ଜଳବାୟୁ ପରିବର୍ତ୍ତନ ଓ ଘରୋଇ ଉଦ୍ୟୋଗ

ଡ.ଚିତ୍ତରଞ୍ଜନ ମିଶ୍ର

୨୦୨୦ ନଭେମ୍ବର ୫ରେ ଭାରତର ୨୪ଟି ପ୍ରମୁଖ କମ୍ପାନୀ ଜଳବାୟୁ ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ଏକ ଘୋଷଣାନାମାରେ ଦସ୍ତଖତ କରିଛନ୍ତି, ଯାହାର ନାଁ ରଖାଯାଇଛି ”ଡିକ୍ଲାରେଶନ ଅଫ୍‌ ଦି ପ୍ରାଇଭେଟ ସେକ୍ଟର ଅନ୍‌ କ୍ଲାଇମେଟ୍‌ ଚେଞ୍ଜ“ ବା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଘରୋଇ ଉଦ୍ୟୋଗଗୁଡ଼ିକର ଘୋଷଣାନାମା। ନିଶ୍ଚିତରୂପେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଶୁଭାରମ୍ଭ , କାରଣ ଘରୋଇ ଉଦ୍ୟୋଗଗୁଡ଼ିକୁ ହିଁ ସମ୍ବଳ ସଂଗ୍ରହ ଓ ବିନିଯୋଗ ତଥା ଜ୍ଞାନ ଓ ନବସୃଜନ କ୍ଷେତ୍ରରେ ସିଦ୍ଧାନ୍ତମୂଳକ ଭୂମିକା ସମ୍ପାଦିତ କରିବାକୁ ପଡିବ।
ସମଗ୍ର ବିଶ୍ୱରେ ପାରିବାରିକ ମାଲିକାନାଭିତ୍ତିକ ବ୍ୟବସାୟ କ୍ଷମତାଶାଳୀ ସାବ୍ୟସ୍ତ ହୋଇଛି। ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ଭାରତୀୟ ଶିଳ୍ପ ସାମ୍ରାଜ୍ୟ ମଧ୍ୟରେ ପାରିବାରିକ ବ୍ୟବସାୟ ନିଜର ଆଧିପତ୍ୟ ସାବ୍ୟସ୍ତ କରିଆସିଛି। ୧୯୯୦ ଦଶକ ପର୍ଯ୍ୟନ୍ତ କେତେକ ସ୍ବଳ୍ପ ପୁରୁଣା ‘ବିଜ୍‌ନେସ ହାଉସ’ ନିଜର ପ୍ରତିପତ୍ତିକୁ ପ୍ରଦର୍ଶନ କରୁଥିଲେ ଏବଂ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଏକାଧିକ ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ସେମାନଙ୍କର ପ୍ରଭୁତ୍ୱ ସେ ସମୟର ‘ଲାଇସେନ୍ସ ରାଜ’ ମଡେଲ ଭଳି ଯୋଜନାବଦ୍ଧ ଅର୍ଥନୈତିକ ଢାଞ୍ଚା ଦ୍ୱାରା ଆଂଶିକ ଭାବେ ସାମର୍ଥ୍ୟ ଲାଭ କରିଥିଲା। ୧୯୯୧ରେ ଦେଶରେ ଅର୍ଥନୈତିକ ସଂସ୍କାର ବ୍ୟବସ୍ଥାର ପ୍ରଚଳନ ପରଠାରୁ ଏହି ପୁରୁଣା ‘ବିଜ୍‌ନେସ ହାଉସ’ଗୁଡିକ ନୂଆ କରି ଗଢି ଉଠିଥିବା ବ୍ୟବସାୟିକ ପରିବାର ଏବଂ ଅଣବ୍ୟବସାୟିକ ପରିବାରଗୁଡ଼ିକ ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତାମୂଳକ ଆହ୍ବାନର ସମ୍ମୁଖୀନ ହେଲେ। ତା’ସତ୍ତ୍ୱେ ମଧ୍ୟ ଏକ ‘ବ୍ୟବସାୟିକ ମଡେଲ’ ଭାବେ ପାରିବାରିକ ‘ବିଜ୍‌ନେସ ହାଉସ’ଗୁଡ଼ିକର ଶକ୍ତିରେ ହ୍ରାସ ଘଟିନାହିଁ। ଯଦିଓ କେତେକ ପୁରୁଣା ‘ବିଜ୍‌ନେସ ହାଉସ’୧୯୯୧ର ଅର୍ଥନୈତିକ ସଂସ୍କାର ବ୍ୟବସ୍ଥା କାରଣରୁ ତିଷ୍ଠି ରହିପାରିଲେ ନାହିଁ, ହେଲେ ଅନେକ ବିଜ୍‌ନେସ ହାଉସ ତିଷ୍ଠି ରହିପାରିଲେ ଏବଂ ତତ୍‌ସହ ସମୃଦ୍ଧି ପଥର ଯାତ୍ରୀ ହେଲେ।
ଆଜିର ଦିନରେ ସମଗ୍ର ବିଶ୍ୱରେ ଚାଇନା ଓ ଆମେରିକା ପରେ ପରିବାର ନିୟନ୍ତ୍ରଣାଧୀନ ପଞ୍ଜୀକୃତ କମ୍ପାନୀ ସଂଖ୍ୟାରେ ଭାରତ ତୃତୀୟ ସର୍ବବୃହତ୍‌ ସ୍ଥାନ ଅଧିକାର କରିଛି। ପରିବାର ନିୟନ୍ତ୍ରଣାଧୀନ କମ୍ପାନୀଗୁଡ଼ିକର ଶେୟାର-ପ୍ରାଇସ୍‌ ରିଟର୍ନ ମଧ୍ୟ କ୍ରମାଗତ ଭାବେ ଅଣପରିବାର ନିୟନ୍ତ୍ରଣାଧୀନ କମ୍ପାନୀଗୁଡ଼ିକ ଅପେକ୍ଷା ଅଧିକ ହୋଇଥାଏ। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ମଧ୍ୟ ପରିବାର ନିୟନ୍ତ୍ରଣାଧୀନ କମ୍ପାନୀଗୁଡ଼ିକର ଆଧିପତ୍ୟ ସ୍ପଷ୍ଟ ପ୍ରତିପାଦିତ ହୋଇଥାଏ। ପରିବାର ନିୟନ୍ତ୍ରଣାଧୀନ କମ୍ପାନୀଗୁଡ଼ିକର ଭୂମିକା ହେଲା ସେମାନେ ଜୀବାଶ୍ମ ଇନ୍ଧନ ପ୍ରାଧାନ୍ୟଯୁକ୍ତ ସେକ୍ଟରଗୁଡ଼ିକରେ ହିଁ କାର୍ଯ୍ୟ ନିର୍ବାହ କରିଥାନ୍ତି। ଏହାଦ୍ୱାରା ଭାରତବର୍ଷର ଅଙ୍ଗାରକାମ୍ଳ ବାଷ୍ପର ନିର୍ଗମନ ପରିମାଣର ବୃଦ୍ଧି ହେଉଛି। ଏହାକୁ ରୋକିବାରେ ଏବେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ଦେଶର ମାତ୍ର ୭ଟି ପରିବାର ନିୟନ୍ତ୍ରଣାଧୀନ କମ୍ପାନୀ ଯଥା- ରିଲାଏନ୍ସ, ଆଦାନି, ଟାଟା, ଆଦିତ୍ୟ ବିର୍ଲା, ମହିନ୍ଦ୍ରା, ଜିନ୍ଦଲ ଏବଂ ବେଦାନ୍ତ ବର୍ଷକୁ ୫୩୦ ନିୟୁତ ଟନ୍‌ର ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳକୁ ନିର୍ଗମନ କରୁଛନ୍ତି। ଏହି ପରିମାଣ ଭାରତବର୍ଷର ମୋଟ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନର ୨୨ ପ୍ରତିଶତ ସହ ସମାନ। ୨୦୧୯-୨୦ରେ ଏହି ୭ଟି ଗ୍ରୁପ୍‌ କମ୍ପାନୀ ଭାରତବର୍ଷର କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରର୨୫ପ୍ରତିଶତ ଅର୍ଥାତ୍‌ ୫୦,୦୦୦ମେଗାୱାଟ୍‌, ଭାରତବର୍ଷର ମୋଟ ଇସ୍ପାତ ଉପତ୍ାଦନର ୩୯ପ୍ରତିଶତ ଅର୍ଥାତ୍‌ ୪୩ ନିୟୁତ ଟନ୍‌, ଭାରତବର୍ଷର ମୋଟ ସିମେଣ୍ଟ ଉପତ୍ାଦନର ୨୭ ପ୍ରତିଶତ ଅର୍ଥାତ୍‌ ୯୧ ନିୟୁତ ଟନ୍‌ ଏବଂ ଭାରତବର୍ଷର ଯାତ୍ରୀବାହୀ ଏବଂ ବ୍ୟବସାୟିକ ଯାନବାହନର ୨୨ ପ୍ରତିଶତ ଅର୍ଥାତ୍‌ ୦.୯୨ ନିୟୁତ ଟନ୍‌ ଉପତ୍ାଦନ କରିଥିଲେ। ସେମାନେ ମଧ୍ୟ ଦେଶର ତୈଳ ବିଶୋଧନ କ୍ଷମତାର ୩୦ ପ୍ରତିଶତ ଏବଂ ଅଶୋଧିତ ତୈଳ ଉପତ୍ାଦନର ୨୫ ପ୍ରତିଶତ କାର୍ଯ୍ୟକାରୀ କରିଥାନ୍ତି।
ଯଦି ଏହି କମ୍ପାନୀଗୁଡ଼ିକ ଦେଶର ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଭାରତବର୍ଷରେ ନିଆଯାଉଥିବା ନାନାବିଧ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତେ, ତା’ହେଲେ ଦେଶର ‘ଏମିଶନ୍‌ ପ୍ରୋଫାଇଲ’ ବା ନିଗର୍ର୍ମନ ଚିତ୍ର ମାୈଳିକତା ଦୃଷ୍ଟିକୋଣରୁ ବଦଳିଯାଆନ୍ତା। ପୁନଶ୍ଚ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପରିବାର ନିୟନ୍ତ୍ରଣାଧୀନ କମ୍ପାନୀଗୁଡ଼ିକ ସାମାଜିକ ଦୃଷ୍ଟିକୋଣରୁ ଅଧିକ ଦାୟିତ୍ୱବାନ୍‌ ହୋଇଥାନ୍ତି, କାରଣ ସେମାନେ ଯେଉଁ ସବୁ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିଥାନ୍ତି ସେ ସବୁ କ୍ଷେତ୍ରରେ ସାମାଜିକ ଓ ଭିତ୍ତିଭୂମି ଉପରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିଥାନ୍ତି। କାହିଁକି ପରିବାର ନିୟନ୍ତ୍ରଣାଧୀନ କମ୍ପାନୀଗୁଡ଼ିକ ପୁଞ୍ଜି ନିବେଶ କ୍ଷେତ୍ରରେ ଏଭଳି ନିର୍ଣ୍ଣୟ ନେଇଥାନ୍ତି, ତା’ର କାରଣ ହେଲା ତାଙ୍କର ‘ୟୁନିକ୍‌ ଷ୍ଟ୍ରକ୍‌ଚର’ ବା ଅଦ୍ୱିତୀୟ ଓ ଅସାଧାରଣ ଗଠନ ଶୈଳୀ। ଅନ୍ୟାନ୍ୟ ‘କର୍ପୋରେଟ୍‌ ହାଉସ’ ପରି ପରିବାର ନିୟନ୍ତ୍ରଣାଧୀନ କମ୍ପାନୀଗୁଡ଼ିକ ସେମାନଙ୍କର ସମ୍ଭ୍ରାନ୍ତ ପୈତୃକ ଓ ମାତୃକ ସଂସ୍କୃତିର ଚାରିପଟେ ନିଜକୁ ସୃଙ୍ଖଳିତ କରି ରଖିଥାନ୍ତି, ଯେଉଁମାନେ କି ପ୍ରାଥମିକ ଦାୟିତ୍ୱକୁ ନିଜ ମୁଣ୍ଡ ଉପରକୁ ନେଇଥାନ୍ତି ଏବଂ ସର୍ବଶେଷ ନିର୍ଣ୍ଣାୟକ ଭୂମିକା ସମ୍ପାଦିତ କରିଥାନ୍ତି।
ଜଳବାୟୁ ପରିବର୍ତ୍ତନ ପରି ଏକ ଭୟଙ୍କର ସଙ୍କଟର ନିବାରଣ କରିବା ପାଇଁ ସୁଦୂରପ୍ରସାରୀ ଦୃଷ୍ଟିକୋଣ ଏବଂ ଦୀର୍ଘମିଆଦୀ ଯୋଜନା ଏକାନ୍ତ ଅପରିହାର୍ଯ୍ୟ, ଯେଉଁଥି ପାଇଁ କି ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱର ପରମ ଆବଶ୍ୟକତାକୁ ଆଦାୈ ହେୟଜ୍ଞାନ କରାଯାଇପାରିବ ନାହିଁ। ଯେହେତୁ ପରିବାର ନିୟନ୍ତ୍ରଣାଧୀନ ବ୍ୟବସାୟିକ ସଂଗୋଷ୍ଠୀଗୁଡ଼ିକ ପ୍ରଚଣ୍ଡ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ଶୃଙ୍ଖଳିତ ଭାବେ କାର୍ଯ୍ୟନିର୍ବାହ କରିଥାନ୍ତି । ଯଦି ସେମାନେ ପ୍ରକୃତରେ ଆନ୍ତରିକତା ସହ ଜଳବାୟୁ ପରିବର୍ତ୍ତନ ବିରୋଧରେ ହେଉଥିବା ରାଷ୍ଟ୍ରୀୟ ମହା ସଂଗ୍ରାମରେ ଅବତୀର୍ଣ୍ଣ ହୁଅନ୍ତେ ତେବେ ଏହି ମହାରାକ୍ଷସ କବଳରୁ ଭାରତବର୍ଷକୁ ମୁକ୍ତି ଦେବାରେ ମହତ୍ତର ଭୂମିକା ସମ୍ପାଦିତ କରିପାରନ୍ତେ। ସେମାନେ ମଧ୍ୟ ନିଜ ବ୍ୟବସାୟର ପ୍ରକ୍ଷେପ ପଥ ପରିବର୍ତ୍ତନ କରିବା ସହ ସମ୍ପୂର୍ଣ୍ଣ ସେକ୍ଟରର ଦ୍ରୁତ ପରିବର୍ତ୍ତନ ହାସଲ କରିପାରନ୍ତେ। କେତେକ ପରିମାଣରେ ସେମାନେ ମଧ୍ୟ ତାହା ଏବେ କାର୍ଯ୍ୟକାରୀ କରୁଛନ୍ତି।
ନିକଟ ଅତୀତରେ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ, ରିଲାଏନ୍ସ ଶିଳ୍ପ ସଂସ୍ଥା ୨୦୩୫ ମସିହା ସୁଦ୍ଧା ‘ନେଟ ଜିରୋ କାର୍ବନ କମ୍ପାନୀ’ ଭାବେ ମୁଣ୍ଡଟେକି ଠିଆ ହେବ। ସମ୍ପ୍ରତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ଉଦ୍‌ଜାନ ଶକ୍ତି, ପବନ ଶକ୍ତି, ସାୈରଶକ୍ତି, ଫୁଏଲ ସେଲ୍‌ସ ଏବଂ ବ୍ୟାଟେରି କ୍ଷେତ୍ରରେ ମଲ୍ଟି ବିଲିୟନ ଡଲାରର ପୁଞ୍ଜି ଲଗାଣ କରିବାକୁ ଯୋଜନା କରୁଛି, ଯାହା ଫଳରେ କି ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ‘ନ୍ୟୁ ଏନର୍ଜି’ କମ୍ପାନୀ ଭାବେ ଉଦ୍‌ଭାସିତ ହେବ। ଟାଟା କମ୍ପାନୀ ମଧ୍ୟ ଦୃଢ ସଙ୍କଳ୍ପ ପ୍ରଦାନ କରିଛି ଯେ, ସେମାନେ କୋଇଲା ସେକ୍ଟରରୁ ନିଜକୁ ମୁକ୍ତି ଦେଇ ଅଣପାରମ୍ପରିକ ଶକ୍ତି, ଇଲେକ୍ଟ୍ରିକ ଭେହିକଲ୍‌ ଏବଂ ଉଦ୍‌ଜାନଭିତ୍ତିକ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଦ୍ରୁତ ପଦକ୍ଷେପ ନେଉଛନ୍ତି। ଠିକ୍‌ ସେହିପରି ମହିନ୍ଦ୍ରା କମ୍ପାନୀ ମଧ୍ୟ ନିଜର କାର୍ଯ୍ୟଧାରା ଓ ପରିଚାଳନା ଶୈଳୀକୁ ପ୍ୟାରିସ ରାଜିନାମାର ବିଜ୍ଞାନଭିତ୍ତିକ ଲକ୍ଷ୍ୟସ୍ଥଳ ଢାଞ୍ଚାରେ ରୂପରେଖ ଦେବାକୁ ଚାହୁଁଛନ୍ତି ଏବଂ ଆଦାନି ଗ୍ରୁପ ମଧ୍ୟ ସାୈରଶକ୍ତି କ୍ଷେତ୍ରରେ ପ୍ରଚୁର ପରିମାଣର ପୁଞ୍ଜିନିବେଶ କରୁଛନ୍ତି ଯଦ୍ଦ୍ବାରା କି ସେମାନେ ବିଶ୍ୱର ସର୍ବ ବୃହତ ‘ଗ୍ରୀନ ଏନର୍ଜି ଏଣ୍ଟରପ୍ରାଇଜ’ ବା ସବୁଜଶକ୍ତି ପ୍ରତିଷ୍ଠାନ ଭାବେ ବିଶ୍ୱବିଦିତ ହେବେ। ଏ ସମସ୍ତ ପ୍ରକଳ୍ପ ରୂପାୟିତ ହେଲେ ଏହିସବୁ କମ୍ପାନୀ ‘କ୍ଲାଇମେଟ ଚାମ୍ପିୟନ’ ବା ଜଳବାୟୁ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ପ୍ରତିଦ୍ୱନ୍ଦ୍ୱୀ ଭାବେ ସାବ୍ୟସ୍ତ ହେବେ ଏବଂ ଭାରତବର୍ଷର ମୁଖ ଉଜ୍ଜ୍ୱଳ କରିବେ। ଯଦିଓ ଏ ସମସ୍ତ ଘୋଷଣାନାମା ଏବଂ ପୁଞ୍ଜିି ଲଗାଣ ଅତ୍ୟନ୍ତ ଉତ୍ସାହଜନକ, ହେଲେ ସତ କଥାଟି ହେଲା ଏ ସମସ୍ତ ଶିଳ୍ପ ଗୋଷ୍ଠୀଙ୍କ ଭିତରୁ ଅନେକ ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଏବେ ବି ପୁଞ୍ଜିି ଲଗାଣ ଜାରି ରଖିଛନ୍ତି।
ସେମାନଙ୍କ ଆର୍ଥିକ ଶକ୍ତି ଏବଂ ଦେଶର ପଲିସି ଉପରେ ସେମାନଙ୍କ ପ୍ରଭାବକୁ ଦୃଷ୍ଟିଗୋଚର କଲେ ଆମେ ଲକ୍ଷ୍ୟ କରିବା ଯେ, ଜଳବାୟୁ ପରିବର୍ତ୍ତନ ଆବଶ୍ୟକ କରୁଥିବା ରୂପାନ୍ତରିତ ପରିବର୍ତ୍ତନକୁ ତ୍ୱରାନ୍ବିତ କରିବା ପାଇଁ ଏହି ଶିଳ୍ପ ସମୃଦ୍ଧ ପରିବାରଗୁଡ଼ିକର ଅଙ୍ଗୀକାରବଦ୍ଧତାର ଆବଶ୍ୟକତା ପଡିବ। ତାଙ୍କ ପରବର୍ତ୍ତୀ ପିଢ଼ିକୁ ତଦନୁଯାୟୀ ଗଢି ତୋଳିବାର ଦାୟିତ୍ୱ ଆମ ସଭିଙ୍କ କାନ୍ଧରେ ନ୍ୟସ୍ତ, ଯଦ୍ଦ୍ବାରା ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରାଟେଜିର ଅଂଶ ବିଶେଷ ହେବା ସଙ୍ଗେ ସଙ୍ଗେ ‘କ୍ଲାଇମେଟ ଆକ୍ସନ’ର ଚାମ୍ପିୟନ ସାଜି ସବୁଜ ଭବିଷ୍ୟତ ଆଡ଼କୁ ପଦଯାତ୍ରା କରିବେ। ଏହି ମୁକୁଟ ବିହୀନ ଶିଳ୍ପ ସମ୍ରାଟମାନଙ୍କୁ ରାଷ୍ଟ୍ରର ନୂତନ ଆବଶ୍ୟକତା ଓ ବାସ୍ତବତା ସମ୍ବନ୍ଧରେ ଅତ୍ୟନ୍ତ ବିଶ୍ୱାସଜନକ ଭାବରେ ହୃଦ୍‌ବୋଧ କରାଇବାକୁ ପଡ଼ିବ ଏବଂ ସେମାନଙ୍କ କାନେ କାନେ ମନ୍ତ୍ର ଫୁଙ୍କି କହିଦେବାକୁ ପଡ଼ିବ ଯେ, ଆମର ଉତ୍ତର ପୁରୁଷ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ଜଳବାୟୁ ପ୍ରପୀଡ଼ିତ ବିଶ୍ୱର ଉତ୍ତରାଧିକାରୀ ହେବାକୁ ଯାଉଛନ୍ତିି। ପାରିବାରିକ ଧନ ସମ୍ପତ୍ତି ଅସୀମ ସୁରକ୍ଷା ପ୍ରଦାନ କରିପାରିବ ନାହିଁ କିନ୍ତୁ ଏହି ଅଜସ୍ର ଧନସମ୍ପଦ ଓ ପ୍ରାଚୁର୍ଯ୍ୟତାର ଯଦି ବିଜ୍ଞତାପୂର୍ବକ ସୁବିନିଯୋଗ କରାଯାଇପାରିବ ତେବେ ଏହି ଧରିତ୍ରୀ ସମଗ୍ର ବିଶ୍ୱବାସୀଙ୍କ ପାଇଁ ସ୍ବର୍ଗର ନନ୍ଦନକାନନ ପାଲଟିଯିବ।
ବି-୩ ,ଏଚ୍‌ଆଇଜି କଲୋନୀ
ବରମୁଣ୍ଡା ହାଉସିଂ ବୋର୍ଡ, ଭୁବନେଶ୍ୱର
ମୋ- ୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri