ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି ଅନେକ ଅର୍ଥନୈତିକ କାର୍ଯ୍ୟର ପରିସର ବୃଦ୍ଧି କରିବା ପାଇଁ ସୁବିଧା କରାଯାଇଛି। ସେହିଭଳି ଏବେ ପୂର୍ବରେ ନୂତନ କରିଡର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚାଇନା। ତାହା ହେଉଛି ଚାଇନା-ମ୍ୟାନ୍ମାର-ବାଂଲାଦେଶ ଅର୍ଥନୈତିକ କରିଡର (ସିଏମ୍ବିସି)। ଚାଇନା ଏହା ମାଧ୍ୟମରେ ବଙ୍ଗୋପସାଗର ପାଇଁ ଏକ ନୂତନ ମାର୍ଗ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ସିପିଇସି ହେଉଛି ଚାଇନାର ବହୁ ଆକାଂକ୍ଷିତ ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ)ର ଅଂଶବିଶେଷ। ଭାରତ ସିପିଇସିକୁ ଦୃଢ଼ ଭାବେ ବିରୋଧ କରୁଛି ବୋଲି ଦେଶବାସୀଙ୍କୁ କୁହାଯାଉଛି। ବାସ୍ତବ ପରିସ୍ଥିତିରେ ଭାରତର ବିରୋଧ କିମ୍ବା ସପକ୍ଷରେ କୌଣସି ପ୍ରଭାବ ଏହି ପ୍ରକଳ୍ପ ଉପରେ ପଡ଼ୁଥିବାର ଲକ୍ଷ୍ୟ କରାଯାଉ ନାହିଁ। ଦେଶ ଭିତରେ କୁହାଯାଉଛି ଯେ, ବିରୋଧର କାରଣ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ଗିଲ୍ଗିଟ୍-ବଲ୍ଟିସ୍ତାନ ଦେଇ ଏହା ଗତି କରୁଛି। ବାସ୍ତବରେ ଏହା ସ୍ପଷ୍ଟ କରିଦେଉଛି ଯେ, ଭାରତର ସେହି ଅଞ୍ଚଳ ଉପରେ ଦାବି କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ତେଣୁ ଭବିଷ୍ୟତକୁ ଅନିଶା କରି ଚାଇନା ଦ୍ୱିତୀୟ ବାଟ ଭାବେ ଭାରତର ପୂର୍ବ ପଟେ ସିଏମ୍ବିସି ମାଧ୍ୟମରେ କର୍ତ୍ତୃତ୍ୱ ଜାହିର କରିବାକୁ ନୂଆ ପନ୍ଥା ଧରିଛି। ଚାଇନାର ଏହି ଉଦ୍ଦେଶ୍ୟ ଚରିତାର୍ଥ ହେଲେ ଭାରତ ଅଡ଼ୁଆରେ ପଡ଼ିବ।
ସିଏମ୍ବିସି ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି ଯେତେବେଳେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରହମାନ୍ ଜୁନ୍ ଶେଷ ସପ୍ତାହରେ ବେଜିଂ ଗସ୍ତ କରି ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ଭେଟି ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ବୃହତ୍ ଆଞ୍ଚଳିକ ସଂଯୋଗୀକରଣ ସକାଶେ ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ସବୁ ପ୍ରକାର ଯୋଜନା କରାଯାଇଥିବା ଜଣାପଡ଼ିଛି। ପ୍ରସ୍ତାବିତ କରିଡର ଚାଇନାର ୟୁନାନ୍ ପ୍ରଦେଶର ରାଜଧାନୀ କୁନ୍ମିଙ୍ଗ୍ରୁ ଆରମ୍ଭ ହୋଇ ମ୍ୟାନ୍ମାରର ମାଣ୍ଡେଲ ପର୍ଯ୍ୟନ୍ତ ଯିବ। ସେଠାରୁ ଏହା ଦୁଇ ଭାଗରେ ବିଭକ୍ତ ହେବ। ଗୋଟିଏ ଶାଖା ୟାଙ୍ଗୁନ୍ ଅଭିମୁଖେ ଓ ଦ୍ୱିତୀୟଟି ରାଖାଇନ୍ ରାଜ୍ୟର କ୍ୟାଉକପ୍ୟୁ ସମୁଦ୍ର ବନ୍ଦର ଆଡ଼କୁ ଯାଉଛି। ଚାଇନା ରାଖାଇନ୍ ଦେଇ ଏହାକୁ ବାଂଲାଦେଶ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାକୁ ଚାହୁଁଛି, ଯାହା ଚଟ୍ଟୋଗ୍ରାମ ଓ କକ୍ସ ବଜାରକୁ ସଂଯୋଗ କରିବ। ଏହା ଫଳରେ ବେଜିଂକୁ ବଙ୍ଗୋପସାଗରରେ ଥିବା ଚଟ୍ଟୋଗ୍ରାମ ଏବଂ ମୋଙ୍ଗଳା ବନ୍ଦରକୁ ସିଧାସଳଖ ସଡ଼କ ପଥ ମିଳିଯିବ। ଦେଖିବାକୁ ଗଲେ ବାଂଲାଦେଶ-ଚାଇନା-ଭାରତ-ମ୍ୟାନ୍ମାର (ବିସିଆଇଏମ୍) କରିଡର ଯୋଜନା ୧୯୯୦ରେ ଚିନ୍ତା କରାଯାଇଥିଲା। ମାଣ୍ଡେଲ ଓ ଢାକା ଦେଇ କୁନ୍ମିଙ୍ଗକୁ କୋଲକାତା ସହ ଯୋଡ଼ିବା ପାଇଁ ଏହି ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଚାଇନାର ବିଆର୍ଆଇ ପ୍ରତି ଭାରତ ସନ୍ଦେହ ପ୍ରକଟ କରିବାରୁ ଏହି ପ୍ରକଳ୍ପ ସେହିଠାରେ ରହିଗଲା। ଏବର ଭୂରାଜନୈତିକ ସ୍ଥିତିକୁ ଦେଖି ଚାଇନା ନୂଆ ଗୋଟି ଚଳାଇବାକୁ ଯାଇ ବାଂଲାଦେଶକୁ ହାତକୁ ନେଇଯାଇଛି। ବିଶ୍ୱ ଜାଣିଛି ଯେ, ବାଂଲାଦେଶରେ ଅଶାନ୍ତ ପରିସ୍ଥିତି ଦେଖାଦେବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଭାରତରେ ଆଶ୍ରୟ ନେଇଛନ୍ତି। ଅନ୍ୟସବୁ ପଡ଼ୋଶୀ ଦେଶ ଭଳି ବାଂଲାଦେଶରେ ମଧ୍ୟ ଭାରତ ବିରୋଧୀ ଚିନ୍ତାଧାରା ବୃଦ୍ଧି ପାଇଥିବାରୁ ଚାଇନା ତାହାର ସୁଯୋଗ ଖୋଜୁଥିଲା। ଏହି ସମୟରେ ଚାଇନା ଆଡ଼କୁ ବାଂଲାଦେଶ ଢଳିବା ଗୁରୁତ୍ୱ ବହନ କରିଛି। ସମ୍ଭବତଃ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ଙ୍କୁ ବେଜିଂ ଡକାଇ ଜିନ୍ପିଙ୍ଗ୍ ଭାରତକୁ ବାଦ୍ ଦେଇ ସିଏମ୍ବିସି ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ଚାହିଁଛନ୍ତି। ଏଥିରୁ ଏହା ବୁଝାପଡ଼ିଛି ଯେ ଭାରତକୁ ଚାଇନା ପଶ୍ଚିମରେ ପାକିସ୍ତାନ ପଟୁ ଓ ପୂର୍ବରେ ମ୍ୟାନ୍ମାର ଓ ବାଂଲାଦେଶ ଦେଇ ସଫଳତାର ସହ ଘେରିବାକୁ ଚେଷ୍ଟା କରୁଛି। ଚାଇନା ଦକ୍ଷିଣ ଏସିଆର ଦେଶଗୁଡ଼ିକ ସହ ଅର୍ଥନୈତିକ ଓ ରଣନୈତିକ ସମ୍ପର୍କକୁ ବଢ଼ାଇ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ସବୁ ଯୋଜନା କରିଦେଇଛି। ଏଭଳି ସ୍ଥଳେ ଭାରତ ତା’ର ପଡ଼ୋଶୀଙ୍କୁ ଅଣଦେଖା କରି ସେସେଲ୍ସ ଭଳି ଅନାମଧ୍ୟେୟ ଦେଶ ପ୍ର୍ରତି ଅଧିକ ଅନୁକମ୍ପା ଦେଖାଇଛି। ନିଜେ ବିଦେଶୀ ପୁଞ୍ଜି ଖୋଜୁଥିବା ଭାରତ ଏବେ ସେସେଲ୍ସରେ ୧୭୫ ମିଲିୟନ ଡଲାର ନିବେଶ କରିବା ଲାଗି ଚୁକ୍ତି କରିଛି।
ବୈଦେଶିକ ନୀତିରେ ‘ପଡ଼ୋଶୀ ପ୍ରଥମ’ ଚିନ୍ତାଧାରାକୁ ଅଗ୍ରପ୍ରାଧାନ୍ୟ ଦିଆଯିବା କଥା। କାରଣ ଯେତେବେଳେ କିଛି ଅସୁବିଧା ସ୍ଥିତି ଉପୁଜିଥାଏ ସେତେବେଳେ ପଡ଼ୋଶୀ ହିଁ ପ୍ରଥମେ ପାଖରେ ଛିଡ଼ା ହୋଇଥାଏ। ଗତ କିଛି ବର୍ଷ ହେବ ଭାରତର ସବୁ ପଡ଼ୋଶୀ ସହ ଅପଡ଼ ହେବାର ଦେଖାଯାଇଛି। ଏହା ବୈଦେଶିକ ନୀତିର ସର୍ବନିମ୍ନ ଚିନ୍ତାଧାରାକୁ କ୍ଷତି ପହଞ୍ଚୁଛି। କୁହାଯାଏ ବନ୍ଧୁ ବାଛିପାରିବ, କିନ୍ତୁ ପଡ଼ୋଶୀ ବାଛିପାରିବ ନାହିଁ। ତେଣୁ ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ହେଉଛି ସଫଳ ବୈଦେଶିକ ନୀତିର ପରିଚୟ। ତାହା ନ କରିପାରିଲେ ଅନ୍ୟ କୌଣସି କାର୍ଯ୍ୟର ଗୁରୁତ୍ୱ ରହେ ନାହିଁ।