ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟିଛି। ଏହି ଘଟଣାରେ ପୋଲିସ ଦୁଇ ପୃଥକ୍ ମାମଲା ରୁଜୁ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନୋଟିସ୍ ଦେଇ ଛାଡ଼ିଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ଯେ, ପାଟପୁର ଥାନା ଜୁଆଣପଲ୍ଲୀ ଗ୍ରାମର ହାଡ଼ିଆ ସାହୁ, ବ୍ରାହ୍ମଣପଙ୍କ ଗ୍ରାମର ଶରତ ଚନ୍ଦ୍ର ଭୋଳଙ୍କ କହିବା ଅନୁଯାୟୀ ଗତ ମେ’ ମାସରେ ଟ୍ରାକ୍ଟର ନେଇ ତାଙ୍କ ଜମିରେ ମାଟି କାମ କରିଥିଲେ। ତେବେ ଟ୍ରାକ୍ଟର ଭଡ଼ା ବାବଦକୁ ୩ ହଜାର ଟଙ୍କା ଶରତ ଦେଇନଥିଲେ। ବାରମ୍ବାର ମାଗିବା ସତ୍ତ୍ୱେ ସେ ଟଙ୍କା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ।
ବୁଧବାର ପୋଡ଼ାଖାଲ ଗ୍ରାମ ନିକଟରେ ହାଡ଼ିଆ, ଶରତଙ୍କୁ ଦେଖି ବାକି ଥିବା ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଧସ୍ତାଧସ୍ତି ହୋଇଥିଲା। ଶରତ ଏକ ଠେଙ୍ଗାରେ ହାଡ଼ିଆଙ୍କୁ ଆକ୍ରମଣ କରିବାରୁ ହାଡ଼ିଆ ମଧ୍ୟ ପ୍ରତିଆକ୍ରମଣ କରିଥିଲେ। ଏହି ଗଣ୍ଡଗୋଳରେ ଉଭୟ ଗୁରୁତର ଆହାତ ହୋଇଥିଲେ।
ଏନେଇ ପାଟପୁର ଥାନାରେ ଉଭୟଙ୍କ ପକ୍ଷରୁ ଏତଲା ଦିଆଯିବା ପରେ ଥାନାଧିକାରୀ (ଆଇଆଇସି) ଦୀପ୍ତି ରଞ୍ଜନ ବେହେରା କେସ୍ ନଂ ୨୫୧/୨୬ ଓ ୨୫୨/୨୬ ଅନୁଯାୟୀ ଦୁଇଟି ପୃଥକ୍ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ଅଧିକାରୀ তথা ପୋଡ଼ାମାରି ଫାଣ୍ଡି ଅଧିକାରୀ ଏଏସଆଇ ପ୍ରଭାତ କୁମାର ବାଲିକାନା ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୩୫(୩) ଅନୁଯାୟୀ ଉଭୟଙ୍କୁ ନୋଟିସ୍ ଦେଇ କୋର୍ଟରେ ହାଜର ହେବା ସର୍ତ୍ତରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

