ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ ଏହାକୁ ନିଷିଦ୍ଧ କରିବା ଲାଗି ପୃଥିବୀବ୍ୟାପୀ ଗୋଟେ ପଦକ୍ଷେପ ନିଆଯିବା ଆରମ୍ଭ ହୋଇଛି । ଏକ ତଥ୍ୟରୁ ଜଣାପଡ଼ିଛି ଯେ, ବିଶ୍ୱର ୪୦ରୁ ଅଧିକ ଦେଶରେ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ରତିବନ୍ଧକ ଲାଗୁ ହୋଇସାରିଛି କିମ୍ବା ପ୍ରକ୍ରିୟା ଚାଲିଛି ବା ସକ୍ରିୟ ଭାବରେ ବିଚାର କରାଯାଉଛି। ଡିସେମ୍ବର ୨୦୨୫ରେ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ଦେଶବ୍ୟାପୀ ପ୍ରତିବନ୍ଧକ ଲଗାଇ ଏଥିରେ ଆଗୁଆ ରହିଛି। ତା’ ପରେ ବ୍ରାଜିଲ, ମାଲେସିଆ, ଇଣ୍ଡୋନେସିଆ ଆଦି ଦେଶ ଏ ଦିଗରେ ଆଇନ କାର୍ଯ୍ୟକାରୀ କରିଛନ୍ତି। ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟିକ୍‌ଟକ୍‌ ଏବଂ ୟୁଟ୍ୟୁବ ଭଳି ପ୍ରମୁଖ ପ୍ଲାଟଫର୍ମଗୁଡ଼ିକ ବୟସ-ଯାଞ୍ଚ ପ୍ରଣାଳୀ କାର୍ଯ୍ୟକାରୀ କରିବା ଏବଂ ୧୬ ବର୍ଷରୁ କମ୍‌ ବୟସର ବ୍ୟବହାରକାରୀଙ୍କୁ ଆକାଉଣ୍ଟ ଖୋଲିବାରୁ ବାରଣ ନେଇ ଦାବି ବଢ଼ୁଛି। ତେବେ ଫ୍ରାନ୍ସ, ଡେନ୍‌ମାର୍କ, ନରୱେ, ପର୍ତ୍ତୁଗାଲ, ସ୍ପେନ, ଗ୍ରୀସ୍‌ ଏବଂ ବ୍ରିଟେନ ଆଦି ଦେଶ ଏ ଦିଗରେ ନିଜର ଆଇନ ପ୍ରଣୟନ କରିବାରେ ଆଗେଇ ଚାଲିଛନ୍ତି ଏବଂ ଫ୍ଲୋରିଡାଠାରୁ ମାସାଚୁସେଟ୍ସ ପର୍ଯ୍ୟନ୍ତ ଆମେରିକାର ୧୯ ରାଜ୍ୟ ନିଜ ଅଞ୍ଚଳରେ ପ୍ରତିବନ୍ଧକ ଗୃହୀତ କରୁଛନ୍ତି। ଯେଉଁ ଦେଶଗୁଡ଼ିକରେ ଏହା ପ୍ରସ୍ତାବିତ ସ୍ତରରେ ରହିଛି ସେଗୁଡ଼ିକ ମଧ୍ୟରୁ କେତେକ ହେଲା ଜର୍ମାନୀ, ପୋଲାଣ୍ଡ୍‌, ଫିନ୍‌ଲାଣ୍ଡ, ଚାଇନା, ମେକ୍ସିକୋ, ଅଷ୍ଟ୍ରିଆ, ଇଟାଲୀ ଓ ଭାରତ। ଭାରତର କର୍ନାଟକ ଓ ଆନ୍ଧ୍ରପ୍ରଦେଶ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ନେଇ କଟକଣା ଲାଗୁ ଘୋଷଣା କରିଥିବା ବେଳେ ୮ରୁ ୧୨, ୧୨ରୁ ୧୬ ଏଂ ୧୬ରୁ ୧୮ ଯାଏ ୩ ଥାକିଆ ବୟସ ବର୍ଗ ପାଇଁ ଏକ ଜାତୀୟ ଆଇନ ଅଣାଯିବା ଉପରେ ଜୋର ଦେଇଛନ୍ତି। ଚଳିତ ମାସ ୧୫ ତାରିଖରେ ବ୍ରିଟେନର ବିଦାୟୀ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍‌ମର ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ବିଷୟ ଘୋଷଣା କରିବା ପରେ ଏହି ପ୍ରସଙ୍ଗ ଏବେ ବେଶି ଚର୍ଚ୍ଚାକୁ ଆସିଛି। ଆସନ୍ତା କ୍ରିସ୍‌ମାସ ପୂର୍ବରୁ ଏହା ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ୨୦୨୭ ପ୍ରାରମ୍ଭରେ ବ୍ରିଟେନରେ ଲାଗୁ ହେବା ସେ କହିଥିଲେ। ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ସକାଶେ ବିଭିନ୍ନ ରାଷ୍ଟ୍ର ଚିନ୍ତା ପ୍ରକଟ କରୁଥିବା ବେଳେ ଏହା ବିତର୍କ ପାଲଟି ଯାଇଛି।
ଜନସଂଖ୍ୟାବହୁଳ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ କୌଣସି ବିଷୟରେ ଅସ୍ବାଭାବିକତା ଦେଖାଦେବା ପରେ ସେ ନେଇ ଚିନ୍ତା ଜନ୍ମିଥାଏ। କୁହାଯାଉଛି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରୁ ଭାରତରେ ୧୦ କୋଟିରୁ ଊର୍ଦ୍ଧ୍ୱ ୧୮ ବର୍ଷରୁ କମ୍‌। ବିଶ୍ୱବ୍ୟାପୀ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ କଥା ଯେତେ ଆଲୋଚନା ହେଉଛି ସେତେ ଚିନ୍ତାର ବିଷୟ ପାଲଟିଛି ସୁରକ୍ଷା। ଇଣ୍ଟରନେଟ୍‌ ବିଶେଷକରି ସୋସିଆଲ ମିଡିଆରେ ଶିଶୁଙ୍କୁ ଟାର୍ଗେଟ କରୁଥିବା ବିକୃତ ମାନସିକତାର ଲୋକସବୁ ବର୍ତ୍ତମାନ ଅଧିକ ସକ୍ରିୟ। ପିଲାଙ୍କ ନିରୀହତାକୁ ଲକ୍ଷ୍ୟ କରି ‘ଗ୍ରୁମିଂ ଗ୍ୟାଙ୍ଗ୍‌’ ସୋସିଆଲ ମିଡିଆ ମାଧ୍ୟମରେ ଆଜିକାଲି ଜାଲ ବିଛାଉଛନ୍ତି। ବ୍ଲାକ୍‌ମେଲ, ଧମକାଇବା, ଯୌନ ସମ୍ପର୍କ ଗଢ଼ିବାର ବାଟ ଦେଇ ଅପହରଣ ଓ ଶିଶୁଚାଲାଣ ଏସବୁ ସୋସିଆଲ ମିଡିଆ ମାଧ୍ୟମରେ ବଢ଼ିପାରିଛି। ମେଟା, ‘X’, ସ୍ନାପଚାଟ୍‌ ଭଳି ବଡ଼ ସାମାଜିକ ଗଣମାଧ୍ୟମ ସଂସ୍ଥା ପିଲାଙ୍କ ସୁରକ୍ଷା ପାଇଁ ଠୋସ୍‌ ପଦକ୍ଷେପ ନେବାକୁ ନାରାଜ। ଇନ୍‌ଷ୍ଟାଗ୍ରାମ୍‌ ହେଉ କି ‘X’ ଚାଇଲ୍ଡ ପର୍ନୋଗ୍ରାଫି ଓ ଶିଶୁ ସାଇବର ବୁଲିଂ ବିରୋଧରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାନ୍ତି। ଏପରି ସ୍ଥଳେ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବେ ଗୋଟିଏ ମାତ୍ର ଉପାୟ ଭାବେ ଦିଶିଲାଣି। କୁହାଯାଇପାରେ ଯେ, ଅନେକ ମାତାପିତା ଓ ଅଭିଭାବକ ବିପଦକୁ ହୃଦୟଙ୍ଗମ କରିବାରେ ଅକ୍ଷମ ହୋଇଥିବାରୁ ସାନ ପିଲାଙ୍କ ଫଟୋ ଓ ଭିଡିଓ ଲଗାତର ସୋସିଆଲ ମିଡିଆରେ ପକେଇ ଚାଲନ୍ତି। ଏସବୁକୁ କିଏ କେଉଁ ଦୃଷ୍ଟିରେ ଦେଖିବ ତାହା ଉପରେ ନିୟନ୍ତ୍ରଣ ନ ଥାଏ। ଏଥିସହ ଛୋଟ ପିଲାଙ୍କ ମାନସିକତାରେ ପରିପକ୍ୱତା ଆସି ନ ଥିବାରୁ ସୋସିଆଲ ମିଡିଆର ରଙ୍ଗିନ ଦୁନିଆ ସେମାନଙ୍କୁ ସହଜରେ ବଶବର୍ତ୍ତୀ କରିଦେଉଛି। ତାହାର ଅତ୍ୟଧିକ ବ୍ୟବହାର ନା ଯେ କେବଳ ସେମାନଙ୍କୁ ବିପଦ ବଳୟକୁ ଆଣୁଛି, ତାହା ସେମାନଙ୍କ ଶାରୀରିକ ଓ ମାନସିକ ସ୍ଥିତିକୁ ମଧ୍ୟ ଘୋର ପ୍ରଭାବିତ କରୁଛି। ଅନେକ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ନିଶା ପାଲଟିଗଲେ ତାହାକୁ ବାରଣ କରିବାକୁ ମାତାପିତା ପଦକ୍ଷେପ ନେବାରୁ ପିଲାମାନେ ଚରମ ପଦକ୍ଷେପ ନେଇଯାଉଛନ୍ତି। ସୋସିଆଲ ମିଡିଆ ବ୍ୟବହାର ନ କରିବାକୁ ମାତାପିତା ବାରଣ କରିବାରୁ ୪ ଫେବୃଆରୀ ୨୦୨୬ରେ ଉତ୍ତରପ୍ରଦେଶର ଗାଜିଆବାଦରେ ୧୨, ୧୪ ଏବଂ ୧୬ ବର୍ଷ ବୟସର ତିନି ଭଉଣୀ ୯ ତାଲା ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏମାନଙ୍କ ପୂର୍ବରୁ ମୋବାଇଲ ଫୋନ୍‌ ବ୍ୟବହାର ବାରଣ କରିବା କିମ୍ବା ମାତାପିତା ମୋବାଇଲ ଫୋନ୍‌ ଯୋଗାଇଦେବାରେ ସକ୍ଷମ ନ ହେବା ଦେଖି ବହୁ ପିଲା ଜୀବନ ହାରି ଦେଇଥିବା ଦେଖାଯାଇଛି। କେତେକ ଅନୁଧ୍ୟାନରୁ ଜଣାପଡ଼ିଛି ସାମାଜିକ ଗଣମାଧ୍ୟମର ଅତ୍ୟଧିକ ବ୍ୟବହାର ମାନସିକ ଅବସାଦ ମଧ୍ୟ ଆଣୁଛି। ଏହି ପରିପ୍ରେକ୍ଷୀରେ ଦୋହରା ଯାଇ କୁହାଯାଇପାରେ ଯେ, ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌ ସେମାନଙ୍କୁ ସୁରକ୍ଷିତ ରଖିବାର ସର୍ବଶେଷ ପନ୍ଥା ଭାବେ ଦିଶିଲାଣି।

Odisha’s No.1 Odia Daily