ଗୁଆହାଟୀ,୨୭।୯: କକ୍ରୋଚ୍ ଜନତା ପାର୍ଟି (CJP)ର କୋ-ଫାଉଣ୍ଡର ଆଶୁତୋଷ ରାଙ୍କା ଏବଂ ତାଙ୍କ ଟିମ୍କୁ ଆସାମ ପୋଲିସ ଅଟକ ରଖିଥିବା ନେଇ ଆଶୁତୋଷ ନିଜେ ସୂଚନା ଦେଇଛନ୍ତି । CJP ଫାଉଣ୍ଡର ଅଭିଜିତ ଦୀପକେ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ।
ଅଭିଜିତ ଦିପକେ ସୋସିଆଲ ମିଡିଆ ‘X’ରେ ଦାବି କରିଛନ୍ତି ଯେ, ଆଶୁତୋଷ ରାଙ୍କା ଓ CJPର ଟିମ୍କୁ ପୋଲିସ ଅଟକ ରଖି ଅଜଣା ସ୍ଥାନକୁ ନେଉଛି । ଆଇନଜୀବୀମାନେ ଅଟକ ରଖାଯାଇଥିବା ସ୍ଥାନ ବାହାରେ ଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଭିତରକୁ ଯିବାକୁ ଦେଉନଥିବା ସେ ଦାବି କରିଛନ୍ତି।
ଗୁଆହାଟୀରେ CJP ପକ୍ଷରୁ ପ୍ରଥମ ଆଞ୍ଚଳିକ ୱାଲଣ୍ଟିୟର୍ସ ମିଟିଂ ଆୟୋଜନ କରାଯିବାକୁ ଥିଲା। ଆଶୁତୋଷ ରାଙ୍କା ଶନିବାରଠାରୁ ଆସାମରେ ଥିଲେ ଏବଂ ଏହି ବୈଠକରେ ଯୋଗଦେବାର ଥିଲା। ତେବେ ବୈଠକ ଆରମ୍ଭ ହେବା ପୂର୍ବରୁ ହିଁ ପୋଲିସ ତାଙ୍କୁ ଓ ତାଙ୍କ ଟିମ୍କୁ ଅଟକ ରଖିଥିବା CJP ପକ୍ଷରୁ ଦାବି କରାଯାଇଛି । ସଂଗଠନର ଅଭିଯୋଗ ଅନୁସାରେ, କାର୍ଯ୍ୟକ୍ରମସ୍ଥଳକୁ ଯିବା ରାସ୍ତାକୁ ମଧ୍ୟ ପୋଲିସ ଅବରୋଧ କରିଥିଲା। ବୈଠକରେ ଯୋଗଦେବାକୁ ଆସୁଥିବା ୱାଲଣ୍ଟିୟର୍ସଙ୍କୁ ମଧ୍ୟ ସେଠାରେ ପହଞ୍ଚିବାକୁ ଦିଆଯାଇନଥିବା CJP ଅଭିଯୋଗ କରିଛି।
ଆଶୁତୋଷ ରାଙ୍କା କହିଛନ୍ତି ଯେ, CJP ଆସାମରେ ସରକାରୀ ସ୍କୁଲର ସ୍ଥିତି ଯାଞ୍ଚ କରିବା ସହ ଭୋଟର ତାଲିକା ସଂଶୋଧନରେ ପ୍ରଭାବିତ ପରିବାରଗୁଡ଼ିକୁ ଭେଟିବାକୁ ଯୋଜନା କରିଥିଲା। ଆସାମର ସ୍କୁଲ, ଜମି ଓ ଅନ୍ୟାନ୍ୟ ପ୍ରସଙ୍ଗରେ CJP ପ୍ରଶ୍ନ ଉଠାଇବାକୁ ଅଧିକାରୀମାନେ ରୋକିବାକୁ ଚାହୁଁଛନ୍ତି । କାଜିରଙ୍ଗାରେ ଲୋକଙ୍କ ଅଧିକାର ଛଡ଼ାଇ ଜମି, ଜଙ୍ଗଲ ଓ ଜଳ କର୍ପୋରେଟ୍ମାନଙ୍କୁ ଦିଆଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି।
ତେବେ ଆଶୁତୋଷ ରାଙ୍କା ଓ CJP ଟିମ୍କୁ ଅଟକ ରଖିବାର ପୋଲିସର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଏହି ରିପୋର୍ଟରେ ଆସାମ ପୋଲିସର କୌଣସି ପ୍ରତିକ୍ରିୟା ଉଲ୍ଲେଖ ହୋଇନାହିଁ ।

