ଚିପ୍‌ ଯୁଦ୍ଧ

ପୂର୍ବ ଏସିଆରେ ଅବସ୍ଥିତ ତାଇଓ୍ବାନ ଏକ କ୍ଷୁଦ୍ର ରାଷ୍ଟ୍ର। ଏହାକୁ ରିପବ୍ଲିକ୍‌ ଅଫ୍‌ ଚାଇନା ତା’ର ଅଂଶ ବୋଲି ଦର୍ଶାଇଚାଲିଛି। ଅନ୍ୟପକ୍ଷରେ ତାଇଓ୍ବାନ ନିଜର ସାର୍ବଭୌମତ୍ୱକୁ ବଜାୟ ରଖି ବିଶ୍ୱର ଅନ୍ୟତମ ବୃହତ୍‌ ଶକ୍ତିକୁ ଚ୍ୟାଲେଞ୍ଜ ଦେଉଛି। ସାମରିକ ନାଲିଆଖି ଦେଖାଇ ଡରାଇବାରେ ସଫଳ ନ ହେବା ପରେ ୫ ମାର୍ଚ୍ଚ ୨୦୨୩ରେ ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍‌ ତାଇଓ୍ବାନକୁ ‘ଶାନ୍ତିପୂର୍ଣ୍ଣ ପୁନଃ ଏକତ୍ରୀକରଣ’ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ଗଣତନ୍ତ୍ର ଓ ସ୍ବାଧୀନତା ପ୍ରତି ତାଇଓ୍ବାନବାସୀଙ୍କ ପ୍ରତିଶ୍ରୁତିବଦ୍ଧତାକୁ ବେଜିଂ ସମ୍ମାନ ଦେବା ଉଚିତ ବୋଲି କହି ତାଇଓ୍ବାନ ଜବାବ ଦେଇଛି। ଏହି ଦ୍ୱୀପରାଷ୍ଟ୍ରର ଏଭଳି କଠୋର ଜବାବ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି।
ତାଇଓ୍ବାନକୁ ନିଜର ଭୂଖଣ୍ଡ ଦାବି କରିଆସୁଥିବା ଚାଇନା ୩ ବର୍ଷ ହେଲା ଉକ୍ତ ଦ୍ୱୀପରାଷ୍ଟ୍ର ନିକଟରେ ସାମରିକ କାର୍ଯ୍ୟକଳାପ ବଢ଼ାଇ ଚାଲିଛି। ୨ ଅଗଷ୍ଟ ୨୦୨୨ରେ ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ସ୍ପିକର ନାନ୍ସି ପେଲୋସି ତାଇଓ୍ବାନ ଗସ୍ତ କରି ସେଠାକାର ରାଷ୍ଟ୍ରପତି ଟିସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କୁ ଭେଟିବା ପରେ ଚାଇନା କ୍ଷୁବ୍ଧ ହୋଇଥିଲା। ସେବେଠାରୁ ତାଇଓ୍ବାନକୁ ନିଜ ନିୟନ୍ତ୍ରଣ ଭିତରକୁ ଆଣିବା ଲାଗି ଚାଇନା ପ୍ରୟାସ କରିଚାଲିଛି। ହେଲେ ତାଇଓ୍ବାନର ଭୌଗୋଳିକ ସ୍ଥିତି ଦେଖିଲେ ଚାଇନା ସହଜରେ ଆକ୍ରମଣ କରିବା ସମ୍ଭବ ହୋଇପାରୁ ନାହିଁ। ଇଷ୍ଟ ଚାଇନା ସି’ ଭିତରେ ଥିବା ଏହି ଦ୍ୱୀପରାଷ୍ଟ୍ର ଚାଇନା ମୁଖ୍ୟଭୂଖଣ୍ଡର ସକୀର୍ଣ୍ଣ ପାର୍ଶ୍ୱରୁ ଦେଖିଲେ ୧୨୮ କିଲୋମିଟର ବା ୭୯. ୫ ମାଇଲ ଦୂରତ୍ୱରେ ଅବସ୍ଥିତ। ତେଣୁ ପାଣି ଭିତରେ ଚାଇନାର ଯୁଦ୍ଧଜାହାଜଗୁଡ଼ିକ ଯାଇ କେଉଁ ପଟରୁ ଆକ୍ରମଣ କଲେ ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବ ତାହା ଆକଳନ କରିପାରୁ ନାହିଁ। ଆକାଶମାର୍ଗରୁ ତାଇଓ୍ବାନକୁ ଟାର୍ଗେଟ କରିବାକୁ ଚାହିଁଲେ ତାହା ମଧ୍ୟ କଷ୍ଟକର। କାରଣ ତାଇଓ୍ବାନର ରାଡାର ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବାରୁ ଶତ୍ରୁପକ୍ଷର ଯୁଦ୍ଧବିମାନକୁ ଠାବ କରି ଖସାଇବାରେ ସକ୍ଷମ ହେବ। ଯଦି ଅନେକ ଶହ ଜାହାଜ ନେଇ ତଇଓ୍ବାନକୁ ଚାଇନା ଘେରିବାକୁ ଚେଷ୍ଟା କରିବ, ଉପଯୁକ୍ତ ବେସ୍‌ ନ ଥିବାରୁ ଏହାର ଅସ୍ତ୍ରଶସ୍ତ୍ର ସହ ଖାଦ୍ୟସାମଗ୍ରୀ ଭର୍ତ୍ତି ସାମରିକ ପରିବହନ ଉଡ଼ାଜାହାଜ ଲକ୍ଷ୍ୟ ହାସଲରେ ସକ୍ଷମ ହୋଇ ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଥିସହିତ ତାଇଓ୍ବାନର ଭୌଗୋଳିକ ସ୍ଥିତି ଦେଖିଲେ ଘଞ୍ଚ ଅରଣ୍ୟ ସହ ପାହାଡ଼ିଆ ଅଞ୍ଚଳ ଖୁନ୍ଦି ହୋଇ ରହିଥିବାରୁ ଚାଇନାର ସୈନ୍ୟ ଯୁଦ୍ଧରେ ସଫଳ ହେବା ମଧ୍ୟ ସହଜ ମନେ ହେଉନାହିଁ। ସମ୍ଭବତଃ ଏହିସବୁ ପ୍ରତିବନ୍ଧକ ଥିବା ଲକ୍ଷ୍ୟ କରିବା ପରେ ଚାଇନା କର୍ତ୍ତୃପକ୍ଷ ଶାନ୍ତିପୂର୍ଣ୍ଣ ପୁନଃ ଏକତ୍ରୀକରଣ ଲାଗି ତାଇଓ୍ବାନକୁ ପ୍ରସ୍ତାବ ଦେଇଥିବା ଅନୁମାନ କରାଯାଉଛି।
ଏବର ଭୂରାଜନୈତିକ ସ୍ଥିତି ଦେଖିଲେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବିବାଦ ଲାଗି ରହିଛି। ତେବେ ଏକବିଂଶ ଶତାବ୍ଦୀର ସବୁଠାରୁ ଦୀର୍ଘ ସମୟ ଧରି ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଦେଖିଲେ ଗୋଟିଏ ବିଷୟ ସ୍ପଷ୍ଟ ହେଉଛି ଯେ, ଶକ୍ତିଶାଳୀ ରାଷ୍ଟ୍ର ଚାହିଁଲେ ମଧ୍ୟ କ୍ଷୁଦ୍ର ଦେଶଗୁଡ଼ିକୁ ନିଜ ଅକ୍ତିଆରକୁ ନେବା ସହଜ ନୁହେଁ। ୟୁକ୍ରେନ୍‌ବାସୀ ସାର୍ବଭୌମତ୍ୱ ରକ୍ଷା କରିବାକୁ ଯାଇ ଯେଭଳି ଲଢ଼ୁଆପଣ ଦେଖାଇଲେ ତାହା ବିଶ୍ୱସମୁଦାୟକୁ ତଟସ୍ଥ କରିଦେଇଛି। ଏହାର ବହୁ ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହେବା ସହ ସେନା ଓ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲେ ମଧ୍ୟ ଯୁଦ୍ଧର ବର୍ଷକ ପରେ ୟୁକ୍ରେନ୍‌ ଦମ୍ଭ ଧରି ରହିବା ବିଶ୍ୱକୁ ନୂଆ ବାର୍ତ୍ତା ଦେଇଛି। ସମ୍ଭବତଃ ସେଇଠାରୁ ବଳ ପାଇ ତାଇଓ୍ବାନ ଭଳି ରାଷ୍ଟ୍ର ଚାଇନାକୁ କଡ଼ା ଜବାବ ଦେବା ସମ୍ଭବ ହୋଇଛି। ୫ ମାର୍ଚ୍ଚରେ ଚାଇନା ତା’ର ପ୍ରତିରକ୍ଷା ବଜେଟ ଗତବର୍ଷ ଅପେକ୍ଷା ୭.୨ ପ୍ରତିଶତ ବୃଦ୍ଧି କରି କ୍ରମାଗତ ୮ ବର୍ଷ ଧରି ସାମରିକ ବ୍ୟୟବରାଦ ବଢ଼ାଇ ଚାଲିଛି। ଆକଳନ ଅନୁସାରେ ଭାରତର ପ୍ରତିରକ୍ଷା ବଜେଟଠାରୁ ଚାଇନାର ବ୍ୟୟବରାଦ ୩ ଗୁଣ ଅଧିକ। ଚାଇନାର ପ୍ରତିରକ୍ଷା ବଜେଟ ବୃଦ୍ଧି ପାଇବା ଗଣମାଧ୍ୟମରେ ପ୍ରସାରିତ ହେବା ସତ୍ତ୍ୱେ ତାଇଓ୍ବାନ ଉପରେ ତାହାର ପ୍ରଭାବ ପଡ଼ିବା ଦେଖାଯାଉ ନାହିଁ। ତାଇଓ୍ବାନର ବିଶେଷତ୍ୱ ହେଉଛି ଯେ, ଏହା ବିଶ୍ୱର ସର୍ବବୃହତ୍‌ ଚିପ୍‌ ନିର୍ମାଣକାରୀ ରାଷ୍ଟ୍ର। ତାଇଓ୍ବାନ ସେମିକଣ୍ଡକ୍ଟର ମାନୁଫାକଚରିଂ କମ୍ପାନୀ(ଟିଏସ୍‌ଏମ୍‌ସି) ବିଶ୍ୱରେ ଉପଲବ୍ଧ ହେଉଥିବା ଚିପ୍‌ର ୫୪ ପ୍ରତିଶତ ନିର୍ମାଣ କରୁଛି। ଏହି ଚିପ୍‌ ସବୁ କମ୍ପ୍ୟୁଟର, ମୋବାଇଲ ଫୋନ୍‌, ଉଡ଼ାଜାହାଜ, ମୋଟରଗାଡ଼ିଠାରୁ ଆରମ୍ଭକରି ପ୍ରତିଟି ପ୍ରଯୁକ୍ତିସମ୍ପନ୍ନ ଯନ୍ତ୍ରାଂଶରେ ବ୍ୟବହୃତ ହେଉଛି। ଉଲ୍ଲେଖଯୋଗ୍ୟ ଯେ, ଶୂନ୍ୟ ଧୂଳିକଣିକା ସହ ଚିପ୍‌ ପ୍ରସ୍ତୁତ ଲାଗି ଥିବା ଅନୁକୂଳ ବାତାବରଣ ତାଇଓ୍ବାନକୁ ସବୁଠାରୁ ଆଗରେ ରଖିଛି। ଆଜିର ସ୍ଥିତି ଦେଖିଲେ ଯୁଦ୍ଧ ପରିଭାଷା ବଦଳିବାରେ ଲାଗିଛି। ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବର୍ତ୍ତେ ପ୍ରଯୁକ୍ତିସମ୍ପନ୍ନ ଲଢ଼େଇ ଲାଗି ପ୍ରସ୍ତୁତ ହେଉଥିବା ସାଇବର ଅସ୍ତ୍ର ଅଧିକ କ୍ଷତି ଘଟାଇପାରୁଛି, ଯାହା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରୁ ପ୍ରମାଣିତ ହୋଇଛି। ଯେତେବେଳେ ପ୍ରତିଟି ପ୍ରଯୁକ୍ତି ଆଧାରିତ ଯନ୍ତ୍ର ପାଇଁ ଚିପ୍‌ର ଆବଶ୍ୟକତା ରହିଛି, ତାହା ହେଲେ ତାଇଓ୍ବାନ୍‌ ଆଗରେ ରହିବା ସ୍ବାଭାବିକ।
ଅତଏବ ୟୁକ୍ରେନ୍‌ ଓ ତାଇଓ୍ବାନ ଭଳି ରାଷ୍ଟ୍ର ପ୍ରଦର୍ଶନ କରିଥିବା ସାହସ ଆଗାମୀ ସମୟ ଲାଗି ନୂଆ ଯୁଦ୍ଧ ସମୀକରଣ ସୃଷ୍ଟି କରିଦେଇଛି। ଏଥିରୁ ଖିଅ ଧରି ଆଲୋଚନା କରାଗଲେ ଯେଉଁ ଗୋଟିଏ କଥା ସ୍ପଷ୍ଟ ହେବାକୁ ଯାଉଛି ତାହା ହେଲା, କୌଣସି ରାଷ୍ଟ୍ର ମଧ୍ୟରେ ଏକତା ଓ କାର୍ଯ୍ୟଧାରାରେ ଶୃଙ୍ଖଳା ରହିଲେ ଶତ୍ରୁ ଯେତେ ବଡ଼ ଶକ୍ତିଶାଳୀ ଥିଲେ ମଧ୍ୟ ପଛଘୁଞ୍ଚା ଦେବାକୁ ବାଧ୍ୟ।

ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବର୍ତ୍ତେ ପ୍ରଯୁକ୍ତିସମ୍ପନ୍ନ ଲଢ଼େଇ ଲାଗି ପ୍ରସ୍ତୁତ ହେଉଥିବା ସାଇବର ଅସ୍ତ୍ର ଅଧିକ କ୍ଷତି ଘଟାଇପାରୁଛି, ଯାହା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରୁ ପ୍ରମାଣିତ ହୋଇଛି। ଯେତେବେଳେ ପ୍ରତିଟି ପ୍ରଯୁକ୍ତି ଆଧାରିତ ଯନ୍ତ୍ର ପାଇଁ ଚିପ୍‌ର ଆବଶ୍ୟକତା ରହିଛି, ତାହା ହେଲେ ତାଇଓ୍ବାନ୍‌ ଆଗରେ ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri