ଶିଶୁ ପୁଷ୍ଟିହୀନତା

ଭାରତରେ ଏକତୃତୀୟାଂଶ ଶିଶୁଙ୍କର ପୁଷ୍ଟିହୀନତା ସମସ୍ୟା ଥିବାବେଳେ ରାଜ୍ୟ ସଭା ମାତୃତ୍ୱ ବିଲ୍‌ରେ ସଂଶୋଧନକୁ ଅନୁମୋଦନ କରିଥିବାରୁ ସନ୍ତାନ ଜନ୍ମ ପାଇଁ ମହିଳାମାନଙ୍କୁ ଚାକିରି କ୍ଷେତ୍ରରେ ପୂର୍ବର ୧୨ ସପ୍ତାହ ବଦଳରେ ୨୬ ସପ୍ତାହ ଛୁଟି ମିଳିବା ଖୁସିର କଥା। ଏହି ପଦକ୍ଷେପର ଲକ୍ଷ୍ୟ ହେଲା ଶିଶୁମାନଙ୍କୁ ଅଧିକ ଦିନ ମା’ କ୍ଷୀର ଦେବା ଓ ସେମାନଙ୍କର ପୁଷ୍ଟିହୀନତା ଦୂର କରିବା। ପ୍ରକୃତି ଦେଇଥିବା ସୁବିଧା ଅନୁସାରେ ଜନ୍ମ ପରେ ୬ ମାସ ଯାଏ ଶିଶୁ ଯଦି ମା’ କ୍ଷୀର ପାଇଲା ତେବେ ତାହା ତା’ର ଅନେକ ମୌଳିକ ଆବଶ୍ୟକତା ପୂରଣ କରିବ। ତାହା ମଧ୍ୟ ସବୁଠାରୁ ସହଜ ଓ ଖର୍ଚ୍ଚବିହୀନ ପଦକ୍ଷେପ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦର୍ଶାଇଛି ଯେ, ଯଦି ଦେଶରେ ପିଲାଙ୍କୁ ମା’ କ୍ଷୀର ଦେବାର ବ୍ୟବସ୍ଥା ହୋଇପାରିବ ତେବେ ଶିଶୁ ମୃତ୍ୟୁକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ। ଏହାଦ୍ୱାରା ୫ ବର୍ଷରୁ କମ୍‌ ବୟସର ୮ ଲକ୍ଷ ଶିଶୁଙ୍କୁ ବଞ୍ଚାଯାଇପାରିବ। ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ସଂକ୍ରମିତ ସମସ୍ୟା ଯୋଗୁ ଶିଶୁ ମୃତ୍ୟୁର ଯେଉଁ ଆଶଙ୍କା ରହୁଛି ତାହା ମୁଖ୍ୟତଃ ମୋଟେ ମା’ କ୍ଷୀର ପାଉ ନ ଥିବା ବା ଆଂଶିକ ଭାବେ ପାଉଥିବା ଶିଶୁଙ୍କ କ୍ଷେତ୍ରରେ ଘଟୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କର୍ମଜୀବୀ ମହିଳାଙ୍କୁ ସନ୍ତାନ ଜନ୍ମ ସମୟରେ ଅଧିକ ଦିନ ଛୁଟି ଦେବା ଲାଗି ନେଇଥିବା ପଦକ୍ଷେପ ଆବଶ୍ୟକ ଥିଲା ବୋଲି କୁହାଯାଇପାରେ। ଅବଶ୍ୟ ତା’ ସାଙ୍ଗକୁ ଆଧୁନିକ ସମାଜରେ ମା’ କ୍ଷୀର ଦେବା ପରମ୍ପରାକୁ ଅନେକ କ୍ଷେତ୍ରରେ ଯେପରି ନିରୁତ୍ସାହିତ କରାଯାଉଛି ତାହା ମଧ୍ୟ ବଦଳିବା ଦରକାର। ମା’ମାନେ ସ୍ବତପ୍ରବୃତ ଭାବେ ନିଜ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ସ୍ତନ୍ୟପାନର ଆବଶ୍ୟକତାକୁ ଉପଲବ୍ଧି କରିବା ଉଚିତ। କେନ୍ଦ୍ର ସରକାର ମା’ମାନଙ୍କ ପାଇଁ ଅଧିକ ଦିନ ଛୁଟିର ବ୍ୟବସ୍ଥା କରିବା ଶିଶୁ କଲ୍ୟାଣ ଦୃଷ୍ଟିରୁ ଯେପରି ସ୍ବାଗତଯୋଗ୍ୟ ସେହି ବିଚାର ପିତୃତ୍ୱ ଲାଭ କରୁଥିବା ପୁରୁଷଙ୍କ ପାଇଁ ବି ଆବଶ୍ୟକ ହେଲାଣି।
ଆଧୁନିକ ସମାଜରେ ଏହାର ଯଥାର୍ଥତା ବେଶି। କିନ୍ତୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ପିତୃତ୍ୱ ଛୁଟିର ସମୟ ମାତ୍ର ୨ ସପ୍ତାହ। ଘରୋଇ ଉଦ୍ୟୋଗ ପାଇଁ ଏପରି ବ୍ୟବସ୍ଥା ନାହିଁ। ଅବଶ୍ୟ ଭାରତରେ ଅନେକ କମ୍ପାନୀ ପିତୃତ୍ୱ ଛୁଟି ଓ ପୋଷ୍ୟସନ୍ତାନ ଗ୍ରହଣ ପାଇଁ ଛୁଟିର ବ୍ୟବସ୍ଥା କଲେଣି। ମର୍କର ବିଶ୍ୱ ପିତୃତ୍ୱ ଛୁଟି ରିପୋର୍ଟ ୨୦୧୬ ଅନୁସାରେ, ପୃଥିବୀରେ ୩୮ ପ୍ରତିଶତ କମ୍ପାନୀ ସର୍ବନିମ୍ନ ପିତୃତ୍ୱ ଛୁଟିସୀମାଠାରୁ ଅଧିକ ଛୁଟି ପିତାଙ୍କୁ ଦେଉଛନ୍ତି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏପରି ଛୁଟି ୪୧ ପ୍ରତିଶତ କମ୍ପାନୀ ଦେଉଛନ୍ତି। ପିତୃତ୍ୱ ଛୁଟିକୁ ଗୁରୁତ୍ୱ ଦେଉଥିବା ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ଭାରତ, ଯେଉଁଠାରେ ଗତ କିଛିବର୍ଷରେ କମ୍ପାନୀଗୁଡ଼ିକରେ ଏହି ଛୁଟିର ଗୁରୁତ୍ୱ ବଢ଼ିଛି। ଅବଶ୍ୟ ଏଥିପାଇଁ ବେଶିଦିନ ଛୁଟି ମିଳୁନାହିଁ। ଯୁକ୍ତି ହେଉଛି, ମାତୃତ୍ୱ ଛୁଟି ସାଙ୍ଗକୁ ପିଲାର ବାପାଙ୍କୁ ମା’ ପରି ନ ହେଲେ ବି ଅଧିକ ଦିନ ଛୁଟି ଦିଆଯିବା ଉଚିତ। ଭାରତୀୟ ସମାଜ ବ୍ୟବସ୍ଥାରେ ବେଶ୍‌ ପରିବର୍ତ୍ତନ ହେଲାଣି। ଯୌଥ ପରିବାର ବଦଳରେ ଏକକ ପରିବାରର ବ୍ୟବସ୍ଥା ବଢ଼ିଲାଣି। ସହରାଞ୍ଚଳ ଅର୍ଥ ସ୍ବାମୀ, ସ୍ତ୍ରୀ ଓ ପିଲା। ସହରାଞ୍ଚଳରେ ଆର୍ଥିକ ଆବଶ୍ୟକତା ଦୃଷ୍ଟିରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ରୋଜଗାର କରିବା ଆବଶ୍ୟକ ହେଉଛି। ତାହା ମଧ୍ୟ ଯଥାର୍ଥ। ଏପରି ପରିବାରଗୁଡ଼ିକରେ ପୁରୁଷମାନେ ବି ଘରର ଅନେକ ଦାୟିତ୍ୱ ତୁଲାଉଛନ୍ତି। ଯେଉଁ ଏକକ ପରିବାରଗୁଡ଼ିକରେ ସନ୍ତାନ ଜନ୍ମ କରିଥିବା ମହିଳାଙ୍କୁ ସାହାଯ୍ୟ କରିବା ଲାଗି କେହି ନାହାନ୍ତି ସେଠାରେ ପିତୃତ୍ୱ ଛୁଟିର ଆବଶ୍ୟକତା ଅଧିକ। ମା’ ପାଇଁ ୬ ମାସ ଛୁଟିର ବ୍ୟବସ୍ଥା ଯଦି କରାଯାଉଛି ତେବେ ତା’ ସାଙ୍ଗକୁ ପିତୃତ୍ୱ ଛୁଟି ବି ୩ ମାସ ପାଇଁ ଦିଆଯାଇପାରେ। ଏବେ କେନ୍ଦ୍ର ସରକାର ଯେଉଁ ନିୟମ କଲେ ତାହାଦ୍ୱାରା ମା’ ତା’ର ପିଲାକୁ ଅଧିକ ଦିନ ନିଜ କ୍ଷୀର ଦେବାର ଆବଶ୍ୟକତାକୁ ପୂରଣ କରିବ। କିନ୍ତୁ ଶିଶୁ ଜନ୍ମ ପରେ ଉଭୟ ମା’ ଓ ପିଲା ପାଇଁ ବେଳେ ବେଳେ ଯେଉଁ ସମସ୍ୟା ଉପୁଜେ ସେଥିଲାଗି ଅଧିକ ଦିନ ପିତୃତ୍ୱ ଛୁଟିର ଆବଶ୍ୟକତା ରହିଛି। ପିତୃତ୍ୱ ଛୁଟି ଦିଆଗଲେ ନିଯୁକ୍ତି କ୍ଷେତ୍ରରେ ଲିଙ୍ଗଗତ ଅସମାନତା ବି ହ୍ରାସ ପାଇବ। ପିତୃତ୍ୱ ଛୁଟି ରହିଲେ ପୁରୁଷ ଓ ମହିଳା କର୍ମଚାରୀଙ୍କ ମଧ୍ୟରେ ତାରତମ୍ୟ କମିବ। ସନ୍ତାନ ଉଭୟ ମାତାପିତାଙ୍କର ଜୈବିକ ପ୍ରତିନିଧିତ୍ୱ କରୁଥିବାବେଳେ ଦୁହେଁ ତା’ର ଲାଳନପାଳନରେ ମୂଳରୁ ଭାଗୀଦାର ହେବା ଉଚିତ ନୁହେଁ କି?

  • ଡା. ଶୁଭଶ୍ରୀ ମିଶ୍ର
    ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ମୋ:୯୮୬୧୪୬୩୪୦୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri