ଋଣ ଖିଲାପକାରୀ ସନ୍ତାନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ୟେଋଣ ସେଇ ଋଣ ପରି ନୁହେଁ, ଯେମିତିକି ଗୃହ ଋଣ, କୃଷି ଋଣ ଅବା ପାଠପଢ଼ା ଋଣ, ଏ ଏମିତି ଏକ ଋଣ, ଯାହା ପାଇବା ଅବା ଶୁଝିବା ପାଇଁ କିଛି ଲିଖିତ ସନନ୍ଦପତ୍ର ନ ଥାଏ କି କେହି ସାକ୍ଷୀ ସନ୍ତକର ଲୋଡ଼ା ପଡ଼ି ନ ଥାଏ। ବାସ୍‌, କେବଳ ପାଇବା ବେଳେ ବେଶ୍‌ ଭାରି ଭାରି ଲାଗୁ କି ନ ଲାଗୁ, ଶୁଝିବା ବେଳେ କିନ୍ତୁ ଅନ୍ତରରେ ସୃଷ୍ଟି ହୋଇଥାଏ ଏକ ଅନିର୍ବଚନୀୟ ଉଶ୍ୱାସକର ଅନୁଭବ। ପିତୃସତ୍ୟ ପାଳିବା ପାଇଁ ବଚନବଦ୍ଧ ରାମ ଯେତେବେଳେ ସୀତା ଓ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ପରିତ୍ୟାଗ କଲେ, ସେତେବେଳେ ସହସ୍ରାଧିକ ଶୋକାକୁଳ ଅଯୋଧ୍ୟାର ନରନାରୀ ସରଯୁ ନଦୀକୂଳରେ ତାଙ୍କ ପଥ ଓଗାଳି ଏଭଳି ଏକ ନିଷ୍ଠୁର ନିଷ୍ପତ୍ତିରୁ ନିବୃତ୍ତ ରହିବାକୁ ବିକଳ ଅନୁରୋଧ କଲେ। ମାତ୍ର ସେ ଯେଉଁ ଚମତ୍କାର ଉତ୍ତର ରଖିଥିଲେ ତାହା ଥିଲା ଏହିପରି- ”ବାଲ୍ୟକାଳରୁ ଏ ଯାବତ୍‌ ମୋ ପିତାଙ୍କ ନିକଟରୁ ଯାହା ଯେତେ ଋଣ କରିଛି ଆଜି ତାଙ୍କ ଇଚ୍ଛା ପୂରଣ କରି ତହିଁରୁ ସାମାନ୍ୟ ଶୁଝିବାକୁ ସେ ମୋତେ ଏକ ସୁଯୋଗ ଦେଇଛନ୍ତି। ଆପଣମାନେ ବାଧକ ହୋଇ ମୋତେ ସେ ସୁଯୋଗରୁ ବଞ୍ଚତ୍ତ କରନ୍ତୁ ନାହିଁ।“ ଆଲୋଚ୍ୟ ପ୍ରସଙ୍ଗଟି ସେଇ ଋଣ ପର୍ଯ୍ୟାୟର। ଏହି ଋଣର ନାମ ପିତୃଋଣ ବା ମାତୃଋଣ, ଯାହା ପାଇଲା ପରେ ଦାରୁଣ ଦୈନ୍ୟ ମଧ୍ୟରେ ବି ମା’ବାପା’ଙ୍କ ଛତ୍ରଛାୟା ତଳେ ସନ୍ତାନଟିଏ ନିଜକୁ ଦିଗ୍‌ବିଜୟୀ ବାଦ୍‌ଶାହା ମନେକରେ। ଅଥଚ ବିଡ଼ମ୍ବନାର ବିଷୟ, ମା’ବାପାଙ୍କ ହାତ ଛାଡ଼ି ଥରେ ନିଜ ଗୋଡ଼ରେ ଛିଡ଼ା ହେବାର ସାମର୍ଥ୍ୟ ଅର୍ଜନ କଲେ ସନ୍ତାନଟିର ବିସ୍ମୃତି ଗର୍ଭରେ ହଜିଯାଏ ତା’ର ଯେତେସେବୁ ଅତୀତ। ସେ ଯେ ତା’ର ଜନ୍ମଦାତା ଓ ଜନ୍ମାଦାତ୍ରୀଙ୍କଠୁଁ ପାଇଥିବା ସ୍ନେହଶ୍ରଦ୍ଧା, ସେବାଶୁଶ୍ରୂଷା ଓ ଲାଳନପାଳନର ଅସୁମାରି ସମ୍ପଦରେ ଋଣଗ୍ରସ୍ତ ଏବଂ ସେମାନଙ୍କ ପରିଣତ ବୟସରେ ଏହି ଋଣକୁ ପରିଶୋଧ କରିବାର ସମୟ ଯେ ଏବେ ଉପନୀତ; ଏହି ସତ୍ୟକୁ ସେ ଜାଣିଜାଣି ଭୁଲିଯାଏ। ପରିଣାମ ହୁଏ ଅତ୍ୟନ୍ତ ପ୍ରତ୍ୟାଶିତ। କେଉଁଠି ବାଙ୍ଗାଲୋର ବା ନ୍ୟୁୟର୍କରେ ରହୁଥିବା ସନ୍ତାନର ବାଟ ଚାହିଁଚାହିଁ ବୃଦ୍ଧ ବାପାଟିଏ ସବୁଦିନ ପାଇଁ ଆଖି ବୁଜିଦିଏ ତ ଅନ୍ୟ କେଉଁଠି ନିଜ ପତ୍ନୀ ଓ ପିଲାମାନଙ୍କ ବାହାରେ ପରିବାରର ପରିଭାଷା ସରିଯାଇଛି ବୋଲି ମନେକରୁଥିବା ପୁଅର ନିର୍ଯାତନା ସହି ନ ପାରି ବୁଢ଼ୀ ମାଆଟିଏ ବୃଦ୍ଧାଶ୍ରମରେ ଆଶ୍ରୟ ନିଏ।
ଅଳ୍ପ କେଇଦିନ ତଳେ ସଂସ୍କାର କଥା ଦୂରେ ଥାଉ, ମାନବିକତା ହରାଇ ବସିଥିବା ଏମିତି ଜଣେ ଋଣ ଖିଲାପକାରୀ ସନ୍ତାନର ଅପକୀର୍ତ୍ତି ପ୍ରତ୍ୟେକ ଗଣମାଧ୍ୟମରେ ଛାଇ ହୋଇ ଯାଇଥିଲା। ରାଜନଗର ଅଞ୍ଚଳର ଜଣେ ଅଶୀତିପର ବୃଦ୍ଧଙ୍କର ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଥିଲା। ବୃଦ୍ଧଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା ବେଳେ ଭୁବନେଶ୍ୱରରେ ରହୁଥିବା ତାଙ୍କର ଏକମାତ୍ର ପୁଅ ହାତରେ ତାଙ୍କ ପାଖକୁ ଆସିବା ପାଇଁ ସମୟ ତ ନ ଥିଲା, ସେ ମରିଗଲା ପରେ ମଧ୍ୟ ଦୀର୍ଘ ସାତଘଣ୍ଟା କାଳ ହସ୍ପିଟାଲ ଶଯ୍ୟା ଉପରେ ତାଙ୍କ ଶବ ପଡ଼ିରହିଥିଲା ସିନା; ଖବର ପାଇ ମଧ୍ୟ ତାକୁ କାନ୍ଧ ଦେଇ ଶ୍ମଶାନକୁ ବୋହି ନେବା ପାଇଁ ପୁଅର ଦେଖା ନ ଥିଲା। ନିଜ ସନ୍ତାନର ଆସିବା ପଥକୁ ଆତୁର ଭାବେ ଚାହିଁ ରହିଥିବା ସତୁରି ବର୍ଷର ବୁଢ଼ୀ ମାଆଟି ଶେଷରେ ନିଜ ସଦ୍ୟ ବୈଧବ୍ୟର ଯନ୍ତ୍ରଣାକୁ ଭୁଲିଯାଇ ଗଁା ଲୋକଙ୍କ ସାହାଯ୍ୟରେ ନିଜ ପତିଙ୍କ ଦାହ ସଂସ୍କାର କରିଥିଲା। ଏମିତି ଅବିବେକୀ ହୋଇପାରନ୍ତି କେମିତି ସନ୍ତାନମାନେ!
ଆଉ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟପଟ। କେଇ ବର୍ଷ ତଳେ ଚାନ୍ଦବାଲି ବଜାରର ସଡ଼କ କଡ଼ରେ ଅଶୀବର୍ଷ ଅତିକ୍ରମ କରି ସାରିଥିବା ବୁଢ଼ୀଟିଏ ଘଣ୍ଟା ଘଣ୍ଟା ଧରି ବସି ରହିଥିଲା ତା’ ପୁଅକୁ ଅପେକ୍ଷା କରି। ପଚାରିବା ଲୋକଙ୍କୁ କହୁଥିଲା, ତା’ ପୁଅ ତାକୁ ଡାକ୍ତର ଦେଖାଇବାକୁ ଆଣିଛି। ସେଇ ମାଆଟି ଜାଣି ନ ଥିଲା ଯେ ନିଜ ପତ୍ନୀର ନିର୍ଦ୍ଦେଶ ମାନି ତା’ ପୁଅ ଡାକ୍ତରଖାନା ନେବା ବାହାନାରେ ତାକୁ ସହରକୁ ଆଣି, ସେଠାରେ ତାକୁ ପରିତ୍ୟାଗ କରି ଗଁାକୁ ଫେରିଯାଇଛି।
ଖବର ପ୍ରକାଶ ପାଇଥିଲା ଯେ, ଏକଦା ଗସ୍ତରେ ଯାଉଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ରାସ୍ତାଧାରରେ ବସି କାନ୍ଦୁଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ସାଙ୍ଗରେ ନେଇଥିଲେ ଓ ତାଙ୍କଠାରୁ ପୁଅବୋହୂଙ୍କଠୁଁ ଭୋଗୁଥିବା ନିର୍ଯାତନା ସମ୍ପର୍କରେ ଶୁଣି ବିହିତ ପ୍ରତିକାର କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବ୍ୟାଙ୍କ୍‌ର ଋଣ ଖିଲାପକାରୀ ଆଇନ ଅନୁଯାୟୀ ଦଣ୍ଡିତ ହେଲା ଭଳି ନିଜ ବୃଦ୍ଧା ମାଆଙ୍କ ଋଣ ପରିଶୋଧ ନ କରି ପ୍ରତାରିତ କରିଥିବା ପୁଅଟି ଆମ ଶାସନ ବ୍ୟବସ୍ଥା ଦ୍ୱାରା ଦଣ୍ଡିତ ହୋଇଥିଲା। ମାତ୍ର ନିଜ ନିଜର ସନ୍ତାନମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ସବୁ ହତଭାଗ୍ୟ ମାଆ ବାପାମାନେ ମୁଖ୍ୟ ଶାସନ ସଚିବଙ୍କ ନଜରରେ ପଡ଼ିଲା ଭଳି ସୌଭାଗ୍ୟର ତ ଅଧିକାରୀ ନୁହନ୍ତି। ସୁତରାଂ, ‘କ’ଣ କରିବା- କପାଳରେ ସିନା କର ମାରିବା’ ହିଁ ସେମାନଙ୍କର ଭାଗ୍ୟ ଓ ଭବିତବ୍ୟ। ଏ ପ୍ରସଙ୍ଗରେ ପିତାପୁତ୍ର ସମ୍ପର୍କର ଇତିହାସରେ ଏହି ନିଷ୍ଠୁରତମ ଅଧ୍ୟୟନ ଅନୁଧ୍ୟାନ କରାଯାଉ।
ଗୋପୀ ମହାରଣା ନାମକ ଜଣେ ବୃଦ୍ଧଙ୍କୁ କିଛି ସ୍ବେଚ୍ଛାସେବୀ ଉଦ୍ଧାର କରିଥିଲେ ରାଜଧାନୀ ଉପକଣ୍ଠ ଲିଙ୍ଗରାଜ ରୋଡ଼ ଷ୍ଟେଶନ ପରିସରରୁ। ଦେହସାରା ଘା’ଘଉଡ଼ ନେଇ ଅସହାୟ ଭାବେ ପଡ଼ିଥିବା ବେଳେ ଉଦ୍ଧାରକାରୀମାନେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ପରୀକ୍ଷାନିରୀକ୍ଷାରୁ ଜଣାପଡ଼ିଲା, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ଦୁରାରୋଗ୍ୟ ବ୍ୟାଧିରେ ସେ ପୀଡ଼ିତ। ପ୍ରଲମ୍ବିତ ଚିକିତ୍ସା ପାଇଁ ବୃଦ୍ଧଙ୍କ ପାଖରେ ଅର୍ଥ ନ ଥିଲା କି ନ ଥିଲେ କେହି ସମ୍ପର୍କୀୟ। ତଥାପି ସ୍ବେଚ୍ଛାସେବୀଙ୍କ ଉଦ୍ୟମରେ ତାଙ୍କୁ ଉପଲବ୍ଧ ହେଲା ସରକାରୀ ଚିକିତ୍ସା ସେବା। ଏମିତି ଚାଲିଲା ପ୍ରାୟ ଦୁଇ ମାସ। ବୃଦ୍ଧଙ୍କ ଅବସ୍ଥାରେ ବିଶେଷ ପରିବର୍ତ୍ତନ ନ ଆସିବାରୁ ଏକ ଖବରକାଗଜରେ ତାଙ୍କ ଫଟୋ ଛାପି ତାଙ୍କ ପରିବାର ବା ସମ୍ପର୍କୀୟଙ୍କ ଦୃଷ୍ଟିକୁ ଆଣିବାକୁ ଚେଷ୍ଟା କରାଗଲା। ଏହି ପ୍ରକ୍ରିୟାର ପରିଣାମ ଯାହା ମିଳିଲା, ତାହା ଥିଲା ସଂସ୍କାରସିଦ୍ଧ ସମ୍ପର୍କ ବିସଙ୍ଗତିର ଏକ କରୁଣତମ ଚିତ୍ର।
ବେଲଗୁଣ୍ଠାର ଗୋପୀ ମହାରଣା କାଠମିସ୍ତ୍ରୀ ଭାବେ କାମ କରି ଏକମାତ୍ର ପୁଅକୁ ପାଠ ପଢ଼ାଇଥିଲେ। ପୁଅକୁ ତାଙ୍କ ଭଳି ନ ଗଢ଼ି ବାବୁ ବନାଇବାକୁ ସେ ନିଜ ସ୍ଥିତି ଓ ସାମର୍ଥ୍ୟକୁ ଢେର ଆଘାତ ଦେଇଥିଲେ। ପୁଅ ପାଇଁ ନିଜ ସମର୍ପିତ ସାଧନାର ଶେଷ ସିଦ୍ଧାନ୍ତ ରୂପେ ଯେଉଁଦିନ ସେ ତାକୁ କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଦେଖିବାକୁ ପାଇଲେ, ସେଇ ଦିନ ହିଁ ତାଙ୍କ ପତ୍ନୀ ଚିରଦିନ ପାଇଁ ଆଖି ବୁଜିଦେଲେ। ଗୋପୀଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ କଲା। ପୁଅ ପାଠପଢ଼ାରେ ନିଜର ସବୁ ସମ୍ପତ୍ତି ବିକ୍ରି ହୋଇ ଯାଇଥିବାରୁ ନିଜର ଚିକିତ୍ସା ପାଇଁ କେବଳ ପୁଅ ହିଁ ଥିଲା ଏକମାତ୍ର ସମ୍ବଳ। ଅଥଚ କାଠମିସ୍ତ୍ରି ଗୋପୀ ମହାରଣାର ସଫ୍ଟଓ୍ବେର ଇଞ୍ଜିନିୟର ପୁଅ ପାଖରେ ଆମେରିକାରୁ ଫେରି ଆସି ବାପାଙ୍କ ଚିକିତ୍ସା କରାଇବାକୁ ସମୟ ନ ଥିଲା।
ଅସହାୟ ଗୋପୀ ମହାରଣା ଓ ତାଙ୍କ ଅବିବେକୀ ପୁଅଙ୍କ କଥା କେବଳ ଦୁଇଜଣ ବାପାପୁଅଙ୍କ କଥା ନୁହେଁ। ଗୋପୀ ଭଳି ବାପାଙ୍କ ସଂଖ୍ୟା ଯେମିତି ଏକରେ ସୀମିତ ନୁହେଁ, ସେମିତି ଏକରେ ସରିଯାଇନାହିଁ ସେଭଳି ପୁଅଙ୍କର ଦୃଷ୍ଟାନ୍ତ। ଅତୀତରେ ଦିନେ ଏଇ ମାଟିରେ ପିତୃଋଣ ଶୁଝିବା ପାଇଁ ରାଜ୍ୟ ତ୍ୟାଗ କରିଥିଲେ ଜଣେ ପୁତ୍ର। ପୁଣି ପିତାଙ୍କ ଖୁସି ପାଇଁ ଜଣେ ପୁଅ ସାରା ଜୀବନ ଅବିବାହିତ ରହିଥିଲେ ତ ଆଉ ଜଣେ ନିଃସଂକୋଚରେ ସମର୍ପି ଦେଇଥିଲେ ନିଜ ଯୌବନ। ଆଜି ସମୟ ବଦଳିଯାଇଛି। ତା’ ସହିତ ବଦଳିଯାଇଛି ପିତୃଋଣ ଭଳି ଏକ ପୁରୁଣାକାଳିଆ ତତ୍ତ୍ୱର ପରିଭାଷା। ବାଃ, ଆମ ଆଧୁନିକତାର ଜୟ ହେଉ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?