ଚିପ୍‌ ଯୁଦ୍ଧ

ପୂର୍ବ ଏସିଆରେ ଅବସ୍ଥିତ ତାଇଓ୍ବାନ ଏକ କ୍ଷୁଦ୍ର ରାଷ୍ଟ୍ର। ଏହାକୁ ରିପବ୍ଲିକ୍‌ ଅଫ୍‌ ଚାଇନା ତା’ର ଅଂଶ ବୋଲି ଦର୍ଶାଇଚାଲିଛି। ଅନ୍ୟପକ୍ଷରେ ତାଇଓ୍ବାନ ନିଜର ସାର୍ବଭୌମତ୍ୱକୁ ବଜାୟ ରଖି ବିଶ୍ୱର ଅନ୍ୟତମ ବୃହତ୍‌ ଶକ୍ତିକୁ ଚ୍ୟାଲେଞ୍ଜ ଦେଉଛି। ସାମରିକ ନାଲିଆଖି ଦେଖାଇ ଡରାଇବାରେ ସଫଳ ନ ହେବା ପରେ ୫ ମାର୍ଚ୍ଚ ୨୦୨୩ରେ ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍‌ ତାଇଓ୍ବାନକୁ ‘ଶାନ୍ତିପୂର୍ଣ୍ଣ ପୁନଃ ଏକତ୍ରୀକରଣ’ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ଗଣତନ୍ତ୍ର ଓ ସ୍ବାଧୀନତା ପ୍ରତି ତାଇଓ୍ବାନବାସୀଙ୍କ ପ୍ରତିଶ୍ରୁତିବଦ୍ଧତାକୁ ବେଜିଂ ସମ୍ମାନ ଦେବା ଉଚିତ ବୋଲି କହି ତାଇଓ୍ବାନ ଜବାବ ଦେଇଛି। ଏହି ଦ୍ୱୀପରାଷ୍ଟ୍ରର ଏଭଳି କଠୋର ଜବାବ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି।
ତାଇଓ୍ବାନକୁ ନିଜର ଭୂଖଣ୍ଡ ଦାବି କରିଆସୁଥିବା ଚାଇନା ୩ ବର୍ଷ ହେଲା ଉକ୍ତ ଦ୍ୱୀପରାଷ୍ଟ୍ର ନିକଟରେ ସାମରିକ କାର୍ଯ୍ୟକଳାପ ବଢ଼ାଇ ଚାଲିଛି। ୨ ଅଗଷ୍ଟ ୨୦୨୨ରେ ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ସ୍ପିକର ନାନ୍ସି ପେଲୋସି ତାଇଓ୍ବାନ ଗସ୍ତ କରି ସେଠାକାର ରାଷ୍ଟ୍ରପତି ଟିସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କୁ ଭେଟିବା ପରେ ଚାଇନା କ୍ଷୁବ୍ଧ ହୋଇଥିଲା। ସେବେଠାରୁ ତାଇଓ୍ବାନକୁ ନିଜ ନିୟନ୍ତ୍ରଣ ଭିତରକୁ ଆଣିବା ଲାଗି ଚାଇନା ପ୍ରୟାସ କରିଚାଲିଛି। ହେଲେ ତାଇଓ୍ବାନର ଭୌଗୋଳିକ ସ୍ଥିତି ଦେଖିଲେ ଚାଇନା ସହଜରେ ଆକ୍ରମଣ କରିବା ସମ୍ଭବ ହୋଇପାରୁ ନାହିଁ। ଇଷ୍ଟ ଚାଇନା ସି’ ଭିତରେ ଥିବା ଏହି ଦ୍ୱୀପରାଷ୍ଟ୍ର ଚାଇନା ମୁଖ୍ୟଭୂଖଣ୍ଡର ସକୀର୍ଣ୍ଣ ପାର୍ଶ୍ୱରୁ ଦେଖିଲେ ୧୨୮ କିଲୋମିଟର ବା ୭୯. ୫ ମାଇଲ ଦୂରତ୍ୱରେ ଅବସ୍ଥିତ। ତେଣୁ ପାଣି ଭିତରେ ଚାଇନାର ଯୁଦ୍ଧଜାହାଜଗୁଡ଼ିକ ଯାଇ କେଉଁ ପଟରୁ ଆକ୍ରମଣ କଲେ ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବ ତାହା ଆକଳନ କରିପାରୁ ନାହିଁ। ଆକାଶମାର୍ଗରୁ ତାଇଓ୍ବାନକୁ ଟାର୍ଗେଟ କରିବାକୁ ଚାହିଁଲେ ତାହା ମଧ୍ୟ କଷ୍ଟକର। କାରଣ ତାଇଓ୍ବାନର ରାଡାର ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବାରୁ ଶତ୍ରୁପକ୍ଷର ଯୁଦ୍ଧବିମାନକୁ ଠାବ କରି ଖସାଇବାରେ ସକ୍ଷମ ହେବ। ଯଦି ଅନେକ ଶହ ଜାହାଜ ନେଇ ତଇଓ୍ବାନକୁ ଚାଇନା ଘେରିବାକୁ ଚେଷ୍ଟା କରିବ, ଉପଯୁକ୍ତ ବେସ୍‌ ନ ଥିବାରୁ ଏହାର ଅସ୍ତ୍ରଶସ୍ତ୍ର ସହ ଖାଦ୍ୟସାମଗ୍ରୀ ଭର୍ତ୍ତି ସାମରିକ ପରିବହନ ଉଡ଼ାଜାହାଜ ଲକ୍ଷ୍ୟ ହାସଲରେ ସକ୍ଷମ ହୋଇ ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଥିସହିତ ତାଇଓ୍ବାନର ଭୌଗୋଳିକ ସ୍ଥିତି ଦେଖିଲେ ଘଞ୍ଚ ଅରଣ୍ୟ ସହ ପାହାଡ଼ିଆ ଅଞ୍ଚଳ ଖୁନ୍ଦି ହୋଇ ରହିଥିବାରୁ ଚାଇନାର ସୈନ୍ୟ ଯୁଦ୍ଧରେ ସଫଳ ହେବା ମଧ୍ୟ ସହଜ ମନେ ହେଉନାହିଁ। ସମ୍ଭବତଃ ଏହିସବୁ ପ୍ରତିବନ୍ଧକ ଥିବା ଲକ୍ଷ୍ୟ କରିବା ପରେ ଚାଇନା କର୍ତ୍ତୃପକ୍ଷ ଶାନ୍ତିପୂର୍ଣ୍ଣ ପୁନଃ ଏକତ୍ରୀକରଣ ଲାଗି ତାଇଓ୍ବାନକୁ ପ୍ରସ୍ତାବ ଦେଇଥିବା ଅନୁମାନ କରାଯାଉଛି।
ଏବର ଭୂରାଜନୈତିକ ସ୍ଥିତି ଦେଖିଲେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବିବାଦ ଲାଗି ରହିଛି। ତେବେ ଏକବିଂଶ ଶତାବ୍ଦୀର ସବୁଠାରୁ ଦୀର୍ଘ ସମୟ ଧରି ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଦେଖିଲେ ଗୋଟିଏ ବିଷୟ ସ୍ପଷ୍ଟ ହେଉଛି ଯେ, ଶକ୍ତିଶାଳୀ ରାଷ୍ଟ୍ର ଚାହିଁଲେ ମଧ୍ୟ କ୍ଷୁଦ୍ର ଦେଶଗୁଡ଼ିକୁ ନିଜ ଅକ୍ତିଆରକୁ ନେବା ସହଜ ନୁହେଁ। ୟୁକ୍ରେନ୍‌ବାସୀ ସାର୍ବଭୌମତ୍ୱ ରକ୍ଷା କରିବାକୁ ଯାଇ ଯେଭଳି ଲଢ଼ୁଆପଣ ଦେଖାଇଲେ ତାହା ବିଶ୍ୱସମୁଦାୟକୁ ତଟସ୍ଥ କରିଦେଇଛି। ଏହାର ବହୁ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହେବା ସହ ସେନା ଓ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲେ ମଧ୍ୟ ଯୁଦ୍ଧର ବର୍ଷକ ପରେ ୟୁକ୍ରେନ୍‌ ଦମ୍ଭ ଧରି ରହିବା ବିଶ୍ୱକୁ ନୂଆ ବାର୍ତ୍ତା ଦେଇଛି। ସମ୍ଭବତଃ ସେଇଠାରୁ ବଳ ପାଇ ତାଇଓ୍ବାନ ଭଳି ରାଷ୍ଟ୍ର ଚାଇନାକୁ କଡ଼ା ଜବାବ ଦେବା ସମ୍ଭବ ହୋଇଛି। ୫ ମାର୍ଚ୍ଚରେ ଚାଇନା ତା’ର ପ୍ରତିରକ୍ଷା ବଜେଟ ଗତବର୍ଷ ଅପେକ୍ଷା ୭.୨ ପ୍ରତିଶତ ବୃଦ୍ଧି କରି କ୍ରମାଗତ ୮ ବର୍ଷ ଧରି ସାମରିକ ବ୍ୟୟବରାଦ ବଢ଼ାଇ ଚାଲିଛି। ଆକଳନ ଅନୁସାରେ ଭାରତର ପ୍ରତିରକ୍ଷା ବଜେଟଠାରୁ ଚାଇନାର ବ୍ୟୟବରାଦ ୩ ଗୁଣ ଅଧିକ। ଚାଇନାର ପ୍ରତିରକ୍ଷା ବଜେଟ ବୃଦ୍ଧି ପାଇବା ଗଣମାଧ୍ୟମରେ ପ୍ରସାରିତ ହେବା ସତ୍ତ୍ୱେ ତାଇଓ୍ବାନ ଉପରେ ତାହାର ପ୍ରଭାବ ପଡ଼ିବା ଦେଖାଯାଉ ନାହିଁ। ତାଇଓ୍ବାନର ବିଶେଷତ୍ୱ ହେଉଛି ଯେ, ଏହା ବିଶ୍ୱର ସର୍ବବୃହତ୍‌ ଚିପ୍‌ ନିର୍ମାଣକାରୀ ରାଷ୍ଟ୍ର। ତାଇଓ୍ବାନ ସେମିକଣ୍ଡକ୍ଟର ମାନୁଫାକଚରିଂ କମ୍ପାନୀ(ଟିଏସ୍‌ଏମ୍‌ସି) ବିଶ୍ୱରେ ଉପଲବ୍ଧ ହେଉଥିବା ଚିପ୍‌ର ୫୪ ପ୍ରତିଶତ ନିର୍ମାଣ କରୁଛି। ଏହି ଚିପ୍‌ ସବୁ କମ୍ପ୍ୟୁଟର, ମୋବାଇଲ ଫୋନ୍‌, ଉଡ଼ାଜାହାଜ, ମୋଟରଗାଡ଼ିଠାରୁ ଆରମ୍ଭକରି ପ୍ରତିଟି ପ୍ରଯୁକ୍ତିସମ୍ପନ୍ନ ଯନ୍ତ୍ରାଂଶରେ ବ୍ୟବହୃତ ହେଉଛି। ଉଲ୍ଲେଖଯୋଗ୍ୟ ଯେ, ଶୂନ୍ୟ ଧୂଳିକଣିକା ସହ ଚିପ୍‌ ପ୍ରସ୍ତୁତ ଲାଗି ଥିବା ଅନୁକୂଳ ବାତାବରଣ ତାଇଓ୍ବାନକୁ ସବୁଠାରୁ ଆଗରେ ରଖିଛି। ଆଜିର ସ୍ଥିତି ଦେଖିଲେ ଯୁଦ୍ଧ ପରିଭାଷା ବଦଳିବାରେ ଲାଗିଛି। ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବର୍ତ୍ତେ ପ୍ରଯୁକ୍ତିସମ୍ପନ୍ନ ଲଢ଼େଇ ଲାଗି ପ୍ରସ୍ତୁତ ହେଉଥିବା ସାଇବର ଅସ୍ତ୍ର ଅଧିକ କ୍ଷତି ଘଟାଇପାରୁଛି, ଯାହା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରୁ ପ୍ରମାଣିତ ହୋଇଛି। ଯେତେବେଳେ ପ୍ରତିଟି ପ୍ରଯୁକ୍ତି ଆଧାରିତ ଯନ୍ତ୍ର ପାଇଁ ଚିପ୍‌ର ଆବଶ୍ୟକତା ରହିଛି, ତାହା ହେଲେ ତାଇଓ୍ବାନ୍‌ ଆଗରେ ରହିବା ସ୍ବାଭାବିକ।
ଅତଏବ ୟୁକ୍ରେନ୍‌ ଓ ତାଇଓ୍ବାନ ଭଳି ରାଷ୍ଟ୍ର ପ୍ରଦର୍ଶନ କରିଥିବା ସାହସ ଆଗାମୀ ସମୟ ଲାଗି ନୂଆ ଯୁଦ୍ଧ ସମୀକରଣ ସୃଷ୍ଟି କରିଦେଇଛି। ଏଥିରୁ ଖିଅ ଧରି ଆଲୋଚନା କରାଗଲେ ଯେଉଁ ଗୋଟିଏ କଥା ସ୍ପଷ୍ଟ ହେବାକୁ ଯାଉଛି ତାହା ହେଲା, କୌଣସି ରାଷ୍ଟ୍ର ମଧ୍ୟରେ ଏକତା ଓ କାର୍ଯ୍ୟଧାରାରେ ଶୃଙ୍ଖଳା ରହିଲେ ଶତ୍ରୁ ଯେତେ ବଡ଼ ଶକ୍ତିଶାଳୀ ଥିଲେ ମଧ୍ୟ ପଛଘୁଞ୍ଚା ଦେବାକୁ ବାଧ୍ୟ।

ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବର୍ତ୍ତେ ପ୍ରଯୁକ୍ତିସମ୍ପନ୍ନ ଲଢ଼େଇ ଲାଗି ପ୍ରସ୍ତୁତ ହେଉଥିବା ସାଇବର ଅସ୍ତ୍ର ଅଧିକ କ୍ଷତି ଘଟାଇପାରୁଛି, ଯାହା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରୁ ପ୍ରମାଣିତ ହୋଇଛି। ଯେତେବେଳେ ପ୍ରତିଟି ପ୍ରଯୁକ୍ତି ଆଧାରିତ ଯନ୍ତ୍ର ପାଇଁ ଚିପ୍‌ର ଆବଶ୍ୟକତା ରହିଛି, ତାହା ହେଲେ ତାଇଓ୍ବାନ୍‌ ଆଗରେ ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?