ଛାତ୍ରନେତ୍ରୀରୁ ମୁଖ୍ୟମନ୍ତ୍ରୀ

ତ୍ର ଜୀବନରେ ରାଜନୀତି କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କମ୍‌ ବାସ୍ତବ ରାଜନୀତିର ଶୀର୍ଷରେ ପହଞ୍ଚତ୍ଥାଆନ୍ତି। ପୁଣି ଯିଏ କ୍ଷମତା ରାଜନୀତିରେ ତିଷ୍ଠି ଯାଆନ୍ତି ଓ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରନ୍ତି, ସେମାନେ ଅନ୍ୟମାନଙ୍କ ସକାଶେ ଉଦାହରଣ ପାଲଟିବା ସହ କେତେକଙ୍କ ଲାଗି ଈର୍ଷଣୀୟ ସ୍ତରରେ ପହଞ୍ଚତ୍ବାର ଗୌରବ ଅର୍ଜନ କରନ୍ତି। ଭାରତୀୟ ରାଜନୀତିରେ ଦେଶର ରାଜଧାନୀ ଦିଲ୍ଲୀ ଯେଭଳି କେନ୍ଦ୍ରବିନ୍ଦୁ ରହିଆସିଛି, ସମଭାବରେ ଦେଖିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ରାଜନୀତିରେ ନିଜକୁ ସାମିଲ କରିଥିବା ସଫଳ ଶିକ୍ଷାର୍ଥୀଙ୍କ ପ୍ରଭାବ ସର୍ବଭାରତୀୟ ଆକର୍ଷଣର ଅପେକ୍ଷା ରଖିଥାଏ। ପ୍ରଥମ ଥର ପାଇଁ ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଥିବା ରେଖା ଗୁପ୍ତାଙ୍କ ନାମ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ୧୯ ଫେବୃଆରୀରେ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣି ପ୍ରମାଣ କରିଦେଲା ଯେ, ଚର୍ଚ୍ଚା ହେଉଥିବା ନାମଠାରୁ ବହୁ ଊର୍ଦ୍ଧ୍ୱକୁ ଚିନ୍ତା କରିବାରେ ଦଳ ସ୍ବାତନ୍ତ୍ର୍ୟ ବଜାୟ ରଖେ। ୨୭ ବର୍ଷ ପରେ ଭାଜପା ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ରେଖା ୨୦ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାଜପାର ସୁଷମା ସ୍ବରାଜ, କଂଗ୍ରେସର ଶୀଲା ଦୀକ୍ଷିତ୍‌ ଓ ଆପ୍‌ର ଆତିଶୀଙ୍କ ପରେ ରେଖା ଚତୁର୍ଥ ମହିଳା ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଅନେକ ବରିଷ୍ଠ ନେତା ଥିବା ସତ୍ତ୍ୱେ ଏକଦା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସ୍‌ୟୁ)ର ସଭାପତି ହୋଇଥିବା ରେଖା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଦଳ ଭିତରେ ଓ ବାହାରେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁତ୍ର ପରଭେଶ ବର୍ମା ଆପ୍‌ର ଜାତୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପରାସ୍ତ କରିବା ଓ ଭାଜପାର ଅନ୍ୟତମ ସୁସଙ୍ଗଠକ ହୋଇଥିବାରୁ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସର୍ବାଗ୍ରେ ଥିବା ଆଲୋଚନା ହେଉଥିଲା। ହେଲେ ପରିବାରବାଦ ରାଜନୀତିକୁ ପ୍ରୋତ୍ସାହନ ନ ଦେବା ଲକ୍ଷ୍ୟରେ ଭାଜପା ଶୀର୍ଷ ନେତୃତ୍ୱ ରେଖାଙ୍କୁ ବାଛିଥିବା କୁହାଯାଉଛି। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଦିଲ୍ଲୀ ନିର୍ବାଚନରେ ମହିଳାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ରେଖାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଭାଜପା ନାରୀ ସଶକ୍ତୀକରଣର ବାର୍ତ୍ତା ଦେବାକୁ ଚାହିଁଛି। ଦିଲ୍ଲୀର ପୂର୍ବତନ କାଉନସିଲର ତଥା ପ୍ରଥମ ଥର ପାଇଁ ବିଧାନସଭା ଯାଇଥିବା ରେଖାଙ୍କୁ ମୁଖ୍ୟମନ୍ତ୍ରୀ ଭଳି ମର୍ଯାଦାଜନକ ପଦବୀରେ ଆସୀନ କରାଯାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଜବରଦସ୍ତ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।
ରେଖା ୧୯ ଜୁଲାଇ ୧୯୭୪ରେ ହରିୟାଣାର ଜୁଲାନାଠାରେ ଏକ ହିନ୍ଦୁ ବୈଶ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ଜୟ ଭଗବାନ ଜିନ୍ଦଲ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପିତାମ୍‌ପୁର ଶାଖାର ପ୍ରବନ୍ଧକ ଥିଲେ ଓ ମାତା ଊର୍ମିଳା ଜିନ୍ଦଲ ଗୃହିଣୀ। ରେଖା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଦୌଲତ ରାମ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ମିରଟ୍‌ର ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ କରିବା ପରେ ଆଇନ ବ୍ୟବସାୟ ମଧ୍ୟ କରିଛନ୍ତି। ଛାତ୍ରାବସ୍ଥାରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ଓ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହ ସେ ଗଭୀର ଭାବେ ଜଡ଼ିତ ଥିଲେ। ଛାତ୍ର ରାଜନୀତିରେ ପ୍ରବେଶ କରି ସେ ୧୯୯୫ରେ ଡିୟୁଏସ୍‌ୟୁର ସାଧାରଣ ସମ୍ପାଦକ ଓ ୧୯୯୬ରେ ସଭାପତି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିକୁ ଆସି ଦିଲ୍ଲୀରେ ତିନିଥର କାଉନ୍‌ସିଲର ହୋଇଥିଲେ। ରେଖା ଭାଜପା ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷା ମଧ୍ୟ ଥିଲେ। ତା’ ପୂର୍ବରୁ ଦିଲ୍ଲୀ ଭାଜପାର ସାଧାରଣ ସମ୍ପାଦକ ରହିଥିଲେ। ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଶାଲିମାରବାଗ୍‌ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ହେଲେ ୨୦୨୫ ନିର୍ବାଚନ ତାଙ୍କୁ ପ୍ରଥମ ବିଧାୟକ ହେବାର ସୁଯୋଗ ଦେବା ସହିତ ଏକାଥରକେ ମୁଖ୍ୟମନ୍ତ୍ରୀ ଆସନରେ ବସାଇଦେଇଛି। ଏହାକୁ ହିଁ କୁହାଯାଏ ସମୟ ଓ ଭାଗ୍ୟର ସଂଯୋଗ। ଅବଶ୍ୟ ଏଥିପାଇଁ ସେ ତୃଣମୂଳସ୍ତରରୁ ନିଜକୁ ସଶକ୍ତ କରିଆସିଛନ୍ତି। କାରଣ ତାଙ୍କ ରାଜନୀତିର ଆଦ୍ୟବିନ୍ଦୁ ଆର୍‌ଏସ୍‌ଏସ୍‌ର ସଦସ୍ୟରୁ ଆରମ୍ଭ ହୋଇ ଏବିଭିପି ଦେଇ ସକ୍ରିୟ ରାଜନୈତିକ ଯାତ୍ରା ଆଡ଼କୁ ଯାଇଥିଲା।
ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଶାସନାଧୀନ ରାଜ୍ୟଗୁଡ଼ିକ ମଧ୍ୟରେ ରେଖା ଏବେ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି। ରାଜନୈତିକ ପରିବାରରୁ ଆସି ନ ଥିବା ପ୍ରଥମ ପିଢ଼ିର ରାଜନେତା ଭାବେ ସେ ମଧ୍ୟବିତ୍ତ ବର୍ଗର। ଭାରତର ୧୮ତମ ମହିଳା ମୁଖ୍ୟମନ୍ତ୍ରୀ ଓ ଭାଜପାର ୫ମ ମହିଳା ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ଏବେ ତାଙ୍କ ନାମରେ ରହିଲା। ବରିଷ୍ଠ ତଥା ତାଙ୍କଠାରୁ ରାଜନୀତିରେ ଅଭିଜ୍ଞତା ଅର୍ଜନ କରିଥିବା ନେତାଙ୍କୁ ପଛରେ ପକାଇ ରେଖା ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ଦିଲ୍ଲୀବାସୀଙ୍କୁ କିଭଳି ସେବା ଯୋଗାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଛନ୍ତି, ଜନମଙ୍ଗଳ ବିଶେଷକରି ମହିଳା ସଶକ୍ତୀକରଣ ଓ ପ୍ରତ୍ୟେକ ଦିଲ୍ଲୀବାସୀଙ୍କ ବିକାଶ କରିବା ଲାଗି ସେ ପ୍ରତିଶ୍ରୁତିବଦ୍ଧ।
ସ୍ବାମୀ ମନୀଷ ଗୁପ୍ତା ଓ ଦୁଇ ପିଲାଙ୍କୁ ନେଇ ରେଖାଙ୍କ ସଂସାର। ୧୯୯୮ରେ ସେ ଶିଳ୍ପପତି ମନୀଷଙ୍କୁ ବିବାହ କରିଥିଲେ ଓ ତାଙ୍କର ବ୍ରାସ୍‌ ପାଟର୍‌ସ ବ୍ୟବସାୟ ରହିଛି। ଝିଅ ଏବେ ପାରିବାରିକ ବ୍ୟବସାୟରେ ସାମିଲ ହୋଇଥିବା ବେଳେ ପୁଅ କଲେଜ ଛାତ୍ର।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri