ଶିଶୁ ଅନୁକୂଳ ପୋଲିସ ଷ୍ଟେଶନ

ଥାନା ଏବଂ କୋର୍ଟର ନଁା ଶୁଣିଲେ କିଏ ନ ଡରେ। ଶିଶୁମାନଙ୍କ କଥା ଛାଡ଼, ବଡ଼ ଲୋକଙ୍କୁ ବି ଥାନା ଏବଂ କୋର୍ଟକୁ ଟିକେ କେହି ଯିବା ପାଇଁ ଡାକିଲେ କୁଣ୍ଠା ପ୍ରକାଶ କରନ୍ତି। ଏହା ଭିତରେ ଓଡ଼ିଶା ସରକାରଙ୍କ ଶିଶୁ ଅନୁକୂଳ ପୋଲିସ ଥାନା ପ୍ରତିଷ୍ଠା କରିବା ନିଷ୍ପତ୍ତି ବାସ୍ତବିକ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ରାଜ୍ୟରେ ମୋଟ ୩୪ଟି ପୋଲିସ ଜିଲା ରହିଥିବାବେଳେ ପ୍ରତ୍ୟେକ ଜିଲାରେ ପ୍ରଥମ ଥର ସକାଶେ ଅନ୍ତତଃପକ୍ଷେ ଗୋଟିଏ କରି ଶିଶୁ ଅନୁକୂଳ ପୋଲିସ ଷ୍ଟେଶନ ପ୍ରତିଷ୍ଠା କରିବା ପାଇଁ ସରକାର ଚିନ୍ତା କରିଛନ୍ତି। ଥରେ ଗୋଟିଏ ନିଷ୍ପତ୍ତି ନିଆଗଲା ଅର୍ଥ ପରବର୍ତ୍ତୀ ସମୟରେ ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଥାନା ଯୋଡ଼ି ହେବ ବୋଲି ଆଶା କରାଯାଏ। ଏହି ନିଷ୍ପତ୍ତି ଦ୍ୱାରା ଶିଶୁ ଅଧିକାର କର୍ମୀମାନଙ୍କର ଏକ ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି। କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ୨୦୧୫ରେ ଶିଶୁ ଅନୁକୂଳ ପରିବେଶ କଥାକୁ ଗୁରୁତ୍ୱ ଦିଆଯାଇଅଛି। ଯଦ୍ଦ୍ବାରା ପିଲାମାନଙ୍କ ବିଚାର କୋର୍ଟରେ ନ ହୋଇ କିଶୋର ନ୍ୟାୟ ବୋର୍ଡରେ ହେଉଛି। କିଶୋର ନ୍ୟାୟ ବୋର୍ଡ କୋର୍ଟ ପରିସର ବାହାରେ ରହିବାର ପ୍ରାବଧାନତା ଥିବା ବେଳେ ଅନେକ ସ୍ଥାନରେ ଏହା ଅନ୍ୟତ୍ର ମଧ୍ୟ କାର୍ଯ୍ୟକାରୀ ହେଉଛି। କୋର୍ଟ ଭଳି ଉଚ୍ଚ ମଞ୍ଚ ରହୁନାହିଁ। ପରିସରକୁ ଶିଶୁ ଅନୁକୂଳ କରିବା ନିମିତ୍ତ କାନ୍ଥରେ ସୁନ୍ଦର ଚିତ୍ର ସହିତ କିଛି ଶିକ୍ଷଣୀୟ ବିଷୟ ରଖିବାକୁ ପ୍ରୟାସ ଜାରି ରହିଛି। ଓକିଲ କିମ୍ବା ବୋର୍ଡର ସଭ୍ୟାସଭ୍ୟ ସାଦା ପୋଷାକରେ ରହୁଛନ୍ତି। ଠିକ୍‌ ସେହିପରି ପୋଲିସ ଅଧିକାରୀ ମଧ୍ୟ ସାଦା ପୋଷାକରେ ଆସୁଛନ୍ତି। ଶିଶୁ ଅନୁକୂଳ ପରିବେଶ ନିମିତ୍ତ ଏଭଳି ଅନେକ ପରିବର୍ତ୍ତନ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଥାନାରେ ସେଭଳି ପରିବେଶ ସୃଷ୍ଟି ହୋଇ ପାରି ନ ଥିଲା। ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକ୍ରମେ ଏବେ ଥାନାରେ ଶିଶୁମାନଙ୍କ ସକାଶେ ସ୍ବତନ୍ତ୍ର ସୁବିଧା କରାଯିବ। ଏଥିରେ ବିଭିନ୍ନ ପ୍ରକାରର ପୁସ୍ତକ, ପତ୍ରପତ୍ରିକା, ସମ୍ବାଦପତ୍ର ରଖାଯିବ। ଏହା ସହିତ ଶିଶୁ ଅଧିକାର ସମ୍ପର୍କିତ ବିଭିନ୍ନ ଫଳକ, ପୋଲିସ କ’ଣ କରିବ କ’ଣ କରିବ ନାହଁି, ଥାନାରେ ଚୟନ କରାଯାଇଥିବା ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ଭିନ୍ନ ଜିଲା ଶିଶୁ ସୁରକ୍ଷା ଅଧିକାରୀ, କିଶୋର ନ୍ୟାୟ ବୋର୍ଡ, ଶିଶୁ ମଙ୍ଗଳ ସମିତି ସ୍ବତନ୍ତ୍ର କିଶୋର ନ୍ୟାୟ ପୋଲିସ ୟୁନିଟ୍‌ ଇତ୍ୟାଦିର ଠିକଣା ତଥା ଫୋନ୍‌ ନମ୍ବର ସହିତ ଅନ୍ୟାନ୍ୟ ସୂଚନା ଥିବା ଫଳକ, ପିଲାଙ୍କ ଖେଳନା ଇତ୍ୟାଦି ରଖାଯିବ। ଥାନା ପରିସରକୁ ଶିଶୁ ଅନୁକୂଳ କରିବା ନିମିତ୍ତ କାନ୍ଥରେ ସୁନ୍ଦର ଚିତ୍ର ସବୁ ରଖିବା ସହିତ କିଛି ଶିକ୍ଷଣୀୟ ବିଷୟ ସ୍ଥାନ ପାଇବ। ଥାନାକୁ ଯାଉଥିବା ଶିଶୁମାନଙ୍କର ମାନସିକ ଚାପ ହ୍ରାସ କରିବା ନିମିତ୍ତ ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠା ବେଶ୍‌ ସହାୟକ ହେବ ନିଶ୍ଚୟ। ଏଥିନିମିତ୍ତ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ରହିବ, ଯାହା ଆଦୌ ଥାନା ଭଳି ପ୍ରତୀୟମାନ ହେବ ନାହିଁ। ପୋଲିସ କୌଣସି ଶିଶୁକୁ ହାତକଡ଼ି ଲଗାଇ ପାରିବ ନାହିଁ। ପୋଲିସ କୌଣସି ଶିଶୁକୁ ନିଜ ଅକ୍ତିଆରକୁ ଆଣିଲେ ମାତାପିତା/ଅଭିଭାବକଙ୍କୁ ନୋଟିସ୍‌ ପଠାଇ ନିଶ୍ଚିତ ରୂପେ ଅବଗତ କରାଇବ। ଶିଶୁକୁ ପଚରା ଉଚୁରା କଲାବେଳେ ବାହାର ଲୋକ କେହି ରହିବେ ନାହିଁ, ଯଦ୍ଦ୍ବାରା ଶିଶୁ ଅସ୍ବାଭାବିକ ମନେକରିବ। ମା’ବାପାଙ୍କ ମଧ୍ୟରୁ କେହି ରହିପାରନ୍ତି ଶିଶୁକୁ ସହଜ କରିବା ନିମିତ୍ତ। ଶିଶୁ ଅନୁକୂଳ ପୋଲିସ ଷ୍ଟେଶନର ପରିକଳ୍ପନା ଫଳରେ ପୋଲିସମାନେ ଶିଶୁମାନଙ୍କର ଅଧିକାର ସମ୍ବନ୍ଧରେ ଅଧିକ ସଚେତନ ରହିବେ, ଶିଶୁମାନଙ୍କୁ ସାମ୍ନା କଲାବେଳେ ଅଧିକ ଦାୟିତ୍ୱବାନ୍‌ ହେବେ, ଯଦ୍ଦ୍ବାରା ଶିଶୁମାନଙ୍କ ପ୍ରତି ହେଉଥିବା ହିଂସା ଅନେକ ମାତ୍ରାରେ କମିବାରେ ଏହା ସହାୟକ ହେବ।
ଶିଶୁ ଅନୁକୂଳ ଏହା ସୂଚାଏଯେ ଶିଶୁଙ୍କ ନିମିତ୍ତ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା, ଶିଶୁ ସହିତ ସହଜ ହେଲା ଭଳି ଭାଷା ବ୍ୟବହାର, କେବଳ ଶିଶୁ ସମ୍ପର୍କିତ ମାମଲା ବୁଝିବାକୁ ଶିଶୁ ମଙ୍ଗଳ ପୋଲିସ ଅଧିକାରୀ, ଗୁଣାତ୍ମକ ସେବା, ଉପଯୁକ୍ତ ପ୍ରକ୍ରିୟା ଅବଲମ୍ବନ, ଆଇନ ସହାୟତା ସୁବିଧା ତଥା ଶିଶୁର ଇଚ୍ଛାକୁ ସମ୍ମାନ ଦେବା ଇତ୍ୟାଦିକୁ ପ୍ରାଥମିକତା ଦେବା କଥା। ପୃଥିବୀର ସମସ୍ତ ରାଷ୍ଟ୍ର ମଧ୍ୟରୁ ଭାରତବର୍ଷରେ ସବୁଠାରୁ ଅଧିକ ଶିଶୁ ବସବାସ କରନ୍ତି। ଶିଶୁମାନେ ହେଉଛନ୍ତି ଦେଶର ବହୁତ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଏବଂ ସମ୍ମାନର ସହିତ ତାଙ୍କର ଦେଖାଶୁଣା ହେବା ଉଚିତ। ଯେଉଁଠାରେ ସେମାନେ ସୁରକ୍ଷିତ ରହିବା ସହିତ ତାଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ, ଯଦ୍ଦ୍ବାରା ତାଙ୍କର ଉପଯୁକ୍ତ ବିକାଶ ସମ୍ଭବପର ହେବ। ତେଣୁ ତାଙ୍କର ସର୍ବୋତ୍ତମ ସ୍ବାର୍ଥକୁ ଅଣଦେଖା କରା ଯାଇ ନ ପାରେ। ଉଭୟ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ତଥା ଆଇନ ସହିତ ଦ୍ୱନ୍ଦ୍ୱରେ ଥିବା ଶିଶୁଙ୍କ ଅସୁବିଧା ସମୟରେ ଶିଶୁର ପ୍ରଥମ ସମ୍ପର୍କ ସ୍ଥାପନର ବିନ୍ଦୁ ହେଉଛି ପୋଲିସ। ତେଣୁ କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ୨୦୧୫ରେ ସ୍ବତନ୍ତ୍ର କିଶୋର ପୋଲିସ ୟୁନିଟ ପ୍ରତ୍ୟେକ ଜିଲାରେ ରହିବାର ପ୍ରାବଧାନତା ରହିଛି। ଏହା ମୁଖ୍ୟତଃ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ପ୍ରତ୍ୟେକ ଥାନାର ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ରେ ଥିବା ୨ଜଣ ସ୍ବେଚ୍ଛାସେବୀଙ୍କୁ ନେଇ ଗଠିତ ହୋଇଥାଏ। ପ୍ରତ୍ୟେକ ଥାନା ନିଜ ତରଫରୁ ଜଣକୁ ମୁଖ୍ୟତଃ ଶିଶୁମାନଙ୍କ କଥା ବୁଝିବାକୁ ଶିଶୁ ମଙ୍ଗଳ ପୋଲିସ ଅଧିକାରୀ ଚୟନ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ସ୍ବତନ୍ତ୍ର କିଶୋର ପୋଲିସ ୟୁନିଟର ସଭ୍ୟାସଭ୍ୟଙ୍କୁ ଶିଶୁମାନଙ୍କ କଥା ଉପଯୁକ୍ତ ଭାବରେ ଶୁଣିବା ନିମିତ୍ତ ସ୍ବତନ୍ତ୍ର ତାଲିମ ପ୍ରଦାନ, ନିର୍ଦ୍ଦେଶାବଳୀ ପ୍ରଣୟନ, ଶିଶୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଶିଶୁର କଥା ଶୁଣିବା ଇତ୍ୟାଦି ଶିଶୁ ଅନୁକୂଳ ପୋଲିସ ଷ୍ଟେଶନ ଗଠନର ଅଂଶବିଶେଷ। ଶିଶୁର ଚାରୋଟି ମୌଳିକ ଅଧିକାର ଯଥା- ବଞ୍ଚତ୍ବାର ଅଧିକାର, ବିକାଶର ଅଧିକାର, ସୁରକ୍ଷାର ଅଧିକାର ଏବଂ ସହଭାଗିତାର ଅଧିକାରକୁ ଆଖି ଆଗରେ ରଖି ଏଣିକି ପ୍ରତ୍ୟେକ ଥାନାରେ ସୁରକ୍ଷିତ ପରିବେଶ ରହିବ। ଏହି କ୍ରମରେ କିଛି ମୌଳିକ ସୁବିଧା ଯଥା- ଉପଯୁକ୍ତ ପିଇବା ପାଣି, ପରିମଳ ବ୍ୟବସ୍ଥା, ଖାଦ୍ୟ ତଥା ଚିତ୍ତ ବିନୋଦନର ବ୍ୟବସ୍ଥା ରହିବ। ଫାଷ୍ଟ ଏଡ୍‌ ବାକ୍ସ ତଥା ଅଭିଯୋଗ ବାକ୍ସ ମଧ୍ୟ ଶିଶୁ ଅନୁକୂଳ ପୋଲିସ୍‌ ଷ୍ଟେଶନ୍‌ରେ ରହିବା ବାଞ୍ଛନୀୟ।
ଆଗରୁ ଓଡ଼ିଶାର ଥାନାମାନଙ୍କରେ ମହିଳା ଏବଂ ଶିଶୁ ଡେସ୍କର ପ୍ରାବଧାନତା ଥିଲା, ଯଦ୍ଦ୍ବାରା କିଛି ପୋଲିସ ଅଧିକାରୀ ମହିଳା ଏବଂ ଶିଶୁଙ୍କ ସୁରକ୍ଷା ନିମିତ୍ତ ସବୁବେଳେ ସଜାଗ ରହୁଥିଲେ। ଥାନାମାନଙ୍କରେ ମହିଳା ଓ ଶିଶୁ ଡେସ୍କ ଅଭ୍ୟର୍ଥନା ପ୍ରକୋଷ୍ଠ ନାମରେ ଏକ ସ୍ବତନ୍ତ୍ର କକ୍ଷ ଉଦ୍ଦିଷ୍ଟ ରହୁଥିଲା। ଏବେ ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠା ପରିକଳ୍ପନା ଫଳରେ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେଲା ବୋଲି କୁହାଯାଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଶିଶୁ ଅନୁକୂଳ ପୋଲିସ ଷ୍ଟେଶନର ସଫଳ କାର୍ଯ୍ୟକାରିତା ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀମାନଙ୍କର ଆନ୍ତରିକତା ଉପରେ ଅନେକ ମାତ୍ରାରେ ନିର୍ଭର କରେ। ଏଥିନିମିତ୍ତ ସରକାରଙ୍କ ତରଫରୁ ମଧ୍ୟ ଆବଶ୍ୟକୀୟ ସହଯୋଗ ପ୍ରଦାନ କରାଯିବା ଉଚିତ।

  • ରାଜୀବ କୁମାର ନାୟକ
    ପଦରପଡ଼ା, ବୌଦ୍ଧ
    ମୋ: ୯୪୩୭୫୭୧୮୩୧

Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri