ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍ଏଫ୍ଏଚ୍ଏସ୍-୫ରୁ ଏନ୍ଏଫ୍ଏଚ୍ଏସ୍-୬)ର ଏକ ତୁଳନାତ୍ମକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଶିଶୁଙ୍କ ଶାରୀରିକ ବାମନତା ବା ଗେଡ଼ାପଣ (ଷ୍ଟଣ୍ଟିଂ) ଏବଂ ‘ଗୁରୁତର କ୍ଷୀଣକାୟତା’ (ସିଭିୟର୍ ଓ୍ୱେଷ୍ଟିଂ ବା ଉଚ୍ଚତା ଅନୁପାତରେ କମ୍ ଓଜନ)ରେ ସୁଧାର ଆସିଥିବା ବେଳେ କମ୍ ଓଜନ (ଅଣ୍ଡର୍ଓ୍ୱେଟ୍) ଏବଂ ‘ସାଧାରଣ କ୍ଷୀଣକାୟତା’ ବୃଦ୍ଧି ପାଇବା ଚିନ୍ତାର କାରଣ ସାଜିଛି।
ରାଜ୍ୟ ସ୍ତରରେ ଗେଡ଼ାପଣ ହାର ଏନ୍ଏଫ୍ଏଚ୍ଏସ୍-୫ରେ ୩୧.୦% ଥିବାବେଳେ ଏନ୍ଏଫ୍ଏଚ୍ଏସ୍-୬ରେ ଏହା ୨୬.୮%କୁ ହ୍ରାସପାଇଛି, ଯାହା ୪.୨% ସୁଧାର ଦର୍ଶାଉଛି। ରାଜ୍ୟର ୩୦ ଜିଲା ମଧ୍ୟରୁ ୨୪ ଜିଲାରେ ଏଥିରେ ସୁଧାର ଆସିଥିବାବେଳେ ସମ୍ୱଲପୁର ଜିଲାରେ ସବୁଠାରୁ ଅଧିକ ସୁଧାର (୪୦.୭%ରୁ ୨୪.୩% କୁ ହ୍ରାସ) ଦେଖିବାକୁ ମିଳିଛି। ଏହା ପଛକୁ ଭଦ୍ରକ ଓ ବରଗଡ଼ ରହିଛିି। ଅପରପକ୍ଷରେ ୬ ଜିଲାରେ ଏହା ବୃଦ୍ଧି ପାଇଛି, ଯେଉଁଥିରେ ବଲାଙ୍ଗୀର (୩୨.୭%ରୁ ୩୬.୪%) ଶୀର୍ଷରେ ରହିଛି। ବର୍ତ୍ତମାନ ରାୟଗଡ଼ା (୪୭.୨%), ନୂଆପଡ଼ା (୪୩.୧%), କୋରାପୁଟ (୩୮.୭%), ମାଲକାନଗିରି (୩୭.୩%) ଏବଂ ବଲାଙ୍ଗୀର (୩୬.୪%)ରେ ଗେଡ଼ାପଣର ସ୍ଥିତି ଗୁରୁତର ରହିଛି।
ଅନ୍ୟପଟେ ରାଜ୍ୟ ସ୍ତରରେ ଉଚ୍ଚତା ଅନୁପାତରେ କମ୍ ଓଜନ ବା କ୍ଷୀଣକାୟତା ହାର ୧୮.୧%ରୁ ୨୨.୧%କୁ ବୃଦ୍ଧିପାଇଛି (୪% ବୃଦ୍ଧି)। ମାତ୍ର ୯ ଜିଲାରେ ସୁଧାର ଆସିଥିବା ବେଳେ ୨୧ ଜିଲାରେ ଏହା ବୃଦ୍ଧି ପାଇଛି। ମାଲକାନଗିରିରେ ଏହା ସବୁଠୁ ଅଧିକ (୧୯.୩%ରୁ ୩୦.୭%) ବୃଦ୍ଧି ପାଇଥିବା ବେଳେ ମୟୂରଭଞ୍ଜ (୩୩.୦%), କେନ୍ଦୁଝର (୩୧.୬%) ଏବଂ ମାଲକାନଗିରି (୩୦.୭%)ରେ କ୍ଷୀଣକାୟତା ହାର ସର୍ୱାଧିକ ରହିଛି। ତୀବ୍ର କୁପୋଷଣର ପ୍ରତୀକ ହୋଇଥିବାରୁ ଏହି ବୃଦ୍ଧି ସିଧାସଳଖ ଚିନ୍ତାର ବିଷୟ ପାଲଟିଛି। ସେହିପରି ରାଜ୍ୟ ସ୍ତରରେ ‘ଗୁରୁତର କ୍ଷୀଣକାୟତା’ ହାର ୬.୧%ରୁ ୫.୮%କୁ ସାମାନ୍ୟ ହ୍ରାସ ପାଇଛି। ୧୫ ଜିଲାରେ ସୁଧାର ଏବଂ ୧୫ ଜିଲାରେ ବୃଦ୍ଧି ରେକର୍ଡ କରାଯାଇଛି। କନ୍ଧମାଳ ଜିଲାରେ ସବୁଠାରୁ ବଡ଼ ସୁଧାର (୧୨.୪% ରୁ ୩.୧%କୁ ହ୍ରାସ) ହୋଇଛି। ଗଜପତିରେ ଏହା ୪.୩%ରୁ ୯.୧%କୁ ବୃଦ୍ଧି ପାଇଥିବାବେଳେ ମୟୂରଭଞ୍ଜ (୧୦.୮%) ଓ କେନ୍ଦୁଝର (୧୦.୦%)ରେ ଏହା ଅଧିକ ରହିଛି।
ଅନ୍ୟପକ୍ଷରେ ବୟସ ଅନୁପାତରେ କମ୍ ଓଜନ (ଅଣ୍ଡର୍ଓ୍ୱେଟ୍) ଥିବା ଶିଶୁଙ୍କ ହାର ରାଜ୍ୟ ସ୍ତରରେ ୨୯.୭%ରୁ ୩୧.୬%କୁ ବୃଦ୍ଧି ପାଇଛି (୧.୯% ବୃଦ୍ଧି)। ୧୭ ଜିଲାରେ ସ୍ଥିତି ବିଗିଡ଼ିଥିବାବେଳେ ୧୪ ଜିଲାରେ ସୁଧାର ଆସିଛି। ବାଲେଶ୍ୱର ଜିଲାରେ ସବୁଠାରୁ ଅଧିକ ବୃଦ୍ଧି (୨୨.୬%ରୁ ୩୩.୭%) ରେକର୍ଡ ହୋଇଛି। ରାୟଗଡ଼ା (୪୬.୮%), ମାଲକାନଗିରି (୪୬.୧%), କେନ୍ଦୁଝର (୪୫.୨%), ମୟୂରଭଞ୍ଜ (୪୪.୩%) ଏବଂ କୋରାପୁଟ (୪୨.୭%)ରେ କମ୍ ଓଜନ ସ୍ଥିତି ସବୁଠୁ ଚିନ୍ତାଜନକ ରହିଛି। ତେବେ ରାଜ୍ୟରେ ଅଧିକ ଓଜନ (ଓଭର୍ଓ୍ୱେଟ୍) ବିଶିଷ୍ଟ ଶିଶୁଙ୍କ ହାର ୩.୫%ରୁ ୨.୧%କୁ ହ୍ରାସ ପାଇବା ସହ ୨୪ ଜିଲାରେ ଏଥିରେ ସୁଧାର ଆସିଛି। ଜିଲାୱାରୀ ଏହି ବ୍ୟାପକ ତାରତମ୍ୟକୁ ଦୃଷ୍ଟିରେ ରଖି ଭୌଗୋଳିକ ଭିତ୍ତିରେ ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମ ଏବଂ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

