ଲାଞ୍ଜିଗଡ଼, ୧୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସଦର ମହକୁମାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଦିନ ଶିଶୁ ଦିବସ ଅବସରରେ ‘ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୬-୨୭’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନା ଆନୁଷ୍ଠାନିକ ଭାବେ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଏବିଇଓ ତଥା ବିଆରସିସି ହୃଷିକେଶ ନାଏକ ଯੋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ସଦସ୍ୟ ରାଜେନ୍ଦ୍ର ସିଂହଦେଓ, ପୂର୍ବତନ ଏବିଇଓ ତଥା ପ୍ରଧାନଶିକ୍ଷକ ଗୋପବନ୍ଧୁ ପୃଷ୍ଟି, ଯୁବ ସମାଜସେବୀ ସୁବାସ ଚନ୍ଦ୍ର ଅଗ୍ରୱାଲ, ପୂର୍ବତନ ଛାତ୍ର ତଥା ସମାଜସେବୀ ଶ୍ରୀବତ୍ସ ତାଣ୍ଡି, ଲାଞ୍ଜିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅମିତା ସ୍ୱାଇଁ ଏବଂ ସିଆରସିସି ଜଳନ୍ଧର ମାଝୀ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଏଭଳି ପ୍ରଦର୍ଶନୀ ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ନୂତନ ଉଦ୍ଭାବନର ମନୋଭାବ ବୃଦ୍ଧି କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଦର୍ଶନୀରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୋଟ ୬୭ଟି ବୈଜ୍ଞାନିକ ପ୍ରକଳ୍ପ ଓ ମଡେଲ୍ ପ୍ରଦର୍ଶନ କରି ନିଜର ସୃଜନଶୀଳତା ଓ ଅନୁସନ୍ଧାନମୂଳକ ପ୍ରତିଭାର ପରିଚୟ ଦେଇଥିଲେ। ବିଚାରକ ଭାବେ ଅକ୍ଷୟ କୁମାର ପୁରୋହିତ ଓ ବିଷ୍ଣୁ ପ୍ରସାଦ ରାଉତ ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ।

ଅପରାହ୍ନରେ ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଅତିଥିମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ଲୋକେଶ ରଞ୍ଜନ ଅଧିକାରୀ ପ୍ରଥମ, କ୍ରିତିନା ଆଚାରୀ ଦ୍ୱିତୀୟ ଏବଂ ସୌମ୍ୟରଞ୍ଜନ ପେଶନିଆ ଓ ତୁଳସୀ ସେଠୀ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କନିଷ୍ଠ ବିଭାଗରେ ସୋହାନି ବେଜ ପ୍ରଥମ, ଶ୍ରୀକାନ୍ତ ହରିଜନ ଦ୍ୱିତୀୟ ଏବଂ ତୁଳସୀ ଆଚାରୀ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଜାତା ଦାସ, ସୋନାଲି ବେହେରା, ସହକାରୀ ଶିକ୍ଷକ ଦୁର୍ଗା ମାଧବ ମହାଖୁଡ଼, ଡମ୍ବରୁଧର ସାହୁ, ହିରଣ୍ୟ କୁମ୍ଭାର, ସହକାରୀ ଶିକ୍ଷୟିତ୍ରୀ ସୀତା ରାଉତ, ଖେଳ ଶିକ୍ଷୟିତ୍ରୀ ନଳିନୀ ମୁଣ୍ଡଛିନା, ଶିଶୁ ସେବିକା ଗାୟତ୍ରୀ ବାଗ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଶେଷରେ ପ୍ରଧାନଶିକ୍ଷକ ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


