Posted inଫୁରସତ

ତୁମ ଐଶ୍ୱରିକ ପ୍ରେମ ସାଂସାରିକ ପ୍ରେମଠାରୁ ଅଧିକ କି

ଟିକିଏ ଏଇ କଥା ଉପରେ ଆଗେ ଚିନ୍ତା କରନ୍ତୁ ଆଉ ପରେ ‘ମୋତେ କାହିଁକି ଈଶ୍ୱରଙ୍କ ଦର୍ଶନ ମିଳୁନି?’ ବୋଲି ପ୍ରଶ୍ନ କରିବେ l ନିଜର ଏକମାତ୍ର ପୁଅ ବା ଝିଅର ଦେହମୁଣ୍ଡ ଖରାପ ହେଲେ ତୁମେ ଯେତିକି ମନସ୍ତାପରେ ରୁହ, ଈଶ୍ୱରଙ୍କ ଦର୍ଶନ ହେଲା ନାହିଁ ବୋଲି କେବେ ସେତିକି ଚିନ୍ତାରେ ରହିଛ? ନିଜ ପାଇଁ ଦାମୀ ଡ୍ରେସ୍‌ କିଣି ପିନ୍ଧୁଛ l କିନ୍ତୁ ନିଜ ଠାକୁର ଘରେ ଥିବା ରାମ କିମ୍ବା କୃଷ୍ଣଙ୍କ ମୂର୍ତ୍ତିରେ ମିଟର ଦଶ ଟଙ୍କିଆ ନାଲିଆ ସାଲୁ କନା ଖଣ୍ଡେ ଗୁଡ଼ାଇ ଦେଇଛ। ସପ୍ତାହର ବାର ଅନୁସାରେ ନିଜ ଘରେ ତୁମେ ଖାଇବାର ମେନୁ ପରିବର୍ତ୍ତନ କରି ଆଜି ବିରିୟାନୀ ତ କାଲି ପଲାଉ କରି ଖାଉଛ l ତେଣେ ଠାକୁର ଘରେ ଥିବା ଫଟୋ ଆଉ ମୂର୍ତ୍ତି ପାଖରେ ମାସ ସାରା ଶୁଖିଲା ଉଖୁଡ଼ାରେ କାମ ଚଳେଇ ଦେଉଛ l ଠାକୁର କୋଉ ଖାଆନ୍ତି ଯେ- ମନରେ ଏପରି ଭାବନା ଅଛି ବୋଲି ସିନା! ଯଦି ମନରେ ଭାବନା ଥାଆନ୍ତା ଯେ, ହଁ ମୁଁ ଯୋଉ ଠାକୁରଙ୍କୁ ଭକ୍ତି କରୁଛି ବା ପୂଜା କରୁଛି, ସେ ସତକୁ ସତ ଠାକୁର ଘରେ ରହୁଛନ୍ତି ବୋଲି, ତେବେ ତୁମେ ନିଜେ ଗୋଟିଏ ଘରେ ନ’ ତିଅଣ ଛ’ ଭଜା ଖାଇ କାନ୍ଥର ଠିକ୍‌ ଆରପଟେ ଥିବା ଠାକୁର ଘରେ ତୁମ ଇଷ୍ଟଙ୍କୁ କେମିତି ଶୁଖିଲା ଉଖୁଡ଼ା ଭୋଗ ଲଗାଇ ପାରୁଥାନ୍ତ? ଠାକୁର ଘରେ ଠାକୁର ଅଛନ୍ତି ବୋଲି ଭାବୁଥିଲେ ତୁମ ପେଟକୁ ପରା ଦାନା ଯାଆନ୍ତା ନାହିଁ l

ତୁମ ଉପରେ କିଛି ବିପତ୍ତି ପଡ଼ିଲେ ତୁମେ କେମିତି କାନ୍ଦି କୁନ୍ଥେଇ ବିକଳ ହୁଅ। ଆଖିରୁ କେମିତି ଲୋତକ ଝରାଅ। ଆଚ୍ଛା, ଈଶ୍ୱରଙ୍କ ପାଇଁ ଦିନେ କେବେ ସେମିତି ଆଖିରୁ ଲୁହ ବୁହାଇଲଣି? ଅବଶ୍ୟ କିଛି ଲୋକ ଅଛନ୍ତି, ଠାକୁରଙ୍କ କଥା କହୁ କହୁ କାନ୍ଦିପକାନ୍ତି l ଏମାନଙ୍କୁ ଅଭକ୍ତ କିମ୍ବା ସମ୍ପୂର୍ଣ୍ଣ ଭକ୍ତ ବୋଲି କହି ହେବନି l କାରଣ ନିଜକୁ ଅମକ ଗୁରୁ ବା ଅମକ ଦେବତାଙ୍କର ଜଣେ ଏକନିଷ୍ଠ ଭକ୍ତ ବା ଶିଷ୍ୟ ବୋଲି ଅନ୍ୟକୁ ଜଣାଇ ହେବା ପାଇଁ ଏମାନଙ୍କ ଭିତରେ ବି ବହୁତ ଲୋକ ଥାଆନ୍ତି l
ଆଉ ତ କେତେ ଲୋକ ଅଛନ୍ତି, ସେମାନେ ଠାକୁର ଘରେ ରହି ପୂଜା କରୁଥିବେ l ଏଣେ ମଝିରେ ମଝିରେ ରହି ନିଜ ସ୍ତ୍ରୀ, ପିଲାଛୁଆଙ୍କୁ ପଚାରୁଥିବେ- ଆରେ ଦେଖିବଟି ଇଣ୍ଡିଆ ଆମର କେତେ ରନ୍‌ କଲା? – ପେପରବାଲା ପେପର ଦେଲାଣି? – ଟିଉସନ ମାଷ୍ଟର ଆସିଲେଣି? – ଗାଈ ଦୁହାଁ ଆରମ୍ଭ ହେଲାଣି? ଇତ୍ୟାଦି ଅନେକ କଥା l ଆରେ ବାବା, ତୁମର ଇୟେ କି ଅଭ୍ୟାସ? ତୁମେ ପରା ଠାକୁର ପୂଜା କରୁଛ! ଠାକୁର ଘରେ ବସି ଏମିତି କଥା ହେବା ପ୍ରମାଣ କରୁଛି ଯେ, ତୁମେ ଠାକୁରଙ୍କୁ ମୂର୍ତ୍ତି ବା ଫଟୋ ବୋଲି ଭାବୁଛ l ଯଦି ଠାକୁର ଘରେ ଥିବା ରାମ, କୃଷ୍ଣ, ହନୁମାନ, ଜଗନ୍ନାଥ ବା କାଳୀଙ୍କର ଚୈତନ୍ୟ ଏବଂ ଚିନ୍ମୟ ସତ୍ତା ପ୍ରତି ତୁମର ହୋସ ଥାଆନ୍ତା, ତେବେ ସେଠାରେ ବସି ତୁମେ କ’ଣ ଏଡ଼େ ପାଟିରେ ଏମିତି କଥା ହୋଇପାରନ୍ତ?
ଆଉ ପାଦେ ଆଗକୁ ଯିବା। ଗଁା ବା ସାହିରେ ସରସ୍ବତୀ ବା ଗଣେଶଙ୍କ ପୂଜା ହେଉଥିବ, କିନ୍ତୁ ଗୀତ ବାଜୁଥିବ ‘ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ’, ‘ପଡ଼ିଶା ଘର ଝିଅ ଯାଉଛି ଶିବ ମନ୍ଦିର’ ପରି ଆଧୁନିକ ଗୀତ ସମୂହ l ଏବେ ତ କ’ଣ ଗୋଟିଏ ଗୀତ ବାହାରିଛି ‘ଅରୁଆ ଭାତକୁ ଗୁଆଘିଅ’ l ଅକ୍ଷର ଶିଖି ନ ଥିବା ମାତ୍ର ଚାରି ବର୍ଷର ମୋ ବଡ଼ ଭାଇର ଝିଅ କୋଉଠୁ ଏ ଗୀତ ଶୁଣି ଯେତେବେଳେ ମନେପଡ଼ିଯାଉଛି ଗାଇ ବସୁଛି। ଏବେକାର ପରିବେଶ ଆଉ ପରିସ୍ଥିତି ଏତେ ବିଷାକ୍ତ ଆଉ ଅବ୍ୟବସ୍ଥିତ ଯେ, ନିଜ ପୁଅ ଝିଅଙ୍କୁ ସଂସ୍କାରର ଗଣ୍ଡି ଭିତରେ ରଖିବାକୁ ଯେତେ ଚେଷ୍ଟା କଲେ ବି କୁସଂସ୍କାରର ପ୍ରବଳ ଝାଞ୍ଜି ମାଡ଼ରେ ସଂସ୍କାରର ସବୁ ସୀମା ସରହଦ ଭାଙ୍ଗି ଯାଉଛି l ଏବେକାର ପାଠପଢ଼ୁଆ ପିଲାମାନେ ଯେଉଁମାନେ ଗଣେଶ, ସରସ୍ବତୀ, ଦୁର୍ଗା, ଭାଲୁକୁଣୀଙ୍କୁ ମେଢ଼ରେ ବସାଇ ପୂଜା କରୁଛନ୍ତି, ସେମାନଙ୍କ ମଗଜରେ ଏତିକି ପଶୁନାହିଁ ଯେ, ପଡ଼ିଶା ଘର ଝିଅ ଶିବ ମନ୍ଦିର ଯିବା ସହ ଦୁର୍ଗା, କାଳୀ ବା ଗଣେଶଙ୍କର ସମ୍ପର୍କ କ’ଣ? ଠାକୁରଙ୍କ ସମ୍ମୁଖରେ ଏହି ଗୀତକୁ ବଜାଇ ତା’ ସହିତ ତାଳ ଦେଇ ନ ନାଚିଲେ ଗଣେଶ କ’ଣ ଅଭିଶାପ ଦେବେ?
ଘରେ ହେଉ ବା ବାହାରେ ଏବେ ଆମର ପୂଜା, ଆରାଧନା ବା ଉପାସନା ଏଇ ସ୍ତରରେ ପହଞ୍ଚତ୍ଲାଣି l ଠାକୁରଙ୍କୁ ଆମେ ଜୋକର ବନେଇ ସାରିଲୁଣି l ଏଥିରେ କ’ଣ ନା ଆମକୁ ଈଶ୍ୱର ମିଳୁନାହାନ୍ତି l ଆରେ ବାବୁ, ଈଶ୍ୱରଙ୍କ ଚୈତନ୍ୟ ସତ୍ତାକୁ କେବେ ବୁଝିଲଣି? ସାଂସାରିକ ପ୍ରେମକୁ ଦୂରରେ ଥୋଇ ତାଙ୍କ ପ୍ରତି ଥିବା ନିଜ ପ୍ରେମର ମାତ୍ରାକୁ ବଢ଼େଇଲଣି? କିଛି ନାହିଁ l କେବଳ ଖାଲି ଲୋକଦେଖାଣିଆ ପ୍ରହସନ କରି ଚାଲୁଛ ଯାହା l

ବହୁତ ଦିନ ତଳେ ବୃନ୍ଦାବନରେ ଘଟିଥିବା ଏକ ସତ୍ୟ ଘଟଣାଟିଏ। ଜଣେ ଶେଠ ନିଜର ସବୁ ସମ୍ପତ୍ତିବାଡ଼ି ବିକ୍ରି କରି ଦେଇ ବୃନ୍ଦାବନକୁ ଚାଲି ଆସି ସେଠାରେ ରହିବାକୁ ଆରମ୍ଭ କଲେ l ପ୍ରତ୍ୟହ ବାଙ୍କେବିହାରୀଙ୍କୁ ଦର୍ଶନ କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ l କି ଖରା କି ବର୍ଷା, ସବୁଦିନ ସକାଳୁ ପାଦରେ ଚାଲି ଚାଲି ସେ ବାଙ୍କେବିହାରୀ ମନ୍ଦିରକୁ ଯାଆନ୍ତି l ଏହା ଥିଲା ତାଙ୍କର ନିତିଦିନିଆ ପ୍ରାରମ୍ଭିକ କାର୍ଯ୍ୟ l

ଦିନେ ସକାଳୁ ଶେଠ ମନ୍ଦିରକୁ ଏମିତି ଯାଉଥା’ନ୍ତି l ରାସ୍ତାରେ ଯିବାବେଳେ ପାର୍ଶ୍ୱସ୍ଥ ଏକ ଫୁଲ ଦୋକାନରେ ସୁନ୍ଦର ପଦ୍ମଫୁଲଟିଏ ବିକ୍ରି ହେବା ପାଇଁ ରଖାଯାଇଥିବା ଦେଖି ତାକୁ ନେଇ ନିଜ ଇଷ୍ଟଦେବ ବାଙ୍କେବିହାରୀଙ୍କୁ ସମର୍ପଣ କରିବାର ଲୋଭ ହେଲା। ସୁତରାଂ ଦୋକାନୀକୁ ଫୁଲର ଦାମ୍‌ ପଚାରିବାରୁ ସେ ‘ପାଞ୍ଚ ଟଙ୍କା ’ବୋଲି କହିଲା l ଶେଠ ପକେଟରେ ହାତ ପୂରାଇ ଟଙ୍କା ବାହାର କରୁଥିବା ସମୟରେ ପଛରୁ ଗମ୍ଭୀର ଗଳାରେ ପ୍ରଶ୍ନଟିଏ ଆସିଲା- ଆରେ, ସେ ପଦ୍ମଫୁଲର ଦାମ୍‌ କେତେ କିରେ? ଦୋକାନୀ ମୁହଁ ଟେକି ଚାହିଁଲା l ଦେଖିଲା ସେ ଅଞ୍ଚଳର ନବାବ ଘୋଡ଼ା ପିଠିରେ ସବାର ହୋଇ ଠିଆ ହୋଇଛନ୍ତି l ନବାବଙ୍କୁ ଦେଖି ଦୋକାନୀ ଜଣକ ତୁରନ୍ତ ପଦ୍ମଫୁଲର ଦାମକୁ ପାଞ୍ଚ ଟଙ୍କାରୁ ପଚାଶ ଟଙ୍କାକୁ ବଢ଼େଇଦେଲା। ଶେଠଙ୍କ କାନରେ ଏ କଥାଟି ପଡ଼ିବାରୁ ସେ ଫୁଲ ଦାମ୍‌କୁ ପାଞ୍ଚଶହକୁ ବଢ଼େଇ ଦେଲେ l ନବାବ କୋଉ ଛାଡ଼ିବା ଲୋକ। କାରଣ ପଦ୍ମଫୁଲଟି ତାଙ୍କର ନିତାନ୍ତ ଦରକାର ଥିଲା l ସେଦିନ ତାଙ୍କ ପତ୍ନୀଙ୍କ ଜନ୍ମଦିନ ଥିବାରୁ ସେ ଏ ସୁନ୍ଦର ପଦ୍ମ ଫୁଲଟିକୁ ତାଙ୍କୁ ଉପହାର ସ୍ବରୂପ ଦେବା ପାଇଁ ଚାହୁଁଥିଲେ l ତେଣୁ ଫୁଲର ଦାମ୍‌ ବାବଦରେ ହଜାରେ ଟଙ୍କା ଦେବେ ବୋଲି କହିଲେ l ଏ ଦୁଇ ଜଣଙ୍କ ନିଲାମ ଶୁଣି ଦୋକାନୀ ଖାଲି କୁରୁଳି ଉଠୁଥାଏ। ଯା’ ହେଉ ଆଜି ଭଲ ବେପାର ହବ l ନବାବଙ୍କ ମୁହଁରୁ ହଜାର ଟଙ୍କା କଥା ଶୁଣି ଫୁଲଟିକୁ ତାଙ୍କ ହାତକୁ ବଢ଼େଇ ଦେବାକୁ ଉଦ୍ୟତ ହେବା ବେଳେ ଶେଠ ଏକାଥରକେ ପନ୍ଦରଶହ ଟଙ୍କା ଦେବେ ବୋଲି କହିଲେ। ବାସ୍‌, ଏତିକିରେ ନବାବ ଆଉ ଆଗକୁ ନ ବଢ଼ି ସେ ସ୍ଥାନରୁ ପ୍ରସ୍ଥାନ କଲେ l ଏବେ ଦୋକାନୀଟି ଶେଠଙ୍କୁ କୌତୂହଳର ସହ ପଚାରିଲା- ଆଜ୍ଞା, ପାଞ୍ଚ ଟଙ୍କାର ଏ ପଦ୍ମଫୁଲକୁ ଆପଣ କାହିଁକି ବଢ଼ି କରି ପନ୍ଦରଶହ ଟଙ୍କା ଦେଇ କିଣିନେବାକୁ ଚାହୁଁଛନ୍ତି ଟିକେ କୁହନ୍ତୁ l

ଶେଠ କହିଲେ- ଆରେ ଭାଇ! ସାଂସାରିକ ଦୁନିଆର ଗୋଟିଏ ମିଛ ସମ୍ପର୍କ ‘ପତ୍ନୀ’ର ଜନ୍ମଦିନରେ ଉପହାର ଦେବା ପାଇଁ ନବାବ ଯେତେବେଳେ ପଦ୍ମଫୁଲଟିଏ ନେବା ପାଇଁ ହଜାରେ ଟଙ୍କା ପର୍ଯ୍ୟନ୍ତ ପହଞ୍ଚତ୍ପାରୁଛନ୍ତି, ସେତେବେଳେ ଏଇ ଫୁଲଟିକୁ ନେଇ ମୋ ବାଙ୍କେବିହାରୀଙ୍କୁ ସମର୍ପିତ କରିବାକୁ ଇଚ୍ଛା ପ୍ରକଟ କରିଥିବା ମୁଁ ଆଜି ପନ୍ଦରଶହ କ’ଣ, ଦରକାର ପଡ଼ିଥିଲେ ପନ୍ଦର ହଜାର ଟଙ୍କାରେ ଏହାକୁ କିଣିଥା’ନ୍ତି। ପତ୍ନୀ ପ୍ରେମ ଅପେକ୍ଷା ମୋ ବାଙ୍କେବିହାରୀଙ୍କ ପ୍ରେମ କ’ଣ ଏତେ ଶସ୍ତା?
ପାଠକେ! କଥାଟି ଶୁଣିଲେ ତ! ଏବେ ଆସନ୍ତୁ, ଆମେ ନିଜକୁ ତଉଲିବା ଆମ ମନରେ ଶେଠଙ୍କ ପରି ଏମିତି ଐଶ୍ୱରିକ ପ୍ରେମ ଅଛି ତ?

– ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?