ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ତାଲିକାରେ ୧୮ତମ ସ୍ଥାନରେ ଥିବା ଉଜ୍ଜ୍ୱଳ ଭୂୟାଁ କଲେଜିୟମ୍ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ଅଭାବ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଥିଙ୍କ୍ ଟ୍ୟାଙ୍କ୍ ସଂସ୍ଥା ଜଲ୍ଦି(ଜଷ୍ଟିସ୍, ଆକ୍ସେସ ଆଣ୍ଡ୍ ଲୋୟରିଂ ଡିଲେଜ୍ ଇନ୍ ଇଣ୍ଡିଆ)ର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ନିଯୁକ୍ତିର ସ୍ପଷ୍ଟ କାରଣ ଦର୍ଶାଯାଉ ନ ଥିବାରୁ କେବଳ ଯୋଗ୍ୟ ବିଚାରପତିମାନେ ସ୍ବୀକୃତିରୁ ବଞ୍ଚତ୍ତ ହେଉନାହାନ୍ତି, ବରଂ ଏହାଦ୍ୱାରା ଏଭଳି ବ୍ୟକ୍ତିମାନେ ବିଚାର ବ୍ୟବସ୍ଥାକୁ ଆସିଥାଆନ୍ତି, ଯେଉଁମାନେ ଲୋକଙ୍କୁ ପିମ୍ପୁଡ଼ି କହିବା ଭଳି ଅସାମ୍ବିଧାନିକ ମତ ଦେଇଥାଆନ୍ତି। ଜଷ୍ଟିସ୍ ଭୂୟାଁ ବିଚାରପତିଙ୍କ ନାମ ଉଲ୍ଲେଖ କରି ନ ଥିଲେ ମଧ୍ୟ ଆଲ୍ଲାହାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଶେଖର କୁମାର ଯାଦବ ନିଜ କାର୍ଯ୍ୟକାଳ ସମୟରେ ଏକ ଭାଷଣରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ‘ପିମ୍ପୁଡ଼ି’ ବୋଲି ସମ୍ବୋଧନ କରିଥିବା ବିଷୟକୁ ଇଙ୍ଗିତ କରିଛନ୍ତି। ଏଠାରେ କୁହାଯାଇପାରେ ଯେ, ନିକଟ ଅତୀତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ବେକାର ଯୁବତୀଯୁବକମାନଙ୍କୁ ଅସରପା (କକ୍ରୋଚ) ଆଖ୍ୟା ଦେଇଥିଲେ। ତାଙ୍କ ମନ୍ତବ୍ୟରୁ ଖିଅ ଟଣାଯାଇ ସୃଷ୍ଟି କରାଯାଇଥିବା କକ୍ରୋଚ ଜନତା ପାର୍ଟି(ସିଜେପି) ଦ୍ୱାରା ଦେଶବ୍ୟାପୀ ହୋଇଥିବା ଆନ୍ଦୋଳନ ଭିନ୍ନ ଏକ ପ୍ରସଙ୍ଗର ଅପେକ୍ଷା ରଖୁଛି। ତେବେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଭୂୟାଁ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ସମାଲୋଚନା କରିଥିଲେ। ଗୋଗୋଇ ନିଜ ତରଫରୁ ସଫେଇ ଦେଇ କହିଥିଲେ ଯେ, ରାଜ୍ୟ ସଭାରେ ତାଙ୍କ ଯୋଗଦାନର ଉଦ୍ଦେଶ୍ୟ ଥିଲା ନ୍ୟାୟପାଳିକା ଓ ବିଧାନପାଳିକା ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା। କିନ୍ତୁ ଗୋଗୋଇଙ୍କ ଚିନ୍ତାଧାରା ମୌଳିକ ସାମ୍ବିଧାନିକ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ ବୋଲି ଜଷ୍ଟିସ୍ ଭୂୟାଁ ମତ ଦେଇଥିଲେ। ଏହା ପୂର୍ବରୁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଚେଲାମେଶ୍ୱର ଓ କାର୍ଯ୍ୟରତ ବିଚାରପତି ବି.ଭି. ନାଗରତ୍ନା କଲେଜିୟମ୍ର କାର୍ଯ୍ୟଶୈଳୀକୁ ସମାଲୋଚନା କରିଆସିଛନ୍ତି। ୨୦୧୬ ମସିହାରେ ଜଷ୍ଟିସ୍ ଚେଲାମେଶ୍ୱର କଲେଜିୟମର ବୈଠକକୁ ଯିବାକୁ ଅମଙ୍ଗ ହୋଇଥିଲେ, କାରଣ ତାଙ୍କ ମତରେ ସେହିସବୁ ବୈଠକରେ କୌଣସି ବିଧିବଦ୍ଧ ଟିପ୍ପଣୀ ରଖାଯାଉ ନାହିଁ କିମ୍ବା କେଉଁ ସଭ୍ୟ କେଉଁ ବିଷୟ ଉପରେ ଗୁରୁତ୍ୱ ଦେଇ କହିଥିଲେ ତାହା ମଧ୍ୟ ଲିଖିତ ପ୍ରମାଣ ରହୁନାହିଁ। ଏଥିରୁ ସାଧାରଣ ନାଗରିକ ବୁଝିପାରିଲେ ଯେ, ବିଚାରପତିମାନେ ବିନା କୌଣସି ପ୍ରମାଣ ରଖି ନିଜ ମନଇଚ୍ଛା ପ୍ରିୟାପ୍ରୀତି ତୋଷଣ କରିପାରୁଛନ୍ତି।
କଲେଜିୟମ୍ର ସ୍ବଚ୍ଛତା ନେଇ ଜଷ୍ଟିସ୍ ଭୂୟାଁଙ୍କ ଉଦ୍ବେଗ ନିଶ୍ଚିତ ଭାବେ ତାର୍କିକ ଆଲୋଚନାକୁ ବଳ ଦେଉଛି। ସେ କହିଛନ୍ତି ଯେ, ସୁପାରିସ୍ ପ୍ରତ୍ୟାଖ୍ୟାନ କିମ୍ବା ସ୍ଥଗିତ ରଖିବାର କୌଣସି କାରଣ ଗତ ୩ଟି ଘଟଣାରେ ପ୍ରକାଶ କରାଯାଇ ନାହିଁ। ଜଷ୍ଟିସ୍ ଭୂୟାଁଙ୍କ ସନ୍ଦେହ ବିଚାର ବ୍ୟବସ୍ଥାରେ ଗଡ଼ବଡ଼ ଥିବା ଦିଗକୁ ଇଙ୍ଗିତ କରୁଛି। ଅବଶ୍ୟ ନ୍ୟାୟପାଳିକାରେ ସ୍ବଚ୍ଛତା ନାହିଁ ବୋଲି ପ୍ରଥମ ଥର ପାଇଁ ପ୍ରଶ୍ନ ଉଠୁନାହିଁ, ପୂର୍ବରୁ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ କହିଥିଲେ ୧୬ ଜଣ ପ୍ରଧାନ ବିଚାରପତିଙ୍କ ମଧ୍ୟରୁ ୮ ଜଣ ଦୁର୍ନୀତିଗ୍ରସ୍ତ। ସେହି ବିଷୟକୁ ନେଇ ସେତେବେଳେ ଢେର ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହାର ପ୍ରଭାବ ନ୍ୟାୟବ୍ୟବସ୍ଥା ଉପରେ ପଡ଼ି ନ ଥିବା ଜଷ୍ଟିସ୍ ଭୂୟାଁଙ୍କ ଆଶଙ୍କାରୁ ବୁଝିହେଉଛି। ଏଠାରେ କୁହାଯାଇପାରେ ଯେ, ବିଚାରପତି ନିଯୁକ୍ତି ପାଇଁ ନ୍ୟାୟିକ କଲେଜିୟମ ବ୍ୟବସ୍ଥା ବଦଳରେ ଏକ ସ୍ବଚ୍ଛ ସଂସ୍ଥା ଗଠନ କରିବା ଉଦ୍ଦେଶ୍ୟରେ ୨୦୧୪ରେ ଏକ ଆଇନ ଜରିଆରେ ଜାତୀୟ ନ୍ୟାୟିକ ନିଯୁକ୍ତି କମିଶନ ବା ଏନ୍ଜେଏସି ଗଢ଼ାଯାଇଥିଲା। ହେଲେ ଅକ୍ଟୋବର ୨୦୧୫ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହାକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦିଆଯାଇଥିଲା। ସୂଚନା ଦିଆଯାଇପାରେ ଯେ, ଏନ୍ଜେଏସିକୁ ଏକ ୬ ଜଣିଆ ସଦସ୍ୟ ବିଶିଷ୍ଟ ସଂସ୍ଥା ଭାବରେ ପ୍ରସ୍ତାବ ଦିଆଯାଇଥିଲା, ଯେଉଁଥିରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ), ସୁପ୍ରିମକୋର୍ଟର ଦୁଇଜଣ ବରିଷ୍ଠ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରୀ ଏବଂ ଦୁଇଜଣ ‘ବିଶିଷ୍ଟ ବ୍ୟକ୍ତି’ ସାମିଲ ଥିଲେ। ବିଶିଷ୍ଟ ବ୍ୟକ୍ତିଙ୍କ ଚୟନରେ ନାଗରିକ ସମାଜର ଦୁଇଜଣ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଏବଂ ଲୋକ ସଭାର ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା ଚୟନ କରାଯିବାର ଥିଲା। ନ୍ୟାୟ ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଅଗ୍ରହଣୀୟ ବୋଲି ଅନୁଭବ କରିବା ପରେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ। ଅର୍ଥାତ୍ ଅଦ୍ୟାବଧି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଅନ୍ୟ ୪ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ୍ ବଳବତ୍ତର ରହିଛି ଓ ସେହି ଅନୁଯାୟୀ ବିଚାରପତିଙ୍କ ନିଯୁକ୍ତି ଓ ବଦଳି କାର୍ଯ୍ୟ ଚାଲିଛି। ସେହି ବିଚାରପତିମାନେ ନୂଆ ବିଚାରପତି ଚୟନ କରୁଛନ୍ତି। ଏଭଳି ସ୍ଥଳେ ଭାଇ ବିରାଦରି ରହିବା ସ୍ବାଭାବିକ। ତେଣୁ ସ୍ବାଧୀନ ନ୍ୟାୟବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ପାଶ୍ଚାତ୍ୟ ନ୍ୟାୟପାଳିକାକୁ ଅନୁଧ୍ୟାନ କରାଯାଇ ସର୍ବାଧିକ ସଂସ୍କାର ଉପରେ ପଦକ୍ଷେପ ନେବାର ସମୟ ଆସିଲାଣି। ପାଶ୍ଚାତ୍ୟ ରାଷ୍ଟ୍ରକୁ ଦେଖିଲେ ସେଠାକାର ବିଚାରପତିମାନଙ୍କର ସଚ୍ଚୋଟଭାବ ସେହି ଦେଶଗୁଡ଼ିକର ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ସରକାରଠାରୁ ଦୂରେଇ ରଖିପାରୁଛି। ଆଜି ଭାରତର ନ୍ୟାୟ ବ୍ୟବସ୍ଥାରେ ସଚ୍ଚୋଟ ଓ ଦକ୍ଷ ବିଚାରପତିଙ୍କର ଘୋର ଅଭାବ ସେହି ବ୍ୟବସ୍ଥାକୁ ଦୁର୍ବଳ କରିବାରେ ଲାଗିଛି। ଅଧିକାଂଶ ବିଚାରପତି ଅବସର ପରେ ପୁନଃନିଯୁକ୍ତି ପାଇଁ ସରକାରଙ୍କ ଗୋଡ଼ାଣିଆ ହେବାକୁ ବ୍ୟାକୁଳ ଥିବାରୁ ସାଧାରଣ ନାଗରିକଙ୍କୁ ଅସରପା କହିବା ସହିତ ନ୍ୟାୟ ପାଇବାରୁ ବଞ୍ଚତ୍ତ କରୁଛନ୍ତି। ଭାରତରେ କୌଣସି ବ୍ୟକ୍ତିଙ୍କୁ ନିରପେକ୍ଷ କହିବା ଅସମ୍ଭବ। ଏପରିକି ଦେଶଭକ୍ତିର ଆଖ୍ୟାକୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଅପବ୍ୟବହାର କରୁଥିବାରୁ ତାହାର ଅର୍ଥ ବଦଳିଗଲାଣି। ସେଥିପାଇଁ ନ୍ୟାୟପାଳିକାକୁ ନୂଆ ଚିନ୍ତାଧାରା ପ୍ରବେଶ କରାଇବା ଏବଂ ପ୍ରିୟାପ୍ରୀତି ତୋଷଣକୁ ଭାଙ୍ଗିବାର ଉଦ୍ୟମ କେଉଁଠାରୁ କିଏ ଆରମ୍ଭ କରିବେ କହିବା ଅତ୍ୟନ୍ତ କଷ୍ଟକର।