ଚାଇନା ଦେଖୁଛି

ଯୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ୧୩ ଦିନ ଅତିକ୍ରମ କରିଗଲାଣି। ତଥାପି ଉଭୟ ଦେଶ ପଛଘୁଞ୍ଚା ଦେଉନାହାନ୍ତି। ଏହାଦ୍ୱାରା ଭୂରାଜନୈତିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ସବୁ ରାଷ୍ଟ୍ରର କୂଟନୈତିକ ନୀତି କ’ଣ ରହୁଛି ତାହା ଉପରେ ବିଶ୍ୱ ସମୁଦାୟ ନଜର ରଖିଛି। ଏଭଳି ସ୍ଥଳେ ଗତ ସପ୍ତାହରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତକୁ ନେଇ ଗଠିତ କ୍ୱାଡ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟ ତିନି ଦେଶ ଜାଣିଥିଲେ ଯେ ରୁଷିଆ ଭାରତକୁ ଯୁଦ୍ଧାସ୍ତ୍ରଠାରୁ ଆରମ୍ଭକରି ବିଭିନ୍ନ ଦିଗରୁ ସାହାଯ୍ୟ କରୁଥିବାରୁ ନୂଆଦିଲ୍ଲୀ ତା’ ପ୍ରତି ଢଳି ରହିଛି। ସେହି ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ସକାଶେ ସମ୍ଭବତଃ କ୍ୱାଡ୍‌ର ଅନ୍ୟ ତିନି ସଦସ୍ୟ ଦେଶ ଭାରତଠାରୁ ରୁଷିଆ ବିରୋଧରେ ମତ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତ ସମ୍ପୂର୍ଣ୍ଣ ନୀରବ ରହିଲା। ସେଥିପାଇଁ କୂଟନୈତିକ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ, ଆସନ୍ତାକାଲି ଯଦି ଭାରତ ଉପରେ କୌଣସି ବିପଦ ପଡ଼େ ଓ ଚାଇନା ଭଳି ରାଷ୍ଟ୍ର ଆକ୍ରମଣ କରେ ତେବେ କ୍ୱାଡ୍‌ ସମେତ ଅନ୍ୟ ଦେଶଗୁଡ଼ିକ ଭାରତ ସପକ୍ଷରେ ପଦକ୍ଷେପ ନେବାକୁ ପଛେଇ ପାରନ୍ତି। ବାସ୍ତବରେ କ୍ୱାଡ୍‌ ସଦସ୍ୟଭୁକ୍ତ ଅନ୍ୟ ରାଷ୍ଟ୍ରଗୁଡ଼ିକ ଯେତେବେଳେ ଖୋଲାଖୋଲି ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ବିରୋଧ କରୁଛନ୍ତି, ସେତେବେଳେ ଭାରତ ନିନ୍ଦା ନ କରିବା ନୀତି ତାକୁ ଏକଘରକିଆ କରିଦେଉଛି। ଉକ୍ତ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆକୁ କଡ଼ା ସମାଲୋଚନା କରିଥିଲେ। ସେହିପରି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୟୁକ୍ରେନ୍‌ର ଜାତୀୟ ଅଖଣ୍ଡତା ଉପରେ ରୁଷିଆର ଆକ୍ରମଣ ଚିନ୍ତାଜନକ ବୋଲି କହିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଧ୍ୟ ରୁଷିଆ ଉପରେ କଠୋର କଟକଣା ଲଗାଯିବା ସଂକ୍ରାନ୍ତରେ ମତ ରଖିଥିଲେ। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଆକ୍ରମଣକୁ ନିନ୍ଦା ନ କରି କ୍ୱାଡ୍‌ରେ ପ୍ରତିଶ୍ରୁତିବିହୀନ ଭାଗୀଦାରି ଭୂମିକା ଅବଲମ୍ବନ କରିଥିଲେ। ଫଳରେ କ୍ୱାଡ୍‌ ବୈଠକ ଶେଷରେ ମିଳିତ ବିବୃତିରେ ରୁଷିଆ ବିରୋଧରେ କୌଣସି ନିନ୍ଦା ପ୍ରସ୍ତାବ ଆଗତ କରାଯାଇପାରିଲା ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ପରବର୍ତ୍ତୀ ସମୟରେ କେବେ ଯଦି ତାଇଓ୍ବାନ୍‌ ଓ ଭାରତ ଉପରେ ଚାଇନା ଆକ୍ରମଣ କରିବାକୁ ଚାହିଁ ରୁଷିଆ ମଡେଲ ଅନୁସରଣ କରେ, ସେତେବେଳେ କ୍ୱାଡ୍‌ର ଅନ୍ୟ ସଦସ୍ୟମାନେ ନୀରବ ରହିବାକୁ ଉଚିତ ମଣିପାରନ୍ତି।
ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ନେଇ ଜାତିସଂଘ ପକ୍ଷରୁ କରାଯାଇଥିବା ଭୋଟରୁ ଭାରତ ବାରମ୍ବାର ବିରତ ରହୁଛି। ଯେତେବେଳେ ବିଶ୍ୱର ୧୪୯ ଦେଶ ମସ୍କୋକୁ ଦଣ୍ଡିତ କରିବା ସପକ୍ଷରେ ରହିଛନ୍ତି, ସେତେବେଳେ ଭାରତର ନୀରବତା ଭବିଷ୍ୟତରେ କେଉଁ ପ୍ରକାର ସମସ୍ୟା ସୃଷ୍ଟି କରିବ ଏବେ ବୁଝିବା କଷ୍ଟକର। ଏଭଳି ସ୍ଥଳେ ଯଦି ୟୁକ୍ରେନ୍‌ର ପତନ ଘଟେ ଓ ରୁଷିଆ ଯୁଦ୍ଧ ଜିତିଯାଏ ତେବେ ଚାଇନା ସମାନ ଧରଣର ଆକ୍ରମଣ ତଇଓ୍ବାନ୍‌ ଓ ସମ୍ଭବତଃ ଭାରତ ଉପରେ କରିବାକୁ ସାହସ ପାଇଯାଇପାରେ। ଉଲ୍ଲେଖଯୋଗ୍ୟ ଯେ, ଭାରତ ଓ ଚାଇନା ସୀମାନ୍ତ ବିବାଦ ଦୀର୍ଘବର୍ଷ ଧରି ଲାଗିରହିଛି ଏବଂ ନିକଟ ଅତୀତକୁ ଦେଖିଲେ ଜୁନ୍‌ ୨୦୨୦ରେ ଭାରତର ୨୦ ଯବାନ ନିହତ ହେବା ତାହାର ପ୍ରମାଣ ଦେଇଛି।
ଇଣ୍ଡୋ-ପ୍ୟାସିଫିକ୍‌ ବା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚାଇନାର ଆଧିପତ୍ୟକୁ ହ୍ରାସ କରିବା ଲାଗି ଏକଦା ଗଢ଼ିଉଠିଥିବା କ୍ୱାଡ୍‌ ମଧ୍ୟରେ ଯେଉଁ ମତଭେଦ ଏବେ ଦେଖାଦେଇଛି ତାହାକୁ ଅତି ପାଖରୁ ଦେଖୁଛି ଚାଇନା। ଏହା ସ୍ପଷ୍ଟ ଯେ, ୟୁକ୍ରେନ୍‌ ଉପରେ ରୁଷିଆ କେତେମାତ୍ରାରେ ଉନ୍ମତ୍ତ ହେଉଛି, ତାହାକୁ ମଧ୍ୟ ବେଜିଂ ନଜର ରଖିଛି।
ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନ୍‌ର ମାନବୀୟ ସଙ୍କଟକୁ ନେଇ କ୍ୱାଡ୍‌ କେବଳ ଦୁଃଖ ପ୍ରକାଶରେ କାମ ସାରି ଦେଉଥିବାରୁ ତାହା ଭାରତୀୟ କୂଟନୀତିରେ ଖରାପ ଧାରା ସୃଷ୍ଟି କରିଛି। ବର୍ତ୍ତମାନ ସ୍ଥିତିରେ ରୁଷିଆର ଗତିରୋଧ କରିବାକୁ ଆମେରିକା ଓ ଅନ୍ୟମାନେ କେତେ ବାଟ ଯାଉଛନ୍ତି ତାହା ଉପରେ ମଧ୍ୟ ଚାଇନା ନଜର ରଖିଛି।
ୟୁପିଏର ଦଶ ବର୍ଷ ଏବଂ ଏବେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଭାରତର ପୁରୁଣା ଗୋଷ୍ଠୀ ନିରପେକ୍ଷ ଅନ୍ତର୍ଜାତୀୟ ରାଜନୀତିକୁ ସରକାରୀ ନୀତିଠାରୁ ଦୂରେଇ ଦିଆଯାଇଛି। ଏହାଫଳରେ ଭାରତ ସହ ଏବେ ଅନ୍ୟ କୌଣସି ଦେଶ ସହଯୋଗୀ ଭାବେ ଏକ ସ୍ବରରେ କହିବା ପାଇଁ ନାହାନ୍ତି। ଅର୍ଥାତ୍‌ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ତା’ର କୂଟନୀତିକୁ ଅତ୍ୟନ୍ତ ସଜାଗ ହୋଇ ପରିଚାଳନା କରିବା ଦରକାର। ନୂଆଦିଲ୍ଲୀର ଅମଲାତାନ୍ତ୍ରିକ କୂଟନୀତି ଏବେ ମଧ୍ୟ ପୁଟିନ୍‌ଙ୍କ ରୁଷିଆକୁ ପୂର୍ବର କମ୍ୟୁନିଷ୍ଟ ସୋଭିଏଟ୍‌ ରୁଷିଆ ଭାବୁଥିବା ଭଳି ଧାରଣା ସୃଷ୍ଟି ହେଉଛି। ଏହା ଏକ ବିରାଟ ତ୍ରୁଟି। ପୁଟିନ୍‌ଙ୍କ ଚିନ୍ତାଧାରାରେ ଆଜିର ରୁଷିଆ ପାଇଁ ୟୁରୋପର କିଛି ଦେଶକୁ ଜୋର୍‌ ଜବରଦସ୍ତ ଦଖଲ କରିନେବା ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହୋଇଗଲାଣି। ରୁଷିଆରୁ ବାହାରୁଥିବା ଅନେକ ଲେଖାରୁ ବୁଝାପଡୁଛି ଯେ, ସାମରିକ କାର୍ଯ୍ୟ ମାଧ୍ୟମରେ ଅର୍ଥନୈତିକ ଉନ୍ନତି ଘଟିପାରିବ। ଏହିଭଳି ଚିନ୍ତାଧାରା ହିଟ୍‌ଲରଙ୍କର ଥିଲା ବୋଲି ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରିଥିଲା। ଯୁଦ୍ଧ ସାମଗ୍ରୀ ପ୍ରସ୍ତୁତ କରୁଥିବା ଦେଶ ଅନେକ ଯୁବକଙ୍କୁ ଚାକିରି ଯୋଗାଇପାରିବ। ଏହା ମାଧ୍ୟମରେ ଅର୍ଥନୈତିକ ପରିବର୍ତ୍ତନ ନିଶ୍ଚିତ ଭାବେ ଘଟିଥାଏ। କିନ୍ତୁ ଏହାର ଅନ୍ୟ ଦିଗଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସମୁହଁା ବୋଲି କୁହାଯାଇପାରିବ। ଅତ୍ୟଧିକ ପରିମାଣର ଯୁଦ୍ଧ ସାମଗ୍ରୀ ତିଆରି କରୁଥିବା ଦେଶ ସବୁବେଳେ ନିଜେ ଯୁଦ୍ଧ ଭିଆଇଥାଏ। ଆମେରିକା ଯଦି କୋରିଆ, ଭିଏଟ୍‌ନାମ ଏବଂ ଆଫଗାନିସ୍ତାନରେ ଯୁଦ୍ଧ ଘଟାଇପାରିଥିଲା, ସେହିଭଳି ରୁଷିଆ ମଧ୍ୟ ସିରିଆ ଭଳି ଦେଶରେ ଯୁଦ୍ଧ ସୃଷ୍ଟି କରିପାରିଛି ଏବଂ ନିଜେ ୟୁକ୍ରେନ୍‌ରେ ଯୁଦ୍ଧ କଲାଣି। ଏଭଳି ପ୍ରଚ୍ଛଦପଟରେ ଭାରତର କୂଟନୀତି ଯେଉଁ ପଥରେ ଆଗେଇ ଯାଉଛି ସେଥିରୁ ମନେହେଉଛି ଯେ ଆମ ଦେଶ, ନିକଟ ଭବିଷ୍ୟତରେ, ଅନ୍ତର୍ଜାତୀୟ ସ୍ତରରେ ସମ୍ପୂର୍ଣ୍ଣ ବନ୍ଧୁହୀନ ହୋଇଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?