚାଲିଥିବା ଟେଣ୍ଡର ପ୍ରକ୍ରିୟାରେ ସମ୍ପ୍ରତି ଲଟେରି ମାଧ୍ୟମରେ ଠିକାଦାର ଚୟନ କରାଯାଉଛି। ମାତ୍ର ଚତୁରତାର ସହିତ ଠିକାଦାରମାନଙ୍କୁ ୧୪.୯୯ ପରସେଣ୍ଟରେ ଲେସ୍ ଟେଣ୍ଡର ପକାଇବାକୁ ଦିଆଯାଉଛି। କିନ୍ତୁ ଲେସ୍ ଟେଣ୍ଡରର ମୂଲ୍ୟ ରହୁନାହିଁ। ଅପରପକ୍ଷରେ ଠିକାଦାରମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଯଦି ଲେସ ଟେଣ୍ଡରର ମୂଲ୍ୟ ରହୁନାହିଁ ଓ ଲଟେରି ମାଧ୍ୟମରେ ଠିକାଦାର ଚୟନ କରାଯାଉଛି। ତେବେ ଠିକାଦାରମାନେ ଲେସ ଟେଣ୍ଡରରେ ପକାଇବେ ନାହିଁ। ତେଣୁ ସର୍ବ ସମ୍ମତି କ୍ରମେ ନିଷ୍ପଭି ନିଆଗଲା ଯେ ନିର୍ଦ୍ଧାରିତ ଟେଣ୍ଡର ସିଡ୍ୟୁଲ ମୂଲ୍ୟ ଅନୁସାରେ ଠିକାଦାରମାନେ ଟେଣ୍ଡର ପକାଇବେ। ଲଟେରି ମାଧ୍ୟମରେ ଠିକାଦାର ଚୟନ କରାଯିବ। ଆଉ କୌଣସି ଠିକାଦାର ଲେସ୍ରେ ଟେଣ୍ଡ ପକାଇବେ ନାହିଁ । ଏହାକୁ କେହି ଅମାନ୍ୟ କଲେ ବିରୋଧ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଠିକାଦାର ସଂଘର ଏହି ନିଷ୍ପଭି ପ୍ରସଙ୍ଗରେ ପ୍ରତି ବ୍ଲକ ସ୍ତରରେ ଓ ପୌରାଞ୍ଚଳ ସ୍ତରରେ ସମସ୍ତ ଠିକାଦାରମାନଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶେଷରେ ଗୁଣପୁର ଉପଖଣ୍ଡସ୍ତରୀୟ ଠିକାଦାର ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଂଗ୍ରାମ କେଶରୀ ସାହୁ-ସଭାପତି, ନିରାକାର ଶବର-ସମ୍ପାଦକ, ରାମ ଚନ୍ଦ୍ର ପଣ୍ଡା-ସହ ସମ୍ପାଦକ ଏବଂ ରାଧା ମୋହନ ପାଣିଗ୍ରାହୀଙ୍କ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।

