
ନୂଆଦିଲ୍ଲୀ,୧୮।୨: ଇଂଲଣ୍ଡ କ୍ରିକେଟ ଟିମ୍ର ଅନେକ ଖେଳାଳି ଟେଷ୍ଟ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ହେଁ ଆଇପିଏଲ୍ଠାରୁ ଦୂରରେ ରୁହନ୍ତି। ସେମାନଙ୍କ ମଧ୍ୟରେ ଜେମ୍ସ ଆଣ୍ଡରସନ ଏବଂ ଜୋ ରୁଟ୍ଙ୍କ ଭଳି ଦିଗ୍ଗଜ ଖେଳାଳି ଅଛନ୍ତି। ଅପରପକ୍ଷେ ଆଇପିଏଲ୍ରେ ରୋଜଗାର ଅଧିକ ହୋଇଥିବାରୁ ଖେଳାଳିମାନଙ୍କ ଧ୍ୟାନ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ କେନ୍ଦ୍ରିତ କରିବା ମୁସ୍କିଲ ବ୍ୟାପାର। ଏହା ସତ୍ତ୍ୱେ ଏବେ ବି ଆଇପିଏଲ୍ ବନାମ ଟେଷ୍ଟ କ୍ରିକେଟକୁ ନେଇ ଆଲୋଚନା ଚାଲିଥିବା ବେଳେ ଇଂଲଣ୍ଡ କୋଚ୍ କ୍ରିସ୍ ସିଲଭରଉଡ୍ ନିଜର ପ୍ରତିକ୍ରିୟା ରଖିଛନ୍ତି।
ସିଲଭରଉଡ୍ କହିଛନ୍ତି, ଖେଳାଳିମାନଙ୍କୁ ଆଇପିଏଲ୍ରେ ନ ଖେଳିବାକୁ କହିବା କଷ୍ଟକର। ଇଂଲଣ୍ଡ ଏବଂ ବେଲ୍ସ କ୍ରିକେଟ ବୋର୍ଡ ସମସ୍ତ ଫର୍ମାଟରେ ଖେଳୁଥିବା ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର, ଜନି ବେୟରଷ୍ଟୋ,ମୋଇନ ଅଲିଙ୍କ ଭଳି ଖେଳାଳିଙ୍କୁ ଭାରତ ଏବଂ ଶ୍ରୀଲଙ୍କା ଗସ୍ତରେ ରୋଟେସନ ନୀତି ଅନୁଯାୟୀ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲା। କାରଣ ଖେଲାଳିମାନଙ୍କୁ ଆଇପିଏଲ୍ ନ ଖେଳିବାକୁ ପରାମର୍ଶ ଦେବା କଠିନ କାମ। ଯଦି କେହି ରୋଜଗାର ଦେଖୁଥାଏ ତେବେ ଆପଣ ଏଭଳି କରିପାରିବେ ନାହିଁ। ଆଇପିଏଲ୍ ଟି୨୦ ବିଶ୍ୱର ଶୀର୍ଷ ଟୁର୍ନାମେଣ୍ଟ। ଏଥିପାଇଁ ଏଭଳି କରିବା କଷ୍ଟକର ବୋଲି ସେ କହିଛନ୍ତି।