
ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ଆର. ଚନ୍ଦନ ପାତ୍ର ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାରେ ମାମଲା ନଂ.୨୧୩/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଚନ୍ଦନ ତାଙ୍କ ମା’ କୁରି ଙ୍କୁ ଟଙ୍କା ମାଗିଥିଲେ। ସେ ମନା କରିବାରୁ ତାଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ବେକକୁ ଚିପି ମାଡ଼ ମାରିଥିଲେ। ପାଟି ଶୁଣି ଚନ୍ଦନଙ୍କ ଭଉଣୀ ସେଠାକୁ ଦୌଡି ଆସିବାରୁ ତାଙ୍କ ମୋବାଇଲ ଫୋନକୁ ସେ ବଳପୂର୍ବକ ଛଡାଇ ନେଇଥିଲେ। ପରେ ମୋବାଇଲ ଫୋନଟିକୁ ଗ୍ରାମର ଜି.ଆମେଶୁ ପାତ୍ରଙ୍କୁ ୪ ହଜାର ଟଙ୍କା ରେ ବିକ୍ରି କରିଦେଇଥିଲେ। ଗତ ମଙ୍ଗଳବାର ଚନ୍ଦନ ପୁଣି ଘରକୁ ଆସି ଆଲମିରାରେ ଥିବା ୧୦ ହଜାର ଟଙ୍କା ଏବଂ ୪୫ କେଜି ଚାଉଳ ଲୁଟି ନେଇଥିଲେ। ଚାଉଳକୁ ସେ ପାଟପୁର ଗ୍ରାମର ଦୋକାନୀ ଶିବରାମ ସାହୁଙ୍କୁ ୧୧ ଶହ ଟଙ୍କାରେ ବିକ୍ରି କରି ଦେଇଥିଲେ। ଏନେଇ ମଙ୍ଗଳବାର ଏତଲା ହେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏଏସଆଇ ଝୁନୁୁ ମାଝୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ସୂଚନା ଆଧାରରେ ଗ୍ରାମର ଆମେସୁ ପାତ୍ରଙ୍କ ଠାରୁ ମୋବାଇଲ ଫୋନ ଏବଂ ପାଟପୁର ଗ୍ରାମର ଦୋକାନୀ ଶିବରାମଙ୍କ ଠାରୁ ୪୫ କେଜି ଚାଉଳ ଜବତ କରି ଉଭୟଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଥାନାରେ ଆମେସୁ ଏବଂ ଶିବରାମ ଉଭୟଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡାଯାଇଥିବା ବେଳେ ଅଭିଯୁକ୍ତ ଚନ୍ଦନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।